ଋତୁର ନାମ ପିପାସା

 

 

 

 

 

 

 

 

 

 

 

ଋତୁର ନାମ ପିପାସା

ରତ୍ନାକର ଚଇନି

 

ନାନା ଋତୁରେ ନାନା ଫୁଲ । ସବୁ ଋତୁର ସବୁ ଫୁଲ ସମସ୍ତଙ୍କୁ ଭଲ

ଲାଗେନି । ଏଇ ଚିହ୍ନା ଜଣା ଋତୁକୁ ଛାଡ଼ି ବେଳେବେଳେ ନାଁ ନଜଣା

ଗୋଟାଏ ଗୋଟାଏ ଋତୁ କୁଆଡ଼ୁ ଆସି ଦେଖା ଦିଅନ୍ତି -

ଯେମିତିକି ଋତୁର ନାମ ପିପାସା । ‘ପିପାସା’ କ’ଣ

କେବେ ଗୋଟାଏ ଋତୁର ନାଁ ହେଇପାରେ ॥

ପିପାସା ତ ସଦାବେଳେ ଶେଷହୀନ ।

ଏବେ ଅଛି, ଏବେ ନାଇଁ ।

ଆସିଲା-ଗଲା, ପୁଣି ଆସିଲା ।

କିନ୍ତୁ ଲାଭ କ’ଣ ଏଭଳି

ଋତୁ-ମାନଙ୍କର

ଆସିବା-ଯିବାରେ ।

 

ଯେମିତିକି ‘ଗଛରେ ଫୁଲ ଫୁଟିଲେ ମାର୍ଚ୍ଚମାସର କି ଯାଏ ? କାଗଜରେ

ଫୁଲ ଫୁଟିଲେ ହେଲା’ । ଓଲଟା କଥା ନ ହେଲେ ବି

ଅଜବ୍‌ ମନେହୁଏ ଏଇ ଯୁକ୍ତି । ତେବେ କ’ଣ

ଏ ପିପାସା ଦୁଇଟା ତୃଷାର୍ତ୍ତ ଆଖିର, ଛଳ ଛଳ

ଯୌବନର, ଫେନିଳ ମଦିରାର, ମଉଳିଲା

ପଦ୍ମପାଖୁଡ଼ା ଭଳି ତୃଷିତ

ଓଠର ? କେଜାଣି–

 

ଆହୁରି ଗଳ୍ପ ଏଇ ଲେଖକର :

 

ଗପ

କହ ଲଳିତା

ନିଷିଦ୍ଧ ଶୃଙ୍ଗାର

ମୁଠାଏ ଶୂନ୍ୟତା

ସୂର୍ଯ୍ୟାସ୍ତର ଉପବନ

 

ମୋର ପିତୃପ୍ରତିମ

ଶ୍ଵଶୁର

ଡାକ୍ତର ବୃନ୍ଦାବନଚନ୍ଦ୍ର ଦାଶଙ୍କୁ–

ଯାହାଙ୍କର ନିଷ୍ଠାପର କର୍ମମୟ

ଜୀବନର ଆଦର୍ଶ

ମତେ ମୁଗ୍‌ଧ

କରିଚି……

 

–ଲେଖକ

 

କଥାକ୍ରମ

– ଉପକଥା –

 

ଜଣେ ରାଜା ଥିଲେ

॥ ଏକ ॥

ତାରା ଭରା ଆକାଶ

॥ ଦୁଇ ॥

ମେଲୋଡ଼ି ହାଉସ

॥ ତିନି ॥

ଜଣେ ମହାପୁରୁଷଙ୍କ ମୃତ୍ୟୁ-ସଂପର୍କରେ

॥ ଚାରି ॥

ସେଇ ଲୋକଟା

॥ ପାଞ୍ଚ ॥

ଯଶୋଦା

॥ ଛଅ ॥

ନୀଳ-ନୀଡ଼ର ନଟୀ

॥ ସାତ ॥

ଭୁବନେଶ୍ଵର ଚାଲ

॥ ଆଠ ॥

ଋତୁର ନାମ ପିପାସା

॥ ନଅ ॥

କୌଣସି ଗୁଲିଖଟିରେ ସନ୍ଧ୍ୟା

॥ ଦଶ ॥

ମାହ୍ୟାଇ

॥ ଏଗାର ॥

Image

 

ଉପକଥା

 

ପରିବେଶ ଓ ପରିସ୍ଥିତିରେ ପଡ଼ି ମଣିଷ ଆଜି ଏତେ ରୂପ ଧରି ପାରୁଚି, ଏତେ କଥା କରିପାରୁଚି; ପୁଣି ଏତେ ନିଜ ମନର କଥାକୁ ଲୁଚେଇ ପାରୁଚି ଯେ–ସେସବୁକୁ ଲିପିରେ ବାନ୍ଧି ରଖିବା ଏବେ ଆଉ ସହଜସାଧ୍ୟ ହେଉନି । ଅବଶ୍ୟ ଯୁଗ ଯୁଗ ଧରି ମଣିଷର ଜୀବନ ଓ ତା’ର ଉଭା-ପୋତା ରୂପଟାକୁ ଜାଣିବାପାଇଁ ପ୍ରବଳ ପ୍ରୟାସ ଚାଲି ଆସିଚି । ଆଜି ଏ ଅନୁଧ୍ୟାନ ପର୍ବ ସମ୍ପୂର୍ଣ୍ଣ ନୂଆ ନୁହେଁ ।

 

କିନ୍ତୁ କିଛିଟା ପରିମାଣରେ ନୂଆ ।

 

ସାହିତ୍ୟ ଏବେ ମଣିଷର ପରିବେଶ ଓ ତା’ର କ୍ରିୟାକଳାପ ଜନିତ ସଂପର୍କକୁ ରୂପାୟନ କରିବାରେ ଲିପ୍ତ । ସମାଜିକ ବ୍ୟବହାରଗତ ଦୃଶ୍ୟମାନ ରୂପ ମଣିଷର ଅନ୍ତର୍ନିହିତ ଭାବାଲୋଡ଼ନକୁ ଅନେକ ପରିମାଣରେ ପରିପ୍ରକାଶ କରେ । ତା’ ସତ୍ତ୍ୱେ ଆଜିର ମଣିଷ ଅଚିହ୍ନା, ଅଜଣା, ଅବର୍ଣ୍ଣନୀୟ । ତାକୁ ଚିହ୍ନିବାପାଇଁ, ଜାଣିବାପାଇଁ ଓ ତା’ର ଭାବମୂର୍ତ୍ତି ଅଙ୍କନ କରିବାପାଇଁ କଳା-ଶିଳ୍ପ-ସାହିତ୍ୟରେ କେତେ ଯେ ପରୀକ୍ଷା–ନିରୀକ୍ଷା ଚାଲିଲା, ଚାଲିଛି, ତା’ର ଶେଷ ନାହିଁ ।

 

ସାହିତ୍ୟିକ ହେଲା ମାନବ ସଭ୍ୟତାର ‘ଆଣ୍ଟେନା’ ଭଳି । ଟେଲିଭିଜନରେ ଆଣ୍ଟେନାରେ ଯେପରି ତା’ର ସୀମା ସରହଦରେ ଘଟୁଥିବା ଦୃଶ୍ୟାବଳି ତଥା ଘଟଣାବଳୀ ପ୍ରତିବିମ୍ବିତ ହୁଏ ଓ ତାହା ଟେଲିଭିଜନରେ ଦେଖାଯାଏ–ସାହିତ୍ୟିକର ଧର୍ମ ଅବିକଳ ସେଇୟା । ମାତ୍ର ଆଜିର ମଣିଷ ଏଇ ‘ଆଣ୍ଟେନା’ରେ ନିଜର ସମ୍ପୂର୍ଣ୍ଣ ରୂପକୁ ଧରାଦେବାକୁ ନାରାଜ । ତା’ର ବହୁଧା ବିଭକ୍ତ ବ୍ୟକ୍ତିତ୍ଵକୁ ଓ ଅଭିନେତା ସୁଲଭ ସ୍ୱରୂପକୁ ଜାଣିପାରିବା ଦିଗରେ ପ୍ରଗତିଶୀଳ ବିଜ୍ଞାନ ବି ପରାସ୍ତ ।

 

ଆଧୁନିକ ସାହିତ୍ୟ ଆଧୁନିକ ମଣିଷକୁ ଚିହ୍ନିବା ଦିଗରେ କିନ୍ତୁ ଅଧିକ ସଫଳ ହେଇଚି, ବିଜ୍ଞାନ ଅପେକ୍ଷା । ‘ଆଧୁନିକ’ କହିଲେ ସେ ବୁଝୁଚି, ନୂତନର ପରଂପରା । ମାତ୍ର ପ୍ରକୃତରେ, ପରଂପରାରେ ‘ବର୍ତ୍ତମାନ’କୁ ଆରୋପକରି ପ୍ରଗତିଶୀଳ ନ ହେଲେ କିଛି ‘ଆଧୁନିକ’ ହୁଏ ନାହିଁ । ସେଇଥିପାଇଁ ବୋଧହୁଏ ଆଜିର ସାହିତ୍ୟରୁ ପଶ୍ଚିମା ଭାବାନୁକରଣ ନିଶା କମି କମି ଯାଉଚି ଏବଂ ସୃଜନଶୀଳ ମଣିଷଟି ମୂଳକୁ ଫେରିଯିବାକୁ ଚାହୁଁଚି ।

 

ଆଜିର ସାହିତ୍ୟରେ ଏକ ନୂଆ ପ୍ରବଣତା ଦେଖା ଯାଉଚି ।

 

କାବ୍ୟ-କବିତା ଓ ନାଟକାଦିରେ ମିଥ୍‌ ପଶୁଚି ପ୍ରାଗୈତିହାସିକ ବିଶ୍ୱାସ-ବୋଧର ନବ ମୂଲ୍ୟାଙ୍କନ କରି । ବୌଦ୍ଧିକତାର ଜନ୍ତାରୁ ମୁକ୍ତ ହେବାପାଇଁ କଥାସାହିତ୍ୟ ପୁଣି ଖୋଜି ବସିଲାଣି କଥା-ଶିଳ୍ପର ମୂଳସ୍ରୋତକୁ । କିଛି ବର୍ଷ ପୂର୍ବେ ସମ୍ପୂର୍ଣ୍ଣ ଭାବେ ବହିଷ୍କୃତ ହୋଇଯାଇଥିବା ‘କାହାଣୀ’ ଏବେ ପୁଣି ମୁହଁ ଦେଖାଇଲାଣି । ସମାଜ ଚେତନାଧର୍ମୀ ନବ୍ୟ ରୋମାଣ୍ଟିସିଜିମ୍‌ କଥା ସାହିତ୍ୟ-ଜଗତକୁ ପ୍ରବେଶ କରିବାର ଭିସା-ପାସ୍‍ପୋର୍ଟ ପାଇଲାଣି ।

 

ଏବେକାର ସାହିତ୍ୟ ମଣିଷକୁ ଚିହ୍ନିବାପାଇଁ ଓ ତା’ର ପରିଚୟ ପାଇବାପାଇଁ ଏକ ନୂଆ ଭାଷା । ଗପ କହିବାର ଭାଷା ତ ଆହୁରି ଅଲଗା । ଅନେକ ଅନୁଭୂତିର ତାହା ଏକ ଏକ ମାନସ ଚିତ୍ର; ଏକ ଏକ କାହାଣୀ-ବୋମା । ମଞ୍ଚବିମୁଖ ଦର୍ଶକଙ୍କୁ ପୁଣି ମଞ୍ଚ ଆଡ଼କୁ ଟାଣି ଆଣିବାର ପ୍ରୟାସ ଯେପରି ନାଟକରେ ହେଉଚି, ଅବିକଳ ସେଇ ପ୍ରଚେଷ୍ଟା ଆରମ୍ଭ ହୋଇଚି ଗଳ୍ପରେ ।

 

କଥା କହିବାପାଇଁ ଏ ଉପକଥାର ସୂଚନା–

 

ଏସବୁ କହିବା ବି ଅନାବଶ୍ୟକ । ମାତ୍ର ନାନାଦି ପରୀକ୍ଷା-ନିରୀକ୍ଷା, କେତେ କେତେ ଇଜମ୍‌ର ଜୁଆର ଏବଂ କେତେ ଦେଶ-ବିଦେଶର ଶୈଳୀ ନେଇ କସରତ୍‌ କରିଚି । ଏଥିରେ କେଉଁ ତତ୍ତ୍ଵ ରହିଲା, କେଉଁ ଦର୍ଶନ ରହିଲା, ସେଥିପ୍ରତି ମୁଁ ଆଦୌ ନିଷ୍ଠାପର ନୁହେଁ । ତାହାହିଁ ବୋଧେ ମୋର ଦୁର୍ବଳତା ।

 

ସାହିତ୍ୟ ମୋପାଇଁ ପରୀକ୍ଷାଗାର ନୁହେଁ, ମୋର ଜୀବନ ।

 

ବେଦନାର ଗୁରୁ ଗମ୍ଭୀରତା ମତେ ଅସ୍ଥିର କଲେ ମୁଁ ଲେଖେ । ସେମିତି କେତେ କ’ଣ ଲେଖୁ ଲେଖୁ ତ ଏ ଗଳ୍ପଗୁଡ଼ିକର ଜନ୍ମ । ଏଥିରେ କ’ଣ ରହିଲା ବା ନ ରହିଲା, ମୁଁ ହିସାବ କରି କହିପାରିବିନି । କିନ୍ତୁ ଏତିକି କହିବି, ଏଥିରେ ଆରମ୍ଭରୁ ଶେଷଯାଏ ମୁଁ ଅଛି । ‘ସେଇ ବୁଢ଼ାଟି’ ଗଳ୍ପ ପଢ଼ି ଦାଶରଥି ପଟ୍ଟନାୟକ ଭଳି ବୟସ୍କ ବ୍ୟକ୍ତି ଭାବବିଭୋର ହୋଇ ଲେଖିଲେ–‘ମୁଁ ହେଉଚି ସେଇ କୁଲି ସର୍ଦ୍ଦାର’ । ‘ଜଣେ ରାଜା ଥିଲେ’ ଗଳ୍ପଟି ଯେ ସତ ଏବଂ ସେ ଅଧ୍ୟାପକ ଜଣକ ମୋ ଛଡ଼ା କେହି ନୁହେଁ–ଏହା ଅନେକଙ୍କର ବିଶ୍ଵାସ । ଅନେକଙ୍କ ପତ୍ରରେ ଏଇ କଥା । ‘ମେଲୋଡ଼ି ହାଉସ’ର ଘଟଣା ସତ୍ୟ କି ନୁହେଁ ବୋଲି ନିଜେ ‘ଝଙ୍କାର’ର ପରିଚାଳନା ସଂପାଦକ ଶ୍ରୀ ସରୋଜ ରଂଜନ ମହାନ୍ତି, ମତେ ବହୁବାର ପ୍ରଶ୍ନ କରିଛନ୍ତି । ଏମିତି ଆହୁରି ଅନେକ–

 

ଏ କଥା କହିବାର ଉଦ୍ଦେଶ୍ୟ–

 

ମୁଁ ଆମ ପରିବେଶ ଓ ସାମାଜିକ କ୍ରିୟାକଳାପଜନିତ ସଂପର୍କକୁ ଛିନ୍ନ କରି ନାହିଁ । ଏହାଦ୍ୱାରା ଯଦି ମୋ ସୃଷ୍ଟିକୁ ଆଧୁନିକତା ସ୍ପର୍ଶ କରି ନ ପାରିଲା, ମୋର ସେଥିରେ ଦୁଃଖ ନାହିଁ । ଗାଳ୍ପିକ ହିସାବରେ କେହି ଯଦି ମତେ ଏଇଥିପାଇଁ ସ୍ଵୀକାର ନ କଲା, ମୁଁ କେବେ ଦୁଃଖିତ ହେବି ନାହିଁ । ଓଲଟି ବରଂ କହିବି, ଆମରି ମାଟି-ପାଣି-ପବନକୁ ନେଇ, ଆମରି ମନକୁ ଛୁଇଁଲା ଭଳି କଥା କୁହ । ଆମକୁ ସ୍ଵଦେଶୀ କର-ବିଦେଶୀ କର ନାହିଁ ।

 

ଏଇଠି ଧନ୍ୟବାଦ ଦେବା କଥା ।

 

ଅନେକ ଗୁଡ଼ାଏ ଅକଥା କହିଲିଣି । ଧନ୍ୟବାଦ ଦିଏଁ ଗୋବିନ୍ଦବାବୁଙ୍କୁ, ଅସିତ୍‌ବାବୁଙ୍କୁ–ଯେଉଁମାନେ ଏହାକୁ ବହି ରୂପ ଦେଲେ । ଧନ୍ୟବାଦ ମୋ ସ୍ତ୍ରୀ ଲିଲିକୁ, ଯିଏ ପାଣ୍ଡୁଲିପି ପ୍ରସ୍ତୁତିରେ ମତେ ସାହାଯ୍ୟ କରିଛି । ଏବଂ ଆପଣମାନଙ୍କୁ ସମସ୍ତଙ୍କୁ–

 

–ରତ୍ନାକର….

Image

 

ଜଣେ ରାଜା ଥିଲେ

 

ସ୍ଥାନ, କାଳ, ପାତ୍ର ଭେଦରେ ପ୍ରତୀକ୍ଷାର ରାଗିଣୀ ଭିନ୍ନ ଭିନ୍ନ । ମାତ୍ର ପ୍ରତ୍ୟେକ ସ୍ଥଳରେ ପ୍ରତୀକ୍ଷା ପଛରେ ଆଶା–ନିରାଶର ବେସୁରା ବାଜୁଥାଏ; ଧୈର୍ଯ୍ୟର ପରଖପାଇଁ ପରିବେଶ ସୃଷ୍ଟି କରାଯାଉଥାଏ ।

 

ଏ ନିଶ୍ଚୟ ଧୈର୍ଯ୍ୟ ପରୀକ୍ଷା ।

 

ଉଆସର ଏବେ ବଗିଚା ବୋଲାଉଥିବା ସାମ୍ନାପଟ ପ୍ରଶସ୍ତ ଭୂମିର ଆହୁରି ପ୍ରଶସ୍ତ ରାସ୍ତାରେ ଆମେ ଥିଲୁ ପ୍ରତୀକ୍ଷାରତ । ମହାରାଜାଙ୍କ ଡାକରା ପାଇଲେ ଦର୍ଶନ ନିମିତ୍ତ ଭିତରକୁ ଯିବାକୁ ହେବ । ଭିତରକୁ ଖବର ଚାଲିଗଲାଣି ଅନେକ ବେଳୁ । କେବଳ ଡାକରାକୁ ଅପେକ୍ଷା ।

 

ଡାକରା ଧରି କେହି ଜଣେ ଆସୁଥିବ ।

 

ଦୁଇଜଣଯାକ ମାଳୀ ଡକାହକାହୋଇ ଆଗପଛକରି ଭିତରକୁ ଯାଇଛନ୍ତି । ବହୁତ ବେଳୁ ଗାଡ଼ିରେ ବସି ଆସିଥିବାରୁ ଠିଆହୋଇ ଗୋଡ଼ ସଳଖୁଥିଲୁ ମୁଁ ଏବଂ ନିତ୍ୟାନନ୍ଦ ବାବୁ । ଦୁହେଁ ଆସନ୍ନ ଦର୍ଶନ ଲାଭକରିବା ନିମିତ୍ତ ମାନସିକ ପ୍ରସ୍ତୁତ ହେଉଥିଲୁ । ତେଣୁ ଦୁହେଁ ଥିଲୁ ସ୍ଵାଭାବିକଭାବେ ନୀରବ । ନିତ୍ୟାନନ୍ଦ ବାବୁ ଧୋତି–ପଞ୍ଜାବୀ ପରିହିତ ହୋଇଥିବାରୁ ପବନ ତାଙ୍କ ସାଙ୍ଗରେ ବାଁ–କାଲିଆ ଖେଳି ତାଙ୍କୁ ଅସ୍ତବ୍ୟସ୍ତ କରି ପକାଉଥିଲା । ତଥାପି ସେ ସଂଭ୍ରମତାର ସହିତ ମର୍ଯ୍ୟାଦା ରକ୍ଷା କାର୍ଯ୍ୟ କରୁଥିଲେ ମଧ୍ୟ, ମୁଁହରେ ଶବ୍ଦଟିଏ ଉଚ୍ଚାରଣ କରୁ ନ ଥିଲେ ।

 

କିନ୍ତୁ ଧୋତି ସଜାଡ଼ୁଥିଲେ ବାରମ୍ବାର ।

 

ମୋର ସେଭଳି ଅସୁବିଧାରେ ପଡ଼ିବାର ଅବକାଶ ନ ଥିଲା । ମାତ୍ର ମୁଁ ଏକ ଅସମାଧିତ ଗୋଲକଧନ୍ଦାରେ ପଡ଼ିଲାଭଳି ଭାବି ଯାଉଥିଲି ପଛରେ ଛାଡ଼ି ଆସିଥିବା ଘଟଣାମାନଙ୍କୁ । ବୋଧହୁଏ ସମ୍ଭାବ୍ୟ ଘଟଣା ଘଟିବା ପୂର୍ବରୁ ଏଭଳି ଚିନ୍ତା ମନକୁ ଆସେ ଏବଂ ତାହା ଆସିବା ମଧ୍ୟ ସ୍ଵାଭାବିକ । ପ୍ରତୀକ୍ଷାର ପୃଷ୍ଠଭୂମିରେ ଘଟି ଯାଇଥିବା ଘଟଣାର ଦୃଶ୍ୟମାନ ପ୍ରତିବିମ୍ବିତ ହେଲା ।

 

ଆସିଲାବେଳର କଥାଗୁଡ଼ିକୁ ହିଁ ଭାବୁଥିଲି ।

 

ଏବଂ ପ୍ରତୀକ୍ଷା କରିଥିଲି....

 

ରାସ୍ତାରେ ଘଟଣାମାନଙ୍କର ହାଟ ବସିଥିଲା ।

 

ବଡ଼ ଘଟଣା, ସାନ ଘଟଣା, ପୁଣି ବଡ଼–ସାନ ଘଟଣା । ଜିପ୍‌ରେ ମୁଁ ଏବଂ ନିତ୍ୟାନନ୍ଦ ବାବୁ ଭୋଦୁଅର ଖରା–ବର୍ଷାର ଲୁଚୁକାଳି ଖେଳକୁ ଏକରକମ ବେଖାତିର କରି ଚାଲୁଥିଲୁ ସେଇ ରାସ୍ତାରେ ଏବଂ ଘଟଣାମାନଙ୍କୁ ଦେଖି ଦେଖି ଯାଉଥିଲୁ ।

 

ଭାରି ଭଲ ଲାଗୁଥିଲା ସେସବୁ ଦୃଶ୍ୟ ।

 

ମୋରମ୍‌ଦିଆ ପାଲିସ୍‌ ରାସ୍ତା; ରାସ୍ତା କଡ଼େ କଡ଼େ ବର୍ଷାର ଅଇଁଗୁଣିଆ ପ୍ରକୃତି ଯୋଗୁ ହେଉ, କିମ୍ୱା ଗୃହକର୍ତ୍ତ୍ରୀଙ୍କ ଅବହେଳା ହେତୁ ହେଉ–ଶୁଖିପାରି ନଥିବା ଉଷୁଆଁ ଧାନମାନ ଶୁଖୁଥିଲା-। ଜାଗାଏ ଜାଗାଏ ଗୋଟାଏ ଗୋଟାଏ ନିକିମା ବୁଢ଼ୀ ମନ ଭୁଲେଇବାପାଇଁ, ଜିଦିଖୋରିଆ ଅଥଚ କାନ୍ଦୁରା ଛୋଟ ନାତି–ନାତୁଣୀ କି ସାଙ୍ଗରେ ଧରି ଧାନମୁଖା ପାଖରେ ବସିଥିଲେ, ମୁଣ୍ଡରେ ଲୁଗାକାନିକୁ ଚାରିଚଉତ କରି ପକାଇ । ହାତରେ ଦଦରା ବାଡ଼ି ଖଣ୍ଡେ ଲେଖାଁ ଧରି, ବାରମ୍ବାର ବଣଭୋଜି ନାଁରେ ଆସି ଖୁମ୍ପାଏ ଖୁମ୍ପାଏ ଧାନ ନେଇ ଚାଲି ଯାଉଥିବା କାଉମାନଙ୍କୁ ତଡ଼ିବାପାଇଁ ସେମାନେ ବସିଥିଲେ; ଅଥଚ କାଉମାନଙ୍କର ଖିଆ ପିଆର ମହୋତ୍ସବ ଲାଗି ରହିଥିଲା ।

 

ନିବିଡ଼ ଗ୍ରାମ୍ୟ ପରିବେଶ ଯୋଗୁଁ ହେଉ କିମ୍ୱା ରାସ୍ତାରେ ବନ୍ଧା ହୋଇଥିବା ଗାଈ–ଗୋରୁ ଯୋଗୁଁ ବା ଧାନଶୁଖା ହେତୁ ଅଥବା ମଣିଷଙ୍କ ଅସାବଧାନତା ହେତୁ ହେଉ–ଅବରୁଦ୍ଧ ରାସ୍ତାପାଇଁ ଗାଡ଼ିର ଗତି ମନ୍ଥର ହେଇଗଲେ, ଦିଶିଥାଏ–ବୁଢ଼ୀ ପାଖରେ ବସି ସାମୟିକ କାନ୍ଦ ବନ୍ଦ କରିଥିବା ନାତି–ନତୁଣୀ ଅଦୂରରୁ କଙ୍କିଟିଏ ଧରିବାକୁ ଚେଷ୍ଟାକରି ବିଫଳ ହେବା ପରେ ପୁଣି କାନ୍ଦି ଉଠେ ପୂର୍ବକଥାର ପୁନରାବୃତ୍ତିକରି ଏବଂ ବୁଢ଼ୀଙ୍କୁ ସେ ଜିନିଷଟି ଆଣି ଦେବାପାଇଁ ଦାବିକରେ ।

 

ତେତିଶ ମାଇଲ ଦୂର ରାସ୍ତାରେ ଏମିତି ଅନେକ ଘଟଣା । କାଖରେ ଛତା ଜାକି, ହାତରେ ନାନାରଙ୍ଗର ସୂତାରେ କାରୁକାମ ହୋଇଥିବା କନା ବ୍ୟାଗ୍‌ଟିଏ ଝୁଲାଇ, କଚେରୀ ବା ବନ୍ଧୁଘର ଉଦ୍ଦେଶ୍ୟରେ ଚାଲିଥିବା ଗ୍ରାମ୍ୟ ବୁଦ୍ଧିଜୀବୀ, ...ଅଯଥା ଲାଙ୍ଗୁଳ ଟେକି ବାରମ୍ବାର ହମାଳୁଥିବା ଗାଈକୁ ପଘାରେ ବାନ୍ଧି ଭେଟେନାରୀ ହସ୍‌ପିଟାଲ ଆଡ଼କୁ ସ୍ଵପ୍ନ ବୁଣି ବୁଣି ଯାଉଥିବା କୃଷକ, ...କୌତୁକିନା ଗ୍ରାମ୍ୟ ବାଳିକା ମୁଁହରେ ହସର ଦରଫୁଟା ତରାଟଫୁଲ ଫୁଟେଇ ଜୀବନରେ ଆଦୌ ଦେଖି ନ ଥିବା ଭଳିଆ ଦୃଶ୍ୟ ଦେଖି ଠିଆହେବାର ଉତ୍ସୁକତା...ଏମିତି ଅନେକ ଘଟଣା, ଅନେକ ଦୃଶ୍ୟ ।

 

ମତେ ଏ ସବୁ ନୂଆ ନୂଆ ଲାଗୁଥିଲା । ଜୀବନକୁ ନୂଆ ସ୍ଵାଦ ଚଖେଇବା ପାଇଁ ଇଏସବୁ ପରଲଗା ଅନୁଭୂତି । ଗବେଷଣାପାଇଁ ନୂଆ ତଥ୍ୟ ସନ୍ଧାନରେ ଯିବାବେଳର ଇଏ ଗୋଟାଏ ଗୋଟାଏ ଅଦ୍ଭୁତ, ଅନାସ୍ଵାଦିତ ଖୋରାକ । ଗାଆଁରୁ ଆସି ସ୍ଥାୟୀ ସହରର ବାସିନ୍ଦା ହୋଇଗଲା ପରେ ଶୈଶବର ପରିଚିତ ଦୃଶ୍ୟସବୁ ମତେ ଏପରି ଅପରିଚିତ ଲାଗୁଚି । ମନେହେଉଛି ଏ ଘଟଣାସବୁ ଯେତେ ଅପରିଚିତ ହେଲେ ବି ଖୁବ୍‌ ଆପଣାର; ଦିଗହଜା ଗହୀରରେ ପଥଭୁଲା ଲୋକପାଇଁ ସରୁ ଅସ୍ପଷ୍ଟ ପାଦଚଲା ରାସ୍ତାଭଳି ।

 

ମଝିରେ ମଝିରେ ରାସ୍ତାପାଖ ଅଞ୍ଚଳମାନଙ୍କର ପ୍ରସିଦ୍ଧି, ଦେବାଦେବୀ ଏବଂ ରମଣୀୟ ସ୍ଥାନମାନଙ୍କ ବିଷୟରେ କିଛି କିଛି ବିବରଣୀ ଦେଉଥିଲେ ନିତ୍ୟାନନ୍ଦ ବାବୁ ।

 

ପ୍ରକୃତରେ ନିତ୍ୟାନନ୍ଦ ବାବୁହିଁ ଥିଲେ ଏଇ ଯାତ୍ରାର ଆୟୋଜକ । ମଧୁପୁର ରାଜବାଟିରେ ମୋ ଗବେଷଣା ବିଷୟର ବହୁ ମୂଲ୍ୟବାନ୍‌ ପ୍ରାଚୀନ ତଥ୍ୟ ଲୁଚି ରହିଥିବା କଥାର ସନ୍ଧାନ ଦେଇଥିଲେ ସେ । ତେଣୁ ସେଠାରେ ପହଞ୍ଚାଇବାପାଇଁ ସମସ୍ତ ବନ୍ଦୋବସ୍ତ କରିସାରି ନିଜେ ମୋର ସଙ୍ଗୀ ସାଜିବାକୁ ସେ ଭୁଲି ନଥିଲେ । ମଧୁପୁର ରାଜବାଟୀ ଥିଲା ଜନଶ୍ରୁତି ଓ ତାଙ୍କ କଳ୍ପନାର ରହସ୍ୟମୟୀ ଭାନୁମତୀ ନଗର ବୋଲି ସେ ବହୁବାର ମତେ କହିଥିଲେ ।

 

ରାଜୁତି ଥିବା କାଳରେ ଏଇ ରାଜବାଟିରେ କୁଆଡ଼େ ମାଛି ପଶିଲେ ନବଖଣ୍ଡ ହୋଇ ଯାଉଥିଲା । ରାଜା ଏମନ୍ତ ପ୍ରତାପୀ ଥିଲେ ଯେ, ଗର୍ଭଣୀ ଗାଈ ତାଙ୍କୁ ବାଟ ଛାଡ଼ି ଦେଉଥିଲା । ନୃଶଂସତା ଓ କଠୋର ଶାସନକୁ ଭିତ୍ତିକରି ଏ ରାଜବଂଶ ସମ୍ୱନ୍ଧରେ ବହୁ ଜନଶ୍ରୁତି, କେବଳ ଏଇ ଅଞ୍ଚଳର ନୁହେଁ, ଦୂର ଦୂରାନ୍ତରକୁ ବି ପରିବ୍ୟାପ୍ତ । ଯେଉଁ ରାଜାଙ୍କ ହାତରୁ ସରକାର ରାଜପଣ ଛଡ଼ାଇ ନେଇଥିଲେ, ସେହି ରାଜା ସାହେବ ରୁଦ୍ରପ୍ରତାପ ଏବେ ବି ଜୀବିତ । ଉଚ୍ଚଶିକ୍ଷା, ରାଜନୈତିକ ତଥା ଅର୍ଥନୀତିକ ଦ୍ଵାହି ଦେଇ ତାଙ୍କ ପୁତ୍ରକନ୍ୟାମାନେ ଦେଶବିଦେଶ ଯାଇ ଅବସ୍ଥାପିତ ହୋଇଥିଲେ ମଧ୍ୟ ସ୍ଵୟଂ ମହାରାଜ ରୁଦ୍ରପ୍ରତାପ ଆଭିଜାତ୍ୟ ଓ ଅହସିକାର ବୋକ୍‌ଚା ଧରି ପଡ଼ି ରହିଛନ୍ତି ଏଇଠି ।

 

ନିତ୍ୟାନନ୍ଦ ବାବୁଙ୍କ ମନରେ ତାଙ୍କୁ ଦେଖିବାର ପ୍ରବଳ ଇଚ୍ଛା । ତଥାପି ମୋ ଗବେଷଣା କର୍ମ ତାଙ୍କପାଇଁ ଏକ ଅବଲମ୍ବନ ନୁହେଁ । ମୁଁ ନ ଆସିଥିଲେ ବି, ହୁଏତ ଏକୁଟିଆ ସେ ଆସିଥାଆନ୍ତେ । ମାତ୍ର ଏକୁଟିଆ ତାଙ୍କୁ କୌଣସି ମଉଜ କରିବାକୁ ଭଲ ଲାଗେ ନାହିଁ ବୋଲି ସେ କହନ୍ତି । ଏକଥା ବୋଧହୁଏ ଅନେକ ପରିମାଣରେ ସତ ।

 

ଭାଦ୍ରବର ଛାତି–ଚମକା ମେଘ ନିଜର ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବାର ପ୍ରୟାସ କଲାବେଳକୁ ଆମ ଗାଡ଼ି ରାସ୍ତାପାଖର ଗୋଟିଏ ଛୋଟିଆ ସହର ଭିତରେ ମୁଣ୍ଡଗୁଞ୍ଜି ସାରିଥିଲା । ମଧୁପୁର ରାଜବାଟୀ ସେଠାରୁ ଆଉ ମୋଟେ ପାଞ୍ଚ ମାଇଲ ଦୂର, ଏକଥା ଜାଣି ଟିକିଏ ଆଶ୍ଵସ୍ତ ହେଲି । ଏ ଆଡ଼ର ମାଇଲଗୁଡ଼ାକ ମତେ ଖୁବ୍‌ ଲମ୍ବା ମନେ ହେଉଥିଲେ । ସତେ ଯେମିତି ଯାତ୍ରାର ଶେଷ ନାହିଁ ।

 

ଦୁଇପଟେ ଭରା ଶସ୍ୟକ୍ଷେତ୍ର, ଅପରିଚିତ ପାହାଡ଼ ଓ ଗ୍ରାମ୍ୟ ପରିବେଶ, ମତେ ସାମୟିକ ଆନନ୍ଦ ଦେଉଥିଲେ ବି, ମାପଚୁପ ରାସ୍ତାର ଅସମ୍ଭବ ଦୀର୍ଘତା ମନକୁ ରହସ୍ୟାଚ୍ଛନ୍ନ କରି ପକାଉଥିଲା । ଏହା ନିତ୍ୟାନନ୍ଦ ବାବୁଙ୍କଦ୍ୱାରା ବର୍ଣ୍ଣିତ ପରିବେଶଠାରୁ ଆହୁରି ରହସ୍ୟମୟ । ତେଣୁ ବାରମ୍ବାର ଏକଥା ମନକୁ ଛୁଇଁଥିଲା, ଏପଟର ମାଇଲଗୁଡ଼ା ନିଶ୍ଚୟ ଖୁବ୍‌ ଲମ୍ବା ।

 

ବର୍ଷା ଛାଡ଼ିଲା । ସେତେବେଳକୁ ଆମେ ଚା’ପିଆ ସାରି ବାହାରିବାକୁ ପ୍ରସ୍ତୁତ ହୋଇ ସାରିଥିଲୁ । ବର୍ଷାଯୋଗୁଁ ଯେତେ ନୁହେଁ, ଚା’ ପିଇବା ଉପଲକ୍ଷ୍ୟକରି ଆମ ଗାଡ଼ି ଏଠି ଅଟକିଥିଲା । ଖାଣ୍ଟି ମଇଁଷି କ୍ଷୀରରେ ପ୍ରସିଦ୍ଧ ଚା’ ଏ ସହରରେ ମିଳେ ବୋଲି ନିତ୍ୟାନନ୍ଦ ବାବୁ ଏକ ସମ୍ବାଦ ପରିବେଷଣ କରିସାରିଥିଲେ ବହୁ ଆଗରୁ । ମାତ୍ର ଚା’ ଖାଇ ସାରିଲା ପରେ ସେ ପ୍ରସିଦ୍ଧିରେ କିଛି ଖଟ୍‌କା ଥିବାଭଳି ମନେହେଲା ଏବଂ ନିତ୍ୟାନନ୍ଦ ବାବୁ ତେଣୁ ଦୋକାନୀର ଧାର୍ଯ୍ୟ ଦରଠାରୁ କମ୍‌ ପଇସା ଦେବାକୁ ବାଧ୍ୟ ହୋଇଥିଲେ ।

 

ଶେଷରେ ଅଭିସାରିକାର ଯନ୍ତ୍ରଣାକୁ ଶେଷ ଘୋଷଣାକରି ଖଣ୍ଡିତା ନାରୀର ନାୟକ ଉଭା ହେଲାଭଳି ଆଗରେ ଦିସିଗଲା ମଧୁପୁର ରାଜବାଟୀ । ଶେଷରାତିର ଜହ୍ନଭଳି ରହସ୍ୟମୟ ଭାବନାର ପାତଳ ପରଦା ଆଗରେ ଝୁଲିଗଲା ସାମାନ୍ୟ ପାଣ୍ଡୁରହୋଇ ।

 

ଏଇ ତେବେ ସେଇ ବହୁବର୍ଣ୍ଣିତ ମଧୁପୁର ରାଜବାଟୀ ।

 

ଅତୀତର ବହୁ ସଂଭ୍ରାନ୍ତି ଓ ଆଭିଜାତ୍ୟର ବୟସ୍କ ରୂପଧରି ଠିଆ ହୋଇଥିଲା ସେ । ହୁଏତ ଦିନେ ଏଇ ରାଜବାଟୀ ଭିତରକୁ ପଶିବାପାଇଁ ବ୍ୟାଧିତ କୌତୂହଳ ନେଇ ଉଭା ହୋଇଥିବା ବ୍ୟକ୍ତି ସଶତ୍ର ପ୍ରହରୀଙ୍କୁ ଦେଖି ଭୟ ପାଇଥିବ । ଭିତରକୁ ପଶିବାନିମିତ୍ତ ଦୁଃସାହସପାଇଁ ସେ ଅନେକ ଥର ଭାବିଥିବ; ପୁଣି ପଶିବାର କାରଣ ଜଣାଇବାପାଇଁ ଅନେକ ଯୁକ୍ତି ସଜିଲକରି ରଖିଥିବ ମନରେ । ଶଙ୍କିତ ପଦରେ ଭିତରେ ପ୍ରବେଶ କଲାବେଳେ ନିଜକୁ ମୂଷାଛୁଆ ଭଳି ନିରୀହ ମନେ କରିଥିବ ।

 

ଆମ ଗାଡ଼ି କିନ୍ତୁ ବିନା ବାଧାରେ ଉଆସ ଭିତରକୁ ପଶିଲା । କାରଣ ବାଧା ଦେବାପାଇଁ ଅତୀତ ସେଠି ନ ଥିଲା । ବର୍ତ୍ତମାନଟା ନିହାତି ନିର୍ଜନ । ଦୂରରୁ ପରିତ୍ୟକ୍ତ ଭଳି ମନେ ହେଉଥିବା ରାଜବାଟୀର ଭିତରଟା ଅତ୍ୟନ୍ତ ସଜୀବ ଜଣାଗଲା । ପ୍ରଶସ୍ତ ରାଜରାସ୍ତା ଦୁଇପଟେ ଫୁଲଗଛର ଚାରାମାନେ ପବନରେ ମୁଣ୍ଡ ଟୁଳୁଟୁଳୁ କରି ହସୁଥିଲେ । ସତେ ଯେମିତି ରାଜକୀୟ ସମ୍ମାନ ପ୍ରଦର୍ଶନ ପାଇଁ ସଜ୍ଜୀକୃତ ସିପାହୀ, ଅଭିବାଦନ ଜଣାଉଛନ୍ତି ଆମକୁ । ବାସ୍ତବିକ ଏ ଅନୁଭୂତି ଭିନ୍ନ ସ୍ୱାଦର, ଭିନ୍ନ ସ୍ଵପ୍ନର ।

 

ଉଆସ ଭିତରକୁ କିଛି ବାଟ ଯାଇ ସେଇ ପ୍ରଶସ୍ତ ରାସ୍ତାର ଗୋଟିଏ ପଟକୁ ଗାଡ଼ି ଛିଡା କରାଇଲୁ । ସେତେବେଳରୁ ବଗିଚା କାମରେ ବ୍ୟସ୍ତଥିବା ଦୁଇଜଣ ବୟସ୍କ ମାଳୀଙ୍କର ଦୃଷ୍ଟି ଆମ ଉପରେ ପଡ଼ି ସାରିଥିଲା ଏବଂ ତାଙ୍କ ଭିତରୁ ଜଣେ ଛିଡ଼ାହୋଇ ସାରିଥିଲା । ଗାଡ଼ି ବନ୍ଦକରି ଆମେ ଦୁହେଁ ତାଙ୍କ ପାଖକୁ ଗଲୁ ଓ ମହାରାଜାଙ୍କ ସାକ୍ଷାତ କରିବାକୁ ଆସିଥିବା ଅଭିପ୍ରାୟ ପ୍ରକାଶ କଲୁ ।

 

ଆମେ ବିଦେଶୀ, ଏ ସ୍ଥାନୀୟ ଲୋକ ନୁହଁ, -ଏକଥା ଜାଣିସାରିବା ପରେ ବି ସେ ଏପର୍ଯ୍ୟନ୍ତ ବସି ରହି କାର୍ଯ୍ୟବ୍ୟସ୍ତ ଥିବା ଲୋକଟା ତା’ର ବଡ଼ ବଡ଼ ଆଖିରେ, ଚିହ୍ନିଲା ଚିହ୍ନିଲା ଚାହାଣିରେ ଚାହିଁଲା । ଲୋକଟା ବୃଦ୍ଧ ହେଲେ ବି ତା’ର ଆଖିଗୁଡ଼ିକ ଥିଲା ବଡ଼ ଭୟଙ୍କର । କଥାରେ ଓଜନ ଥିଲା ଖୁବ୍‌ବେଶୀ । ଆମେ କାହିଁକି ମହାରାଜଙ୍କୁ ଦେଖା କରିବାକୁ ଚାହୁଁ, ଆମର କାମ କ’ଣ, ମହାରାଜା ଭିନ୍ନ ଅନ୍ୟ କେହି ତାଙ୍କ କାମ କରିପାରିବେ କି ନା–ଏମିତି ଅନେକ ପ୍ରଶ୍ନ ପଚାରି ସେ ପ୍ରଥମେ ମତେ ବିରକ୍ତି କରିଦେଲା । ମୁଁ କ୍ଷୁବ୍‌ଧ ହୋଇଯିବା ଜାଣି ନିତ୍ୟାନନ୍ଦ ବାବୁ କଥାଟାକୁ ଚଳାଇ ନେବାପାଇଁ ବୁଝାଇ କହିଲେ ଯେ, ମୁଁ ଓଡ଼ିଶାର ସର୍ବବୃହତ୍‌ କଲେଜର ଗବେଷଣାରତ ଜଣେ ଅଧ୍ୟାପକ । ସେଇ ଗବେଷଣା ସଂକ୍ରାନ୍ତୀୟ କାର୍ଯ୍ୟରେ ମୁଁ ମହାରାଜାଙ୍କୁ ଦେଖା କରିବାକୁ ଚାହେଁ ।

 

ତା’ପରେ, ଏକପ୍ରକାର ଅନିଚ୍ଛା ଓ ବିରକ୍ତିମିଶା ଭଙ୍ଗୀରେ ବସିଥିବା ମାଳୀଟି ଉଠି ଉଆସ ଆଡ଼କୁ ମୁହାଁଇଲା ଏବଂ ଡକାହକାହୋଇ ତା’ ପଛେ ପଛେ ଚାଲିଗଲା ଆର–ବୁଢ଼ା ମାଳୀଟି, ଯିଏ ଏପର୍ଯ୍ୟନ୍ତ ଠିଆହୋଇ ଏ କଥାବାର୍ତ୍ତା ଶୁଣୁଥିଲା । ଦିହେଁ ଯାଇଛନ୍ତି ତ ଯାଇଛନ୍ତି । ଏଯାବତ୍‌ ସମ୍ବାଦ ଧରି ଫେରିବାର ସୋରଶବ୍‌ଦ ବି ନାହିଁ ।

 

ପ୍ରତୀକ୍ଷାର ମୁହୂର୍ତ୍ତ ବଡ଼ ଯନ୍ତ୍ରଣାଦାୟକ । ପ୍ରସୂତି ଭବନ ବାହାରେ ପୁଅ ବା ଝିଅ ଜନ୍ମର ଖବର ପାଇବାପାଇଁ ଅପେକ୍ଷା କରିଥିବା ବାପ ଭଳି, ଏଠି ବି ନିର୍ଦ୍ଦିଷ୍ଟ ସମ୍ବାଦକୁ ଅପେକ୍ଷା । କେହି ଆସୁନାହାନ୍ତି, ପୁଣି କେହି ଭିତରକୁ ପଠାଇବା ଲାଗି ନାହାନ୍ତି । ଯିବାର ଅବକାଶ ତ ନାହିଁ । କାରଣ ଭିତରକୁ ପଠାଇବା ଲାଗି ଆଉ ଏଠି ଲୋକ ନାହାଁନ୍ତି । ଅତଏବ ପ୍ରତୀକ୍ଷା ହିଁ ଏକମାତ୍ର ଅବଲମ୍ୱନ-

 

ନିତ୍ୟାନନ୍ଦ ବାବୁ ଖୁବ୍ ସିଗରେଟ୍‌ପ୍ରେମୀ । ମୁଁ ଲକ୍ଷ୍ୟ କରିଛି, ସେ ଦିଆସିଲି ଓ ସିଗାରେଟ୍‌ ପ୍ୟାକେଟକୁ ହାତକୁ ଆଣି, ପୁଣି ପକେଟରେ ରଖିଲେଣି ଦୁଇ ତିନିଥର; କାଳେ ତାଆରି ଭିତରେ ମହାରାଜଙ୍କ ଡାକରା ଆସିଯିବ । ସିଗାରେଟ୍‌ ଖାଇ ଖାଇ ସେଠିକି ଯିବା ଅଭଦ୍ରାମୀ । ଏଣେ ପୁଣି ଏ ଦୁର୍ମୂଲ୍ୟ ଯୁଗରେ ସିଗାରେଟ୍‌ଟିର ପୂର୍ଣ୍ଣ ସ୍ଵାଦ ଉପଭୋଗ ନ କରି ଅଧାରୁ ଫିଙ୍ଗି ଦେଇଯିବା ବଡ଼ କଷ୍ଟଦାୟକ । ମୋଟ ଉପରେ ସେ ଖୁବ୍‌ ଗୋଟାଏ ବଡ଼ ଦ୍ଵନ୍ଦ୍ୱରେ ପଡ଼ି ଯାଇଥିଲେ-

 

ମହାରାଜାଙ୍କ ସହିତ ଆଗ କେଉଁଠୁ କଥାଟା ଆରମ୍ଭ କରିବି, ସେ ନେଇ ମୁଁ ବି ଦ୍ଵନ୍ଦ୍ଵରେ ପଡ଼ିଯାଇଥିଲି । ଗବେଷଣାର ଉପାଦାନ ସଂଗ୍ରହ, କେତୋଟି ଫଟୋ ଚିତ୍ର ଦେବା ଓ ଉଚିତ ମୂଲ୍ୟ ବିନିମୟରେ କିଛି ଦେଖିବା ପ୍ରାଚୀନ କଳା–ସଂସ୍କୃତିର ନମୁନା ନେବାର ଅନୁମତିପାଇଁ ନିବେଦନ କରିବାକୁ ସ୍ଥିର କରୁଥିଲି; ପୁଣି ପର ମୁହୂର୍ତ୍ତରେ ସିଲଟର ଲେଖା ଭଳି ତାକୁ ନିଭାଇ ପକାଇ ଭାବୁଥିଲି, –ଧେତ୍‌, ମହାରାଜା ନିଜେ ଦେବେନି ନିଜ ଆଭିଜାତ୍ୟର ପରିଚୟ ! ମୁଁ ଜଣେ ଗବେଷକଟି ! ନିଜ ବଂଶର ତଥା ନିଜର ଗର୍ବ ଆଭିଜାତ୍ୟ ପ୍ରକାଶ ପାଉ, ଏକଥା କିଏ ନ ଚାହେଁ ? ମହାରାଜା ନିଶ୍ଚୟ ଇଚ୍ଛା କରିବେ ।

 

ଅପେକ୍ଷାର ପରିଧିରେ ଛଟପଟ ହେଉ ହେଉ କ୍ରମଶଃ ମୋର ଧୈର୍ଯ୍ୟଚ୍ୟୁତି ଘଟିଲା । ମୋର ମନେହେଲା, ମହାରାଜା ମାତ୍ରେଇ ଅଳସୁଆ । ସରକାର ଏ ପଦ ଉଠାଇଦେଇ ଖୁବ୍‌ ଭଲ କରିଛନ୍ତି । ଆଳସ୍ୟ ଓ ବିଳାସକୁ ସାଥୀକରି ଏମାନେ ଅନ୍ୟଙ୍କୁ ଶାସନ କରିବାକୁ ଜନ୍ମ ହୋଇଥାଆନ୍ତି । ରାଜପଦବୀ ଉଠିଗଲେ ବି ଏମାନେ ସାଧାରଣ ହେବାକୁ ଏଯାଏ ମନ ବଳାଇ ନାହାନ୍ତି । କି ବିଚିତ୍ର ଏମାନଙ୍କର ମନୋଭାବ !

 

ଅବଶେଷରେ ମହାରାଜାଙ୍କୁ ଦର୍ଶନପାଇଁ ଡାକରା ଆସିଲା । ସମ୍ବାଦ ଧରି ଆସିଥିଲା ସେଇ ଲୋକଟି, ଯିଏ ଆମ ଗାଡ଼ି ଦେଖି ସର୍ବପ୍ରଥମେ ଉଠି ପଡ଼ିଥିଲା ଏବଂ ସବୁ କିଛି ବୁଝି, କିଛି ବୁଝେଇ ନ ପାରିବାର ଭଙ୍ଗୀ ଧରି ଯିଏ ଆମ ଯୁକ୍ତିତର୍କର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଡବ ଡବ କରି ଚାହିଁ ରହିଥିଲା । ସେ ଯେଉଁ ଆଦବ କାଇଦା ଦେଖାଇ ଆମକୁ ରାଜମହଲ ଭିତରକୁ ନେଇ ଯାଉଥିଲା, ତାହା ବହିପଢ଼ା ରାଜପୁରୀରେ ଅନ୍ୟ ଦେଶ ରାଜକୁମାରଙ୍କୁ ସସମ୍ମାନେ ନେଲାଭଳି ମନେ ହେଉଥିଲା । ବୈତାଳିକମାନଙ୍କର ପ୍ରଶସ୍ତିଗାନ ଓ ଜୟଧ୍ଵନି ନ ଶୁଭୁଥିଲେ ବି ମୋର ପ୍ରତ୍ୟେକ ପଦପାତ ବେଶ ଓଜନିଆ ହୋଇ ଯାଇଥିଲା ଏବଂ ମୁଁ କୌଣସି ରାଜ୍ୟ ନଥିବା ଏକ ରାଜ୍ୟପୁତ୍ର ହୋଇ ଯାଇଥିଲି ।

 

ରାଜମହଲର ପୃଷ୍ଠାଏ ପୃଷ୍ଠାଏ ଅବକ୍ଷୟିଷ୍ଣୁ ସାମନ୍ତବାଦୀ ସଂସ୍କୃତିର ସ୍ଵାକ୍ଷର । ପ୍ରକୋଷ୍ଠ ପରେ ପ୍ରକୋଷ୍ଠ ପରିତ୍ୟକ୍ତ, ଶୂନ୍ୟ ଏବଂ ଅସଂଯତ । ଚୂନଧଉଳା ଅଭାବରୁ କେତେକ ଜାଗାରୁ କାନ୍ଥର ପଲସ୍ତରା ଖସି ଆସୁ ଆସୁ ଅଟକି ଯାଇଛି । ଉଚ୍ଚ ଜଳାକବାଟିରେ ଚେମିଣିଆମାନେ ସପରିବାର ବସବାସକରି ନିର୍ଭୟରେ ଉଡ଼ି ବୁଲି ସଙ୍ଗୀତ ଶୁଣାଉଥାନ୍ତି । ଆମେ ନୀରବରେ ଚାଲିଥିବାରୁ ସେମାନଙ୍କର ସ୍ଵର ବେଶ୍‌ ସ୍ପଷ୍ଟ ଶୁଣି ହେଉଥିଲା । ବେଳେବେଳେ ଆମନ୍ତ୍ରଣକରି ନେଉଥିବା ଲୋକଟାର ଅସ୍ପଷ୍ଟ ଇଙ୍ଗିତାତ୍ମକ ଭାଷା ମତେ ପ୍ରେତପୁରୀର ପ୍ରତିଧ୍ୱନି ଭଳି ବୋଧ ହେଉଥିଲା । ଆମେ ମନ୍ତ୍ରମୁଗ୍‌ଧ ଭଳି ତା’ ପଛେ ପଛେ ଚାଲିଥିଲୁ ।

 

ବାହାରେ ବୋଧହୁଏ ସେତେବେଳକୁ ବର୍ଷା ଆରମ୍ଭ ହୋଇ ଯାଇଥିଲା । ରାଜମହଲ ଭିତରଟା ଟିକିଏ ଅନ୍ଧାରୁଆ ମନେହେଲା । ଆମେ ଦରବାର ହଲ୍‌ ଭିତରକୁ ପସିଲାବେଳକୁ ବାଁପଟେ ପଡ଼ିଲା ମିଉଜିଅମ, –ଯେଉଁଠି ବାଘ, ଭାଲୁ, ସିଂହଙ୍କ ବାସ୍ତବ ଦେହ କାଠିକୁଟା ଗର୍ଭିତ ହୋଇ ସଜା ହୋଇଥିଲା ।

 

କୋଉଆଡ଼ୁ ତେରଛ ଆଲୁଅ ଆସି ପ୍ରକୋଷ୍ଠଟିକୁ ଏକପ୍ରକାର ଆଲୋକିତ କରି ରଖିଥିଲା । ଏହି ଘରଟି ଥିଲା ଅପେକ୍ଷାକୃତ ପରିଛନ୍ନ ଓ ସୁସଜ୍ଜିତ । ପୁଣି ପୂର୍ବ ମହାରାଜାମାନଙ୍କର ପୂର୍ଣ୍ଣବୟବ ତୈଳଚିତ୍ର ଜନ୍ମମୃତ୍ୟୁ ତାରିଖ ସହ ସଜାହୋଇ ରଖା ଯାଇଥିଲା । ବହୁ ବିଦେଶୀ ଉପହାର ତଥା ଅତୀତର ଖ୍ୟାତନାମା ଶିଳ୍ପୀମାନଙ୍କର ମୁଲ୍ୟବାନ୍‌ ଚିତ୍ରାଙ୍କନ ଏଠି ଶୋଭା ପାଉଥିଲା ।

 

ପ୍ରକୋଷ୍ଠର କାନ୍ଥମାନଙ୍କରେ ବିଚିତ୍ର ଆଲୋକବର୍ତ୍ତିକା ଧରି ନଗ୍ନ–ନାରୀମାନେ ଉଭା ହୋଇଥିଲେ । ଠିକ୍‌ ମଝିରେ ଏକ ବିରାଟ କାଚର ଝାଡ଼ ଆଲୁଅ । ମୁଁ ଠିକ୍‌ ତା’ ତଳେ ଠିଆହୋଇ ଦେଖୁଥିଲି, –ସାମ୍ନାରେ ଥିବା ବିରାଟକାୟ ରୟାଲ୍‌ ବେଙ୍ଗଲ୍‌ ଟାଇଗରକୁ । ତାହା ଏଭଳି ସୁସଜ୍ଜିତ ଅବସ୍ଥାରେ ଥିଲା ଯେ, ଯେ–କେହି ଭାବିବ–ଏ ଜୀବନ୍ତ ବ୍ୟାଘ୍ରଟିକୁ ମହାରାଜ ପୋଷା ମନାଇଛନ୍ତି ଶତ୍ରୁମାନଙ୍କର ମୁକାବିଲା କରିବାପାଇଁ ।

 

ହଠାତ ଗୋଟାଏ ଭୟଙ୍କର ଗର୍ଜନ ଶୁଣି ମୁଁ ଏତେଦୂର ଚମକି ପଡ଼ିଲି ଯେ, ମୋର ମନେହେଲା, ମୁଁ ମହାବଳ ବାଘର ମୁନିଆଁ ଦାନ୍ତର କବ୍‌ଜାରେ ପଡ଼ିଗଲି; କିମ୍ବା ଉପରର ସେଇ ଝାଡ଼ ଆଲୁଅଟା ମୋ ମୁଣ୍ଡ ଉପରେ ପଡ଼ିଗଲା । ନିତ୍ୟାନନ୍ଦ ବାବୁ ମୋର ଖୁବ୍‌ ପାଖରେ ଥିଲେ ସୁଦ୍ଧା ଡରିଯାଇ ମତେ ଦୁଇହାତରେ ଜାବୁଡ଼ି ଧରିବାକୁ ଚେଷ୍ଟାକଲେ ଏବଂ ପର ମୁହୂର୍ତ୍ତରେ କାଳେ ମୁଁ ଡରି ଯାଇଥିବି ଓ ମୋର ଗାଇଡ୍‌ସାଜି ଆସିଥିବାରୁ ମତେ ଅଭୟଦେବା ତାଙ୍କର କର୍ତ୍ତବ୍ୟ, –ଏଇୟା ସେ ଅଭିନୟ କଲେ । ମୁଁ ତାଙ୍କ ମୁହଁକୁ ଚାହିଁ ଦେଖିଲି, ସେଠି କଣ୍ଟି ଆସୁଥିଲା ବୁନ୍ଦା ବୁନ୍ଦା ଝାଳ ।

 

ସେ ଭୟଙ୍କର ଶବ୍ଦଟା ମିଉଜିଅମ୍‌ରୁ ନୁହେଁ, ଦରବାର ହଲ୍‌ରୁ ଆସିଥିବା କଥା ମୁଁ ଯେତେବେଳେ ଅନୁମାନ କଲି–ସେ ଆଡ଼କୁ ଚାହିଁଲି, ଏଭଳି ଅସ୍ୱଭାବିକତାର କାରଣ ଜାଣିବାପାଇଁ-। ଦେଖିଲି, ଦରବାରରେ ନିଃସଙ୍ଗ ମହାରାଜା ବସିଛନ୍ତି । ସେ ଆମରି ଉଦ୍ଦେଶ୍ୟରେ ଏଭଳି ଗର୍ଜନ କରିଛନ୍ତି । ବୋଧହୁଏ ରାଜକୀୟ ଆଦବ୍‌କାଏଦାରେ କିଛି ବ୍ୟତିକ୍ରମ ଘଟିଗଲା । ଆମେ ସମସ୍ତେ ବିନା ବାକ୍ୟ–ବ୍ୟୟରେ ସେଇଆଡ଼େ ମୁହାଁଇଲୁ ।

 

ମୁଁ ଆଶ୍ଚର୍ଯ୍ୟ ହେଲି–

 

ଇଏ ଥିଲା ମିଛ ବାଘର ଗର୍ଜନ । ଦରବାର ହଲରୁ ଗର୍ଜନ ଛାଡ଼ିଥିଲେ ସ୍ଵୟଂ ମହାରାଜ-। କିନ୍ତୁ ଏ ସ୍ଵର, ଏ ବ୍ୟକ୍ତି କେହି ହେଲେ ମୋ ପାଖରେ ଅପରିଚିତ ନଥିଲେ-। ମୁଁ ଯାଇ ମହାରାଜଙ୍କ ସାମ୍ନାରେ ପହଞ୍ଚି ଥିଲେ ସୁଦ୍ଧା ତାଙ୍କୁ ଯଥାର୍ଥ ସମ୍ମାନ ଦେବାକୁ ଭୁଲିଗଲି-। ମୋର ମନେହେଲା, ମହାରାଜାଙ୍କ ଭୂମିକାରେ ସେଇ ମାଳିଟା ଅଭିନୟ କରୁଚି, ଯାହାର ବଡ଼ ବଡ଼ ଆଖି ଏବଂ ନଟାଳିଆ ପ୍ରଶ୍ନ ମତେ ବିରକ୍ତ କରିଥିଲା ।

 

ସେ ମତେ ଦିଶୁଥିଲେ ଆମ ଗାଁ ଯାତ୍ରାଦଳର ରାଜା ଭଳି । ହାତରେ ଗୋଟାଏ ପୁରୁଣା ଅଥଚ ସଯତ୍ନ ସାଇତା ତରବାରୀ; ମୁଣ୍ଡରେ ଗୋଟାଏ ସୁନା–ରୂପା ଜରିକାମକରା ମୁକୁଟ; ଦେହରେ ରାଜକୀୟ ପୋଷାକ । ସେ ପୋଷାକ ଯେମିତି ଯୁଗେ ହେଲା ପେଡ଼ିରେ ସାଇତା ହୋଇଥିଲା, ଏବେ ପାର୍ଟ ପଡ଼ିଲାରୁ ବାହାରିଚି । ତାଙ୍କ ଗୋଡ଼ରେ ବେକମୋଡ଼ା ନାଏଗ୍ରା ଜୋତା । ଦରବାର ହଲରେ ସେ ସିଂହାସନରେ ବସିଥିଲେ । ତାଙ୍କର ସେଇ ପରିଚିତ ଆଖିରେ ଗୁଡ଼ାଏ ବର୍ଷଣମୁଖୀ ବିରକ୍ତି ।

 

ସତରେ, ମୁଁ ତାଙ୍କର ପୂର୍ବ ରୂପ ଦେଖି ସାରିଥିବାରୁ ସେ ମତେ ମିଛ–ରାଜା ବା ଯାତ୍ରାର ରାଜା ଭଳି ଦିଶୁଥିଲେ । ତା’ଛଡ଼ା ମୁଁ ତାଙ୍କୁ ଅନ୍ୟ କୌଣସି ଦୃଷ୍ଟିରେ ଦେଖିପାରୁ ନ ଥିଲି । ତେଣୁକରି ସଂଶୟ ଦୋଳରେ ପଡ଼ି ଛଟପଟ ହେଉ ହେଉ ମୁଁ ତାଙ୍କୁ ମାନ୍ୟ କରିବାକୁ ଭୁଲି ଯାଇଥିଲି । ନିତ୍ୟାନନ୍ଦ ବାବୁ ତାଙ୍କୁ ନମସ୍କାର କରିସାରି ଯୋଡ଼ହସ୍ତରେ ଏଭଳି ଭଙ୍ଗୀରେ ଛିଡ଼ା ହୋଇଥିଲେ ଯେ, ତାହା ଅତୀତର ସାଆନ୍ତିଆ ସଭ୍ୟତାର ସ୍ମୃତି ଜାଗ୍ରତ କରି ଦେଉଥିଲା । ସତେ ଯେମିତି, ଆମେ ଦୋଷୀରୂପେ ରାଜ ଦରବାରକୁ ଭିଡ଼ାହୋଇ ଯାଇଛୁ ।

 

ରାଜାଙ୍କର ଦ୍ଵିତୀୟବାର ଗର୍ଜନ କଲାଭଳି ସ୍ଵର ଶୁଣିଲି, ଯେତେବେଳେ ସେ ମୋ ଉଦ୍ଦେଶ୍ୟରେ କହିଲେ–“ରାଜା ଆଉ ରାଜବଂଶ ଉପରେ ଗବେଷଣା କରୁଛି ପରା; ଯେଉଁ ସ୍ପେଶିସ୍‌ ଭାରତରୁ ନିଶ୍ଚିହ୍ନ ହେବାକୁ ବସିଚି । ....ସିଂହ ଭାରତରୁ ନିଃଶେଷ ହୋଇଆସିବା ଯୋଗୁ ତମ ସରକାର ବ୍ୟଥିତ; ପ୍ରତିବର୍ଷ ସେମାନଙ୍କର ହିସାବ ରଖୁଚି । ମାତ୍ର ଏଇ ସରିଆସୁଥିବା ରାଜା ଜାତିଟାର ହିସାବ ତମ ସରକାର ପାଖରେ ଅଛି ?

 

ହଅଅ..., ତମେ କହିବ, ବହୁ ହାଇବ୍ରିଡ଼ ରାଜା ଗଣତାନ୍ତ୍ରିକ ପଦ୍ଧତିରେ ଏ ଦେଶରେ ତିଆରି ହେଲେଣି । ସେମାନଙ୍କର ରାଜ୍ୟ ନାହିଁ ସତ; ମାତ୍ର କ୍ଷମତା ଓ ସମ୍ପତ୍ତିରେ ସେମାନେ ଯେ କୌଣସି ରାଜାଙ୍କଠାରୁ ଅଧିକ ସୁଯୋଗ ଉପଭୋଗ କରୁଛନ୍ତି । ତମେ ଗବେଷଣା କରୁଚ ପରା, ଗୋଟାଏ କଥା ଭାବି ଦେଖ, ଅଜା ଅମଳର ଘିଅ ହାଣ୍ଡି ଆଉ ତଟକା ଘିଅ ହାଣ୍ଡି ଭିତରେ କ’ଣ କିଛି ତଫାତ୍‌ ନାହିଁ ? ‘ଏଠି କେବଳ ଶୋଷଣ ମନୋଭାବ ରହିଚି; ୟାଙ୍କ ପଛରେ ପରମ୍ପରା କୁଆଡ଼ୁ ଆସିବ ?

 

ଆମକୁ ଶ୍ରୀହୀନ କରିଦେଇ କେତେ ନୂଆ ରାଜା ସରକାର ଗଢ଼ୁଛନ୍ତି, ଗଢ଼ନ୍ତୁ । ଦେଖୁନା, ଦେଶର ଅବସ୍ଥା କ’ଣ ହେଲାଣି ? ଶାସନ କେତେ ଢିଲା ! ସବୁଆଡ଼େ ଦି’ ହାତିଆ ଖିଆ ଚାଲିଚି । ଏମାନେ ଖାଇ ଖାଇ ବଳିଲେ ସିନା ଲୋକଙ୍କ ପାଖକୁ ଯିବ । ସେତେବେଳେ ଜଣେ ଖାଉଥିଲା, ଏବେ ପଣ ପଣ ଖାଉଛନ୍ତି ।

 

ଛାଡ଼, ତମେ ରାଜାଙ୍କୁ ଦେଖା କରିବାକୁ ଆସିଥିଲ; ତମ ସରକାର ଯାହାକୁ ଗୋଟାଏ ସାଧାରଣ ମଣିଷର ରୂପାନ୍ତରିତ କରି ଛାଡ଼ିଦେଇଛି । ତମେ କିନ୍ତୁ ଏଇ ରୁଦ୍ରପ୍ରତାପ ସାମନ୍ତସିଂହକୁ ଦେଖାକରିବାକୁ ଆସି ନ ଥିଲ । ତେଣୁ ନିଜ ବଗିଚା କାମରେ ବ୍ୟସ୍ତଥିବା ଗୋଟାଏ ସାଧାରଣ ମଣିଷର କଥାବାର୍ତ୍ତାରେ ତମେ କ୍ଷୁବ୍‌ଧ ହୋଇଉଠିଲ । ତମରିପାଇଁ ବାଧ୍ୟହୋଇ ମତେ ପ୍ରାୟ ତିରିଶ ବର୍ଷ ତଳର ସ୍ମୃତିକୁ ବଞ୍ଚାଇବାକୁ ପଡ଼ିଲା । କାରଣ କ’ଣ ଜାଣ ? ତମେ ଗବେଷକ; କୋଉ ଗୋଟା ବଡ଼ କଲେଜରେ ଅଛ । ସେଠି ଯାଇ ହୁଏତ ବଡ଼ ବଡ଼ କଥା କହିବ, ଏ ରାଜା ତମକୁ ସାହାଯ୍ୟ କଲାନି ବୋଲି କାଗଜପତ୍ରରେ ଛାପିଦେବ । ତମକୁ ସାହାଯ୍ୟ କରିବା ଅପେକ୍ଷା, ମୁଁ–ଏ ରାଜବଂଶର ସୁନାମକୁ ଜଗିବାପାଇଁ ଆଗେଇ ଆସିଲି ।’’

 

ଏଥରକ ମୁଁ ମୁହଁ ଖୋଲିଲି ରାଜ–ଦରବାରରେ । ସେ ପର୍ଯ୍ୟନ୍ତ ସେ ଆମକୁ ବସିବାକୁ ବି କହି ନଥିଲେ ଏକ ରାଜକୀୟ ଅହମିକା ନେଇ ରାଜା କାହାରିକୁ ବସିବାକୁ କହନ୍ତି ନାହିଁ । ରାଜା ବସିଲେ ସମସ୍ତେ ବସନ୍ତି; ରାଜା ଉଠିଲେ ସମସ୍ତେ ଉଠନ୍ତି । ମହାରାଜା ରୁଦ୍ରପ୍ରତାପ ଏବେବି ଜଣେ ସାଧାରଣ ଲୋକ ନୁହଁନ୍ତି, ସେ ରାଜା । ଆମର ବସିବା ବା ଠିଆହେବା ସହିତ ତାଙ୍କର କିଛି ସମ୍ପର୍କ ନାଇଁ । ମୁଁ ଏଇଆ ମର୍ମେ ମର୍ମେ ଅନୁଭବକରି ବିନମ୍ରତା ସହିତ ତାଙ୍କୁ କହିଲି, “ଆପଣଙ୍କ ମନରେ ଆଘାତ ଦେଇଥିବାରୁ ମୁଁ ଦୁଃଖିତ; କିନ୍ତୁ ଏତିକି କହିବି–ମହାରାଜାଙ୍କୁ ବିରକ୍ତ କରି ମୁଁ ଜଣେ ଖାଣ୍ଟି ମଣିଷର ସନ୍ଧାନ ପାଇଚି । ତାହାହିଁ ମୋର ନିଷ୍ଠାପର ଗବେଷଣାର ଫଳ” ।

 

ସାମନ୍ତଙ୍କୁ ଖୁସି କରିବାନିମିତ୍ତ ପାରିଷଦବର୍ଗଙ୍କ ହସର ନମୁନା ଦେଖାଇଲା ଭଳି ନିତ୍ୟାନନ୍ଦ ବାବୁ ହସି ଉଠିଲେ । ରାଜାଙ୍କର ମୁହଁର ଭାବ କିନ୍ତୁ ଥିଲା ଅପରିବର୍ତ୍ତିତ । ସତେ ଯେମିତି ସେ ରାଜକୀୟ ପୋଷାକ ପିନ୍ଧି ନିଜକୁ ଖୁବ୍‌ ଅସହାୟ ମଣୁଥିଲେ । ଖୁବ୍ ଶୀଘ୍ର ସେ ପୋଷାକ ସବୁକୁ କାଢ଼ି ଫିଙ୍ଗିଦେବାକୁ ସେ ଇଚ୍ଛା କରୁଥିଲେ । ମୁଁ ସେଇ ସୁଯୋଗରେ ତାଙ୍କର ଗୋଟାଏ ସ୍ନାପ୍‌ ଉଠାଇ ନେଲି । ସେ ଗୋଟାଏ କେମିତି ଅଦ୍ଭୁତ ଭଙ୍ଗୀରେ ମୋ ଆଡ଼କୁ ଚାହିଁଲେ ଏବଂ ତା’ପରେ ଭିତରକୁ ଚାଲିଗଲେ ।

 

ହଠାତ୍‌ ମୁଁ ଦ୍ଵନ୍ଦ୍ଵରେ ପଡ଼ି ନିତ୍ୟାନନ୍ଦ ବାବୁଙ୍କ ଆଡ଼କୁ ଚାହିଁଲି । ନିତ୍ୟାନନ୍ଦ ବାବୁ ସେଇ କଥା କହିଲେ–ଯାହା ନେଇ ମୁଁ ଦ୍ଵନ୍ଦ୍ଵରେ ପଡ଼ିଥିଲି । ମହାରାଜାଙ୍କ ଅନୁମତି ନ ନେଇ ଫଟୋ ନେବାଟା ଅନ୍ତତଃ ମୋ ପକ୍ଷେ ଭଲ ହେଲା ନାହିଁ । ତେଣୁ ଏଥିପାଇଁ କି ପ୍ରକାର ବିନମ୍ରତା ଦେଖାଇ ଭୁଲ୍‍ଟାକୁ ସ୍ଵୀକାର କରିବାକୁ ହେବ, ମୁଁ ଭାବୁଥିବା ବେଳେ ତିନିକପ୍‌ ବାମ୍ଫଉଠା ଚା ସହ ସେଇ ଚାକରଟି ଆସିଲା ଏବଂ ପରେ ପରେ ସାଧାରଣ ପୋଷାକରେ ପଶି ଆସିଲେ ମହାରାଜା ରୁଦ୍ରପ୍ରତାପ ।

 

ଏଇ ବୃଦ୍ଧ ଚାକରଟି ବ୍ୟତୀତ ଆଉ କେହି ଏ ରାଜ–ଉଆସରେ ଥିବାଭଳି ମୋର ମନେହେଲା ନାହିଁ । ଏତେଗୁଡ଼ାଏ ଘର, ଏତେବଡ଼ ପରିବେଶ, ତା’ ଭିତରେ କ’ଣ କେବଳ ଦୁଇଟା ଲୋକ... !

 

ମହାରାଜା ରୁଦ୍ରପ୍ରତାପ ଆମକୁ ଚା ପିଇବାକୁ ନିର୍ଦ୍ଦେଶ ଦେଲେ । ଆମେ ଚା’ ପିଇବାକୁ ଆରମ୍ଭ କରିବା ମାତ୍ରେ ବିସ୍ମୟହୋଇ କପ୍‌ ଭିତରକୁ ଚାହିଁବା ଘଟଣାଟା ମହାରାଜାଙ୍କ ଆଖିରୁ ବାଦ୍‌ଗଲା ନାହିଁ । ସେ ସାଙ୍ଗେ ସାଙ୍ଗେ କହି ଉଠିଲେ, - ଚିନି ନାହିଁ । ସାରା ଦେଶରେ ଚିନିର ଉତ୍କଟ ଅଭାବ । ରେସନ୍‌କାର୍ଡ଼ କଥା ମୁଁ ସ୍ଵପ୍ନରେ ଭାବି ନାହିଁ । ଅବଶ୍ୟ ମୋର ଅହଂ, ସେମିତିଆ ଗୋଟାଏ କାର୍ଡ଼ ମୋ ନାଁରେ ହେଉ, ମତେ ବାଧା ଦେଇଚି । ମୁଁ ଭାବେ, ଆଗ ଅଭାବୀ ଲୋକଗୁଡ଼ାଙ୍କର ଚିନି ଅଭାବ ପୂରଣ ହୋଇଯାଉ । ତା’ପରେ ମୋ କଥା ।

 

ନା’ ସେ ସମସ୍ୟାର ସମାଧାନ ହୋଇ ପାରିନାହିଁ । ଅଭାବ ପୂରଣ ହେଉ ନାହିଁ । ସବୁଆଡ଼େ ଲାଗି ରହିଚି ଆହୁରି, ଆହୁରି ଅଭାବ । ମୋ ରାଜ୍ୟରେ ଏଭଳି ପରିସ୍ଥିତି ହୋଇଥିଲେ ମୁଁ କ’ଣ କରିଥାଆନ୍ତି ଜାଣ ? –ଚିନି ଖାଇବା ନିଷିଦ୍ଧ କରିଦେଇଥାଆନ୍ତି ସାରା ରାଜ୍ୟରେ । ଖାଅ, ଅନ୍ୟ କିଛି ତା’ ବଦଳରେ ।

 

ମୋଟ କଥାହେଲା ଲୋକଙ୍କ ରୁଚି । ରୁଚି ବଦଳିଲେ ଅସାଧୁ ସାଧୁ ପାଲଟି ଯିବେ । କ’ଣ କରିବେ ସେ ସବୁ ଜିନିଷ ଘରେ ରଖି ? ତମ ସରକାର ଭାବୁଥିବେ, ସାରା ଦେଶର ସବୁ ଲୋକଙ୍କୁ ଡାଏବିଟିସ୍‌ ହେଇଯାଆନ୍ତା କି । ଚିନି ସମସ୍ୟା ସମାଧାନ ହୋଇଯାଆନ୍ତା ।

 

ମୁଁ ହୋ–ହୋ ହୋଇ ହସିଉଠିଲି । ନିତ୍ୟାନନ୍ଦ ବାବୁ ବି ମନଖୋଲା ହସ ହସିଲେ । ହସିଲେ ମହାରାଜା ରୁଦ୍ରପ୍ରତାପ ଏକ ସାଧାରଣ ଖୁସି ମିଜାସୀ ମଣିଷର ହସ ।

 

ମୁଁ ଏଥର ସ୍ୱାଭାବିକଭାବରେ ତାଙ୍କ ସାଙ୍ଗରେ ଆଳାପ କରିବାକୁ ଆରମ୍ଭ କଲି । ତାଙ୍କ ପରିବାର ବିଷୟରେ ସେ କୌଣସି ଗୋପନୀୟତା ନ ରଖି ସବୁ କଥା କହି ଚାଲିଲେ । ତା’ପରେ ଗୋଟାଏ ପରେ ଗୋଟାଏ ପ୍ରକୋଷ୍ଠ ବୁଲାଇ ଦେଖାଇଲେ ସେ । ସତୁରୀ ବର୍ଷ ବୟସ୍କ ମହାରାଜଙ୍କ ଦର୍ପିୟାନ୍‌ବପୁରେ ଏକ ସଂଯତ ସହଜାତ ଅଭିମାନକୁ ମୁଁ ଚିହ୍ନିଲି ଓ କିଛି ପରିମାଣରେ ମାପିଲି ।

 

ସେ ଏ ଉଆସ ଛାଡ଼ି ଅନ୍ୟ କୁଆଡ଼େ ଯିବାକୁ ଚାହାନ୍ତି ନାହିଁ । ଏଇଟା ତାଙ୍କର ଗୋଟାଏ ମୋହ ନୁହେଁ, ଅହମିକା ନୁହେଁ, ପରମ୍ପରା ପ୍ରତି ଆସକ୍ତି । ବଡ଼ ଝିଅ ତା’ର ସ୍ଵାମୀ ସହିତ ଜର୍ମାନରେ । ଗୋଟାଏ ବୋଲି ପୁଅ । ବମ୍ବେରେ ବ୍ୟବସାୟ କରୁଚି । କି ବ୍ୟବସାୟ, ଜାଣିବାକୁ ସେ କେବେ ଆଗ୍ରହୀ ହୋଇନାହାନ୍ତି । ତେବେ ସେ ବ୍ୟବସାୟ ଭଲ ଚାଲୁ ନାହିଁ । ମୋଟ ଉପରେ ତାକୁ ବ୍ୟବସାୟ କରିବାର କଳା ଜଣା ନାହିଁ । ସେ ନିଜକୁ ନେଇ ଏ ଯାବତ୍‌ ସ୍ଵପ୍ନ ଦେଖୁଚି । ଦିନେହେଲେ ସେ ଏଠିକୁ ଆସିବାକୁ ଇଚ୍ଛାକରେନା । ମଝିରେ ମଝିରେ ଚିଠି ଲେଖେ–“ଭଲ ଅଛି-।’’

 

ତାଙ୍କର ଗୋଟିଏ ମାତ୍ର ଚିନ୍ତା ସାନଝିଅ ରୂପମଞ୍ଜରୀକୁ କେନ୍ଦ୍ରକରି । ସେ ଏ ପର୍ଯ୍ୟନ୍ତ ଅବିବାହିତା । ବୟସ ଉତ୍ତୀର୍ଣ୍ଣ ହେବାକୁ ବସିଲାଣି । ରାଜ୍ୟ ଚାଲିଗଲା ବର୍ଷ ତା’ର ଜନ୍ମ । ବଡ଼ ହତଭାଗିନୀ ସେ । ଆଜିଯାଏ ଯୋଗ୍ୟ ବରଟିଏ ପାଇନାହାନ୍ତି । କିନ୍ତୁ ଏକଥା କହିଲାବେଳେ ଅର୍ଥନୀତିକ ପ୍ରଚ୍ଛନ୍ନ ହତାଶାର ରାଗିଣୀ ତାଙ୍କ କଥାରେ ଫୁଟି ଉଠୁଥିଲା ।

 

ତାଙ୍କରି ମୁହଁରୁ ପୁଣି ଶୁଣିଲି, ରୂପମଞ୍ଜରୀନାମକୁ–ମାତ୍ର ଏଠି ରହେ । ତା’ର ଅଧିକାଂଶ ସମୟ କଟେ ସମୁଦ୍ରକୂଳ ‘ପାରିଜାତ’ ହୋଟେଲର ପଞ୍ଜାବୀ ମାଲିକ ଘରେ । ରୁଦ୍ରପ୍ରତାପ ନିଃଶଙ୍କୋଚରେ ପୁଣି କହିଲେ–‘ପଞ୍ଜାବୀ ଯୁବକଟି ଯଦି ମତ ନ ବଦଳାଏ, ତେବେ ଏଇବର୍ଷ ରୂପମଞ୍ଜରୀର ବିବାହ ତା’ରି ସହିତ ସମ୍ପନ୍ନ କରିଦେବି । ଭାବୁଚି, କିଛି କ୍ଷତି ହେବନି ।

 

ମୁଁ ରାଜାଙ୍କ ପୋଥିଘରେ ସଜ୍ଜାହୋଇ ଥୁଆ ହୋଇଥିବା କୀଟଦ୍ରଷ୍ଟ ପୋଥିମାନଙ୍କର ପ୍ରଶଂସାକରିବା ଅବକାଶରେ କହି ପକେଇଲି–‘ଆପଣଙ୍କ ଭଳି ସ୍ପଷ୍ଟବାଦୀ ଚରିତ୍ର ଜୀବନରେ ମୁଁ ଖୁବ୍‌ କମ୍‌ ଦେଖିଚି ।’

 

ସେ ମୋ କଥାକୁ ବୋଧହୁଏ ହଜମ କରିପାରିଲେ ନାହିଁ । କଥାର ମୋଡ଼ ବଦଳାଇ କହିଲେ–‘ଏ ପୋଥିଗୁଡ଼ାକ ତମର କ’ଣ ଦରକାରରେ ଆସିବ ମୁଁ ଜାଣେନା; ତେବେ ତମେ ଏଥିରୁ ଯାହା ଇଚ୍ଛା ନେଇଯାଇପାର । କୀଟମାନଙ୍କ କବଳରୁ ଉଦ୍ଧାରପାଇ ଏସବୁ ଅନ୍ୟତ୍ର ଚାଲିଗଲେ ମୁଁ ଅନ୍ତତଃ ଶାନ୍ତି ପାଆନ୍ତି ।’

 

ମୁଁ ଗୋଟାଏ କଥା ଚିନ୍ତା କରିସାରି ମହାରାଜା ରୁଦ୍ରପ୍ରତାପଙ୍କୁ କହିବି କି କହିବିନି, ଭାବୁଥିଲି । ସେତେବେଳକୁ ସେ ଉପହାର ସୂତ୍ରରେ ଚାରି ପାଞ୍ଚଟା ପୋଥି ମତେ ଦେଇସାରିଥିଲେ-। ସେଗୁଡ଼ିକୁ ମୁଁ ଆବଶ୍ୟକ ମନେକରି ଗ୍ରହଣ କରିସାରି ହଠାତ୍‌ କହି ପକାଇଲି– ମହାରାଜ-! ଆପଣ ଯଦି କିଛି ମନେ ନ କରିବେ, ମୁଁ ଗୋଟାଏ କଥା କହିବି । ଆପଣଙ୍କର ଏ ପୋଥିଗୁଡ଼ିକୁ ଯଦି ମିଉଜିଅମକୁ ବିକ୍ରିକରି ଦିଅନ୍ତେ, ଅନ୍ତତଃ ଦଶ ପନ୍ଦର ହଜାରରୁ କମ୍‌ ଟଙ୍କା ମିଳନ୍ତାନି-। ଆପଣ ଚିନ୍ତାରୁ ରକ୍ଷା ପାଆନ୍ତେ ଏବଂ ସେଠି ଏଗୁଡ଼ିକର ସଦ୍‌ବ୍ୟାବହାର ହୋଇପାରନ୍ତା । ଆପଣ ସମ୍ମତି ଜଣାଇଲେ ମୁଁ ସେମାନଙ୍କୁ ଏ ଖବର ଦେଇଦିଅନ୍ତି ।’

 

ମୋ କଥାଟି କାଳେ ତାଙ୍କ ମନରେ ଦୁଃଖ ଦେଇଥିବ, ଏଇୟା ଭାବି ତାଙ୍କ ମୁହଁକୁ ଚାହିଁଲି ଅନେକ ବେଳ । ସେ ଗଭୀର ଭାବରେ କ’ଣ ଭାବୁଥିଲେ । ଆମେ ଫେରିଲା ପର୍ଯ୍ୟନ୍ତ ସେ ଏ ବିଷୟରେ କିଛି ମତ ଦେଲେ ନାହିଁ । ମହାରାଜାଙ୍କଠାରୁ ବିଦାୟ ନେଇ ଆମେ ଗାଡ଼ିରେ ବସିବା ପର୍ଯ୍ୟନ୍ତ ମୁଁ ନିଜକୁ ଦୋଷୀ ମନେ କରୁଥିଲି । ଭାବୁଥିଲି, ମହାରାଜାଙ୍କୁ ଏଭଳି ପ୍ରସ୍ତାବ ଦେବା ଉଚିତ୍‌ ହୋଇନାହିଁ ମୋର ।

 

ଗାଡ଼ି ଛାଡ଼ିବା ମୁହୂର୍ତ୍ତ ।

 

ପରସ୍ପରଠାରୁ ବିଦାୟ ନେବାବେଳେ ମୁଁ ହାତଯୋଡ଼ି କହି ଉଠିଲି–‘ମହାରାଜ ! ମୁଁ ମୋର କଥାବାର୍ତ୍ତା ଓ ବ୍ୟବହାରରେ ଅନେକ ତ୍ରୁଟି ଦେଖାଇଛି, ସେଥିପାଇଁ କ୍ଷମା ଦେବେ । ଆପଣଙ୍କ ସାହାଯ୍ୟ ସହାନୁଭୂତି ମୋପାଇଁ ଚିର ଅଭୁଲା ରହିବ’ ।

 

ଗାଡ଼ି ଛାଡ଼ି ଦେଉଥିଲା ।

 

ମହାରାଜା ଗାଡ଼ି ଉପରେ ହାତ ପକାଇ ହଠାତ୍‌ କହି ଉଠିଲେ–ନା ନା, ମୁଁ ସେତିକିବେଳୁ ଭାବୁଚି ପୋଥିଗୁଡ଼ିକ ବିକ୍ରି କରାଇଦେଲେ ତ ତମର ଦାୟିତ୍ଵ ଶେଷ ହୋଇଯିବ ନାହିଁ–ତା’ ସହିତ ରୂପମଞ୍ଜରୀର ବିଭାଘର ସଂଶ୍ଳିଷ୍ଟ । ତମେ ଆସିବାକୁ ଭୁଲି ନଯାଅ ଯେମିତି । ମୁଁ ସମ୍ବାଦ ଦେବି ।’

 

ବିଦାୟ ପର୍ବ ପରେ ଆମେ ଫେରିଲୁ ।

 

ଫେରିଲାବେଳେ ଅପରାହ୍ନର ଅପରିଷ୍କାର ସୂର୍ଯ୍ୟ ଛିଣ୍ଡା ଛିଣ୍ଡା ମେଘର କାଦୁଅରେ ଲଟପଟ ହେଉଥିଲା । ଗଲାବେଳର ଗ୍ରାମ୍ୟ ଦୃଶ୍ୟ ଆଉ ମତେ ବିସ୍ମିତ କଲା ନାହିଁ, କିମ୍ୱା ଭାବ–ବିଭୋର କଲା ନାହିଁ । ମୁଁ କେବଳ ଭାବି ଭାବି ଫେରୁଥିଲି, ମଧୁପୁର ରାଜବାଟୀର ସେଇ ଜିଅନ୍ତା ମଣିଷଟିର କଥା ।

Image

 

ତାରାଭରା ଆକାଶ

 

ହାଇଗୁଡ଼ାକ ଏମିତି ଉଚ୍ଚାଟହେଇ ବାହାରି ଆସୁଥିଲେ ଯେ, ଯେ କେହି ଭାବିବ, ଏଗୁଡ଼ାଙ୍କୁ କିଏ ମନ୍ତ୍ର କରିଦେଇଚି । ତୁହାକୁ ତୁହା ସେମାନେ ମାଡ଼ି ଆସୁଥିଲେ ଶେଷହୀନ ପଙ୍ଗପାଳ ଦଳ ଭଳି ।

 

ଆଖିରେ ନିଦପାଇଁ ଖୋରାକ ଥିଲା, କିନ୍ତୁ ନିଦ ମାଡ଼ୁ ନଥିଲା । ଇଏ ଏକ ଅଦ୍ଭୁତ ପରିସ୍ଥିତି । ଏଭଳି ଅବସ୍ଥାରେ ହାଇ ମାରି ମାରି, ସେଇ ଇଉକାଲିପଟ୍‌ସ ଗଛର ପତ୍ରରେ ଚିକ୍‍ଚିକ୍‍ କରୁଥିବା ତେରଛ ଆଲୁଅକୁ ଦେଖିବାରେ ଏବଂ ସୀମାହୀନ ଅଛିଣ୍ଡା ଭାବନାରେ ମଜ୍ଜିବାରେ, କେହି ଯଦି ତା’ସହିତ ପ୍ରତିଯୋଗିତା କରନ୍ତା, ସେ ନିଶ୍ଚୟ ହାର ମାନନ୍ତା ।

 

ହାର ମାନିବା କୋଉ ବିଚିତ୍ର କଥା କି ଏମିତି । ଜୀବନରେ ବହୁ କ୍ଷେତ୍ରରେ ବାରମ୍ୱାର ହାରି ମଣିଷ ତ ପୁଣି ଜିତିବାର ଆଶାଧରି ଆଗେଇ ଚାଲିଚି । ବହୁଥର ହାରିସାରି, ସେଇ ପରାଜୟଟାକୁ ଏକ ପ୍ରକାର ବିଜୟ ବୋଲି ଭାବି ନେଉଥିବା ମଣିଷ ବି ବେଳେବେଳେ ଖୁସି ହେଉଚି ।

 

ଏ ପୃଥିବୀ ଏକ ବିଚିତ୍ର ଚିଡ଼ିଆଖାନା । ଏଠି ସବୁ ଜୀବଙ୍କୁ ଚିହ୍ନିହେବ; କିନ୍ତୁ ମଣିଷଗୁଡ଼ାଙ୍କୁ ନୁହେଁ । କାହାର ଯେ କି ପ୍ରକାର ଭାବନା, କି ଉଦ୍ଦେଶ୍ୟ, କି ଭଳିଆ ପ୍ରକୃତି, କେହି ଜାଣିପାରିବେ ନାହିଁ । ଜାଣିବାର ଆଜି ଉପାୟ ବି ନାହିଁ ।

 

କିଏ ଜଣେ କହି ନଥିଲେ, ବଂଶ ଶତକର ଦ୍ଵିତୀୟାର୍ଦ୍ଧରେ ମଣିଷ ସବୁଠାରୁ ବଡ଼ ହିଂସ୍ର, ବଡ଼ ଭୟାନକ, ବଡ଼ ସ୍ଵାର୍ଥପର । ଆତ୍ମକେନ୍ଦ୍ରିକତାର ବୀଜମନ୍ତ୍ର ଧରି ସେ ଆଗେଇ ଚାଲିଚି । ଅସମ୍ଭବ ବୋଲି ଗୋଟାଏ ଜିନିଷ ତା’ ନିକଟରେ କିଛି ନାହିଁ । ନିଜ ଭିତରର ପଶୁକୁ ଖୁସି କରିବାପାଇଁ, ନିଜ ଅହଂକୁ ନିଜ କଫିନ୍‌ ସହିତ ନେଇଗଲା ପର୍ଯ୍ୟନ୍ତ, ସେ ଯେ କୌଣସି କାମ କରିପାରେ । ଧର୍ମର ଦ୍ଵାହି ଦେଇ, ଜାତିର ଆଳ ଦେଖାଇ, ବଂଶର ଆଟୋପ ସୃଷ୍ଟିକରି ଗୋଳିଆ ପରିବେଶ ତିଆରି କରେ ସେ । ସେଇଥିରେ ତ ତା’ର ସୁବିଧା ହାସଲ କରିବାର ସୁଯୋଗ ବେଶୀ-

 

ଗୋଳିଆ ପରିସ୍ଥିତି ଯୋଗୁ ଆଜିକୁ ଅଠର ଦିନ ହେଲା ଏ ସହରରେ କର୍ଫ୍ୟୁ ଜାରି । ଏଇ ମଣିଷ ତିଆରି ଆବର୍ଜନା, ଧାର୍ମିକ ଅହଂ ସହିତ ବ୍ୟକ୍ତିକ ଅହଂର ସଂଘର୍ଷ ଲାଗିଚି । ଏମିତିଆ ଗୋଟାଏ ଲେଖାଁ ପରିବେଶ ସୃଷ୍ଟିକରି କ’ଣ ପାଆନ୍ତି ଏ ମଣିଷ ! କେତେ ରକ୍ତପାତ, କେତେ ଗୃହଦାହ, କେତେ ଧର୍ଷଣ ଓ ଲୁଣ୍ଠନର ଇତିହାସ ସୃଷ୍ଟି ହେଇଗଲା ଏଇ ଦିନମାନଙ୍କରେ ।

 

ପ୍ରଥମ ଦିନମାନଙ୍କର କଥା–ସ୍ଵପ୍ନଭଳି ଲାଗେ..., ମଣିଷ କ’ଣ କେବେ ମଣିଷ ସହିତ ଏଭଳି ବ୍ୟବହାର କରିପାରେ.... ?

 

ବାହାରେ ଭୀଷଣ ଗଣ୍ଡଗୋଳ ଓ ଚିତ୍କାର ଶୁଣି ଜଳାକବାଟି ବାଟେ ଘଟଣାଟିକୁ ଦେଖିବାକୁ ଚେଷ୍ଟା କରିଥିଲା ସେ । ମୋଡ଼ ପାଖର ଗୋଟାଏ ନିବୁଜ ଘରର କବାଟକୁ ଶକ୍ତ ହତିଆରମାନ ଧରି ଆଘାତ କରୁଥିଲେ ଦଳେ ଲୋକ; ଉଲ୍ଲସିତ ହେଉଥିଲେ; ଚିତ୍କାର କରୁଥିଲେ । ଶେଷରେ କବାଟ ଭୁଶୁଡ଼ିଗଲା ମାତ୍ରେ, ଘର ଭିତରୁ କ୍ଷୁଦ୍ର ହତିଆର ଧରି ଏମାନଙ୍କୁ ଆଘାତ କରିବାକୁ ପ୍ରସ୍ତ୍ତୁତ ହୋଇ ଆଗେଇ ଆସୁଥିବା ଲୋକଟିକୁ ଆଖି ପିଛୁଳାକେ ଭିଡ଼ିନେଇ.....ଇସ୍‌ ! ସେଇ ସାମୁହିକ ଚିତ୍କାର ଭିତରେ ତା’ର ବିକଳ ଆର୍ତ୍ତନାଦ କୁଆଡ଼େ ମିଳାଇଗଲା । ଡାକ୍ତର ହୋରି ଖେଳ ପରେ ପରେ ଯେଉଁ ଦୃଶ୍ୟଟି ଦିଶିଗଲା, ତା’ ଆହୁରି ଘୃଣ୍ୟ, ଆହୁରି ନାରକୀୟ ।

 

ପୁରୁଷଟିର ଆର୍ତ୍ତନାଦରେ ନିଜକୁ ସମ୍ଭାଳି ନପାରି ଘରଭିତରୁ କାନ୍ଦି କାନ୍ଦି ପଦାକୁ ଯେଉଁ ନାରୀ ଜଣକ ବାହାରି ଆସିଲା, ସେ ମନଖୋଲା କାନ୍ଦିବାକୁ ବି ସମୟ କି ସୁଯୋଗ ପାଇ ନ ଥିଲା-। ମୃତ ପୁରୁଷଟି ଉପରେ ସେ କଚାଡି ହୋଇପଡ଼ିଲା ମାତ୍ରେ (ହୁଏତ ତାକୁ ଠେଲି ଦିଆଯାଇଥିଲା) ଆସୁରିକ ହସର ଫୁଆରା ଭିତରେ ତାକୁ ବିବସ୍ତ୍ର କରିଦିଆଗଲା । ହଠାତ୍‌ ସେଇମାନଙ୍କ ଭିତରୁ କେତେଟା ମଣିଷ ପଶୁ ହୋଇଗଲେ । ତାଙ୍କର ଦୁଇଗୋଡ଼ ଜାଗାରେ ଜାଗାରେ ହୋଇଗଲା ଚାରିଗୋଡ଼ । ଶରତ ଋତୁର କୁକୁରଙ୍କ ଭଳି ଗୋଟାଏ ଦେହ ଉପରେ ଏକାଧିକ ପଶୁ ଦେହଜ କ୍ଷୁଧା ନେଇ ଲେପ୍‌ଟେଇ ପଡ଼ିଲେ । ସେଦିନ ମଣିଷର ପଶୁ ରୂପକୁ ନିଜ ଆଖିରେହିଁ ସେ ଦେଖିଚି-

 

ଦେଖିଚି, ଦୂରରେ ଜଳିଉଠିଚି ଅସଂଖ୍ୟ ଗୃହ । ଗୁଡ଼ାଏ ରାକ୍ଷସ ମଣିଷଙ୍କୁ ଖୋଜିଲୋଡ଼ି ସେଇ ଜଳନ୍ତା ନିଆଁ ଭିତରକୁ ଫିଙ୍ଗି ଦେଇଛନ୍ତି ପରିତ୍ୟକ୍ତ ଅଲୋଡ଼ା କାଗଜଭଳି । ଇସ୍‌, ଏଇଠି ଏ ମଣିଷ ଜୀବନ କେତେ ଅନାବଶ୍ୟକ ସତେ ! କେତେ ଉଗ୍ର ଏ ରାକ୍ଷସମାନଙ୍କର ପ୍ରବୃତ୍ତି !

 

ସେଇଥିପାଇଁ ନିଶ୍ଚୟ, ସମୟର ଚକ ସ୍ଥିର ହୋଇଗଲା । ସବୁବେଳେ କେତେ ରାତି–ଆଉ ରାତି । ଘରେ ଘରେ ମଣିଷ ବନ୍ଦୀ ସଭ୍ୟତାର ଅସଭ୍ୟ ପରିଣତି ଯୋଗୁ ବାହାର ଆଜି ତା’ପାଇଁ ନିଷିଦ୍ଧାଞ୍ଚଳ । ବାହାରେ ବହୁ ଆରଣ୍ୟକ ହିଂସ୍ର ଜନ୍ତୁ । ଯେତେ ଖାଇଲେ ବି କ୍ଷୁଧା ମେଣ୍ଟୁ ନାହିଁ । ଲହ ଲହ ଜିଭକରି ସେମାନେ ବୁଲୁଛନ୍ତି, ଆହୁରି ଖାଇବେ....ଆହୁରି ।

 

ନଅଦିନ ପରେ ସନ୍ଧ୍ୟାରେ ଦି’ ଘଣ୍ଟାପାଇଁ କର୍ଫ୍ୟୁ କୋହଳ ହେଲା । କର୍ଫ୍ୟୁ କୋହଳ ନ ହେଇ ଆଉ ଯଦି ନଅଘଣ୍ଟା ରହିଥାନ୍ତା, ବୋଧହୁଏ ସିଏ ପାଗଳ ହେଇଯାଇଥାନ୍ତା । ଭୋକ ଉପାସରେ ବହୁଲୋକ ମରିଯାଇଥାଆନ୍ତେ । ଅବରୁଦ୍ଧ କୋଠରୀରେ ନଅଦିନ ବନ୍ଦୀହୋଇ ରହିବାର ସେ ଯେ କି ଅନୁଭୂତି, କେବଳ ଅନୁଭବୀ ହିଁ ତାହା କହିପାରିବ ।

 

ହଠାତ ମୃତ ସହର ବଞ୍ଚି ଉଠିଲା ଦୁଇଘଣ୍ଟାପାଇଁ । ସତେରେ, ଏ ସହର ମରିଥିଲା ନିଶ୍ଚୟ । କି ଦିନ, କି ରାତି ଘରଭିତରୁ କଅଁଳା ଛୁଆଟାର କାନ୍ଦଣା ବି ଶୁଭୁ ନ ଥିଲା । ଏବେ ସମସ୍ତେ ଛକାପଞ୍ଝାହୋଇ ବାହାରିଥିଲେ ବଞ୍ଚିବାର ଉପାଦାନ ସଂଗ୍ରହ କରିବାପାଇଁ । ତାହା ପୁଣି ମିଳୁଚି ବା କୋଉଠୁ । ଯିଏ ବା ଅଳ୍ପ ଦୋକାନ ଖୋଲି କିଛି ଜିନିଷ ଦଉଚି, ସେ ନଉଚି ଖୁବ୍‌ଚଢ଼ା ପଇସା । ମରଣର ଆଁ ଭିତରେ କି ଚମତ୍କାର ପିକ୍‌ନିକ୍‌ !

 

ନଅଦିନର ବନ୍ଦୀ ଜୀବନ ପରେ ସେ ଓହ୍ଲାଇ ଆସିଲା ରାସ୍ତାକୁ । ନା, ସେ ପାଗଳ ହୋଇନାହିଁ; କିନ୍ତୁ ଆଉ କେତେ ଘଣ୍ଟା ରହିଥିଲେ ନିଶ୍ଚେ ପାଗଳ ହେଇଯାଇଥାନ୍ତା । ଇଏ ଗୋଟାଏ କ’ଣ ଜୀବନ ! ଭୟ ଓ ଶଙ୍କାକୁ ପାଚିରି କରି କେହି କେବେ କ’ଣ ଘରକରି ରହିପାରିଲାଣି !

 

ରାସ୍ତାରେ ଏକୁଟିଆ ଛୁଟିଥିଲା ସେ ତା’ର ସ୍ମୃତିର ମନ୍ଦିର ଆଡ଼କୁ । ସହରର ଶେଷଭାଗରେ ବହି ଯାଉଥିବା ନଈ ଏବଂ ସେଇ ନଈକୂଳରେ ଥିବା ଛୋଟ ମୁଣ୍ଡିଆର ପାଦଦେଶରେ ପୁରୁଣା ଖାନ୍‍ଦାନୀକୁ ଜାବୁଡ଼ିଧରି ଜରାଜୀର୍ଣ୍ଣ ହୋଇ ଯାଇଥିବା ଘରଟି ପାଖକୁ । ସେ ଘରେ କିଏ କିଏ ଆଉ ରହନ୍ତି, ସେ ଜାଣେନା । କିନ୍ତୁ ସେ କେବଳ ଜଣକୁ ଜାଣେ...ଜଣକୁ ।

 

ଏମିତିକି, ସେ ଜଣଙ୍କର ନାଁ ବି ସେ ଜାଣେନା । ଏଇ ସହରକୁ ଟ୍ରେନିଂରେ ଆସିବା ପରେ ଆକସ୍ମିକ ନଈକୂଳ ବୁଲା, ସନ୍ଧ୍ୟାରେ ଅବସର ବିନୋଦନପାଇଁ ଅନେକ ଥର ସେ ଜାଗାକୁ ଯିବା ଏବଂ ପୋଷା ହରିଣଛୁଆଟିକୁ ଧରି ଏକାକିନୀ ସିଏ ତା’ ଘର ସାମନା ବଗିଚାରେ ବୁଲୁଥିବାବେଳେ ଦେଖା ସାକ୍ଷାତ; ଏବଂ ଶେଷରେ ବାରମ୍ବାର ସେଇ ସମୟରେ ଦେଖାସାକ୍ଷାତ ପରେ କିଛି ଗୋଟା ମୋହ–ଆକର୍ଷଣଜନିତ ହସ ବିନିମୟ; ବାସ୍‌....ବାସ୍‌, ଏତିକି । ୟା’ଠାରୁ ଅଧିକ କିଛି ନୁହେଁ । ମାତ୍ର ସେଇ ଘଟଣା ତ ଏକ ରୁଟିନ୍‌ ହୋଇଗଲା ତା’ ଜୀବନର ।

 

ନଅଦିନର ଅବରୁଦ୍ଧ ଜୀବନ ପ୍ରବାହକୁ ଧରି ସେ ରାସ୍ତାକୁ ଚାଲି ଆସିଥିଲା । ସେ ଆସିଥିଲା ବଞ୍ଚିବାର ଉପାଦାନ ସଂଗ୍ରହ କରିବାକୁ ନୁହେଁ, ତା’ର ନିତ୍ୟ–ନୈମିତ୍ତିକ ରୁଟିନ୍‌ବନ୍ଧା କାମ ପୂର୍ତ୍ତି କରିବା ନିମିତ୍ତ । ତେବେ ସିଏ ତା’ ପାଇଁ ଥିଲା ବଞ୍ଚିବାର ଉପାଦାନ; ଏକଥାକୁ ଭୁଲ୍‌ ବୋଲି କେହି କହିପାରିବେ ନାହିଁ । ଦୁଇଘଣ୍ଟା ଭିତରେ ତାକୁ ସହରର ଶେଷ ମୁଣ୍ଡକୁ ଯାଇ ପୁଣି ଫେରିବାକୁ ହେବ । ନଅଦିନର ଅପୂର୍ଣ୍ଣାଙ୍ଗ କାମକୁ ପୂରଣ କରିବାକୁ ହେବ । ରାସ୍ତାରେ କ୍ଷିପ୍ର ପଦରେ ଚାଲିଥିଲା ସେ ।

 

ରାସ୍ତାରେ ଅନେକ ସନ୍ଦେହୀ ମଣିଷ; ଚାଲିଥିଲେ ମୂଷା ଭଳି । କୁନ୍‌କୁନ୍‌ ବି ହେଉଥିଲେ-। ଜଣେ ଆଉ ଜଣକୁ ସନ୍ଦେହରେ ଚାହୁଁଥିଲା । ସମସ୍ତେ ଥିଲେ ଚଞ୍ଚଳ, ବ୍ୟଗ୍ର । ମୋଟ ଉପରେ ସେ ରାସ୍ତାରେ ଏମିତିଆ ମଣିଷମାନଙ୍କୁ ଦେଖୁଥିଲା । ଯେଉଁଭଳି ମଣିଷଙ୍କୁ ସେ ଆଗରୁ କେବେ ଦେଖିନଥିଲା । ସତେ ଯେମିତି ଏମାନେ କେହି କେବେ ଏ ସହରରେ ନଥିଲେ । ଏବେ ଆସିଛନ୍ତି; ସବୁକିଛିକୁ ସେମାନେ ଚିହ୍ନୁଛନ୍ତି, ଜାଣୁଛନ୍ତି । ସବୁଠି ଅଚିହ୍ନା ଭୟର ବିରୁଡ଼ି ବସା । ତେଣୁ ହିଁ ତ ସନ୍ଦେହ ।

 

ଠାଏ ଠାଏ ରାସ୍ତାର ଛକମାନଙ୍କରେ ବନ୍ଧୁକଧାରୀ ପୋଲିସଙ୍କ ମେଲଣ । ସବୁଠି ଭୟ ଥିଲା, କେବଳ ଭୟ ନଥିଲା ସେମାନଙ୍କ ପାଖରେ । ସେମାନେ ବେପରୁଆ । ତାଙ୍କ ଭିତରୁ ଦଳେ ବସି ତାସ୍‌ ଖେଳୁଥିଲେ । ସମସ୍ତଙ୍କ ପାଖରେ ଗୁଳିଭରା ବନ୍ଧୁକ । ଭୟ କରିବେ କାହାକୁ ? ଲୋକମାନେ ନିର୍ବାଚନବେଳେ ବାକ୍‌ସରେ ଯେଉଁ ଭୋଟ କାଗଜ ଗଳାନ୍ତି ସେଗୁଡ଼ାକ ଗୁଳିହୋଇ ଏମାନଙ୍କ ହାତକୁ ଫେରିଆସେ ।

 

କିଏ ଜଣେ କହୁଥିବା ସେ ଶୁଣିଲା, ଏଇ ପୋଲିସମାନେ କୁଆଡ଼େ ଘଟଣାଟାକୁ ଉସ୍‌କେଇଦେଲେ । ଡାଆଣୀ ହେଇ ଲାଗିଲେ,ଏବେ ଗୁଣିଆ ହେଇ ଝାଡ଼ୁଥାନ୍ତି । ବିଚିତ୍ର ଏମାନଙ୍କର କାମ / ରୂପ । କଥାଟା ସତ ହେଇ ଥାଇପାରେ, ନ ହେଇ ଥାଇପାରେ । କିଏ କହିବ; ସେମାନେ ବି ମଣିଷ ।

 

ତା’ର କିନ୍ତୁ ନିଘା ନଥିଲା ସେ ଆଡ଼କୁ । ସେ ଶୁଣୁଥିଲା, ଦେଖୁଥିଲା ଏବଂ ଆଗୋଉଥିଲା ଆଗକୁ । ନଈକୂଳ ସେଇ ମୁଣ୍ଡିଆ ପାଖର ତା’ ପରିଚିତ ଘରର ବଗିଚା ନିକଟରେ ପହଞ୍ଚିଲା ବେଳକୁ ଅନ୍ଧାର ହେବାକୁ ଆହୁରି କିଛି ସମୟ ବାକି ଥିଲା । ସେ ଚାହିଁ ଦେଖିଲ ସାରା ବଗିଚାଟା ନିଛାଟିଆ । ସାହସକରି ଘରର ଫାଟକ ଟପି ସେଦିନ ସେ ପ୍ରଥମଥରପାଇଁ ସଦର ଦରଜା ନିକଟକୁ ଯାଇଥିଲା ।

 

କବାଟ ଭିତରପଟୁ ବନ୍ଦ ଥିଲା । ପରିବେଶଟା ନିହାତି ନିର୍ଜନ ମନେ ହେଉଥିଲା–ନଈକୂଳର ନିର୍ଜନତାଠାରୁ ଆହୁରି ନିର୍ଜନ । ଘର ଭିତରୁ ବେଳେବେଳେ ଶୁଭୁଥିଲା କୁକୁଡ଼ାର ଗୁମୁରିବା ଶବ୍ଦ । ସତେ ଯେମିତି ସେ ସବୁ ଗୁମର କଥା ଜାଣେ, କହିଦେବାକୁ ଧମକଉଚି । କାହାକୁ କ’ଣ କହିବ କେଜାଣି ।

 

କିନ୍ତୁ ହରିଣ ଛୁଆଟି କାଇଁ ?

 

ତା’ର ତ ସୋର–ଶବ୍ଦ ନାହିଁ ।

 

ଆଉ ସେ....

 

ଆଉ ସାହସ ହେଲାନି ତା’ର । ଗୋଟାଏ ଲମ୍ବା ନିଶ୍ଵାସ ଛାଡ଼ି ସେ ଫେରିଆସିଲା ସେଦିନ । ବାହୁଡ଼ିବା ବେଳେ ତା’ ମନକୁ ଭୟ ଡିଆଁମାରି ଅକ୍ତିଆର କରି ନେଇଥିଲା । ସେ ଏକପ୍ରକାର ଅଣନିଶ୍ୱାସୀ ହେଇ ଦୌଡ଼ିଛି ତ ଦୌଡ଼ିଚି । କେତେ ସମୟରେ କେଉଁ ମୋଡ଼ଦେଇ ସେ ଆସି ତା’ ରହିବା ଜାଗାରେ ପହଞ୍ଚିଲା, ସେ ଜାଣେନା । ପହଞ୍ଚିବା ପରେ ସେ ନିଜକୁ ତର୍ଜମା କଲା ଯେ, ଗଲାବେଳେ ବୋଧହୁଏ ତାକୁ ଭୂତ ଲାଗିଥିଲା ।

 

ପରଦିନ ପୁଣି ସେଇ ସମୟକୁ ତାକୁ ଭୂତ ଲାଗିଲା ଏବଂ ସେ ପୁଣି ଗଲା ସେଇ ନଈକୂଳ ମୁଣ୍ଡିଆ ପାଦଦେଶର ଘର ପାଖକୁ । ଏଥର କିନ୍ତୁ ଅଧିକ ସାହସ ସଞ୍ଚୟକରି ସେଠିକୁ ଯାଇଥିବାରୁ କବାଟରେ କରଘାତ କଲା ଓ କଣ୍ଠରେ ଯେତେ ନରମ ସଂଭ୍ରମତା ସୃଷ୍ଟି କରାଯାଇପାରେ, ତାହା ସୃଷ୍ଟିକରି ଜଣାଇଦେବାକୁ ଚାହିଁଲା ଯେ ‘ସେ ଆସିଚି’ । ସେସବୁ ବିଫଳ ହେବାରୁ ଅଗତ୍ୟା ସେ ଫେରିଆସିଲା ପୂର୍ବଦିନ ପନ୍ଥାର ପୁନରାବୃତ୍ତିକରି ।

 

ତା’ ପରଦିନ ସେହି କର୍ଫ୍ୟୁ ଉଠା ସମୟ ଆସିବା ପର୍ଯ୍ୟନ୍ତ ସେ ତା’ କୋଠରୀରେ ଅନେକ ଉପାୟ ଚିନ୍ତା କଲା; ମାତ୍ର କିଛି ପରିଣତିରେ ପହଞ୍ଚି ନପାରିବାରୁ ଯଥା ସମୟରେ ପୁଣି ଗଲା ସେଇ ପରିଚିତ ଘର ପାଖକୁ ।

 

ଏଥର ଅଧିକ ସାହସ ସଞ୍ଚୟକରି ଆଣିଥିଲା ସେ । ତେଣୁ ସେ ଦୀର୍ଘ ସମୟ କବାଟର ଆଘାତ କଲା ଏବଂ ତପ୍ତରେ ସ୍ପଷ୍ଟ ସ୍ଵର ଶୁଣାଇ କହିଲା, .... ‘ମୁଁ ଆସିଚି, ମୁଁ.....ମୁଁ ପୋଲିସ ନୁହେଁ, କିମ୍ୱା ନରରକ୍ତରେ ଉନ୍ନତ୍ତହୋଇ ନାଚୁଥିବା ପିଶାଚ ନୁହେଁ । ମୁଁ.....ଯିଏ ପ୍ରତିଦିନ ସନ୍ଧ୍ୟାରେ ଆସେ ଏବଂ ଦେଖାହୁଏ । ‘ଏତକ ଏକା ନିଶ୍ଵାସରେ କହିସାରି ସେ ଘର ଭିତରୁ କିଛି ଶବ୍ଦ, କିଛି ମିଠା ସ୍ଵରର ପ୍ରତିଧ୍ୱନି ଶୁଣିବାପାଇଁ ଆଶା ରଖି କାନ ପାତିଲା ।

 

ନାଃ, ଏଥରକ କୁକୁଡ଼ାର ଶବ୍ଦ ବି ନାଇଁ । କିନ୍ତୁ ହରିଣ ଛୁଆର କୁନ୍ଥାଣ ମିଶା ଧ୍ୱନି ସେ ଶୁଣିଲା ଏଠି ପ୍ରଥମଥରପାଇଁ । ସେ ସ୍ଥିର କରିନେଲା–ଏ ଘର ଭିତରେ ନିଶ୍ଚେ ସମସ୍ତେ ଅଛନ୍ତି; ମାତ୍ର କେହି ତା’ କଥା ଶୁଣୁନାହାନ୍ତି ଭୟରେ । ହାତରେ ଆଉ ସମୟ ନାଇଁ; ଫେରିଯିବାକୁ ହେବ । ବ୍ୟସ୍ତତା ତା’ ମନର କଅଁଳିଆ ଇଲାକାକୁ ଚାଉଁକିନା ପୋଡ଼ିଦେବାରୁ ସେ କହିଉଠିଲା, .... ‘ହଉ ...,ତାକୁ କହିଦବ, ମୁଁ ଆସିଥିଲି । ଫେରିଯାଉଚି’–

 

ଏଇ ଘଟଣା ଘଟିବାର ପରଦିନଠୁ ସେ ଆଉ ନଈକୂଳ ମୁଣ୍ଡିଆ ପାଖର ସେହି ଘର ନିକଟକୁ ଯାଇପାରି ନାହିଁ । ପୁଣି କୋଉଠି ଗଣ୍ଡଗୋଳ ବଢ଼ିଯିବାରୁ କର୍ଫ୍ୟୁ ବଳବତ୍ତର ହେଇଗଲା ଦିନରାତିପାଇଁ । କୋହଳ ପୁଣି କଠିନ ହେଲା । ଏମିତି ଏମିତି ଅଠରଦିନ ହେଇଗଲାଣି । ମହାଭାରତର ଗୋଳଯୁଦ୍ଧ ତଥାପି ସରି ନାହିଁ । କର୍ଫ୍ୟୁ ଆଉ କୋହଳ ହୋଇନାହିଁ, କିମ୍ୱା ସେ ଆଉ ତା’ର ପରିଚିତ ପରିବେଶ ଭିତରକୁ ଯାଇପାରି ନାହିଁ । ପଛରେ ରହିଗଲାଣି ଅଠରଟି ଦିନ ଓ ରାତିର ଗୁମ୍ଫିତ ଇତିହାସ । ବଞ୍ଚି ରହିବାର ସର୍ବନିମ୍ନ ପ୍ରବାହ ଏଠି ଯେମିତି ଅବରୁଦ୍ଧ । କ’ଣ ଅବା କରାଯାଇପାରିବ ଏଭଳି ଅବସ୍ଥାରେ ।

 

ବାରମ୍ବାର ଠିଆହୋଇ ଏବଂ ବସି ବସି ଭାବୁଥିଲା ସେ । ଭରା ଭୋଦୁଅର ଫିକା–ମେଘଙ୍କ ପଲଟଣ ଭଳି ତୁହାକୁ ତୁହା ହାଇ ମାଡ଼ି ଆସୁଥିଲେ ତା’ ପାଖକୁ । ରାତି କେତେ ହେବ କେଜାଣି ? ବାହାରେ ନିର୍ଜନତା ମୃତ ସହରର ଇତିକଥା କହୁଥିଲା ।

 

ଦୃଷ୍ଟି ଶୂନ୍ୟ ଆଡ଼କୁ ପହଁରାଇଲା ସେ । ଉପରେ ତାରାଭରା ଆକାଶ । ମନରେ ଭାବନାର ଭୋଜବାଜି । କ’ଣ ଦରକାର ଥିଲା ମଣିଷ ଜୀବନପାଇଁ ଏ ଅନାକାଂକ୍ଷିତ ଶୃଙ୍ଖଳା ! କେବଳ କର୍ଫ୍ୟୁ କ’ଣ ସ୍ୱାଭାବିକ ଜୀବନଧାରା ଫେରାଇ ଆଣିବ ? ତାହା ଯଦି ସତ୍ୟ, ତେବେ ଫେରାଇ ଆଣିପାରୁନି କାହିଁକି ? କାହିଁକି ହେଉଚି ସେ କର୍ଫ୍ୟୁର ପୁନରାବୃତ୍ତି ?

 

କିଛି ଉତ୍ତର ଖୋଜି ପାଉ ନଥିଲା ସେ ।

 

ଅଦୂରର ଇଉକାଲିପଟସ୍‌ ଗଛର ପତ୍ର ଉପରେ ଚିକ୍‌ଚିକ୍‌ କରୁଥିବା ଆଲୁଅ ତାକୁ ଯେମିତି ଖତେଇ ହେଉଥିଲା । ବାହାରେ ଏତେ ଆଲୁଅ ଥାଇ ବି ସତେ ଯେମିତି ଜମା ଆଲୁଅ ନଥିଲା । ସୀମାହୀନ ଅନ୍ଧାର ଜମାଟ ବାନ୍ଧି ରହିଥିଲା ମନରେ । ହାଇର ପଟୁଆର ଭିତରେ ତା’ର ବାରମ୍ୱାର ମନେପଡ଼ି ଯାଉଥିଲା ସେଇ ପରିଚିତ ହସଫୁଟା ମୁହଁଟା, ନାଁ-ନଜଣା ସୁନ୍ଦର ସୁଗଠିତ ଚେହେରାଟା ।

 

ଆଃ, କେମିତି ସେ କହିଦେଇପାରନ୍ତା କି, ତାକୁ ସେ ପ୍ରତିଦିନ ଅନ୍ତତଃ ଥରେ ଦେଖିବାକୁ ଚାହେଁ । ଜୀବନରେ କୌଣସି ଗୋଟାଏ ମୁହୂର୍ତ୍ତକୁ ନିଷ୍ଠାପର ଭାବେ ବିନିଯୋଗ କରିବାକୁ ଚାହେଁ ସେ । ନୀତିନିୟମ ଅନୁସାରେ ଇଏ ପ୍ରେମ ନ ହୋଇପାରେ; କିନ୍ତୁ ସେହିଭଳି ଆଉ ଗୋଟାଏ କିଛି ନିଶ୍ଚୟ । ପ୍ରେମ ତ ଏମିତି ହୁଏନା । କେଜାଣି ହଉଥିବ ଯଦି...

 

ଜୀବନପାଇଁ କିଛି ଗୋଟାଏ ଅବଲମ୍ବନ ଦରକାର । ବିନା ଅବଲମ୍ବନରେ ମଣିଷ ଏ ବିରାଟ ନିଃସଙ୍ଗ ପୃଥିବୀରେ ଦଣ୍ଡେ ଚଳିପାରିବ ନାହିଁ । ଧର୍ମରେ ହେଉ, କର୍ମରେ ହେଉ, କିମ୍ବା ପ୍ରେମରେ ହେଉ ବା ‘ମିଛ’ରେ ହେଉ, - କିଛି ଗୋଟାକୁ ଜାବୁଡ଼ି ଧରିବା ଦରକାର । ଧର୍ମ-କର୍ମ-ପ୍ରେମ ଅପେକ୍ଷା ମିଛକୁ ଆଶ୍ରୟକରି ଏ ସଂସ୍କାରର ବହୁ ଲୋକ ଚଳିଯାଆନ୍ତି ।

 

ସେ କେମିତି ତାକୁ କହିବ, ଏତେବଡ଼ ସହରଟାରେ ଗୋଟାଏ ନିଃସଙ୍ଗ ଏକଲା ମଣିଷଟିଏ ତାକୁ ବଞ୍ଚି ରହିବାର ଅବଲମ୍ବନ କରିନେଇଚି ବୋଲି । ପୁଣି ଏକଥା କେମିତି ସମ୍ଭବ ହେବ, ଦୀର୍ଘ ଅଠର ଦିନ କାଳ ତାକୁ ନଦେଖି ସେ କେମିତି ନିଜକୁ ଚଳେଇନେବ । ଇଏ ତା’ର ରୁଟିନ୍‌ବନ୍ଧା ଜୀବନର ଅଠରଟି ଆବେଗମୟ ମୁହୂର୍ତ୍ତର ସମାହାର । ତାକୁ ହରେଇ ବନ୍ଦୀ ଭଳି ଏ ରୁଦ୍ଧ କୋଠରୀରେ ସେ ରହିପାରିଚି କେମିତି !!

 

ବହୁ ଆଗରୁ ତା’ର ପାଗଳ ହେଇଯିବା ଉଚିତ ଥିଲା । ମଣିଷମାନେ ଏଇଭଳି ଅବସ୍ଥାରେ ନିଶ୍ଚୟ ପାଗଳ ହେଉଥିବେ । ଏମିତି ପଶୁ ଖୁଆଡ଼ରେ ବଞ୍ଚି ରହିବାକୁ ଜୀବନ କୁହାଯାଏ ନାହିଁ । ତାହା ଆଉ କିଛି ନିଶ୍ଚୟ । ଭାବୁଥିଲା ସେ–ସେ ଏକ ସର୍ବନାମ; ଅଗଣିତ ସଂତୁଳିତ ନିରୀହ ମାନବାତ୍ମାର ପ୍ରତିନିଧି ।

 

କେମିତି ବଞ୍ଚି ରହିହେବ ସତେ ଏଭଳି ପରିସ୍ଥିତିରେ ! ଆକାଶରେ ଆଖି ପହଁରେଇ ଦେଖିଲ, ଅସଂଖ୍ୟ ତାରକା ତାକୁ ଚାହିଁ ହସୁଛନ୍ତି ଆଖିମିଟିକା ମାରି । ସେ ଝରକାକୁ ଭଲଭାବେ ଖୋଲିଦେଲା ଏବଂ ତା’ପରେ କବାଟକୁ ବି । ବାହାରେ ଶୋଇଲା ସହର ଏବଂ ଅସଂଖ୍ୟ ତା’ର–ଖଞ୍ଜା ହେଇଥିବା ଆକାଶ । ଭାରି ଇଚ୍ଛା ତା’ର ସେଇ ମୁହୂର୍ତ୍ତରେ ନଈକୂଳ ମୁଣ୍ଡିଆ ପାଖକୁ ଯିବାକୁ–ତାରକିତ ଆକାଶ ଦେଖିବାକୁ ଏବଂ ସେଇ ପ୍ରେମମୟୀ ମୂର୍ତ୍ତିକୁ ସାକ୍ଷାତ କରିବାକୁ ।

 

ସେ ତା’ର ମନର ସମସ୍ତ ଝରକା ଖୋଲିଦେଲା । ଭୟର ବିକଟାଳ ମୁଖାଟାକୁ ସେଇ କୋଠରୀର କୋଉ କଣକୁ ଫିଙ୍ଗିଦେଲା ଯେ, ତାହା ତଳେ ପଡ଼ି ଚୂନା ଚୂନା ହେଇଗଲା । ଆବେଗର ଝରଣାଟି ଭଳି ସେ ମାଡ଼ି ଚାଲିଲା ରାସ୍ତା ଉପରକୁ । ରାସ୍ତାରେ ପରସ୍ପରକୁ ସନ୍ଦେହ କରୁଥିବା ତଥାକଥିତ ମଣିଷମାନେ ନଥିଲେ, କିମ୍ବା ପାଶବ ପ୍ରବୃତ୍ତି ନେଇ ଦିଗୋଡ଼ିଆ ଭୟଙ୍କର ଜନ୍ତୁଗୁଡ଼ାକ ବୁଲୁ ନଥିଲେ । ମୋଟ ଉପରେ ସେ ନଈକୂଳରେ ପହଞ୍ଚିଲା ପର୍ଯ୍ୟନ୍ତ ଆଉ କାହାକୁ ଦେଖିନଥିଲା, ଯେଉଁମାନେ କି ତାକୁ ସନ୍ଦେହ କରିଥାନ୍ତେ; କିମ୍ବା ଆଇନ୍‌ ନାଁରେ ଅବାନ୍ତର କଥାଗୁଡ଼ା ପଚାରିଥାଆନ୍ତେ । ତା’ର ପରିଚିତ ଘରର ସଦର ଦରଜା ପାଖରେ ପହଞ୍ଚିଲାବେଳକୁ ଅକସ୍ମାତ୍‌ ତା’ ପାଖରୁ ମେଞ୍ଚାଏ ଶବ୍ଦ ହାବୁକାମାରି ଖସିଗଲେ–‘ମା’ର ଗୋଲି ହୋ ଏ କର୍ଫ୍ୟୁକୁ’– ମାତ୍ର ପର ମୁହୂର୍ତ୍ତରେ ତା’ରି ମୁହଁରୁ ଖସି ଯାଇଥିବା ଶବ୍ଦମାନେ ଆଉ କାହାର କଥାଭଳି ମନେହେଲେ । ଏବଂ ଏଭଳି ପ୍ରତେ ହେଲା ଯେ, ତାହା ଯେମିତି ସେ ଏଠିକି ଆସିବା ବାଟରେ ଅନୁଭୂତିରେ ସାଉଁଟି ଆଣିଥିବା କୌଣସି କୌଣସି ପରିଚିତ ଶବ୍ଦ ।

 

ଆସିବାବେଳେ ବାଟରେ ସେ କ’ଣ ଅବା ଦେଖିଥିଲା ଅଧିକ ! ଓ–ହଁ, ଏଇ ଗଣ୍ଡଗୋଳରେ ପୋଡ଼ି ପାଉଁଶ ଗଦାରେ ପରିଣତ ହୋଇଥିବା ଗୃହସ୍ଥର ଘର ସାମନାରେ, ତା’ ଅନୁପସ୍ଥିତିରେ ଶୋଇରହି କୁଁ–କୁଁ ହେଉଥିବା କୁକୁରର ଶବ୍ଦ । ନୀରବତା ଭିତରେ ଶବ୍ଦଟି ଥିଲା ସବୁଠୁଁ ସ୍ମରଣୀୟ; ସବୁଠୁଁ ମନେ ରହିଲା ଭଳି ଘଟଣା ।

 

‘ମାର ଗୋଲି ହୋ ସେ ଘଟଣାକୁ’–

 

ପୁଣି ଥରେ ତା’ର ପାଟି ଖୋଲିଥିଲା ଏବଂ ସେ ଏକରକମ ଦିକ୍‌ଦାର ହେଲାଭଳି ଏ କଥାମାନ କହିଥିଲା । ମାତ୍ର ଆଖିଆଗରେ ସେଇ ଘରଟିର ସଦର ଦରଜା ମୁକୁଳାଥିବା ଦେଖି ସେ ଚମକିପଡ଼ିଲା । ଅଟକିଗଲା ତା’ର ପାଦ ଏକ ଅଜଣା ସମ୍ଭାବ୍ୟ ବିପଦ ଆଶଙ୍କାରେ । ଚାରିଆଡ଼ ମୁକୁଳା । ସନ୍‌ସନ୍‌ ନିର୍ଜନତା । ଘରେ ବାହାରେ ଅନ୍ଧାର ତା’ର ପିଲାଛୁଆ ଧରି ନୀରବତା ସହିତ ଖେଳୁଚି ।

 

ସେ ଏଥର ଡିଆଁ ମାରିଲା ଭଳି ଘର ଭିତରକୁ ପଶିଗଲା; ଝଡ଼ ଭଳି ଘୂରିଗଲା ଚାରିଆଡ଼େ । ଅନେକ ଥର ଝୁଣ୍ଟିଲା, ରକ୍ତାକ୍ତ ହେଲା । କେହି କୁଆଡ଼େ ନାଇଁ । ଘର ଭିତରେ ଘର, ତା’ ଭିତରେ ଘର । ସବୁ ଖୋଜିଲା ଏବଂ ଶେଷରେ ନିଜର ସମସ୍ତ ଶକ୍ତି ସଞ୍ଚୟକରି ଚିତ୍କାର କଲା–“କିଏ କୋଉଠି ଅଛ, ଶୁଣ....ତାକୁ କହିଦବ–ମୁଁ ଆସିଥିଲି....ବାରମ୍ବାର ଆସି ଫେରିଚି....କେତେ ଅସୁବିଧା ଭିତରେ ଆସିଚି । ଆଉ ଆସିପାରିବି କି ନା ସନ୍ଦେହ.....’’

 

ସେମିତି ଚିତ୍କାର କରି କରି ସେ ବାହାର ବଗିଚା ପାଖରେ ଆସି ପହଞ୍ଚିଲା ବେଳେ, ଚିତ୍କାର ତା’ର ଅଧାରେ ଅଟକିଗଲା । ହେଇତ, ହରିଣ ଛୁଆଟା ବଗିଚାରେ ଦୌଡ଼ୁଚି....ତାକୁ ଧରିବାପାଇଁ ଲୀଳାୟିତ ଭଙ୍ଗୀରେ ଧାଇଁଚି ସେହି ଶୁଭ୍ର ବସ୍ତ୍ର ପରିହିତା ତରୁଣୀ......

 

ଇଏତ ଆଉ ସ୍ଵପ୍ନ ନୁହେଁ.......ତେବେ କାହିଁକି ତାକୁ ଏମିତି ଠକି ଚାଲିଚି ସେ । ସେ ଧାଇଁଚି, ହରିଣ ଛୁଆ ଧାଇଁଚି, କିନ୍ତୁ କିଛି ଶବ୍ଦ ତାକୁ ଶୁଭୁନି କାହିଁକି ? ....ନା–ନା–ନା ....... ମିଛ.....

 

ନଈକୂଳର ନିର୍ଜନ ପରିବେଶରେ ତା’ର ଚିତ୍କାର ପ୍ରତିଧ୍ୱନି ତୋଳି ମିଳେଇଯିବା ପୂର୍ବରୁ ତା’ ମୁହଁରେ ଆସି ପଡ଼ିଥିଲା ପୋଲିସ ଗାଡ଼ିର ଆଲୁଅ । ତା’ରି ଭିତରେ ସେ ଜଳକାହୋଇ ଖୋଜୁଥିଲା ଶୂନ୍ୟ ବଗିଚାକୁ । ତାହା ଯେମିତି ଖେଙ୍କାରି ହେଇ କହୁଥିଲା, - କେହି ନାହିଁ....କେଇ ନାହିଁ.......

Image

 

ମେଲୋଡ଼ି ହାଉସ୍‌

 

ଆଜି ଏକଥା ଲେଖିଲାବେଳକୁ ମୋର କେବଳ ତାଆରି କଥା ବେଶି ମନେପଡ଼ୁଚି । ଲୋକଟାର ଅନେକଗୁଡ଼ିଏ ଭାବ ବିରୋଧାଭାସ ସୃଷ୍ଟି କରୁଥିଲା ଗ୍ରାହକର ମନରେ, ଦର୍ଶକର ଚିନ୍ତା–ଚେତନାରେ ଏବଂ ସର୍ବୋପରି ତାଆରି କଥା ଓ କାମରେ । ଇଉକାଲିପଟାସ ଗଛ ଭଳି ଗମ୍ଭୀର ମୁହଁ, ଅଶ୍ଵତ୍‌ଥ ପତ୍ର ଭଳି ଅସ୍ଥିର ସ୍ଵର ଓ ତଦ୍‌ଗତ ଭାବ–ବିଭୋର ବୈଷ୍ଣବ ଭଳି ତନ୍ନୟ ମଣିଷଟିଏ ।

 

ହଁ, ସେଇ ଫୋତାମିଆଁ.......

 

ଯାହା କଥା ମୁଁ ଆପଣମାନଙ୍କୁ କହିବାକୁ ଯାଉଚି ।

 

ଆଜି ବି ସେ ହୁଏତ ଇଦ୍‌ର ଚାନ୍ଦକୁ ଚାହିଁଥିବ.....; ଆଉ ଭାବୁଥିବ ତା’ରି ନଟାଳିଆ ଜୀବନର ଅଲରା ସୂତାଖିଅ କଥା । ନ ଥିଲା ଜିନିଷର ସ୍ମୃତି ତା’ ଆଗରେ ବିସ୍ମୃତିର ବୁଢ଼ିଆଣି ଜାଲ ସାଜି ଜାଲୁରୁ ଜାଲୁରୁ ହେଇ ଯାଉଥିବ ।

 

ସେ ଗୋଟାଏ ‘ମେଲୋଡ଼ି ହାଉସ୍‌’ କରିଥିଲା–ଠିକ୍ ଆମ ସହରର ଶେଷ ଭାଗକୁ, ଯୋଉଠି ମ୍ୟୁନିସିପାଲ୍‌ଟିର ପିଚୁଦିଆ ରାସ୍ତା ଓ ଇଲେକ୍‌ଟ୍ରି ବତୀ ଖୁଣ୍ଟଗୁଡ଼ା ସରିଯାଇ, ଆରମ୍ଭ ହେଇଚି ବାବୁଲ୍‌ ଗଛର ଜଙ୍ଗଲ ଓ କିରାସିନି ବତୀଜଳା ବେକୁବ୍‌ ମଣିଷକୃତି ଖୁଣ୍ଟଗୁରା–ସେଇଠି ତା’ ଦୋକାନ ।

 

ଅନ୍ୟପଟୁ ଦେଖିଲେ ପାହାଡ଼ର ଘାଟିରାସ୍ତାଟି କେତେ ଉଠୁ–ପଡ଼ ହେଇ, ଆଖି ନାକ ବଙ୍କାକରି, ନେହୁରା–ନିମନ୍ତ ହେଇ, ଯୋଉଠି ସହରର ସମତଳ ଜାଗା ସହିତ ହାତ ମିଳେଇଚି, ସେଇଠି ଫୋତାମିଆଁର ‘ମେଲୋଡ଼ି ହାଉସ୍‌’ । ରାତିରେ କେବେ ତା’ ଦୋକାନ ସାମ୍ନାରେ ନିରୋଳାରେ ବସିପଡ଼ିଲେ, ଗୋଟାଏ ସୁନ୍ଦର କାନ୍‌ଭାସ୍‌ ଉପରେ ଆକାଶ–ପୃଥିବୀ ଏକାଠିହେଇ ଗପସପ କରୁଥିବାର ଶୁଣିହେବ ।

 

ମୋଟ ଉପରେ ଚମତ୍କାର ଜାଗା ।

 

ନ ଦେଖିଲେ ବିଶ୍ଵାସ କରିହେବନି ।

 

ବସ୍ କିମ୍ବା ଟ୍ରକରେ କଦବା କେମିତି ସେଇବାଟେ ଗଲାବେଳେ, ଯାନ୍ତ୍ରିକ ସଙ୍ଗୀତ ସହିତ ଫୋତାମିଆଁର ସ୍ଵର ଶୁଣିବା ଆଦୌ ଆକସ୍ମିକ ନୁହେଁ । ରାତିର ଗୋଟାଏ ନିର୍ଦ୍ଦିଷ୍ଟ ପ୍ରହର ପର୍ଯ୍ୟନ୍ତ, ଯେତେବେଳେ ସାଧାରଣତଃ ମଣିଷମାନେ ଶୋଇପଡ଼ିଥାନ୍ତି, ପାହାଡ଼ିଆ ଚଢ଼େଇମାନେ ଯେମିତି ତାଙ୍କ କଥାଭାଷା ନିରୋଳାରେ ଆରମ୍ଭକରି ପୋଷାକ ପିନ୍ଧି ଧ୍ୟାନମଗ୍ନ ହେଇଯାଆନ୍ତି–ସେମିତି ଫୋତାମିଆଁର ସ୍ଵର ବନ୍ଦ ହେଇଯାଏ ।

 

ପୁଣି ସକାଳୁ ଚଢ଼େଇମାନେ ଗଳା ପରିଷ୍କାରକରି, ସମସ୍ତଙ୍କୁ ତାଙ୍କ ଘର ଜଗିବାକୁ କହି, ଖାଦ୍ୟ ଖୋଜିବାକୁ ବାହାରିଗଲା ବେଳକୁ ସେ ଉଠି ପଡ଼ିଥାଏ । ପରେ ପରେ ସେ ତା’ର ସ୍ଵର ଲମ୍ବେଇଦିଏ ଶ୍ରୁତିରୁ ବିସ୍ମୃତିର ରାଜ୍ୟ ପର୍ଯ୍ୟନ୍ତ ।

 

ତାକୁ ଦେଖିଲେ ମନେହେବ, ସତେକି ସେ ଚାବିଦିଆ କଣ୍ଢେଇଟିଏ; ଚାବି ଥିବା ପର୍ଯ୍ୟନ୍ତ ତା’ କାମ ନିର୍ଦ୍ଦେଶ ମୁତାବକ କରୁଥିବ; ପୁଣିଥରେ ଚାବି ଦେଲେ ଚାଲିଲା–ଆଉ ଥରକ ପର୍ଯ୍ୟନ୍ତ ।

 

କହିବାକୁ ଭୁଲି ଯାଉଚି ଅସଲ କଥାଟା ।

 

‘ମେଲୋଡ଼ି ହାଉସ’ ମାନେ କ’ଣ ଜାଣନ୍ତି ?

 

ଧେତ୍, ନ ଜାଣିଲେ କଥାଟା ଜମିବ କେମିତି !

 

ଅଥାର୍ତ୍‌ ଫୋତାମିଆଁ ଯେଉଁ ଅର୍ଥରେ ଏହି ନାଁ ବାଛିଚି, ତାକୁ ଏଇୟା ବୁଝିବାକୁ ହେବ–‘ଏଠାରେ ସମସ୍ତ ପ୍ରକାର ସଙ୍ଗୀତ–ବାଦ୍ୟଯନ୍ତ୍ର ମରାମତି ହୁଏ ।’ ପୁଣି ଏଇଆକୁ ଆଉରି ନିଠେଇକରି ବୁଝେଇ କହିହେବ ଯେ, ଫୋତାମିଆଁ ଏ ଅଞ୍ଚଳର ଜଣେ ସାଧାରଣ ଲୋକ ନୁହେଁ; ସେ ସମସ୍ତ ସଙ୍ଗୀତ–ବାଦ୍ୟଯନ୍ତ୍ରରେ ପ୍ରବୀଣତା ଓ ଦକ୍ଷତା ହାସଲ କରିଥିବା ପୋଖତ ମଣିଷଟିଏ । ଅବଶ୍ୟ ତା’ର ଏହି ମର୍ମରେ କୌଣସି ସ୍କୁଲ୍‌ ବା ୟୁନିଭରସିଟି ଡିଗ୍ରୀ ନାହିଁ ।

 

ମଲା, ତା’ ବୋଲି କ’ଣ ସେ ଜଣେ ଭଲ ସଙ୍ଗୀତଜ୍ଞ ହେଇପାରିବନି ! ଆଚ୍ଛା କଥା ! ଡିଗ୍ରୀ ପାଇଲେ ହବ, ନହେଲେ ନାଇଁ ! ହଇହୋ, ଆଗ କାଳରେ ଏ ଦେଶର ମୁନି ଋଷିମାନେ ଏଡ଼େ ଏଡ଼େ ବଡ଼ ଯୋଉ ହେଲେ, କୋଉ ବିଶ୍ୱବିଦ୍ୟାଳୟରୁ ସେମାନେ ଡିଗ୍ରୀ ପାଇଥିଲେ ? କହୁନାହାନ୍ତି ? ସୁତରାଂ ଫୋତାମିଆଁ ପାଇଁ ସେ ସଙ୍କ୍ରାନ୍ତୀୟ ପ୍ରଶ୍ନ ଉଠାଇବା ନିହାତି ଅବାନ୍ତର ଛଡ଼ା ଆଉ କ’ଣ ହେଇପାରେ !

 

ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ–

 

ଏଭଳି ଛୋଟିଆ ସହରରେ, ତା’ ଦୋକାନଟାରେ କିନ୍ତୁ ସବୁବେଳେ ଭିଡ଼ । କେହି ନା କେହି, କିଛି ନା କିଛି ବାଦ୍ୟଯନ୍ତ୍ରଟିଏ ଧରି, ତା’ ‘ମେଲୋଡ଼ି ହାଉସ୍‌’ରେ ଯାଇ ପହଞ୍ଚିଥିବେ । ଲୋକଟା ଭାରି ଭଲ । ନଟାଳିଆ ଦାଢ଼ି ବହୁଳ ମୁହଁ ଭିତରେ ଗୋଟାଏ ସଚ୍ଚା ଦିଲ୍‌ଦାରିଆ ମଣିଷଟିଏ ଯେ ବଞ୍ଚି ରହିଚି, ତାହା ସାଧାରଣତଃ ବାହାରକୁ ଜଣାପଡ଼େନି । ମୁଣ୍ଡବାଳ ଅଧକରୁ ବେଶୀ–ବୟସର ଅଦଉତିରୁ ହେଉ ବା ଅପମିଶ୍ରଣ ଖାଦ୍ୟର ବାତ୍ୟାଯୋଗୁ ହେଉ–ଉପୁଡ଼ିଯାଇଚି ।

 

ଜୀବନର ଧୁ ଧୁ ଦି’ପହରବେଳେ ସେସବୁ କାଣ୍ଡ କାରଖାନା ଘଟିଯାଇଚି । ପୁଣି ବାଳର ଅବଶିଷ୍ଟାଂଶ ଧଳା–କଳାର ଏକ ଅଦ୍ଭୁତ କକ୍‌ଟେଲ । ଆଖିରେ ତା’ର ଖୁବ୍ ଶକ୍ତିଶାଳୀ ଲେନ୍‌ସଦିଆ ଚଷମା । ବାଦ୍ୟ ଯନ୍ତ୍ରସହ ସ୍ଵରକୁ କ୍ଷୀଣକରି, ସେଇ ଚଷମାଦିଆ ଆଖିରେ ସେ ଆଗନ୍ତୁକକୁ ଚାହିଁଲେ ମନେହେବ, ସତେ ଯେମିତି କୋଉ ଜ୍ୟୋତିର୍ବିଜ୍ଞାନୀ ଲେନସ ସାହାଯ୍ୟରେ କୌଣସି ଗ୍ରହର ଗତିବିଧି ଲକ୍ଷ୍ୟ କରୁଛନ୍ତି ।

 

ସେ କଥା କହିଲେ, ସଙ୍ଗୀତରେ ହିଁ କୁହେ ।

 

ତା’ ମାନେ ତା’ କଥା ସଙ୍ଗୀତ ଭଳି ଶୁଭେ ।

 

ତେବେ ସେଇଟା ସଙ୍ଗୀତର କୋଉ ରାଗ ବା ରାଗିଣୀକୁ ଆଶ୍ରୟ କରିଛି ତାହା ସେଥିରେ ଦକ୍ଷତା ଥିବା ଜନେ କେବଳ ଜାଣିପାରିବେ । ମୁଁ ରାଗରାଗିଣୀର ଧାର ଧାରେନା । ଫୋତାମିଆଁ ସ୍ଵର ଛୁଟାଇଥିଲେ, ପୁଣି ତାହା ବିଳମ୍ବିତ ହେଲେ, ମୋର ଧୈର୍ଯ୍ୟ ତୁଟେ । କଥାଭାଷା ହେଲେ ବରଂ ସହି । ମୋଟ ଉପରେ ମୁଁ ସଙ୍ଗୀତ ରସପାଇଁ ଏକ ବେରସିକ ବା ନିରସ ଲୋକ । ତେଣୁ ମୁଁ ଫୋତାମିଆଁ ପାଖକୁ ଯେତେଥର ଯାଇଚି, ଯାଇଚି ରାତିର ଦ୍ୱିତୀୟ ପ୍ରହରକୁ । ଅନ୍ତତଃ କ୍ଳାନ୍ତ ସ୍ଵର ତା’ର କାଳେ କଥା ହେବାକୁ ଚାହୁଥିବ–ସେଇ ସମୟରେ ତେଣୁ ଯାଏ ।

 

ମୁଁ ପହଞ୍ଚିଲେ, ଫୋତାମିଆଁ ଆତିଥେୟତା ଦେଖାଇବାକୁ ଭୁଲେ ନାହିଁ । ସେ ସାଙ୍ଗେ ସାଙ୍ଗେ ଘର ଭିତରକୁ ଅନେଇ ଫର୍‌ମାସ ଦିଏ–‘ଅରେ ସୁନତି ହୋ ! ମେହମାନ୍‌ ଆୟେ ହେଁ, କୁଛ୍‌ ତୋ ଭେଜୋ....’ ତା’ ପରେ ପରେ ଟିକିଏ ଯାନ୍ତ୍ରିକ ସଙ୍ଗୀତର ମୂର୍ଚ୍ଛନା, କିଛି ଚୂନା ଚୂନା ହସ, କିଛି ସଂଭ୍ରମ ବାକ୍‌ଚାତୁରୀ ଏବଂ ତା’ପରେ ନିଜେ ଘର ଭିତରକୁ ଉଠିଯାଇ କାହାକୁ ଗାଳିଫଜିତ୍‌ କରିବା, ମୋର ଆଖି ଦେଖା ଅନୁଭୂତି ।

 

ପୁଣି ଆସି ସେ ତା’ ଜାଗାରେ ବସେ ଏବଂ ବେଳେବେଳେ କହେ–‘ଦେଖ୍‌ ତୋ ବାବୁ, ଇଦ୍‌ଭଳି ଦିନରେ–(ମୁଁ କହି ରଖେ, ଯେଉଁଥରକ କଥା ମୁଁ ଲେଖୁଚି, ସେଥରକ ପ୍ରକୃତରେ ହିଁ ସେଦିନ ଇଦ୍‌ପର୍ବ ପଡ଼ିଥିଲା ।) ବିବି ମୋର ଘରେ ଚିନି ଟିକେ ରଖିଲା ନାହିଁ । ବଡ଼ା ବେଖିଆଲ୍‌ ଔରତ୍‌ ସେ ଅଛି ବାବୁ’ । ତା’ କଥା ନ ସରୁଣୁ ବାହରପଟୁ ଛୋଟ ପିଲାଟିଏ ଚା’ ଦି’ ଗିଲାସ୍‌ ଧରି ଆସି ପହଞ୍ଚେ । ଯଥାରୀତି ପିଇବା ପର୍ବ ପରେ, ବିନା ବାକ୍ୟ ବ୍ୟୟରେ ସେ ଗିଲାସ ଧରି ଚାଲିଯାଏ ।

 

ମୁଁ ସେ ପିଲାଟି ବିଷୟରେ କେବେ କିଛି ଜାଣିବାକୁ ଆଗ୍ରହ ପ୍ରକାଶ କରିନି । ତଥାପି ମତେ ସେ ଚରିତ୍ରଟି କେମିତି ବେଖାପ୍‌ ଲାଗେ । ସେ ଫୋତାମିଆଁର “ ମେଲୋଡ଼ି ହାଉସ୍‌’ର ତା’ର କିମ୍ବା ହାତୁଡ଼ିଭଳି ବି କେବେ ଦରକାରୀ ଜଣାପଡ଼ିନି । ସତେକି କୌଣସି ଏକ ନାଟକର ଅବାଞ୍ଛିତ ଚରିତ୍ରଟିଏ ସେ, କେବଳ ସଂଭ୍ରାନ୍ତିର ପରିଚୟ ଦେବାକୁ ସେ ଉର୍ଦ୍ଦିପିନ୍ଧି ଚାଲି ଆସିଥିଲା; ଚା’ ଦେଲା, ପିଆ ସଇଲା, ସାଲ୍ୟୁଟ୍‌ ବଜେଇ କଡ଼୍‍ ଉଠାଇ ଚାଲିଗଲା ।

 

ବାସ୍‌, ....ସେତିକି ।

 

ଫୋତାମିଆଁର ଏ ଘରଟି ରାସ୍ତା ପାଖକୁ ଲାଗିଥିଲେ ମଧ୍ୟ ସେ ପଡ଼ାର ଅନ୍ୟାନ୍ୟ ଘରସବୁ ଥିଲେ ଦୂରକୁ; ମାନେ ତା’ ଘରର ପଛ ପଟକୁ । ମାତ୍ର ଏ ପିଲାଟି ଆସେ ବାହାରପଟୁ । ରାତିରେ ଫୋତାମିଆଁର ‘ମେଲୋଡ଼ି ହାଉସ୍‌’ରୁ ପଛପଟକୁ ଚାହିଁଲେ ରାତିର ଅନ୍ଧାରି ଚଦର–ଢଙ୍କା ପଡ଼ାରେ ଡାହାଣୀ ଆଲୁଅ ଭଳି ଜିକି ଜିକି ହେଇ ଦିଶେ କେତେଟା ଆଲୁଅ । ସେସବୁ ସେ ବସ୍ତିର ‘ଦୀପଂ ଜ୍ୟୋତି ପରମବ୍ରହ୍ମ’ । କେବଳ ଫୋତାମିଆଁ ଘରେ ବିଜୁଳି ଆଲୁଅ । ସେଇତକ ତା’ର ସଂଭ୍ରାନ୍ତି । ତେଣୁ ପ୍ରତିଥର ସେ ପିଲାଟା ଅନ୍ଧାରରେ ମିଶିଯିବା ପର୍ଯ୍ୟନ୍ତ ମୁଁ ତାକୁ ଚାହିଁରହେ ଏବଂ ତା’ପରେ ଫୋତାମିଆଁକୁ କିଛି ‘ପଚାରିବି’ ‘ପଚାରିବି’ ହେଇ, କିଛି ପଚାରି ନ ପାରି ସେକଥା ଭୁଲିଯାଏ ।

 

କିନ୍ତୁ ପ୍ରତିଥର ମୁଁ ଯିବାପରେ–

 

ସେ ତା’ ବିବିକୁ ଚା ଫରମାସ କରେ–

 

ଭୁଲିଯିବା ତ ପ୍ରଶ୍ନଉଠେନି କେବେ–ଏବଂ ଗାଳିଦିଏ, ଭିତରକୁ ଯାଇ । ସେମିତି କିଛି ଗୋଟାଏ ପରିଚିତ ବାହାନା ଆଣି ମୋ’ ଆଗରେ ଥୁଏ । ଆଜି ଚା ଗୁଣ୍ଡ ନାହିଁ, ଆଜି କ୍ଷୀର ଛିଡ଼ି ଯାଇଚି, କିମ୍ବା ସେମିତି ଆଉ କିଛି । ଫୋତାମିଆଁ କେବଳ ମୋ’ ପାଇଁ ଏମିତି କରେ, କି ଆଉ କାହାପାଇଁ ବି କରୁଥାଏ, ମୁଁ ଠିକ୍‌ ଜାଣେନା ।

 

ସେଦିନ କେଜାଣି କାହିଁକି ମତେ ତା’ର ହାବଭାବ ଅସଂଲଗ୍ନ ମନେହେଲା । ମୁଁ ଜାଣିପାରିଲି, ସେ ଆଜି କୌଣସି ଗୋଟାଏ ‘ରାଗ’ର ରାହାଧରି କିଛି ସମୟ ଆଗରୁ କାନ୍ଦିଥିଲା ଓ ମୁଁ ଆସିବାପରେ ଲୁହପୋଛି, ଚଷମା ସଫାକରି, କିଛି ନ ହେଇଥିବା ମଣିଷଟି ଭଳି ମୋ’ ସାଙ୍ଗରେ ଆଳାପ ଜମେଇଲା–ଠିକ୍‌ ଗୋଟିଏ ଅଭିନେତା ଭଳି ।

 

ମୁଁ କିନ୍ତୁ ଘରୁ ତା’ଉପରେ ରାଗିକି ଯାଇଥିଲି ।

 

ଦୁଇବରଷ ହେଇଗଲାଣି;

 

ଅଥଚ ମୋ’ କାମଟା ହେଇପାରିଲାନି ।

 

ଫୋତାମିଆଁ ଦକ୍ଷ କାରିଗର ବୋଲି ଏତେ କଥା । ନହେଲେ ଏଇ କାମଟାକୁ ଆଉ କୋଉଠି ନେଇ କରି ଆଣନ୍ତିଣି । ଯେମିତି ସେମିତି କାରିଗର କ’ଣ ଅଭାବ ଅଛନ୍ତି ? ଆମଦେଶରେ ପରା ଦି’ ଦିନ ମଟର ଧୋଇଥିବା ଟୋକା ତା’ପରେ ଦିନକୁ ମେକାନିକ ବନିଯାଏ । ଆଉ ସିନେମାରେ ଥରକପାଇଁ ମାଇଚିଆ ରୋଲ୍‌ କରିଥିବା ଲୋକ ନିଜ ନାଁ ପରେ ବ୍ରାକେଟ୍‌ ଭିତରେ ‘ଚଳଚ୍ଚିତ୍ର ଅଭିନେତା’ ଲେଖି, ଦିନେ ଥିଏଟରରେ ଡିରେକ୍‌ଟର ହେଇ ଓହ୍ଳେଇପଡ଼େ । ତେଣୁ ତଫାତ୍‌ ରହିଯାଏ ସେଇଠି ।

 

ମୁଁ ବାଟଯାକ ବିରକ୍ତ ହେବାପାଇଁ ଯେତେଦୂର ସମ୍ଭବ ଗମ୍ଭୀରହେଇ, ମୁହଁଟାକୁ ଭୁରୁଙ୍ଗା କରି ଆସି ପହଞ୍ଚିଲା ପରେ, ଫୋତାମିଆଁର ଭାବଗମ୍ଭୀର ମୁହଁକୁ ଦେଖି ମୋର ଅସଲ ସ୍ଵଭାବ ବାହାରିପଡ଼ିଲା । ଧେତ୍‌, ସେଇଥିପାଇଁ ପରା ଚାକିରିରେ ଉପର ପାହାଚକୁ ଉଠିବାପାଇଁ ମୁଁ ଅନେଶୋତ ଧକ୍‌କା ଖାଇଲିଣି । ଏ ଯୁଗରେ ସବୁ ହବ, ଭଲ ମଣିଷଟିଏ ହବନି । କାରଣ ଧକ୍‌କା ଖାଇ ଖାଇ ତମ କୋତରା ଉଡ଼ିଯିବ; ପ୍ରଭୁଭକ୍ତ କୁକୁର ଅଇଁଠା ଭାତ ଖାଇଲା ଭଳି ।

 

ଫୋତାମିଆଁ ମତେ ଅଦାବଦ୍‌ ଜଣାଇଲା–

 

ଏବଂ ସବୁଥର ଘଟଣା ଭଳି ଏଥରକ ବି ହେଲା । ମାତ୍ର ଏଥରକ ମୁଁ ତାଙ୍କ ବିବିଙ୍କ ହାତରୁ ଚା ଖାଇବାକୁ ଜିଦ୍‌ଧରି ବସି ସେ ଟୋକା ଆଣିଥିବା ଚା ଫେରାଇଦେଲି । ଫୋତାମିଆଁର ମୁହଁ ହଠାତ୍‌ ରଙ୍ଗହୀନ ଦିଶିଲା, ମେକ୍‌ଅପ୍‌ବିହୀନା ଆଧୁନିକା ନାରୀର ମୁହଁ ଭଳି । ତଥାପି ସଲଜ୍ଜ ସଂଭ୍ରମ ଚାହାଣୀରେ ସେ ଅନୁରୋଧ କଲା–ସିର୍ଫ ଇସିବାର ଖାଇୟେ; ଏଣିକି ବିବି ଜରୁର୍‌ ବନାଇଦବ’ ।

 

ମୁଁ ଜୋରଦେଇ କହିଲି–‘ନା’, ଯିଏ ମୋ ସକାଶେ ପ୍ରତିଥର ଏତେ ଗାଳି ଶୁଣୁଛନ୍ତି, ତାଙ୍କ ସହିତ ମୁଁ ଟିକିଏ ପରିଚିତ ହେବି । ଅବିକଳ ମୋଅରି ଭଳିଆ ଲୋକଟିଏ ସେ ହେଇଥିବେ ନିଶ୍ଚେ । ମୋ’ ସ୍ତ୍ରୀ ମତେ ବହୁତ ଗାଳିଦିଏ, ମୁହଁ ଖରାପକରି କହେ, ମୁଁ ସହିଯାଏ । ହେଇତି, ସହୁଚି ଯେମିତି ଆପଣଙ୍କଠାରୁ ଜିନିଷଟା ନେଇ ପାରିନଥିବାରୁ ।

 

ସେ ଏମିତି ଆଗରୁ ଚିଡ଼ିଚିଡ଼ା ନଥିଲା ମ । ଏଇ ସହରରେ ପାଦଦେଲା ଦିନରୁ ସେ ଭିନ୍ନ ରକମର ହେଇଯାଇଚି, ଚିଡ଼ାଧରି ଯାଇଛି । ନଚେତ୍‌ ଭଙ୍ଗା ହାର୍‌ମୋନିଅମଟାକୁ ନେଇ ସଜାଡ଼ିବାକୁ ମତେ ଜିଦ୍‌ କାହିଁକି କରନ୍ତା ! ...ଛାଡ଼ନ୍ତୁ ସେ କଥା । ଯାଆନ୍ତୁ, ଆପଣଙ୍କ ବିବୀଙ୍କୁ କୁହନ୍ତୁ, ଚା ତିଆରି କରିବାପାଇଁ ।

 

ସେ ଖଚଡ଼ା ଟୋକାଟା ଏତେବେଳ ଯାଏଁ ଚୁପ୍‌ହେଇ ଆମ କଥା ସବୁ ଶୁଣୁଥିଲା–ପାଟି ଅଳ୍ପ ଆଁ କରି ଅନେଇଲା ମୋ ମୁହଁକୁ । ଖସି ପଡ଼ୁଥିବା ଢିଲା ପେଣ୍ଟଟାକୁ ଦୁଇ-ଚାରିଥର ଟେକିଥିଲା ଉପରକୁ ଏବଂ ଅନେକ ଥର ନାକ ସୁଁ–ସାଁ କରି ବୋହି ଆସୁଥିବା ଶର୍ଦ୍ଦିର ତରଳ ପଦାର୍ଥଗୁଡ଼ାକୁ ଉପର ଆଡ଼କୁ ଶୋଷାଡ଼ି ନେଇଥିଲା । ଥିଲା–ଥିଲା, ହଠାତ୍‌ ମୋ କଥା ସରି ଆସିବାବେଳକୁ କହି ଉଠିଲା–“ ଇଏ ଆଙ୍କର ବିବି କୁଆଡ଼ୁ ଆସିବ ବା ! କେତେ ବରଷ ହବ ଆଙ୍କ ବିବି ପ୍ରା ଆଉ ଜଣକ ସାଥିରେ ପଳେଇଗଲା । ଅଇଛା ଘର ଭିତରେ ଯାଇ ଦେଖୁନା, ଇଏ ବୁଢ଼ା ସେମିତି ବେହେଲ ହୁଏନା...’’

 

ଟୋକାଟା ଯେମିତି ଏକା ନହସରେ କହି ଯାଉଥିଲା, ସେମିତି କେତେ କ’ଣ କହି ଯାଇଥାନ୍ତା–ହଠାତ୍‌ ଫୋତାମିଆଁର ଆଖିରେ ଆଖି ମିଶିବାରୁ ତା’ କଥା ଥପ୍‌କିନା ବନ୍ଦ ହେଇଗଲା-। ସେ ପୁଣି ଥରେ ନାକ ଶୋଷାଡ଼ି, ପେଣ୍ଟ ଟେକି, ଚା’ଥିବା ଗିଲାସ ଧରି ବାହାର ଅନ୍ଧାରରେ ମିଶିଗଲା । ମୁଁ କେତେବେଳ ପର୍ଯ୍ୟନ୍ତ ସେ ଟୋକାର ଯିବା ବାଟକୁ ଚାହିଁଥିଲି; ଅନ୍ଧାର ଭିତରେ ଦୃଷ୍ଟି ପହଁରଉଥିଲି–କାଳେ କୋଉଠି ଠିଆହେଇ ସେ ଫୋତାମିଆଁକୁ ଉଦ୍ଦେଶ୍ୟ କରି ଖତେଇ ହେଇ କହୁଥିବ; ‘ହେଇଚି, କହି ଦେଇଚି ତୋ କଥା, ଅଇଚ୍ଛା ମୋର କ’ଣ କରିବୁ କର ! ପୁଉଚୁ ପୁଚୁ....ପୁଉଚୁ ପୁଚୁ’....

 

ନା, ଟୋକାଟା ଏତେ ଚାଲାକ୍‌ ନ ଥିଲା ।

 

ସେ ଥିଲା ନିର୍ବୋଧ ପ୍ରକୃତିର ।

 

ମୁଁ ତାଆରି କଥା ତର୍ଜମା କରୁଥିଲାବେଳେ ଫୋତାମିଆଁ କଥାରେ ମୋ ତାବ୍‌ଦା ଭାଙ୍ଗିଲା । ଦେଖିଲି, ଆଗରେ ଫୋତାମିଆଁ ଠିଆହେଇଚି ଏକାନ୍ତ କରୁଣ ଚରିତ୍ରଟିଏ ସାଜି, (ବୋଧହୁଏ) କ୍ରୌଞ୍ଚ ପକ୍ଷୀର ମୃତ୍ୟୁ ଆଖି ଆଗରେ ଦେଖି ଅନନ୍ତ କାରୁଣ୍ୟମୟ ହୋଇଥିବା ମହର୍ଷି ବାଲ୍ମୀକିଙ୍କ ଭଳି । ସେ ମୋ ଉଦ୍ଦେଶ୍ୟରେ କଥା କହୁଥିଲା ଏବଂ ତାହା ଚାବି କମି ଆସିଥିବା ଚାବିଦିଆ ଗ୍ରାମଫୋନ୍‌ର କଥା ଭଳି ଶୁଭୁଥିଲା ।

 

....‘‘ଆଜ୍‌ ୱହି ଇଦ୍‌ । ସେ ଚାଲିଗଲା; ଯିଏ ମତେ ମୋ ଜରୁରତ୍‌ ସମୟରେ ଚା’ ବଢ଼ାଇ ଦଉଥିଲା, ୟେ ଟୁଟା ହୁଆ ମକାନ୍‌ର ଯିଏ ରୌନକ୍‌ ଥିଲା, .....ସାତ୍‌ସାଲ ହେଇଗଲା ବାବୁ-। ଉସିଦିନ୍‌ ସଙ୍ଗୀତ ଆସରକୁ ମୁଁ ଯାଇଥିଲା, ବହୁତ ରାତ୍‍ରେ ଘର ଲେଉଟିଲା-। ବାସ...ସବ୍ ଶୂନ୍‌ଶାନ୍‌....ଇଦକା ଦିନ ମେରା ଦିଲ୍‌କା ଚାନ୍ଦ ଡୁବିଗଲା, ବାବୁ ! ବହୁତ ୟାଦ ଆସୁଚି । ଯେମିତି ୱହି ଔରତ୍‌ଏ ମକାନ୍‌ରେ ଅଛି, ହସୁଚି, କଥା କହିଚି, ଚା’ ପିଲାଉଚି, ତା’ ଦେହର ଖୁସ୍‌ବୁ ଭରିଦଉଚି....ଲେକିନ୍‌... କଭି ହମ୍‌ତାକୁ ଗାଳିଦେଇ ନ ଥିଲା । ଅଭି ଯଦି ଗାଳି ଦଉଚି ତୋ ତାକୁ....ଉସ୍‌କୀ ୟାଦ୍‌...ସବ୍‌କୋ.... । ବାବୁ, ବୁରା ମତ୍‌ମାନିୟେ । ଏ ଜିନ୍ଦେଗୀ ଶାଲା.....’’

 

ସେ ଆଉ କିଛି କହି ପାରିଲାନି । ଗାମୁଚ୍ଛା କାନିରେ ମୁହଁ ଲୁଚାଇ ଘର ଭିତରକୁ ଚାଲିଗଲା । ମୋର ମନେହେଲା, ଗୋଟାଏ ସଙ୍ଗୀତର ବେସୁରା ରାଗିଣୀ ଧରି କିଏ ଯେମିତି ମନଇଚ୍ଛା ବାଦ୍ୟଯନ୍ତ୍ର ବଜାଉଛି । ରାଗ ନାହିଁ, ଲୟ ନାହିଁ....ତାଳ ନାହିଁ.....ବାଜୁଚି ତ ବାଜୁଚି । କାନ–ପାଟି ଭାଁ–ଭାଁ ହେଇଯାଇଛି । ତଥାପି ସେ ବଜଉଚି ।

 

ଭାରି ଅତିଷ୍ଠ ଲାଗିଲା ମତେ ।

 

‘ମେଲୋଡ଼ି ହାଉସ’ର ବାରଣ୍ଡା ତଳକୁ ମୁଁ ଓହ୍ଳାଇ ଆସିଲି । ଅନ୍ତତଃ ତଳେ ପାଦ ଅଶାନ୍ତ ପରିବେଶରୁ ରକ୍ଷା ମିଳିଯିବ ଟିକେ । ବାରଣ୍ଡାରୁ ଓହ୍ଳାଇ ତଳେ ପାଦ ରଖୁ ରଖୁ ଫୋତାମିଆଁର ଦଗ୍‌ଧ ହୃଦୟର ଦୃଶ୍ୟ ଆଖି ଆଗରୁ ଦୂରେଇ ଯାଇ, ଭାସିଉଠିଲା ମୋ ସ୍ତ୍ରୀର ଅଦ୍ଭୁତ ଅବର୍ଣ୍ଣନୀୟ ମୁହଁର ଭାବଭଙ୍ଗୀ । ରୋଷ–କଷାୟିତ, ଲୁହ–ଆଲୁଳାୟିତ, ନିରୀହତା କାରୁଣ୍ୟମିଶ୍ରିତ ମୁହଁରେ ବିଚିତ୍ର ସିଂଫୋନୀ..... “ମୋ ଝିଅର ହାର୍‌ମୋନିୟମ୍‌ଟା ସଜାଡ଼ି ଆଣିପାରିଲ ନାହିଁ ! ଗୋଟିଏ ବିଲି ଝିଅ, କୋଉ ନଅଟା ଛଅଟା ଥାଆନ୍ତେ କି ! ପିଲାଟା କେତେ ମନଦୁଃଖ କରୁଚି । ତମେ ଆଜି ଯାଇ ଆଣ । ଗଲ, .... ଯିବଟି ଏଇନା । କ’ଣ ଯାଉନା କି ?

 

ସବୁଦିନେ ନୁହେଁ, ଦିନେ ଦିନେ ତାଙ୍କର ଝିଅ ‘ରଶ୍ମି’ କଥା ମନେ ପଡ଼ିଯାଏ । ରଶ୍ମିର ସ୍ମୃତି ସହ ଏ ହାରମୋନିୟମଟାର ତ ଅବିଚ୍ଛିନ ସମ୍ପର୍କ । ଶୂନ୍ୟଗର୍ଭା ମାତୃତ୍ଵର ଗ୍ଲାନିରେ ନିଜକୁ କଳଙ୍କିତ ମନେକରୁଥିବା, କେବଳ ମୋ ସ୍ତ୍ରୀ କାହିଁକି, ତା’ ଜାଗାରେ ଯେଉଁ ମାଆ ରହନ୍ତା ସେ ତାହାହିଁ କରନ୍ତା । ମାଆର ମମତା ବୋଲି ସେ ଯେଉଁ ‘ରଶ୍ମି’ ନାମକ ପ୍ରତିମାଟି ଗଢ଼ିଥିଲା, ହଠାତ୍‌ ଦିନେ ଖେଳୁ ଖେଳୁ ହାତରୁ ପଡ଼ି ତାହା ଭାଙ୍ଗିଗଲା ।

 

ମୁଁ କଥାଟାକୁ ଆହୁରି ସ୍ପଷ୍ଟ କରିଦିଏ ।

 

ଦୁଇବର୍ଷ ତଳେ, ଏଇ ଇଦ୍‌ ଦିନ, - ରଶ୍ମିର ଅପମୃତ୍ୟୁ ଘଟିଥିଲା ଦୂରର ସେ ପାହାଡ଼ିଆ ଘାଟି ପାଖରେ । କଟକରୁ ନୂଆ ହାର୍‌ମୋନିୟମ୍‌ଟେ କିଣି ଯୋଉଦିନ ରଶ୍ମି ମୋ ସହିତ ଏଇ ସହରକୁ ଫେରୁଥିଲା, ସେଦିନ ସନ୍ଧ୍ୟାରେ ଏଇ ‘ସବୁ ହରାଇଥିବା ପାହାଡ଼’ ପାଖରେ ରଶ୍ମି ସବୁଦିନପାଇଁ ମୋଠୁଁ ଏବଂ ତା’ର ସ୍ନେହା କାଙ୍ଗାଲୁଣୀ ମାଆଠାରୁ ବିଦାୟ ନେଇଥିଲା ଏକ ଜିପ୍‌ ଆକ୍‌ସିଡେଣ୍ଟରେ । ମୋର ଚେତା ଆସିଥିଲା ହସ୍‌ପିଟାଲ୍‌ରେ ଦଶଘଣ୍ଟା ପରେ । ପ୍ରଥମେ ମୁଁ ହସପିଟାଲର ଶଯ୍ୟା ପାଖରେ ମୋ ସ୍ତ୍ରୀଙ୍କୁ ଲୋତକାପ୍ଳୁତ ବଦନରେ ବସିଥିବା ଦେଖି, ଆଗ ପଚାରିଥିଲି ରଶ୍ମି କଥା ।

 

ସେ କିଛି ନ କହି କେବଳ କାନ୍ଦିଥିଲା ।

 

ଅତି ବାଧ୍ୟକରି ପଚାରିବାରୁ ଖଣ୍ଡଖଣ୍ଡହୋଇ ଭାଙ୍ଗି ଯାଇଥିବା ହାର୍‌ମୋନିୟମ୍‌ଟିକୁ ଏକାଠି ସଂଗ୍ରହକରି ମୋ ଆଗରେ ଆଣି ଥୋଇ ଦେଇଥିଲା । କିଛି ଦିନ ପରେ ମୋର କ୍ଷତ ଶୁଖିଗଲା; କେବଳ ଚିହ୍ନଟା ଯାହା ରହିଗଲା । କିନ୍ତୁ ମୋର ସ୍ତ୍ରୀର ଅଜଣା ଜାଗାରେ ଯୋଉ କ୍ଷତଟା ହେଇଥିଲା ତାହା ଜମା ଶୁଖିଲା ନାହିଁ । ଅନେକ ଚିକିତ୍ସା କରିଚି; କିନ୍ତୁ କିଛି ଫଳ ପାଇନୁ । କେବଳ ସେ ମତେ ସବୁବେଳେ କହେ, ଏ ହାର୍‌ମୋନିୟମ୍‌ଟା ସଜାଡ଼ିଦିଅ; ମୋ ଝିଅ ଗୀତ ଶିଖିବ, ତା’ ଗୀତ ଶୁଣିଲେ ମୁଁ ଆପେ ଭଲ ହେଇଯିବି । ଶୁଣୁଚ...., କେବେ ସଜାଡ଼ି ଆଣିବ ?

 

ଫୋତାମିଆଁ ବି ଏକଥା ଜାଣେ ।

 

ତାକୁ ମୁଁ ସବୁକଥା ଖୋଲି କହିଚି । ସେଇଥିପାଇଁ ବୋଧେ ତା’ର ମୋ ପ୍ରତି ଏତେ ଆଦର । ମୁଁ ଘରକୁ ଫେରୁଥିବା ସମୟରେ ଭାବୁଥିଲି, ନିଜ ଜୀବନକୁ ବେସୁରା କରିଥିବା ଲୋକହିଁ କେବଳ ବୋଧହୁଏ, ଜୀବନରେ ସଫଳ କାରିଗର ହେଇପାରିବ । ନଚେତ୍‌ ଏକବାରେ ଭଙ୍ଗା ଜିନିଷଟାକୁ ସଜାଡ଼ିବାକୁ ସେ ଆଶା ଦିଅନ୍ତା କେମିତି ?

 

ଏହାରି ଭିତରେ ପୁଣି ବର୍ଷଟାଏ ଚାଲିଗଲାଣି । ଶୁଣିଲି, ଆଜି ଇଦ୍‌ପର୍ବ । ଆଉ ଘଡ଼ିକ ପରେ ମୁଁ ଫୋତାମିଆଁ ଘରକୁ ଯିବି । ବର୍ଷେହେଲା ତା’ପାଖକୁ ଜମା ଯାଇନି । ଭାବୁଚି, ଏଥର ଦିନବେଳା ଯିବି ।

Image

 

ଜଣେ ମହାପୁରୁଷଙ୍କ ମୃତ୍ୟୁ ସମ୍ପର୍କରେ

।। ଏକ ।।

 

ମ୍ୟୁନସିପାଲ୍‌ଟି ଠେଲା–ଗାଡ଼ିରେ ଶବକୁ ନେଇଗଲା ବେଳେ ଜଗୁ ବାରମ୍ବାର ଅଟକି ଅଟକି ନିଜ ମୁହଁରୁ ଝାଳ ପୋଛୁଥିଲା । ବେଳେବେଳେ ମଲା ଲୋକଟାର ବିବର୍ଣ୍ଣ ମୁହଁଟାକୁ ଚାହିଁ ନିଜ ମୁହଁରେ ବିଚିତ୍ର ଭାବଭଙ୍ଗୀ ପ୍ରକାଶ କରୁଥିଲା । ସୂର୍ଯ୍ୟ ସେତେବେଳକୁ ଅସ୍ତ ଯାଇ ନଥିଲା; ମାତ୍ର ଅସ୍ତ-ଯାତ୍ରାର ପ୍ରଥମ ପର୍ବର ଆୟୋଜନ ହେଇସାରିଥିଲା ।

 

ଲୋକଟା ଆଡ଼ୁ ମୁହଁ ଫେରାଇନେଇ ଜଗୁ ଗାଡ଼ି ଠେଲୁଥିଲା, ଏବଂ ଭାବୁଥିଲା–ଏ କାମଟା ଯେ ତା’ର ଉପରେ ପଡ଼ିବ, ୟା କ’ଣ ସିଏ ଜାଣିଥିଲା । ....ଅଦ୍ଭୁତ ଯୋଗାଯୋଗ ।

 

ଗୋଟାଏ ପର୍ବର ପରିସମାପ୍ତି ଘଟିଲା କି ନା, କହି ହେବନି, - ତେବେ ଗୋଟାଏ ଅଶ୍ଳୀଳ ଜୀବନର ଅଧା-ଲେଖା ଇତିହାସରେ ପୂର୍ଣ୍ଣଛେଦ ପଡ଼ିଲା ନିଶ୍ଚିତ । ଏଣିକି ତା’ ନାଁ ଶୁଣି କେହି ଆତଙ୍କିତ ହେବେ ନାହିଁ, କିମ୍ୱା ଦରକାର ବେଳେ, କେଉଁଠି କାହା ସହିତ ମୁକାବିଲା କରିବା ଆଶାରେ, କେହି ଆସି ଆଉ ତାକୁ ଖୋଜିବେନି । ରାଣୀହାଟ ପୋଲର ଦି’ପଟେ ଥିବା ବସ୍ତିରେ ନିହାତି ଅଭଦ୍ର ଓ ବେଖାତିର ଭାବରେ ଅଶ୍ରାବ୍ୟ ଗାଳି ପ୍ରୟୋଗକରି ବୁଲୁଥିବା କେହି ଆଉ ତାକୁ ଦେଖିବେନି ।

 

କାଲି ରାତିରେ ସେ ତା’ର ଶେଷ ନିଶ୍ୱାସ ଛାଡ଼ିଥିଲା । ଠିକ୍‌ କେତେବେଳେ ସେ ମଲା, ତାହା କେହି କହି ପାରିବେନି । କାରଣ ତା’ ପାଖରେ–ଗଲା ରାତିରେ କେହି ନଥିଲେ । ଠିକ୍‌ ଗଲା ରାତିରେ କାହିଁକି, କିଛିଦିନ ହେଲା ତା’ର ଦେହ ଅସୁଖ ସମ୍ୱାଦର ସାମାନ୍ୟ ସୂଚନା ମିଳିବାଠାରୁ, ତା’ପାଖକୁ ପ୍ରାୟତଃ ଆଉ କେହି ଯାଉନଥିଲେ । ଏଇ ପୋଲର ଉଭୟ ପଟେ ଶାଖା ମେଲେଇଥିବା ତା’ର ବିରାଟ ପାରିବାରିକ ଚକ୍ରର ଜଣେ ଅଧେ, କେତେବେଳେ କେମିତି, ଆବଶ୍ୟକତାର ତାଡ଼ନାରେ ତା’ ପଲାକୁ ଯାଉଥିଲେ; - ପଚାରି ଦେଉଥିଲେ–କି ରାଜା ଦାଦା ! କେମିତି ଅଛୁ ? ଦିହ ଭଲ ନାହିଁକି ?

 

କିଛି ନା କିଛି ଜବାବ ମିଳେ ତା’ଠୁଁ ଆଶା ଓ ଗଭୀର ଆତ୍ମବିଶ୍ଵାସର । ରୋଗ ତାକୁ ଅପାରଗ କରିପାରି ନାହିଁ, ଏକଥା ସେ ପ୍ରମାଣ କରିବାକୁ ଚାହେଁ ।

 

ରାଜାଦାଦାର ଏ ପଲାଟି ଅଧିକାଂଶ ସମୟରେ ଖାଲି ଥାଏ । କାରଣ ସେ ଖୁବ୍‌ କମ୍ ସମୟ ସେଠି ରହେ । ସବୁ ରାତିରେ ତାକୁ ମଧ୍ୟ ସେଠିକି ଆସିବାକୁ ପଡ଼େ ନାହିଁ । କୋଉ ରାଣୀର ଅନ୍ତଃପୁରେ ତା’ର କୋଉ ରାତି କଟେ, ତା’ର ହିସାବ ସେ ନିଜେ ରଖେ ନାହିଁ । ତେବେ ଏ କଥା ସତ ଯେ, ସେ କାହା ପ୍ରତି ପାତର–ଅନ୍ତର କରେନି । ତାକୁ କେନ୍ଦ୍ରକରି ଯଦି ଏମାନଙ୍କ ଭିତରେ କେବେ କେମିତି କଳିକଜିଆର ସୂତ୍ରପାତ ହୁଏ, ତେବେ ତା’ର ପରିଣତି ଯେ ଭୟାବହ–ଏହା ସେହି ରାଣୀମାନେ ଅବଗତ ଥିଲେ । ରାଜାଦାଦାର ରୁକ୍ଷ, ଟାଆଁସିଆ ଅଥଚ କର୍କଶ ଆଙ୍ଗୁଠିର ନିଷ୍ଠୁର ଚାପ ବହନ କରିବାକୁ ହୁଏ, ଠିକ୍‌ ପାପର କ୍ରୂଶକାଠ ଭଳି ।

 

ଯାହାର ଯାହା ଅଭାବ ସବୁ ପୂରଣ କରେ ସେ । ....ଆଜି ଶୁଖୁଆ ବିକ୍ରି ହେଇନି–ବର୍ଷା ଯୋଗୁ; କଦଳୀ କାନ୍ଧିଟା ମଂଜିଆ ପଡ଼ିଲାରୁ ଗରାଖ ନେଲେନି–ହାତରୁ ବାଜିଲା; ଶୀତ ଋତୁ ଯୋଗୁ କାଗେଜି ଲେମ୍ବୁର ବିକ୍ରି କମିଗଲା–ଆଠଅଣା ପଇସା ମାତ୍ର ରୋଜଗାର, ...ଏମିତି ଯାହାର ଯେତେବେଳେ ଦରକାର ପଡ଼ିଲା, ରାଜାଦାଦା ଦିଏ ଏବଂ ବଳକା ରୋଜଗାର ବେଳେ ସେ ଛଡ଼େଇନିଏ ଯାଚିକରି ନଦେଲେ । କେହି କାହାକୁ ଅଶ୍ଳୀଳ ଇଙ୍ଗିତ କଲା, କିମ୍ବା କେହି ଅନ୍ୟ ସାହି ବସ୍ତିରୁ ଆସି ଏଠି ଯଦି ଦାଦାଗିରି ଦେଖାଇଲା, ତା’ର ପାଉଣା ଦେବାକୁ ସେ ସାଙ୍ଗେ ସାଙ୍ଗେ ହାଜର ହେଇ ଯାଉଥିଲା ।

 

ରାଜାଦାଦା ସବୁ କିଛି କରିପାରୁଥିଲା–

 

ସମସ୍ତେ ତାକୁ ଜାଣିଥିଲେ, ଡରୁଥିଲେ.....

 

ସମସ୍ତେ ତାକୁ ମାନୁଥିଲେ ।

 

କିନ୍ତୁ ଗୋଟାଏ ଜିନିଷ ତାକୁ ଡରେଇ ଦେଇଗଲା....

 

ପୋଲିସଗୁଡ଼ାକ ତାକୁ ଦେଖିଲେ ସଲାମ କରନ୍ତି, ତା’ ସାଙ୍ଗରେ ଦୋସ୍ତି ଜମାନ୍ତି, ତା’ର ବିନା ଇସାରାରେ ବସ୍ତିର କାହାରି ଦୁଆର ମାଟି ମାଡ଼ନ୍ତି ନାହିଁ । ମାତ୍ର ଏଇ କିଛିଦିନ ତଳେ ଦେଶରେ ଗୋଟାଏ ଅଜଣା କୋକୁଆଭୟ ଦେଖା–ଦେଇଥିଲା । ପୋଲିସଗୁଡ଼ାକ ସେତିକିବେଳେ ଉପରମୁହାଁ ହେଇଯାଇଥିଲେ; ତାକୁ ଆଉ ସଲାମ ପକାଉନଥିଲେ । ବସ୍ତି ଭିତରେ ସେମାନେ ପଶିଲାବେଳେ ସାମ୍ନାସାମ୍ନି ହେଇଗଲେ ମୁଚୁକି ମୁଚୁକି ହସି ଦଉଥିଲେ କେବଳ ।

 

ରାଜା ଦାଦାର ଦିହସାରା ରାଗ ଚରି ଯାଉଥିଲା ସେତିକିବେଳେ । ରାଜା ଦାଦା ଠିକ୍‌ ଡରୁଥିଲା କି ନା, ବାହାରକୁ ଜଣା ପଡ଼ୁ ନ ଥିଲା । ତଥାପି ଏହି ସମୟରେ ସେ ତା’ ନିଜ ଇଲାକା ଛାଡ଼ି ବାହାରକୁ ଯାଉ ନ ଥିଲା । ପୋଲିସମାନଙ୍କୁ ଦେଖିଲେ ଅଶ୍ଳୀଳ ଭାଷାରେ ଗାଳି ଦେଉଥିଲା । ତାଙ୍କ ଗଲାବାଟରେ ଲଣ୍ଡାଏ ଲେଖାଁଏ ଘୃଣାବ୍ୟଞ୍ଜିତ ଛେପ ପକାଇ ଦେଉଥିଲା । ସେ ସମୟରେ କାହାର କିଛି ମୁକାବିଲାର ଆବଶ୍ୟକ ପଡ଼ିଲେ, ଏବଂ ସେ ରାଜା ଦାଦାର ସାହାଯ୍ୟ ଲୋଡ଼ିଲେ, ରାଜା ଦାଦା କହୁଥିଲା– ‘ନାଇଁ ବାବୁ, ଏ ସମିଆ ବଡ଼ ଖରାପ, ମତେ ମାଫ୍‌ କରିବ’ ।

 

ସେଇ ସମୟରେ ରାଜା ଦାଦା ବଦଳି ନ ଥିଲା; ବଦଳିଥିଲା ତା’ର ମତିଗତି । କିଞ୍ଚିତ ବଦଳିଥିଲା ତା’ର କ୍ରିୟା କଳାପ । ସେହି ସମୟରେ କରିଥିଲା ରାଣୀହାଟ ପୋଲର ଡାହାଣ ପଟେ, କେନାଲର ପାଣି ଧାର ପାଖରେ । ଆଗରୁ ସିନେମା ଗଳି ପାଖରେ ସେ ରହୁଥିଲା ଆବର୍ଜନାପୂର୍ଣ୍ଣ ପରିବେଶରେ । ରାଜାଦାଦା ତା’ର ଏଇ ନୂଆ ପଲା ନିର୍ମାଣ ପାଖରେ ଥିଲା ଦେଶୀ ମଦ ଦୋକାନଟିଏ । ରାତିର ନିଝୁମ୍‌ ପହରରେ ସେଠି ମଲ୍ଲୀଫୁଲ ହାର ମିଳୁଥିଲା । ଏଠି ସେ ସୁବିଧା ସବୁ ନାଇଁ; ତେବେ ଆଉ ଅନେକ ସୁବିଧା ଅଛି ।

 

ପଲା ଘରଟି ନୂଆଣିଆଁ ପାଣି ଧାର ଆଡ଼କୁ । ଉପର ଆଡ଼କୁ ମୁଣ୍ଡକରି ଏ ଘରେ ଶୋଇଲେ ତକିଆ ଦରକାର ପଡ଼େନି । ପୁଣି ହାତ ପାହାନ୍ତାରେ ପାଣି । ରାତିରେ କେବେ ଶୋଷ ହେଲାତ କେନାଲରୁ ଦୁଇ ଚାରି ଆଞ୍ଜୁଳା ପାଣିଆଣି ପିଇହୁଏ । ରାତିରେ ଜହ୍ନ ଉଇଁଲେ ଏଇ କେନାଲ ପାଣିରୁ ତା’ ମୁହଁ ଦେଖିହୁଏ । ଖୁବ୍‌ ଜୋରରେ ବର୍ଷା ହେଲେ ପାଣି ବେଳେବେଳେ ପଲା ଭିତରକୁ ପଶିଆସେ । ସେ ପୁଣି ପନ୍ଦର କୋଡ଼ିଏ ମିନିଟ୍‌ ପାଇଁ । ଶୋଇଥିଲେ ଗୋଡ଼ ଧୋଇଦେଇ ଚାଲିଯାଏ ।

 

ପୁରୁଣା ଘରଟା ପରେ ଏ ନୂଆ ଘର ।

 

ସେଇ ସମୟରେ ରାସ୍ତାକଡ଼ର ସବୁ ଘରଦ୍ଵାର ସରକାରୀ ଲୋକେ ଭାଙ୍ଗି ପକେଇଥିଲେ । ରାସ୍ତାକଡ଼ର ଅସ୍ଥାୟୀ ଦୋକାନମାନଙ୍କୁ ଉଜାଡ଼ି ଦେଇଥିଲେ । ରାଜାଦାଦା ଯେ ବିଦ୍ରୋହ ପ୍ରକାଶ କରି ନ ଥିଲା, ତା’ ନୁହେଁ । କିନ୍ତୁ ସମୟଟା ଭଲ ନ ହେଇଥିବା ଯୋଗୁ ରକ୍ତଚାଉଳ ଚୋବେଇ ରହିଥିଲା । ତା’ର ବିରାଟ ପାରିବାରିକ ଚକ୍ରର ଅସ୍ଥାୟୀ ଥଇଥାନ ବ୍ୟବସ୍ଥା କରିଥିଲା । ପରେ ସେ ଅସ୍ଥାୟୀଟା ହେଇଗଲା ସ୍ଥାୟୀ । ନୂଆ ଜାଗା ପ୍ରତି ମମତା ଆସିଗଲା । ନୂଆ ଜାଗା ଛାଡ଼ି ପୁରୁଣା ଜାଗାକୁ ଆସିବାକୁ ଆଉ କେହି ଇଚ୍ଛାକରି ନାହାଁନ୍ତି ।

 

କିଛିଦିନ ହେଲା ରାଜା ଦାଦାକୁ ଗୋଟାଏ କି ଅଜଣା ରୋଗ ଧରିଥିଲା । ତା’ର କ’ଣ ହେଇଛି, ସେ କାହାକୁ କହେ ନାହିଁ । ତା’ ଜୀବନରେ ଖୁବ୍‌ କମ୍‌ଥର ସେ ଡାକ୍ତର ଦୁଆର ମାଡ଼ିଥିବ-। ଜୀବନ ଉପରେ ତା’ର ଅଦ୍ଭୁତ ଗବେଷଣା । ସେ କହେ, ‘ଶଳା ! ଭଗବାନ ଧିଅ ଦେଇଚିନ୍ତି ଯେତେବେଳେ, ରୋଗ ଦେବେ ନିଶ୍ଚେ, ଆଉ ରୋଗ ପାଇଁ ମଧ୍ୟ ଏ ଧିଅରେ ଓଷଦ ଖଞ୍ଜିଥିବେ ଜରୁର୍‌’ ।

 

ଥରେ ଗୋଟାଏ କୋଉଠି ଟିକେ ବଡ଼ ଧରଣର ହାତାହାତି ହେଇଯାଇଥିଲା । ଆରପଟୁ ତୀକ୍ଷ୍‌ଣ ହତିଆରର ଆଘାତ ପାଇଥିଲେ ସୁଦ୍ଧା ଜିତାପଟଟା ରାଜା ଦାଦା ନେଇ ଆସିଥିଲା ଏବଂ ଏ ଖବରଟା ଦେଇସାରି ସିଧା ଡାକ୍ତର ଦୁଆରକୁ ଯାଇଥିଲା । ସେଇଠି ସେ କିଛି ସମୟପାଇଁ ଅଚେତ ହେଇଯାଇଥିଲା ।

 

ସେଇଦିନୁ ତା’ ମୁହଁର ବାଁପଟେ ଗୋଟାଏ ବିରାଟ କଟା ଚିହ୍ନ । ବାଁ ଆଖିଟା ମଧ୍ୟ ମାରା ପଡ଼ିଥିଲା । ସେଥିରେ ତାକୁ ଭଲ ଦିଶେନି । ଦୀର୍ଘ ଛ ଫୁଟିଆ ଚେହେରା ସାଙ୍ଗକୁ ବଳିଷ୍ଠ କର୍କଶ ଶରୀର । ମୁଣ୍ଡ ବାଳଗୁଡ଼ାକ ଠିଆ ଠିଆ । ସେଥିରେ ପୁଣି ବିରାଟ ମୁଣ୍ଡ । ଦିହ ତୁଳନାରେ ଖୁବ୍‌ବଡ଼-। ପିଲାଦିନେ କୋଉ ଜଉତିଷ କୁଆଡ଼େ ତାକୁ କହିଥିଲା, ଖୁବ୍‌ ବୁଦ୍ଧିଆ ହବ ସେ-। ରାଜଭୋଗ କରିବ । ଜୀବନରେ କି ଭୋଗ ସେ କରିଚି, ସେଇ ଏକା ଜାଣେ; କିନ୍ତୁ ବେଳେବେଳେ ତା’ ନିଜ ଜୀବନର ଏଇକଥା ସେ ପରିହାସ ଗଳାରେ କହେ । ସତକୁ ସତ ସେ ରାଜା ହେଇଚି......

 

ରାଜା ଦାଦାର ବ୍ୟକ୍ତିତ୍ୱ ସହ ଗୋଟାଏ ଜିନିଷ ଟିକିଏ ବେଖାପ୍‌ ଲାଗୁଥିଲା । ତାହା ହେଲା ତା’ର ଚର୍ବିଳ ଉଦର । ସେଇଟା ଏତେ ବିରାଟ ଥିଲା ଯେ, ସେ ନିଜ ଗୋଡ଼ ଆଙ୍ଗୁଠି ସବୁକୁ ଠିଆହୋଇ ଦେଖିବା ଅସମ୍ଭବ ହେଇପଡ଼ୁଥିଲା । ସେ କିନ୍ତୁ ନିଜ ପେଟକୁ ନେଇ ଗର୍ବ କରେ । ଏଇ ପେଟ କେମିତି ତାକୁ ଅନେକ ଆକସ୍ମିକ ବିପଦରୁ ରକ୍ଷା କରିଚି, ସେକଥା କହେ । ତଥାପି ସେଇଟା କେଜାଣି କାହିଁକି ତା’ ବ୍ୟକ୍ତିତ୍ୱକୁ ଖାପଛଡ଼ା ମନେହୁଏ ।

 

॥ ଦୁଇ ॥

 

ଠେଲା ଗାଡ଼ି ଭିତରୁ ସେଇ ପେଟଟା ବେଶୀ ଉପୁଚି ପଡ଼ିଥିଲା ଉପରକୁ । ଜଗୁ ତା’ର ଖୋଲା, ଅଥଚ ବିକଟ ଆଖିଗୁଡ଼ାକ ଓ ଏଇ ପେଟର ପ୍ରତିପତ୍ତିକୁ ମୋଟେ ସହ୍ୟ କରି ପାରୁ ନ ଥିଲା । ବଞ୍ଚିଥିଲାବେଳେ ଲୋକଟା ଯେମିତି ରୁକ୍ଷ ଓ ଭୟଙ୍କର ଥିଲା, ମଲାପରେ ମଧ୍ୟ ସେମିତି ଜଣାପଡ଼ୁଥିଲା । ଜଗୁର ମନେହେଲା, ରାଜା ଦାଦା ଯେମିତି କୌଣସି ପ୍ରସେସନ୍‌ରେ ଗାଡ଼ିରେ ବସି ଯାଉଚି, ଜଗୁକୁ ବାଧ୍ୟ କରିଚି ଠେଲି ଠେଲି ଯିବାକୁ; ତା’ କାମରେ ଟିକେ ଖିଲାପ ହେଲେ, ଉଠିବ, ପିଟିବ, - ଦି ଚଟକଣାରେ ତା’ କାନମୁଣ୍ଡା ଲାଲ୍‌ କରିଦବ ।

 

ଜଗୁ ସେଇ ଭୟମିଶା ଉତ୍ସାହରେ ଗାଡ଼ି ଠେଲି ଠେଲି ଆଗେଇଥିଲା । ସତେ ଯେମିତି, ଗୋଟାଏ ଅଜଣା ଭୟ ତା’ ପଛେ ପଛେ ଚାଲିଚି ।

 

ଜଗୁ ପ୍ରଥମେ ଥିଲା ତା’ର ପହିଲା ନମ୍ବର ଚେଲା, ପରେ ହେଇଗଲା ଶତ୍ରୁ । ଜଗୁ ପ୍ରତ୍ୟକ୍ଷଭାବରେ ଶତ୍ରୁ ସାଜି କେବେ ରାଜା ଦାଦାକୁ ଆହ୍ୱାନ ଦେଇ ନଥିଲା । କେବଳ ଭିତରେ ଭିତରେ ଗୁମୁରି ହେଉଥିଲା, ଜଳି ଯାଉଥିଲା ସେ କୋଉ ହଜିଲା ଯୁଗରୁ । ଏବେ ସେ ତା’ର ରାଗ କମି ଯାଇଛି, ତା’ ନୁହେଁ; କିନ୍ତୁ ବାଧ୍ୟହେଇ ଏ କାମ କରିବାକୁ ହେଉଚି ।

 

କାଲି ରାତିରେ ଖୁବ୍‌ଭଲ ଅସରାଏ ବର୍ଷା ହେଇଥିଲା । ଅନେକ ସମୟ ଧରି ଲାଗି ରହିଥିଲା ବର୍ଷା, ଠିକ୍‌ ଯେମିତି ଜଗୁ ମନର ଲହକା ଲହକା ଦୁଃଖର ଲହରୀ ଭଳିଆ । ବର୍ଷା ପରେ ଟିକେ ଥଣ୍ଡା ପଡ଼ି ଯାଇଥିଲା । ଅନେକ ଦିନର ଗୁଳୁଗୁଳି ପରେ ଏ ସହରକୁ ଭଲ ନିଦ କାଲି ଆସିଥିଲା । ଏବଂ ସକାଳୁ ନିତିଦିନିଆ କାମିକା ପୃଥିବୀର ପ୍ରତ୍ୟେକ ଘଟଣା ନିୟମ ଅନୁସାରେ ସଂଘଟିତ ହେଇଥିଲା ।

 

ଜଗୁ ତା’ ମ୍ୟୁନିସିପାଲ୍‌ଟି ୱାର୍ଡ଼ ପରିଷ୍କାର କରିଥିଲା । କାମସାରି ଘରକୁ ଫେରିଥିଲା ଠିକ୍‌ବେଳେ । କିନ୍ତୁ ଏ କଥାଟା କେତେବେଳେ ମ୍ୟୁନିସିପାଲଟି ଅଫିସରେ କାହାଦ୍ୱାରା ପହଞ୍ଚିଲା, ସେ ଜାଣେନା । ତାକୁ ହିଁ ତା’ ୱାର୍ଡ଼ର ମୁର୍ଦ୍ଦାର ଉଠେଇବାକୁ ହେଲା ।

 

ଗଲା ରାତିରେ ରାଜା ଦାଦା ଆଖି ବୁଜିଦେଇଥିଲା ସବୁଦିନପାଇଁ । ଦିନ ହେବାର ବହୁ ବିଳମ୍ବରେ ଏ ଖବର ଜାଣିବାକୁ ମିଳିଲା । ପ୍ରଥମେ ଏ କଥାରେ ଆଦୌ ବିଶ୍ୱାସ ଆସି ନଥିଲା ଜଗୁର । ଏଡ଼େବଡ଼ ଦୁର୍ଦ୍ଦାନ୍ତ ଲୋକଟା କେମିତି ବା ମରିବ ସହଜେ । ଯମ ସାଙ୍ଗରେ ତ କିଛିଦିନ ଲଢ଼ିଥିବ । କିନ୍ତୁ କେମିତି ଏସବୁ ହେଲା ? କେହି ଜଣେ କୁଆଡ଼େ ମ୍ୟୁନିସିପାଲଟି ଅଫିସକୁ ଫୋନ୍‌କରି କହି ଦେଇଥିଲେ । ଆଉ ତାଆରିଦ୍ଵାରା ତା’ ଶତ୍ରୁର ଶବ ଉଠାଇବାକୁ ହେଲା ।

 

ଗପ ଭଳି ଲାଗୁଚି ଏସବୁ । ସପନୀର ଦାୟିତ୍ଵ ଜଗୁ ଉପରେ ଦେବାକୁ ଧୋବା ଗୋଛେଇତ ଏକରକମ୍‌ ଠିକ୍‌କରି ସମସ୍ତଙ୍କୁ କହି ଦେଇଥିଲା । ସପନୀ ତା’ର ପୁଚୁକା ଗାଲରେ, ଦୁଷ୍ଟାମି ମିଶା ହସ ଖୁନ୍ଦି କେତେ ଥର ଜଗୁକୁ କହିଚି, ‘ତୁ ଯୋଉଦିନ ଏ ବସ୍ତିର ରାଜାଦାଦା ହବୁ, ସେଇଦିନ ତତେ ବାହା ହେବିରେ ।’

 

ଘଟଣାଟା ବେଶୀ ବାଟ ଆଗେଇଲାନି । କଥାଟାର ସୁରାକ୍‌ ରାଜାଦାଦା ପାଇଗଲା କୋଉ ଅଜଣା ସୂତ୍ରରୁ । ସେ ଭାବିନେଲା, ଏଇଟା ତା’ ପାଇଁ ଏକ ଟକ୍‌କର । ଜଗୁ ଦିନେ ସକାଳୁ ଶୁଣିଲା, ସପନୀକୁ ଉଠେଇନେଇ ରାଜାଦାଦା କାଲି ରାତିରୁ କୁଆଡ଼େ ଚାଲିଯାଇଛି । ଜଗୁର ଆଖିରୁ ଅକସ୍ମାତ୍‌ ଅନେକ ଜୁଳୁ–ଜୁଳିଆ ପୋକ ଉଡ଼ିବାକୁ ଲାଗିଲେ । ସେ କ’ଣ କରିବ ଠିକ୍‌ କରି ପାରିଲାନି । ଖିଆପିଆ ଠିକ୍‌ଠିକଣା ରହିଲାନି ତା’ର । ସେ କେତେବେଳେ ରାଜାଦାଦାର ପଲା ପାଖରେ ଠିଆ ହେଉଥିଲା ତ, କେତେବେଳେ ସପନୀ ଘର ଦୁଆରେ ।

 

ଧୋବା ଗୋଛେଇତ କହିଲା, ‘ଦେଖ୍‌ ଜଗୁ, ପାରୁଚୁ ଯଦି କିଛି କର । ମୁଁ ତ ନପାରିଲା ମଣିଷ । ତେବେ ମୋର ମତ, ସେମିତିଆ ଲୋକ ସାଙ୍ଗରେ ନ ଲାଗିବା ଭଲ । .... ‘ତୋ ଇଚ୍ଛା ।

 

ତିନିଦିନ ପରେ ରାଜା ଫେରିଲା ସପନୀକୁ ନେଇ । ଏଣିକି ସପନୀ ତା’ର । ସମସ୍ତଙ୍କପାଇଁ ଏଇଟା ଜଣାଶୁଣା ଘଟଣା ହେଇଗଲା । ଏ ନୀତି ରାଜା ଦାଦା ବହୁ ଆଗରୁ ପ୍ରଦର୍ଶନ କରିଆସିଚି । ଏକଥା ଜାଣିଲେ ମଧ୍ୟ ଜଗୁ କେଜାଣି କାହିଁକି ସମ୍ଭାଳି ହେଇପାରିଲାନି । ସେ ଧାଇଁଗଲା ଆଗ ସପନୀ ପାଖକୁ ।

 

ସପନୀକୁ ଯାହା ଦେଖିଲା ତା’ ଛାତିରୁ ନିଆଁ ହାବୁକାଟିଏ ଉଠିଗଲା । ସପନୀ କହୁଥିବା ଶୁଣିଲା, ‘ମୁଁ ତା’ର ଅଇଁଠାରେ ଜଗୁ ! ତତେ କେତେଥର ମୁଁ କହିଥିଲି ରାଜାଦାଦା ହବାକୁ । ତୁ...., ଛି ! ଲାଜ ମାଡ଼ୁନି ତତେ–ପୁଣି ମୋ ପାଖକୁ ଆସିପାରିଲୁ ? ମାଇଚିଆ’........

 

ନିଜ ସ୍ତ୍ରୀ ଇଜ୍ଜତ ଯିଏ ରଖିପାରେ ନାହିଁ, ସେ ମାଇଚିଆ ନିଶ୍ଚୟ ।

 

କ୍ରୋଧରେ ଅସ୍ଥିର ହୋଇ ଜଗୁ ଯାଇ ଠିଆ ହେଇଗଲା ରାଜାଦାଦା ଆଗରେ । ଜଗୁକୁ ଦେଖି କିଛି ନକହି ହସିଉଠିଲା ରାକ୍ଷସ ଭଳି ସେ । ଜଗୁ ଯେତେ ଯେତେ ତା’ ପାଖକୁ ଗଲା, ସେତେ ଜୋରରେ ହସିଉଠିଲା ସେ । ଶେଷରେ ଉଠିପଡ଼ି ଜଗୁର ଦୁଇ ଗାଲରେ ଦୁଇଟା ବ୍ରହ୍ମ ଚାପୁଡ଼ା କଷିଦେଲା ସେ । ଜଗୁ ଅଚେତହେଇ ପଡ଼ିଗଲା ସେଇଠି । କେହି ତା’ ପାଖକୁ ଗଲେନି ସେତେବେଳେ । ଅଧଘଣ୍ଟା ବାଦ୍‌ ନିଜେ ଜଗୁକୁ ନେଇ ସାଷ୍ଟାମ କଲା ରାଜାଦାଦା ।

 

॥ ତିନି ॥

 

ଜଗୁର ହାତ ହଠାତ୍‌ ନିଷ୍କ୍ରିୟ ହେଇଗଲା । ଠେଲା ଗାଡ଼ି କିଛି ସମୟ ପାଇଁ ଅଟକିଗଲା ଗୋଟାଏ ଜାଗାରେ । ଗାଡ଼ି ଭିତରୁ ରାଜାଦାଦାର ବିକଟାଳ ମୁହଁଟାକୁ ଚାହିଁଦେଲା ମାତ୍ରେ, ସେଦିନର ସେଇ କଥାଗୁଡ଼ାକ ବେଶୀ ବେଶୀ ମନେପଡ଼ିଗଲା ତା’ର । କେଜାଣି କେମିତି ଜଗୁର ସାରା ଦେହରେ ତାତିଲା ରକ୍ତର ଜୁଆର ଖେଳିଗଲା । ସେ ନଇଁପଡ଼ି ରାଜା ଦାଦାର ଚର୍ବିଳ ପେଟରେ ଖୁବ୍‌ ଜୋର୍‌ରେ ମୁଥ୍‌ମାରି ଚାଲିଲା ଏବଂ ତା’ର ରୁଢ଼ିଆ ଟାଆଁସା ଦାଢ଼ି ବହୁଳ ଗାଲରେ ଠୋ ଠୋ କରି ଚାପୁଡ଼ା ମାରିଲା ଅନେକ ।

ପ୍ରତିଶୋଧ...... ! ପ୍ରତିଶୋଧ......

ମାରି ମାରି ହାଲିଆ ହେଇଗଲା ସେ ।

ଦେହରୁ ତା’ର ପୁଣି ଗୋଟାଏ ଝାଳ ବହିଗଲା ଜୋର୍‌ରେ । କିନ୍ତୁ ରାଜାଦାଦାର ଗାଲକୁ ସେ ଲାଲ୍‌କରି ପାରିଲାନି, ଯେମିତି ସେ କରି ଦେଇଥିଲା ତା’ ଗାଲକୁ ଅନେକ ଦିନପାଇଁ ।

ଜଗୁ ମୁଣ୍ଡରୁ ନିଶା ଖସିଲା ଅନେକ ବେଳ ପରେ । ସେତେବେଳକୁ ସୂର୍ଯ୍ୟ ଅସ୍ତହେବା ଉପରେ । ଆକାଶର ଗୋଟାଏ କଣରେ ମେଘ ଖଣ୍ଡେ ଘୋଟି ଆସୁଥିଲା ରାଜାଦାଦାର ମୁହଁଭଳି ଗମ୍ଭୀରହେଇ । କେଜାଣି କେମିତି ରାଜା ଦାଦାର ମୁହଁଟା ଏଥର ବଡ଼ ଅସହାୟ ମନେହେଲା ଜଗୁକୁ । ଭାରି ନିରୀହ ମାନେହେଲା ସେ । ଆହା, ଏତେଗୁଡ଼ା ମାଡ଼ ଖାଇଲା ପରେ ଟିକିଏ ତ କିଛି କଲାନି ସେ । ଆଖି ବୁଜିଦେଲା ମାତ୍ରେ ଲୋକେ କ’ଣ ଏଡ଼େ ନିରୀହ ହେଇଯାଆନ୍ତି !

ଏହି ସମୟରେ ଆଉ ଗୋଟାଏ ଦୃଶ୍ୟ ଆଡ଼କୁ ଜଗୁର ଆଖି ଟାଣି ହେଇଗଲା । ଗୋଟାଏ ବୁଲାଷଣ୍ଢର ଶବ ଧରି ଏକ ବିରାଟ ପଟୁଆର ମୁହାଇଁଥିଲା ମଶାଣି ଆଡ଼େ । କେତେ ସୁନ୍ଦର ସୁନ୍ଦର ଫୁଲରେ ତା’ର ଶବଧାରକୁ ସଜେଇ ଦିଆ ଯାଇଥିଲା । ନୂଆ ଲୁଗାରେ ବିଶାଳ ବପୁକୁ ତା’ର ଢାଙ୍କି ଦିଆଯାଇଥିଲା । ତା’ ଉପରେ ଫୁଲ, କେବଳ ଫୁଲ । ମଥାକୁ ତା’ର ସିନ୍ଦୂରିତ କରା ହୋଇଥିଲା । ‘ହରିବୋଲ’ ଧ୍ୱନିରେ ସହରର ରାସ୍ତା କମ୍ପୁଥିଲା । ଗାଡ଼ି ମଟର ଯିବା ଆସିବା ପ୍ରାୟ ବନ୍ଦ । ଖୋଳ କରତାଳ ନେଇ ସଂକୀର୍ତ୍ତନ ହେଉଥିଲା ।

ଜଗୁ ଦେଖିଲା, ଏଇ ଷଣ୍ଢ ଜବରଦସ୍ତ ପରିବା ଦୋକାନରେ ମୁହଁ ପୁରାଇ ଖାଇଗଲା ବେଳେ ଯେଉଁମାନେ ନିର୍ମମଭାବରେ ପିଟୁଥିଲେ ସେମାନେ ବି ସେ ପଟୁଆରରେ ଅଛନ୍ତି । ଷଣ୍ଢ ମହାପୁରୁଷର ଯଶଗାନ କରୁଛନ୍ତି, ହରିବୋଲ ଦଉଛନ୍ତି । ପଟୁଆରଟା ତାରି ପାଖଦେଇ ଚାଲିଗଲା-। ଜଗୁ ରାଜାଦାଦାର ଶବକୁ ରାସ୍ତାକଡ଼କୁ କରିଦେଇ ଶୋଭାଯାତ୍ରାକୁ ଚାହିଁ ରହିଲା । ଲୋକେ ତାକୁ ଅତିକ୍ରମ କରିଗଲା ବେଳେ ନାକରେ ହାତ ଦଉଥିଲେ । କେହି କେହି ସେଇ କଳରୋଳ ଭିତରୁ ପାଟିକରି କହି ଉଠୁଥିଲେ–‘ଉଃ.... ଦୁର୍ଗନ୍ଧ !

ଜଗୁର ହଠାତ୍‌ କାହିଁକି କେଜାଣି ମନହେଲା, ଏ ମଣିଷଗୁଡ଼ାକ ବଡ଼ ବଜ୍ଜାତ୍‌ । ପଶୁଟା ତାଙ୍କ ନିକଟରେ ବଡ଼ ହେଲା–ଅଥଚ ମଣିଷଟା..... । ଷଣ୍ଢଟାର ଆତ୍ମୀୟ ସ୍ଵଜନ ସାଜି ଏତେ ଲୋକ ବାହାରିଲେ; ଅଥଚ ଏଡ଼େବଡ଼ ମଣିଷଟାର ଜଣେ କେହି ବାହାରିଲେନି । ଜଣେ କେହି ତା’ ପାଇଁ ଫୁଲ ମୁଠାଏ ଆଣି ଦେଲେନି ।

ଏ ଷଣ୍ଢଟା କାହାର କ’ଣ ଉପକାର କରୁଥିଲା ?

ଅନ୍ତତଃ ଶତ୍ରୁ ହେଲେ ବି ତ କହିବ,-

ରାଜାଦାଦା ଅନେକଙ୍କର ଉପକାର କରୁଥିଲା । ଥାଇପାରେ ତା’ର ଅନେକ ଦୋଷ ଅବିଗୁଣ । ଥାଉ–

ନା, ରାଜା ଦାଦାପାଇଁ କିଛି ଗୋଟାଏ କରିବାକୁ ହେବ । ସେମାନେ ଯଦି ଷଣ୍ଢଟାକୁ ପୋଡ଼ୁଥିବେ, ଇଏ ବି ଦରପୋଡ଼ା କାଠ ସଂଗ୍ରହକରି ରାଜାଦାଦାକୁ ପୋଡ଼ିବ । ସେମାନେ ଯଦି ଷଣ୍ଢକୁ ପୋତୁଥିବେ, ଯେତେ ରାତି ହେଉ, ଇଏ ତାକୁ ପୋତିବ । ସମସ୍ତେ ଦେଖନ୍ତୁ, ରାଜାଦାଦାର ଶତ୍ରୁ ହେଲେ ବି ଜଣେ ଅଛି । ତା’ ପାଇଁ ସେ କ୍ରୋଧ ପରିବେଶ ହେଇ କିଛି କରିଚି । ଜଗୁ ଠେଲା ଗାଡ଼ିକୁ ଠେଲିଲା ଆଗକୁ ଆଗକୁ । ହଠାତ୍‌ ସପନୀର ସ୍ମୃତି ତା’ ଆଗରେ ଆସି କାୟା ମେଲିଦେଲା-

ସପନୀ କାନ୍ଦୁଥିବ.......

ସପନୀର ଏଣିକି କ’ଣ ହେବ......

ସପନୀକୁ ସେ ଗ୍ରହଣ କରିବ....

ସପନୀ ତାକୁ ଆଦରିବ ତ ?

ଆଗରେ ରାତି ଏବଂ ରାତି.....

ଜଗୁ ଚାଲିଥିଲା ଶ୍ମଶାନ ଆଡ଼େ......

 

ଋତୁର ନାମ ପିପାସା

ସେଇ ଲୋକଟା

 

ଘଟଣାଟା କୋଉ କାଳର ।

 

ସେତେବେଳକୁ ମୁଁ ଅଷ୍ଟମ କି ନବମରେ ପଢ଼ୁଥାଏ ଠିକ୍ ମନେପଡ଼ୁନି । ମାତ୍ର ମଫସଲ ଗାଁର ଧୂଳିଆ–କସରା ରାସ୍ତାରେ ସୂର୍ଯ୍ୟଙ୍କୁ ଘଡ଼ି ମନେକରି ସ୍କୁଲକୁ ଗଲାବେଳେ, ସେଇ ସୁନା ଦାନ୍ତଲଗା କୁଲି–ସର୍ଦ୍ଦାରର ସ୍ମୃତି ଏବେ ବି ଠିକ୍‌ ମନେପଡ଼ୁଚି । ଆଜି ଆଉସବୁ ସ୍ମୃତି ଫିକା ପଡ଼ିଗଲାଣି । ମହଳଣ ପଡ଼ିଗଲାଣି ପହଲି, ପ୍ରମୋଦ ଓ ମାୟାଧର ଆଦିଙ୍କର ବନ୍ଧୁତାର ନିବିଡ଼ତା-। ସପନ ଭଳି ଲାଗୁଚି ଏବେ ରାସ୍ତାକଡ଼ର ସେ ଆଖୁ କିଆରୀ, ଶିଶିରବୋଳା ବିରି କୋଳଥର ସାବ୍‍ଜ କ୍ଷେତ୍ର, ଆଉ ପବନ ସାଙ୍ଗରେ ସୋରିଷ ଫୁଲଙ୍କର ଅଣ୍ଟା ଦୋହଲା ନାଚ ଏବଂ ଚୁବୁରୁଚାବର ପାଣିଧାରରେ ଦଣ୍ଡକିରୀ କେରାଣ୍ଡି ମାଛଙ୍କ ତରଙ୍ଗ ତରଙ୍ଗ ଚାହାଣି....

 

ସହରର ରୁଟିନ୍‌ବନ୍ଧା ଜୀବନ, ମାପଚୁପ୍‌ କଥାବାର୍ତ୍ତା ଓ ସ୍ନେହ ପ୍ରେମ ଭିତରେ ସେସବୁ ସ୍ମୃତି ଅଣନିଃଶ୍ୱାସୀ ହେଇଯାଇଚି । ମାତ୍ର ନିହାତି ରୁକ୍ଷ ଓ ଅଶ୍ଳୀଳ ଜୀବନଯାପନ କରୁଥିବା ସେଇ କୁଲି–ସର୍ଦ୍ଦାରଟିର ଚେହେରା ଏବେ ମଧ୍ୟ ମୋର ମନେଅଛି । ଏ ଘଟଣାଟିକୁ ଗପ କହି ସତ୍ୟ ସହ ଲୁଚକାଳି ଖେଳ ଖେଳିହେବ ନାହିଁ । ସହରରେ ଯେତେବେଳେ ରାଜନୀତିକ ଝଡ଼ ଉଠେ; ପରାଧୀନତାକୁ ଏ ଦେଶରୁ ଦୂରେଇ ଦେଇଥିବା ଲୋକେ, କିମ୍ବା ତାଙ୍କ ବଂଶଧରମାନେ ଯେତେବେଳେ ଭୋଟ– ଭିକାରି ହେଇ ଦ୍ଵାର ଦ୍ଵାର ବୁଲନ୍ତି; ଅଥବା ସମ୍ୱାଦପତ୍ରରେ ଯେତେବେଳେ ନିଜର ଅତୀତର ଗୌରବମୟ କ୍ରିୟାକଳାପପାଇଁ ନେତାଏ ବାହାସ୍ଫୋଟ ମାରନ୍ତି–ସେତିକିବେଳେ ମୋର ମନେପଡ଼େ ତାଆରି କଥା....

 

ସେଇ କୁଲି–ସର୍ଦ୍ଦାରର କଥା ।

 

ଲୋକଟା ଟିଙ୍ଗିଶୂଳିଆ ଆଉ ମଦୁଆ ବୋଲି ସେ ଅଞ୍ଚଳଟା ସାରା ପ୍ରଚାର ହେଇଯାଇଥାଏ । ତାକୁ କେହି କିଛି ଗୋଟାଏ କଥା ପଚାରିଦେଲେ ସେ ଖେଙ୍କାରିଉଠେ; ନଇଲେ ବେହେଡ଼ାକରି କ’ଣ ନାଇଁ କ’ଣ କହେ । କଥା କହିବାରେ ତା’ର ବାଗବାଇଶ ନ ଥାଏ । ବେଳେବେଳେ ତା’ରି ପାଖରେ କାମ କରୁଥିବା ଲୋକଗୁଡ଼ାଙ୍କ ଉପରେ ସେ ବିଗିଡ଼ିଗଲେ ଏମିତିଆ ଭାଷାରେ ଗାଳିଗୁଲଜ କରେ ଯେ, ସେକଥା କାନ ଶୁଣିବନି ।

 

ମୋଟ ଉପରେ ଲୋକଟା କାହାରି ସାଙ୍ଗରେ ମିଶିପାରେ ନାହିଁ । ତା’ ନିଜ ସାଙ୍ଗରେ ସେ ଠିକ୍‌ ଭାବରେ ମିଶିପାରୁଥିବ କି ନା ସନ୍ଦେହ । ମୁଁ ତା’ ଟିଙ୍ଗା ଗୁଣଟା ଅନେକ ଥର ଦେଖିଚି । କିନ୍ତୁ କ’ଣ କ’ଣ ହାବଭାବ ଦେଖି ଲୋକେ ତାକୁ ମଦୁଆ କହନ୍ତି ମୁଁ ଜାଣିପାରେନି ।

 

କିଣା ଚମାର ଏ ଅଞ୍ଚଳର ଜଣାଶୁଣା ମଦୁଆ । ରାତିରେ ସମସ୍ତେ ଶୋଇପଡ଼ିଲା ପରେ, ସେ ଗୀତ ଗାଇ ଗାଇ ଗଲାବେଳେ ସାଇ କୁକୁରମାନଙ୍କ ସାଙ୍ଗରେ କଜିଆ କରେ । ଦିନରେ ଚାଲି ଚାଲି ଗଲାବେଳେ ତା’ ଗୋଡ଼ ଇଆଡ଼େ ସିଆଡ଼େ ପଡ଼େ, କାଦୁଅରେ ପଶି ଗୋଡ଼ ଉଠେଇ ଚାଲିପାରୁନଥିବା ମଣିଷ ଭଳି । କିନ୍ତୁ ଏ ସର୍ଦ୍ଦାରକୁ ତ ମୁଁ ଦିନେ ସେଭଳି ଅବସ୍ଥାରେ ଦେଖିନାହିଁ । ଏ ଲୋକମାନେ କାହିଁକି ମଦ ଖାଆନ୍ତି ସତେ ! ବୋଉ ସବୁବେଳେ କହେ, ମଦ ଖାଇଲେ ଭଗବାନ ବିଗିଡ଼ନ୍ତି, ସେସବୁ କୁଆଡ଼େ ପାପ ଜିନିଷ ।

 

ମୁଁ ସେତେବେଳେ ଭାବେ, ଏ ଲୋକଟା ସାଙ୍ଗରେ ଭଗବାନଙ୍କର ଥରେ ମୁହାଁମୁହିଁ ହେଇଯାଆନ୍ତା କି; ଭଗବାନ ୟା’ର ବଦମାସୀ ଛଡ଼େଇ ଦିଅନ୍ତେ । ଭଗବାନ ନିଶ୍ଚୟ କଡ଼ା ମିଜାସର ଲୋକ । ସମସ୍ତଙ୍କୁ ସେ ଶାସନ କରୁଛନ୍ତି । ସେ ନିଶ୍ଚେ ଆମ ବାବାଜୀ ସାର୍‌ଙ୍କ ଭଳି କଡ଼ା ହେଇଥିବେ ।

 

କିନ୍ତୁ ଛବିରେ ଭଗବାନଙ୍କ ମୁହଁଟା ଭାରି ସୁନ୍ଦର ଦିଶେ–ପିଲାଳିଆ, ମାଇଚିଆ ମାଇଚିଆ । ନିଶ ଦାଢ଼ି ଜମା ନାଇଁ । ନାଟପିଲା ଭଳି ବେଶ ହେଇଥାନ୍ତି ସବୁବେଳେ । ଫଟରେ ତାଙ୍କ ମୁହଁଟା ଆମ କ୍ଳାସ ଗୋପିଆ ଭଳିଆ ଦିଶେ ।

 

ଗୋପିଆଟା ବୁଦ୍ଦୁ ମାଇଚିଆ ବୋଲି ସମସ୍ତେ କହନ୍ତି । ତା’ ମୁହଁଟା ଝିଅ ମୁହଁପରି ଦିଶେ । ପ୍ରମୋଦ ଓ ମାୟାଧର ହେରିକା ତାକୁ ଥଟ୍ଟା କରନ୍ତି ବେଶି । ପ୍ରମୋଦଟା ଆମ ଭିତରେ ଗୋଟାଏ ଗଜା ମରଦ ଭଳି ଦେଖାଯାଏ । ଏଣେ ବି ଗୁଣ୍ଡା ପ୍ରକୃତିର । ଝିଅମାନେ ତାକୁ ଭାରି ଡରନ୍ତି । ପୁଅପିଲାଗୁରାଙ୍କୁ ଡରେଇ ଛେଳି କରି ରଖିଥାଏ ।

 

ଥରେ ସେ କ୍ଲାସରେ ସମସ୍ତଙ୍କ ଆଗରେ‌ ଗୋପିଆ ମୁହଁକୁ ଜୋର୍‌ରେ ଚୁଚୁମି ଦେଲା । ମାଲୋ, କି ବଜାରି ! ସମସ୍ତେ କୁହାକୁହି ହେଲେ, ଏଇଟା ଅସନା କଥା । ଝିଅମାନେ ତ ବେଶି ଫୁସୁରୁ–ଫାସର୍‌ ହେଲେ । (ସେ ଗୋପିଆ ଏବେ କୋଉଠି ଯାଇ ଗୋଟା ବଡ଼ ଅଫିସର ହେଇଚି-। ହରିଜନ କୋଟାରେ ତାକୁ ସେ ଚାକିରିଟା ମିଳିଚି । ବନ୍ଧୁ, ଏ ଲେଖାଟା ଯଦି କେବେ ଆଖିରେ ପଡ଼େ, ମନଦୁଃଖ କରିବନି । କାରଣ ମୁଁ ଚରିତ୍ର–ସଂହାର କରିବାକୁ ଯାଇନାହିଁ ।)

 

ହଁ, କଥାଟା କେମିତି କେଜାଣି ବାବାଜୀ ସାର୍‌ଙ୍କ କାନକୁ ଗଲା । ସେ ଆସି ପ୍ରମୋଦକୁ ସମସ୍ତଙ୍କ ସାମ୍ନାରେ ବୁହେ ପିଟିଲେ । ସେ ଆଗରୁ ପ୍ରମୋଦ ଉପରେ ତୁଚ୍ଛାଟାକୁ ବିଗିଡ଼ନ୍ତି; ପାଠ ପଚାରି ଗାଳି ଦିଅନ୍ତି । ଝିଅମାନଙ୍କର ବାବାଜୀ ସାର୍‌ଙ୍କ ସାଙ୍ଗରେ ଭଲ ପଡ଼େ । ସେ ତାଙ୍କମାନଙ୍କ କଥା ଶୁଣନ୍ତି ଖୁଉବ୍‌ । (ବଡ଼ ଦୁଃଖର କଥା, ବାବାଜୀ ସାର୍‌ ଏବେ ସନ୍ନ୍ୟାସ ଆଚରଣକରି ଘର ଛାଡ଼ି ଦେଇଛନ୍ତି ।) ପ୍ରମୋଦ ମାଡ଼ ଖାଇଲା ସିନା, ଝିଅମାନେ ପ୍ରକାଶ୍ୟରେ ଖୁସି ହେଇପାରିଲେ ନାହିଁ । କାରଣ ସେମାନେ ଜାଣିଥିଲେ ଯେ, ହସିଲେ ବା ଖୁସିହେଲେ ପରେ ପରିଣତି ଭୟାବହ ହେବ ।

 

ପ୍ରମୋଦଟା ଏଡ଼େ ବେହିଆ, ମାଡ଼ ଖାଇସାରିଲା ପରେ ଖୁବ୍‌ ହସିଲା । ତା’ ହସ ଦେଖି ସମସ୍ତେ ହସିଲେ । ଝିଅମାନେ ବି । ସେମାନଙ୍କର ହସ ଦୁଃଖର କି ସୁଖର, କିଏ ଜାଣେ ! ପ୍ରମୋଦ ବାବାଜୀ ସାର୍‌ଙ୍କ ନାଁ ନ ଧରି ଗାଳିଗୁଲଜ କରେ । ଛିଃ, ଗୁରୁଜନଙ୍କୁ କ’ଣ ଏମିତି ଗାଳିମନ୍ଦ କରନ୍ତି-? ପାପ ହବ । ମନେମନେ ଏକଥା ଭାବେ ମୁଁ ।

 

ପ୍ରମୋଦ ଆହୁରି କେତେ କ’ଣ କହେ, ମୁଁ ବୁଝିପାରେନା । ଝିଅମାନେ କିନ୍ତୁ ବୁଝିଯାଆନ୍ତି । ସେମାନଙ୍କର ବୋଧେ ଆଗ ବୁଦ୍ଧି ହୁଏ । ପ୍ରମୋଦ କହିଲାବେଳେ ସେମାନେ ତଳକୁ ମୁହଁକରି ବସି ଭୁଟୁରୁଭାଟର ହୁଅନ୍ତି,–ଅବଶ୍ୟ ଚାପିଚାପିକା ।

 

ମୁଁ ସ୍କୁଲକୁ ଗଲାବେଳେ ସେ ଲୋକଟାକୁ ଦେଖି ଭାବେ, ଇଏ ଦିନେ ବାବାଜୀ ସାର୍‌ଙ୍କ ହାବୁଡ଼େ ପଡ଼ନ୍ତା କି ! ୟା ଢଙ୍ଗ ଛାଡ଼ି ଯାଆନ୍ତା ! ତାଙ୍କୁ ଯିଏ ଗାଳିଦଉ ପଛେ, ଠିକ୍‌ ଜାଗାରେ ସେ ସାବାଡ଼ କରିଦିଅନ୍ତି । ଗୋଟା ଗୋଟା ଲୋକ କାହିଁକି ଏମିତି ହୁଅନ୍ତି କେଜାଣି ! ଭଗବାନ ଏମାନଙ୍କ ଉପରେ ଜମା ଖୁସି ହଉ ନ ଥିବେ ।

 

ବୋଉ ନିଇତି ପୁରାଣ ପଢ଼େ; ଭଗବାନଙ୍କ କଥା କହେ । ଭଗବାନ କୁଆଡ଼େ ଦୁଷ୍ଟଲୋକଙ୍କୁ ଜମା ଭଲପାଆନ୍ତି ନାହିଁ । ତା’ହେଲେ ତ ସେ ଗୋପିଆକୁ ବେଶି ଭଲପାଉଥିବେ–ପ୍ରମୋଦକୁ ଜମା ଭଲ ପାଉ ନ ଥିବେ । ଛାଡ଼ ! ମତେ ପଛେ ଭଗବାନ ଭଲ ନ ପାଆନ୍ତୁ–ମୁଁ ଗୋପିଆ ଭଳିଆ ହେବିନି । ସମସ୍ତେ ଚିଡ଼େଇବେ ଏମିତି । ବରଂ ପ୍ରମୋଦ ହେଇ ମାଡ଼ ଖାଇବା ଭଲ ।

 

ଏ ଲୋକଟାକୁ ତ ଭଗବାନ ବି ଭଲ ପାଉ ନ ଥିବେ । ଇଏ ସଦାବେଳେ ଅଭଦ୍ର ଭାଷା କହେ । ଥରେ ମୁଁ ଅଭଦ୍ର ଭାଷା କହି ଦେଇଥିଲି ବୋଲି ବୋଉ ମତେ ମାଇଲା ଖୁଉବ୍‌ । ଶେଷରେ ବୁଝାଇ ସୁଝାଇ କହିଲା, ଭଲ ମଣିଷମାନେ ଅଭଦ୍ର କଥା କହନ୍ତି ନାହିଁ । (ବୋଉ ! ତୋରି ସକାଶେ ଜୀବନରେ ଡରକୁଳା ମଣିଷଟେ ହେଇ ରହିଗଲି । କିଛି ଗୋଟାଏ ନୂଆ କରିବାର ପ୍ରେରଣା ମୋ ଭିତରୁ ହଜିଗଲା । ମୁଁ ଆଜି ଭାବୁଛି, ଆମ ଦେଶର ମାଆମାନେ ଅନ୍ତତଃ ତୋ ଭଳି ନ ହୁଅନ୍ତୁ ।)

 

ସର୍ଦ୍ଦାର ନାଁରେ ଥରେ ଆଉ ଗୋଟାଏ କଥା ପ୍ରଘଟ ହେଇଥିଲା । କେତକୀକୁ କୁଆଡ଼େ ଇଏ ରାତିରେ ଶିଖେଇ ନେଇଯାଏ ତା’ ପାଖକୁ । ତାକୁ ବହୁତ ପଇସାପତ୍ର ଦିଏ । କିଛି ଦିନ ତଳେ କେତୀ ଗୋଟାଏ ନୂଆ ଶାଢ଼ି ପିନ୍ଧିଥିଲା । ସେ ଶାଢ଼ିଟାକୁ ଇଏ ହାଟରୁ କିଣିଥିବାର ଲୋକେ ଦେଖିଛନ୍ତି । ତେଣୁ ସମସ୍ତେ ଜଗିଛନ୍ତି, କେତୀ ରାତିରେ ଗଲେ ତାକୁ ଧରିବେ; ଅଖଡ଼ରେ ପକେଇବେ । କେତୀ କିଣା ଚମାରର ବିଧବା ଭଉଣୀ । କେତୀ ସାଙ୍ଗରେ ସମ୍ପର୍କ ରଖିଚି ବୋଲି ବୋଧହୁଏ ଲୋକେ ତାକୁ ମଦୁଆ କହନ୍ତି । କେଜାଣି କ’ଣ ପାଇଁ ଏମିତି କହନ୍ତି ମୁଁ ବୁଝିପାରେ ନାହିଁ ।

 

ମୁଁ ସେତେବେଳେ ଭାବୁଥିଲି, କେତୀ ବି କେମିତିଆ ମାଇକିନିଆଟା କେଜାଣି ! ସେ ତ ଦିନରେ ସବୁ ଆଡ଼ ବୁଲେ, ସେ ଦିନ ସମୟରେ ୟା ପାଖକୁ ଗଲେ ଚଳନ୍ତାନି । ରାତିରେ ଏ ଲୋକଟା ପାଖକୁ କାହିଁକି ଆସେ ? ରାତିରେ କିଏ କୁଆଡ଼େ ଗଲେ କ’ଣ ଖରାପ ହେଇଯାଆନ୍ତି ? ଲୋ ମା’ ! ଆଉ ଏଣିକି ଡେରି କରି ସ୍କୁଲରୁ ଫେରିବିନି । ସ୍କୁଲ ଛୁଟି ହେଲାମାତ୍ରେ ଘରକୁ ପଳାଇ ଆସିବି । ତେଣିକି ସାଙ୍ଗମାନେ ସବୁ ଆସନ୍ତୁ । ଅନ୍ଧାର ହେଇଗଲେ କାଳେ ମୁଁ ଖରାପ ହେଇଯିବି ।

 

ସେଦିନ ପ୍ରମୋଦ ସହିତ ସ୍କୁଲରୁ ଫେରୁଥାଏ ଘରକୁ । କ’ଣ ଗୋଟାଏ ପର୍ବପାଇଁ ସ୍କୁଲ ଅଧାଛୁଟି ହେଇଯାଇଥାଏ । ଲୋକଟା ନଈକୂଳ ପାଖରେ ବନ୍ଧ କାମ କରୁଥିଲା ତା’ ଲୋକମାନଙ୍କ ସାଙ୍ଗରେ । ଆମ ଅଞ୍ଚଳର ପ୍ରାୟ ସବୁ ଲୋକ ତାକୁ ‘ସର୍ଦ୍ଦାର’ ବୋଲି ଡାକନ୍ତି । କୁଲିମାନଙ୍କ ସାଙ୍ଗରେ ସେ ନିଜେ କାମ କରେ ଏବଂ ପଇସା ଦେଇ ଲୋକମାନଙ୍କୁ କାମ କରାଏ ।

 

ସୁଦୂର କୋଉ ମାଳଅଞ୍ଚଳରେ ତା’ର ଘର । ଗାଁଲୋକଙ୍କ ସାଙ୍ଗରେ ସେ ଆଜୁରୁ–ବାଜୁରୁ ଗପ କରେ ନାହିଁ । ଲୋକେ ତା’ ସ୍ଵଭାବ ଜାଣିଗଲା ପରେ ଆଉ କେହି ଗପ ଜମେଇବାପାଇଁ ଆସନ୍ତି ନାହିଁ । ତେଣୁ କିଏ ତାକୁ କହେ ଟିଙ୍ଗିଶୂଳିଆ, କିଏ କହେ ବଦରାଗୀ; ପୁଣି କିଏ କହେ ରସହାଣ୍ଡି ।

 

ହଠାତ୍‌ ବନ୍ଧ ପାଖରେ ପହଞ୍ଚି ପ୍ରମୋଦ ମତେ କହିଲା, ଚାଲ ଆଜି ସର୍ଦ୍ଦାର ପାଖକୁ ଯିବା । ପ୍ରମୋଦର ସାହସ ବେଶି । ମତେ କିନ୍ତୁ ଡର ମାଡ଼ୁଥାଏ । ମୁଁ ମନା କରୁଥିଲି । ସେ ବାଧ୍ୟକରି ଟାଣିନେଲା ସେଠିକି । ଆମେ ଦେଖିଲୁ, ସର୍ଦ୍ଦାର ଆମ ଆଡ଼କୁ ନିଘା ରଖି ନାହିଁ । ସେ ସିଆଡ଼େ କାମରେ ବ୍ୟସ୍ତ । ଖଣ୍ଡେ ଦୂରରେ କେତୀ ଧାଇଁଥିଲା ଛେଳି ପଛରେ । ଛେଳି ଗୋଡ଼େଇଲାବେଳେ ସେ ଏକବାରେ ଅଧାଲଙ୍ଗଳା ।

 

ଇସ୍, କି ଅସନା ଦିଶୁଥାଏ ସେ । ଛିଣ୍ଡା ଲୁଗାଟାକୁ ଗୋଟାଏ ହାତରେ ଛାତି ଉପରେ ଚାପି ରଖି ଆର ହାତରେ ଛାଟ ଖଣ୍ଡେ ଧରି ସେ ଧାଇଁଥାଏ । ସତର ଛିଣ୍ଡା ଲୁଗା ଭିତରେ ତା’ ଦିହ ଲୁଚୁ ନ ଥାଏ । ସେ ଅସନା ଦୃଶ୍ୟକୁ ଆହୁରି ଅସନାକରି ପ୍ରମୋଦ କହି ଉଠିଲା, ହେଇ ବେ, ତା’ ଫିଡିଂ ବଟଲ୍‌ ଦିଶୁଚି ।

 

ମୁଁ ପ୍ରମୋଦ କଥାକୁ ମୋଟେ ହଜମ କରିପାରୁ ନ ଥିଲି । କିନ୍ତୁ ତାକୁ କହି ପାରୁ ନ ଥିଲି କିଛି । କାରଣ ତା’ କଥାରେ ଅମତ ହେଲେ କୁନ୍ଦିଦେବ ଦି’ଟା । ମୁଁ ତା’ କଥାକୁ ନ ଶୁଣିଲା ଭଳି ହେଇ ଚାହିଁଥିଲି ସର୍ଦ୍ଦାର ଆଡ଼କୁ ।

 

ସର୍ଦ୍ଦାର କାମ ବନ୍ଦ କରିଦେଇ ଠିଆ ହେଇଥିଲା । ତା’ ଆଖି ସ୍ଥିର ଥିଲା କେତୀ ଉପରେ-। ସେ ସେହି ଆଡ଼କୁ ଚାହିଁ ଭାବୁଥିଲା କେତେ କ’ଣ । ଶୁଆନଇ ଲଟା ଉପରେ ପାକଲା ଏଣ୍ଡୁଅ ବସି ଟୁଙ୍ଗାରିଲା ଭଳି ସେ ମୁଣ୍ଡ ହଲଉଥିଲା । ସେ ଏମିତି ମୁଣ୍ଡ ହଲଉଥିଲା ଯେ, ଦେଖିଲେ ମନେହେବ–ଏନ୍‌.ସି.ସି ପିଲାମାନଙ୍କୁ ଯେମିତି ସେ ତାଳଦେଇ ପରେଡ଼୍ କରଉଚି-। ତା’ପରେ ହଠାତ୍‌ ପୁଣି ସ୍ଥିର ।

 

ଆମେ ତା’ ପାଖରେ ପହଞ୍ଚି ଯାଇଥିଲୁ ଭୟ ଓ ଆଶଙ୍କାକୁ ସାଙ୍ଗକରି । ଛଇଛାଡ଼ିଆ ପଞ୍ଚୁହତା ମର୍ଦ୍ଦ ସେ । ବୟସ ଠିକ୍‌ କେତେ ହବ ଜାଣି ହଉ ନ ଥାଏ । ତେବେ ଖୁବ୍‌ ଜୋରଦାର୍‌ ଲୋକ । ପିନ୍ଧିଥାଏ ଖଣ୍ଡେ ମାଟିଆ ଫୁଲପେଣ୍ଟ ଏବଂ ଆଉ ଖଣ୍ଡେ ମାଟିଆ ହାଫ୍‌ସାର୍ଟ । ସାର୍ଟଟା ପେଣ୍ଟ ଭିତରେ ପଶି ପିନ୍ଧା ହେଇଥାଏ । ମୁହଁରେ ହଳେ ବାଘୁଆ ନିଶ । ଆଖି ଦିଇଟା ରାତିର ବିଲେଇ ଆଖି ଭଳି ଜଳିଲା–ଜଳିଲା ।

 

ଲୋକଟା ଆଗ କଥାବାର୍ତ୍ତା କଲା ଆମ ସାଙ୍ଗରେ ।

 

ସେତେବେଳକୁ କେତୀ ପ୍ରସଙ୍ଗ ଗାଁରେ ଏତେ ପ୍ରଚାର ହେଇ ନ ଥିଲା । ମୋଟ ଉପରେ ସେକଥା ମୋ କାନରେ ବାଜି ନ ଥିଲା । ସେକଥା ଜାଣିଥିଲେ ମୁଁ ତା’ ସାଙ୍ଗରେ କଥାବାର୍ତ୍ତା କରିଥାନ୍ତି କି ନା ସନ୍ଦେହ । ପ୍ରମୋଦ ଆଗରୁ ଭାରି ସାହସ କାଢ଼ୁଥିଲା । ମାତ୍ର ସେ ଆମ ଆଡ଼କୁ ଚାହିଁଦେଲା ମାତ୍ରେ ପ୍ରମୋଦର ପିଳେହି ପାଣି । ମୁଁ ତ ସହଜେ ଡରକୁଳା । ଭୟରେ କାଠଭୂତ୍‌ । ସେ ଆମକୁ ଚାହିଁ ପଚାରିଲା, କଣ୍‌ ଜବାନୋ, ଇସ୍କୁଲ ଛୁଟି ?

 

ମୋ ପାଟିରୁ ତ ସହଜେ କଥା ବାହାରୁ ନ ଥିଲା ।

 

ପ୍ରମୋଦ ସାହସ ବାନ୍ଧି କହିଲା, ଆଜି ଓଷା....ସ୍କୁଲ ଅଧାଛୁଟି ।

 

ସର୍ଦ୍ଦାର କହିଲା, ହଉ ଭଲ । ଘର ଯାଅ । ଠାକୁର ପୂଜା ଛାଡ଼; ପେଟ ପୂଜାକର । ତାକତ୍‌ ସଇତାନ୍‌ ସାଙ୍ଗରେ ଲଢ଼ । ଭଗବାନ ଠାକୁର କିଛି ନୁହଁ । ସିଏତ ଅଧା–ଲଙ୍ଗଳା ହେଇ ବୁଲୁଚି, ପିନ୍ଧା କନା ଖଣ୍ଡିଏ ନାଇଁ ।

 

ମୋ ପାଟିରୁ ଅକସ୍ମାତ୍‌ ବାହାରି ପଡ଼ିଲା, ସିଏ କାହିଁକି ଭଗବାନ ହବ ମ ! ସିଏ ତ କେତୀ; ମଦୁଆ କିଣା ଚମାର ଭଉଣୀ । କିଣାକୁ ଭଗବାନ ମୋଟେ ଭଲ ପାଆନ୍ତିନି । ତୁମକୁ ବି ଭଗବାନ ଜମା ଭଲ ପାଆନ୍ତିନି ଯେ ! ତମେ ତ ସବୁବେଳେ ଅଭଦ୍ର କଥା କୁହ ।

 

ମୁଁ ଏକାନିଃଶ୍ଵାସରେ ଏତେଗୁଡ଼ାଏ କଥା କହି ସାରି ଦେଇଥିଲି । ମାତ୍ର ପରମୁହୂର୍ତ୍ତରେ ତା’ ମୁହଁକୁ ଚାହିଁ ଡରି ଯାଇଥିଲି । ଲୋକଟା ତ ସହଜେ ବଦ୍‌ରାଗୀ । କାଳେ ଗୋଟାଏ ବ୍ରହ୍ମ ଚାପୁଡ଼ା ପକେଇବ....

 

କିନ୍ତୁ ଏହାରି ଭିତରେ ଗୋଟାଏ ଅଦ୍ଭୁତ ଘଟଣା ଘଟିଗଲା ।

 

ସର୍ଦ୍ଦାର ଗୋଟାଏ ରାକ୍ଷସ ଭଳି ହୋ–ହୋ ହୋଇ ହସି ଉଠିଲା । ତା’ ହସର ପ୍ରତିଧ୍ୱନି ତୋଳିଲେ ନଈକୂଳିଆ ଗଛମାନେ । ତା’ପରେ ସେ ଶୂନ୍ୟେ ଶୂନ୍ୟେ ମତେ ଟେକିନେଇ ତା’ କାନ୍ଧରେ ବସେଇଦେଲା । ମୁଁ ଚିର୍‌ଚିରେଇ ଉଠୁ ଉଠୁ ସେ କହୁଥିବା ଶୁଣିଲି, “ଆରେ ବାଃରେ ଜବାନ୍‌’’ ! ପୁଣି ସେ ମତେ କାନ୍ଧରୁ ଓହ୍ଲାଇ ଦେଉ ଦେଉ କହିଥିଲା–‘ତୁ ଥରେ ମତେ ତୋ’ ଭଗବାନଙ୍କୁ ଦେଖେଇଦବୁ ? ମୁଁ ତା’ ସହିତ ଥରେ ମୁହାଁମୁହିଁ କଥାବାର୍ତ୍ତା କରିବି–କାହିଁକି ଏମିତି ସବୁ ଜାଲିଆତି ହଉଚି’ ।

 

ପ୍ରମୋଦ ତ କାବାହେଇ ଯାଇଥିଲା ।

 

ମୋ କଥା ଛାଡ଼ ।

 

ସର୍ଦ୍ଦାର ପୁଣି କହିଲା–ଯା, ଅଭି କାମ ବଖତ୍‌... ଯେବେ ସୁବିଧା ହବ, ତୋ ଭଗବାନକୁ ଆଣି ସାକ୍ଷାତ କରାଇଦବୁ ।

 

ମୁଁ ଭାବିଥିଲି, ମତେ କୋଉଠି କଚ୍ଚି ଦବ ନେଇ; ନଚେତ୍‌ ମାଡ଼ ମାରି ଗୟାଁ କରିଦବ । ମୁଁ ଅବା ତାକୁ କାହିଁକି କହିଲି ଏସବୁ କଥା । ମାତ୍ର ତା’ର ମନଖୋଲା ହସ ଆଉ ଦରଦୀ ମନର ସୂଚନା ମିଳିଲା ପରେ ଅନେକ ଆଶ୍ଵସ୍ତ ଲାଗିଲା ମତେ । ତଥାପି ଆମେ ଦୁହେଁ ଏତେ ଡରି ଯାଇଥାଉ ଯେ, ଘରେ ପହଞ୍ଚିବା ପର୍ଯ୍ୟନ୍ତ କେହି କାହାରିକୁ ପଦେ କଥା କହିନୁ ।

 

ଦି’ ଦିନ ପରେ ମୁଁ ବୋଉକୁ ପଚାରିଥିଲି ଭଗବାନଙ୍କ କଥା–ସେ କୋଉଠି ଥାଇ ଶାସନ କରନ୍ତି ? ଆମେ ସିନା ତାଙ୍କୁ ଫଟରେ ଦେଖୁ, ପ୍ରକୃତରେ ସେ ଥାଆନ୍ତି କୋଉଠି ?

 

ମୋର ଏ ପ୍ରଶ୍ନ ଶୁଣି ବୋଉ ଯାହା କହିଥିଲା, ମୁଁ ସେଥିରୁ କିଛି ଠଉରେଇ ପାରି ନ ଥିଲି । ସେ କହିଲା, ‘ସକଳ ଘଟରେ ଥାଆନ୍ତି’, ଓ ପୁଣି କହିଲା, ‘ବୈକୁଣ୍ଠରେ ଥାଆନ୍ତି’ ।

 

ବୈକୁଣ୍ଠ ଆମ ଘରଠାରୁ କେତେ ଦୂର, ମୁଁ ଜାଣିବାକୁ ଚାହିଁବାରୁ ସେ ହସିଦେଲା । ଓଲଟା ଗାଳିଦେବା ସ୍ଵରରେ କହିଲା, ତୁ ଏତେ ପାଠ ପଢ଼ିଲୁଣି; ଏମିତିଆ କଥା ପଚାରୁଚୁ କ’ଣ ? ଏଗୁଡ଼ା ତୁ ଜାଣିଯିବା କଥା; ମୁଁ ତତେ କ’ଣ ଶିଖେଇବି ?

 

ପ୍ରକୃତ କଥା । ମୋର ଅନେକ କଥା ଜାଣିବାର ବୟସ ହେଇ ଯାଇଥିଲେ ବି ମୁଁ ଜାଣି ପାରି ନ ଥିଲି । ପ୍ରମୋଦ ଜାଣିଲା; ଆମ କ୍ଳାସ ଝିଅମାନେ ଜାଣିଲେ; କିନ୍ତୁ ମୁଁ ଜାଣିପାରିଲି ନାହିଁ । ବୋଧହୁଏ ମୋ’ ଭିତରେ କ’ଣ କିଛି ଗୋଟାଏ ଅଭାବ ରହିଯାଇଚି । ଭଗବାନ ମୋଠି କ’ଣ ଏମିତି ଅସଜ ରଖିଛନ୍ତି କେଜାଣି ।

 

ସେଦିନ ଭାରି ମନଦୁଃଖ ହେଲା ।

 

ସେହିଦିନଠୁଁ କାହାକୁ କିଛି ଜାଣିବା କଥା ଆଉ ପଚାରିବିନି ବୋଲି ଠିକ୍‌ କଲି । କାରଣ, କାଳେ ମତେ ଗୋପିଆ ଭଳିଆ ସମସ୍ତେ ଚିଡ଼େଇବେ; ଅବା ବୁଦ୍ଦୁ ବୋଲି କହିବେ । ହେ ଭଗବାନ-! ମୋ ଭିତରେ ଯାହା ଅଭାବ ଅଛି, ମତେ ଶୀଘ୍ର ଦେଇଦିଅ । ଆଉ କେହି କିଛି ଜାଣିବା ପୂର୍ବରୁ ମୁଁ ସମସ୍ତଙ୍କଠୁ ଅଧିକା ଜାଣିଯାଏ । ତୁମେ ବହୁତ ଭଲଲୋକ ବୋଲି ବୋଉ କହେ । ଅନ୍ତତଃ ବୋଉ କଥାଟା ସତ ବୋଲି ତୁମେ ପ୍ରମାଣ କରେଇ ଦିଅ ।

 

ଏମିତି କେତେ କ’ଣ ଭାବୁଥାଏ ମନେମନେ ।

 

ଏହାର କେତେଟା ବିପରୀତ ଫଳ ହେଲା ।

 

କ୍ଲାସରେ ବୁଝି ନ ପାରୁଥିବା ପାଠ ମଧ୍ୟ ଆଉ ସାରଙ୍କୁ ପଚାରି ନ ଥିଲି । ସ୍କୁଲରୁ ଘରକୁ ଫେରିଲାବେଳେ ତଳମୁହାଁ ହେଇ ଟାଉଟାଉକରି ଚାଲି ଆସୁଥିଲି । କାଳେ ସର୍ଦ୍ଦାର ମତେ ବାଟରେ ଅଟକାଇ ଭଗବାନଙ୍କ ବିଷୟରେ ପଚାରିବ । ମୁଁ ଅବା କ’ଣ କହିବି ? ଏଯାଏ ତ ତାଙ୍କ ଠିକଣା ଜାଣିପାରିଲି ନାହିଁ । ଭାବୁଥାଏ; କେତୀକୁ ଧରିବାପାଇଁ ଜଗିଥିବା ଲୋକେ ଏ ସର୍ଦ୍ଦାରକୁ ଧରିପକାନ୍ତେ କି ! ଲୋକଟା ଦୋଷୀ ପ୍ରମାଣିତ ହୁଅନ୍ତା କି ! ଭଗବାନଙ୍କ ବିଷୟରେ ତା’ର ଗୋଟାଏ ଧାରଣା ବି ହେଇଯାଆନ୍ତା । କିନ୍ତୁ ନା–ପୂର୍ବଭଳି ସେ ଯେମିତି ସେମିତି । ବରଂ ଲୋକଟାର ସାମ୍‌ନାକୁ ଯିବାକୁ ମୋ ମନରେ ଭୟ ଜମାଟ ବାନ୍ଧିବାକୁ ଲାଗିଲା ।

 

ମାତ୍ର ଦିନେ ସାମନାରେ ପଡ଼ିଗଲି ।

 

ସାଙ୍ଗ ପିଲାମାନଙ୍କ ସହ ଫେରୁଥିଲି ସ୍କୁଲରୁ । ସର୍ଦ୍ଦାରର ପାଟି ଶୁଭିଲା ଦୂରରୁ । ସେ ସବୁ ପିଲାମାନଙ୍କୁ ଡାକି ସେଦିନ ଭୋଗ ବାଣ୍ଟୁଥିଲା । ସର୍ଦ୍ଦାର ଭୋଗ ବାଣ୍ଟୁଥିବା କଥା ଜାଣି ମତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ଭାବିଲି, ବୋଧେ ମୋ ଆଗରୁ ସେ ଭଗବାନଙ୍କ ଠିକଣା ପାଇଗଲା । ମୁଁ ଖୁବ୍‌ କୌତୂହଳରେ ତା’ ପାଖକୁ ଗଲି । ଅନ୍ୟ ପିଲାମାନେ ଡରି ଡରି ବି ତା’ ପାଖକୁ ଗଲେ । କାରଣ ତାକୁ କେନ୍ଦ୍ରକରି ସେ ଅଞ୍ଚଳରେ ଗୋଟାଏ କୋକୁଆ ଭୟ ଖେଳି ଯାଇଥିଲା । ଖଣ୍ଡେ ଦୂରରୁ ସେ ଚିହ୍ନିପାରିଲା ମତେ । ତା’ପରେ ପାଟିକରି କହି ଉଠିଲା, ଆରେ ବାଃରେ ଯବାନ ! ସେଦିନୁ କୁଆଡ଼େ ଗାଏବ୍‌ । ତୋ ଭଗବାନଙ୍କ ସହିତ ମତେ ଦିନେ ଚିହ୍ନା କରେଇ ଦଉଥିଲୁ ପରା ?
 

ଏତକ ଶୁଣି ମୋ ହାଲୁକ ଶୁଖିଗଲା ।

 

ତେବେ ଆଜି ଏ ପୂଜା କାହାର ?

 

ଏବଂ ଭୋଗ ପୁଣି କାହାର ?

 

ମୋ ମନର ପ୍ରଶ୍ନ ମନରେ ଅଛି, ସର୍ଦ୍ଦାର ତା’ ଅଧାକୁହା କଥା ଆରମ୍ଭ କଲା । କହିଲା, ତୁ ସିନା ତୋ ଭଗବାନଙ୍କୁ ଚିହ୍ନେଇଦେବି । ମୋ ଭଗବାନଙ୍କର ଆଜି ଜନ୍ମଦିନ । ତେଣୁ ଆଜି ମୋର ସବୁ କାମଦାମ ବନ୍ଦ । ମୋ ଭଗବାନ ମୋତେ କହିଥିଲେ, ଦୁଃଖୀଭୋକିଙ୍କୁ ସାହାଯ୍ୟ କରିବାକୁ; ଜନନୀ ଆଉ ଜନ୍ମଭୂମିପାଇଁ ପ୍ରାଣଦେବାକୁ; ବେଇମାନୀ ବିରୁଦ୍ଧରେ ଲଢ଼ିବାକୁ । ଦେଖ୍‍, ଦେଖରେ ଯବାନ୍‌ ମୋ ଭଗବାନଙ୍କୁ । ତାଙ୍କର ବଡ଼ ବଡ଼ ଆଖି ଦିଇଟାକୁ ଚାହିଁଦେଲେ ମନରେ କାମ କରିବାକୁ ଶକ୍ତି ଆସିଯାଏ; କାନରେ ତାଙ୍କରି କଥା ଏବେବି ବାଜିଯାଏ ।

 

ସର୍ଦ୍ଦାରର ଆଖିରେ ଆଖିଏ ଢେଉଭଙ୍ଗା ଲୁହ ।

 

ଆମେ ସମସ୍ତେ ଆଗ୍ରହ ସହକାରେ ସେ ଛବିଟି ଆଡ଼କୁ ନଇଁପଡ଼ିଲୁ । ଏଯାଏ ନୀରବରେ ଠିଆ ହୋଇଥିବା ପିଲାମାନେ ଭୁଟଭାଟ ହେଲେ । କେହି ଜଣେ ଧୀର ଚାପା କଣ୍ଠରେ କହୁଥିଲା, ମଲା, ଇଏତ ଆମ ଇତିହାସ ବହିରେ ଥିବା ଫଟ । ମୁଁ ଆଉ କିଛି ଶୁଣି ପାରୁ ନଥିଲି । ଫଟୋଟି ମୋର ବି ଅତି ପରିଚିତ । ....ସାମରିକ ପୋଷାକ ପିନ୍ଧା ଚେହେରା । ଆଖିରେ ଚଷମା । ଚଷମା ତଳେ ଭାରତର ସ୍ଵାଧୀନତାର ଢେଉ–ଢେଉକା ସ୍ଵପ୍ନ ।

 

ସେଇ ଫଟୋଟି ଆଗରେ ଧୂପ ଜଳୁଚି । ଆଗରେ ଥୁଆହେଇଚି ଗୁଡ଼ାଏ ମିଠାଇ । ପିଲାମାନଙ୍କୁ ସେଇ ମିଠେଇ ବଣ୍ଟା ଯାଉଚି । ସର୍ଦ୍ଦାର ପୁଣି ପାଟିକରି କହୁଚି–କୁହ ପିଲେ, ଆଜାଦ ହିନ୍ଦ୍‌ଜୀ ଜୟ ! ଅମର ରୁହନ୍ତୁ ଆମର ନେତାଜୀ । ଏ ଦେଶକୁ ସ୍ଵାଧୀନ କରନ୍ତୁ । ଦେଶ ସ୍ଵାଧୀନ ହେଲେ ସମସ୍ତଙ୍କୁ ରହିବାକୁ ମିଳିବ ଜାଗା, ପିନ୍ଧିବାକୁ ମିଳିବ ଲୁଗା । ଏ ଦେଶ କ’ଣ ସ୍ଵାଧୀନ ହେଲାଣି ? ନା–ସ୍ଵାଧୀନତା ଆହୁରି ବହୁ ଦୂରରେ ଅଛି.....

 

କଥା କହିବାରେ ସେ ପ୍ରଗଳ୍‌ଭ ହେଇ ଉଠିଥିଲା ।

 

ପିଲାମାନେ ମିଠେଇ ଖାଇସାରି ‘ଜୟ’ ‘ଜୟ’ ପାଟିକରି ଚାଲିଗଲେ । ମୁଁ ସେଇଠି ସ୍ଥାଣୁ ଭଳି ଠିଆ ହେଇଥିଲି । ହାତରେ ଧରା ହେଇଥାଏ ମିଠେଇଟି । ବଲବଲ କରି ଚାହିଁ ଦେଖୁଥିଲି ତାକୁ । ସର୍ଦ୍ଦାର ମୋ ପାଖକୁ ଆସିଲା । ମତେ ଆଗଥର ଭଳି କୋଳକୁ ଉଠେଇନେଲା । ଏଥର କିନ୍ତୁ ମତେ କାନ୍ଧରେ ବସାଇଲା ନାହିଁ । ମୁଁ ଦେଖିଲି, ସେ ମୁଣ୍ଡରେ ସିନ୍ଦୁର ଚିତା ମାରିଛି, ଅନର୍ଗଳ କଥା କହୁଚି । ତା’ର ସୁନାଖିଲଦିଆ ଦାନ୍ତ ଦିଇଟା ଚିକ୍‌ଚିକ୍‌ କରୁଚି ।

 

ମୁଁ ଆଶ୍ଚର୍ଯ୍ୟ–ଚକିତ ହେଇ ସେଇ ଦାନ୍ତ ଦିଇଟାକୁ ଚାହିଁ ରହିଥିଲି ।

 

ସର୍ଦ୍ଦାର ବୋଧହୁଏ ଜାଣିପାରିଲା ମୁଁ ତା’ ଦାନ୍ତକୁ ଚାହିଁଚି । ସେ ହସି ହସି କହି ଉଠିଲା, ମୋ ଭଗବାନଙ୍କ ନିର୍ଦ୍ଦେଶରେ ଜନ୍ମଭୂମିପାଇଁ ଯୁଦ୍ଧରେ ମୁଁ ଏ ଦାନ୍ତ ଦି’ଟାକୁ ଦାନ କରିଚି । ଆଜି ଯଦି ସେ ମୋ ଆଗକୁ ଆସି କହନ୍ତେ–ଜୀବନଟା ଦେ, ମୁଁ ଦେବାକୁ ପ୍ରସ୍ତୁତ । ଆଃ, ଆଉ ଥରେ ତାଙ୍କ ସହ ଦେଖା ହେଇଯାଆନ୍ତା କି !!

 

ମୁଁ ସେଦିନ ଲକ୍ଷ୍ୟ କରିଥିଲି, ସ୍ଵଚ୍ଛ ପାଣିରେ ସୁନା ରଙ୍ଗର ମାଛ ଚିକ୍‌ଚିକ୍‌ କଲାଭଳି ତା’ ଆଖିରେ ଲୁହ ଟୁଳୁଟୁଳୁ ହେଉଥିଲା ।

 

କୋଡ଼ିଏ ବର୍ଷରୁ ବେଶୀ ହେଲାଣି ଏକଥା ।

 

ଆଜି ଭାବୁଚି, ସେ ସର୍ଦ୍ଦାର ସାଙ୍ଗରେ ଏବେ ଥରେ ଦେଖାହୁଅନ୍ତା କି ମୋର । ତା’ ପାଦଧୂଳି ମାଗନ୍ତି ।

 

ହୁଏତ ଓଡ଼ିଶାର କେଉଁ ଅଖ୍ୟାତ ପଲ୍ଲୀରେ, ନିର୍ଧୂମ ଖରାରେ ସେ ଖଟୁଥିବ ତା’ ଦଳବଳ ସହ; ସେଇ ବନ୍ଧ କାମ ବି କରୁଥିବ ।

 

ଏକଥା ନିଶ୍ଚୟ–ସେ ବଞ୍ଚିଥିଲେ କୁଲି କାମ କରୁଥିବ ପଛେ, ସ୍ଵାଧୀନତା ସଂଗ୍ରାମୀ ବୋଲି ତମ୍ୱା ପଟା ଧରି ବସି ନ ଥିବ ।

Image

 

ଯଶୋଦା

 

ସେତିକିବେଳୁ ସେ କାନ୍ଦିବାକୁ ଇଚ୍ଛାକରି କାନ୍ଦିପାରୁ ନାହିଁ । ଅଥଚ ମନ ଭିତରଟା ସାରା ହାବୁକା ହାବୁକା କୋହର ବାମ୍ଫରେ ଭରିଗଲାଣି କେତେଥର । ଦୁଃଖଗୁଡ଼ାକୁ ଚାପିରଖିବା ଯେ କେଡ଼େ କଷ୍ଟ, ଯିଏ ରଖେ ସିଏ ଜାଣିଚି । ଯାଆନ୍ତା ଭଲ ଲୁହର ଯମୁନା ହେଇ ସେଗୁଡ଼ାକ ବହି; ଟିକିଏ ହାଲୁକା ଲାଗନ୍ତା ।

 

ଏଭଳି ଅବସ୍ଥାରେ କାନ୍ଦିବାରେ ଯେଉଁ ଆନନ୍ଦ ଅଛି, ତାହା ବଚନରେ ପ୍ରକାଶ କରିହେବ ନାହିଁ । ଦିନସାରା ବାହାରେ ବସି, ସରୁଆ ନାଲିଗୋଡ଼ିଆ ରାସ୍ତାଟାକୁ ଚାହିଁ ଚାହିଁ ସେ କାନ୍ଦିବାକୁ ଚେଷ୍ଟା କରିଚି । କାନ୍ଦିବାରେ ଅପାର୍ଥିବ ଆନନ୍ଦ ପାଇବାପାଇଁ ଆକୁଳ ହେଇଉଠିଚି ଯଶୋଦା । ନା, ସେତକ ବୋଧହୁଏ ତା’ କପାଳରେ ନାଇଁ ।

 

ଘର ଭିତରେ ବସି ହେଉ ନାହିଁ, ବସିବାକୁ ଭଲ ଲାଗୁ ନାହିଁ । ଖଞ୍ଜାଟା ଯାକ ଖାଲି ଖାଲି ଲାଗୁଚି । ଗହଳି ଗହଳି ନାଇଁ, ପାଟିତୁଣ୍ଡ ନାଇଁ, କାହାରି ସାଙ୍ଗରେ କଥା ହେବାକୁ ବି ନାଇଁ । ଘର ଭିତରେ ଥିଲେ ବେଳେବେଳେ ଦିଶିଯାଏ ତା’ର ଚଳମାନ ରୂପ; ହସକୁଡ଼ା ମୁହଁ; ତୋଫା ସଜଳ ଆଖି; କଅଁଳ ନିରୀହ ଚାହାଣି । କେଡ଼େ ଟିକେ ଟିକେ ଦୁର୍ବଳିଆ ଜିଆନାଡ଼ ଭଳିଆ ହାତ ଦିଇଟା, ଆସି ଅଝଟ ହେଲାବେଳେ ଯଶୋଦାର ବେକ ଚାରିପଟ ଗୁଡ଼େଇ ହେଇଯାଏ । ସେଇ ଦୃଶ୍ୟ.....

 

ଝୋଲା ମାରିଯାଏ ସେକଥା ଭବିଲା ବେଳକୁ ଯଶୋଦାର । ଘର ଭିତରଟା ଶୂନ–ଶୂନିଆ ଲାଗେ । ସେଇକଥା, ସେଇକଥା ବାରମ୍ୱାର ମନକୁ ଆସେ । ତେଣୁ ସେ ପଳେଇଆସେ ବାହାରକୁ । ବାହାର ପିଣ୍ଡାରେ ବସି, କେତେବେଳେ ଅବା ଚାଲ–ଚାଲହେଇ ନାଲି ଧୂଳିଆ ରାସ୍ତା କରକୁ ଆସି ସେ ଚାରିଆଡ଼କୁ ଅନାଏ । ବେଳେବେଳେ ଏମିତି ଅନେଇ ରହେ ଯେ, ଆଖିର ପଲକ ପଡ଼େନି । ତା’ ଅଜାଣତରେ ତା’ ପାଟି ଅଳ୍ପ ଆଁ ହେଇଯାଏ । ତଥାପି ସେ ସେମିତି ଚାହିଁଥାଏ ।

କେତେବେଳେ ପରେ ଖୋଲାପାଟି ବନ୍ଦ ହେଇଯାଏ; ଆଖି ଭିତରେ ପୁଅ ପୁଣି ଡିଆଁଡେଇଁ କରେ । ଗୁଣ୍ଡୁଚି ମୂଷାଙ୍କ କିଚିରି ମିଚିରି ଶବ୍ଦ ଆଉ ଶୁଣାଯାଏ ନାହିଁ । ଦିନ ଯାଇଁ ସନ୍ଧ୍ୟା ଆସେ । ମଥୁରି ବୁଢ଼ା ଗାଈପଲ ଧରି ଘରକୁ ଫେରିଲା–ବେଳେ ଥରକପାଇଁ ବୋଧହୁଏ ହସେ ଯଶୋଦା ନିକଟରେ । ଦିନର ଶେଷ ଥରକପାଇଁ ଚୂନପତ୍ର ଟିକକ କାଢ଼ି ପାଟିରେ ପକାଇଲାବେଳେ ସେ ହସେ । ସେ ହସ ବିଚିତ୍ର ରକମର; କେମିତିଆ ଗୋଟାଏ ହସ । ମୋଟ ଉପରେ ସେ ହସ କେମିତିଆ ତାକୁ କଥାରେ ପ୍ରକାଶ କରିହେବ ନାହିଁ ।

ଏଇ କେତେଦିନ ହେଲା ଯଶୋଦା ବରାବର ମଥୁରି ଗଉଡ଼କୁ ଭେଟିଚି ସେ ଗୋଠରୁ ଫେରିଲାବେଳେ । ଏବଂ ତାକୁ ଠିଆହେଇ ରହିଥିବାର ଦେଖିଲେ, ସେଇ ପଦିଏ କଥା ସେ ପଚାରିଚି ବରାବର । “ନଟ ଫେରିଲା ମା’ ? ପୁଅ ଫେରିଲା... ?”

ଯେମିତି କେବଳ ଗୋଟାଏ ଶୂନ୍ୟ ପ୍ରତିଧ୍ୱନି ।

ସଚରାଚରର ଜଣା ଅଜଣା ଶବ୍ଦ ଭଳି ଶବ୍ଦଟିଏ ।

ତା’ର ସେ ବିଷୟରେ କିଛି କହିବାର ନାହିଁ ।

ଯଶୋଦା କିଛି କହିପାରେନି । ମାତ୍ର ଅମାନିଆ ମୁଣ୍ଡଟା କାନ୍ଧ ଉପରେ ସ୍ଥିରହେଇ ରହିପରେନି । ଦୁଇଥର ଏପଟ ସେପଟ ହେଇଯାଏ ନୀରବରେ । ମଥୁରି ବୁଢ଼ା ଗୋଟାଏ କେମିତିଆ ହସଟାଏ ହସିଦିଏ । ସତରେ, ସେ ହସଟା ବଡ଼ ବିଚିକିଟିଆ ଲାଗେ ଯଶୋଦାକୁ । ଅନେକ ଥର ଭାବିଲାଣି, ମଥୁରିକୁ କହିଦବ, ଆଉ ସେମିତି ନ ହସିବାକୁ । କିନ୍ତୁ କହିପାରେନି । ମୁହଁ ତା’ର ଖୋଲେନି । ପୁଣି କେତେବେଳେ ଭାବେ, ହୁଏତ ସେଇଟା ସେ ବୁଢ଼ାର ସହାନୁଭୂତିର ହସ ହେଇଥାଇପାରେ ।

ସେମିତିଆ ବେବାଗିଆ ହସଟିଏ ହସିଦେଇ, ଅଣ୍ଟାରେ ପ୍ରାୟ ସେତିକି ଉଞ୍ଚର ତେଲଚିକିଟା ଭରାଦେଇ ସେ ଖୋସଣି ଖୋଲେ; ଚୂନପତ୍ର ପାଟିରେ ପକାଏ ପକାଏ; ଦଣ୍ଡେ ଠିଆହୁଏ । ଗାଈମାନେ ସେମାନଙ୍କୁ ଅତିକ୍ରମ କରି ଗାଁ ଗୋହିରୀ ପାଖର କାହା ଫସଲ କିଆରିରେ ମୁହଁ ମାଇଲେ, ନୀରବତା ଭାଙ୍ଗି ପାଟିକରି ଉଠେ ସେ । ....ହେ–ହେ ବଉଳୀ, ଗୋସେଇଁଖାଈ ! ଯାଉଚୁ ଯାଉଚୁ... !

ତା’ପରେ ସେ ଚାଲିଯାଏ ।

ଏକରକମ ଧାଇଁ ଧାଇଁ ଯାଏ ।

ତା’ର ସେ ରାହୁଳିଆ ପାଟି କିଛି ସମୟପାଇଁ ପ୍ରତିଧ୍ୱନି ତୋଳେ ସେଇ ନୀରବ ବାତାବରଣରେ । ତା’ପରେ ସୂର୍ଯ୍ୟ ମୁହଁଛପା ଦେବା ସାଙ୍ଗେ ସାଙ୍ଗେ ଅନ୍ଧାର କୋଉଠି ଲୁଚି ବସିଥାଏ, ଧାଇଁଆସି ଟାଉ ଟାଉକରି ସେଇ ସେଇଭଳିଆ ଯେତେସବୁ ଶବ୍ଦ ସୃଷ୍ଟି ହେଇଥାଏ, ତାକୁ ସାଉଣ୍ଟି ଘିନିଯାଏ । ଏବଂ ସବୁଆଡ଼କୁ ଚୁପ୍‌ କରାଇ ଦେଇଯାଏ ।

 

ରାତି ଆସେ ।

 

ରାତି ଆସିଲେ ବି ଯଶୋଦା ଶାନ୍ତି ପାଇପାରେନି ।

 

ନା ଘର, ନା ବାହାର–

 

କି ଦିନ, କି ରାତି–

 

କେବଳ ଅଶାନ୍ତି; ଅସ୍ଥିରତା ।

 

ଛୁଆଟା କୋଉ ଅକଲରେ ଏ କାମ କଲାଟି ! ଦିନେ କାଳେ ତ ସେ ୟା କରିବାପାଇଁ କହେ ନାହିଁ । ଘରୁ ପଳେଇବା କଥାଟା ତା’ ମୁଣ୍ଡରେ କିଏ ପୂରାଇଲା ? କାହା ବୁଦ୍ଧିରେ ପଡ଼ି ସେ ଏ ବଦ–ସାହସ କଲା ?

 

ହଁ, ସେ ଦୁଷ୍ଟାମି କରେ । ରାଗିଲେ ହାଣ୍ଡି ମାଠିଆ ଭାଙ୍ଗେ । କେତେଥର ଏମିତି କରିଚି-। ମିଛିମିଛିକା ଶୋଇପଡ଼େ ଓପାସରେ ଖାଇବନି ବିଲି କହି । ପୁଅ ବିଲି ତା’ କଥା ନୁଚେଇବ କାହିଁକି ? କେତେଥର ଏମିତି କରିଚି ସେ ।

 

କିନ୍ତୁ ଘର ଛାଡ଼ିଯିବା କଥା ତ ସିଏ ସପନରେ ଭାବି ନଥିଲା । ଦିନେହେଲେ ତ ଏକଥା କେବେ ସେ କହିଥାନ୍ତା । ....କିବା କଥା ଇଏ । ଛେଳିଟା ଫିଟେଇଦେଇ କଇଥିଲି, ଅନେଇ ଥବୁରେ ପୁଅ । ରାସ୍ତା ଉପରକୁ ଯେମିତି ନ ଆସେ ।

ଗର୍ଭିଣୀ ଜନ୍ତୁଟା, ସଦାବେଳେ ଘରେ ବନ୍ଧାହେଇ ରହିଲା । ଟିକେ ବୁଲାଚଲା କଲେ, ଜାଗାକୁ ଦି’ ଜାଗା ମୁହଁ ମାଇଲେ, ତା’ କଥା ଅଲଗା । ସିଏ ତ ପୋଷଣାହାରି ପୁଅ ଭଳି । ତେଇଁଆରସନ ଜନମ ଦେଇଥିଲା ତିନିଟା ଖାସିଛୁଆ । ସେଇଥିରେ ଘର ଚଳିଲା ଆଜିଯାଏ । ତାଇ କଇବାକୁ ଆମର ଅଛି କିଏ ଆଉ ଆଗପଛକୁ ।

ତୁ ଗୋଟା ପୁଅ ଯେ, ଆଖର ସେତକ ତୋ ଦେଇ ହେଲାନାଇଁ । ଛେଳି ଛାଁ ଛେଳି ବୁଲିଲା । ତୋ ଛାଁ ତୁ ବାଗୁଡ଼ି ଖେଳିଲୁ, ପୋଲା ଖାଉଥିବା କୋଉ ପିଲାଙ୍କ ସାଙ୍ଗରେ । ସେ ସତ୍ୟାନାଶିଆ ଟ୍ରକ୍‍ବାଲାଏ, ତାଙ୍କୁ ତ ଇନ୍ଦ୍ର ଚନ୍ଦ୍ର ଖାତିର ପଡ଼ନ୍ତିନି ଗାଡ଼ି ଧଇଲେ । ହାଁ–ହାଁ କଉ କଉ, ଦେଲେ ଚଢ଼େଇ ଗାଡ଼ି ଛେଳିଟା ଉପରେ ଯେ–ଆହା, ବାଟି ହେଇଗଲା ବିଚାରୀ ତା’ ପେଟରେ ଛୁଆଗୁରାଙ୍କ ସାଙ୍ଗରେ । ମନ ଭିତରଟା ଯାହା, ଜଗନ୍ନାଥଙ୍କୁ ଏକା ଜଣା ।

ମରଣ ନାଇଁ ସେ ଟ୍ରକ୍ ବାଲାଙ୍କୁ !

ଦେଖୁ ଦେଖୁ ଟ୍ରକ୍‍ଟା ଛୁ–

କିଏ ମାତ୍‌ପରିଆ ଲୋକ ଅଛି ଯେ, ତାଙ୍କୁ ଅଟକେଇବ । ସେତିକିବେଳକୁ ଏ ଟୋକାଟା କୋଉଠି ଥେଲା, ଆଗରେ ଆସି ଭଲେଇ ହଉଚି । ସିଏତ ରାଗକୋହ ବେଳ । ପଦୁଟିଏ କଡ଼ାକରି କଇଚି । ମିଛ କାଇଁକି କଇବି ? ତେଇଁକି କୋଉ ଲୋକ ସେତେବେଳେ ଚୁପ୍‌ ହେଇଥାଆନ୍ତା ଯେ- !! କାନ୍ଦୁ କାନ୍ଦୁ ପାଟିକରି କଇ ଉଠିଲି, ମୋ ପୋଷଣାହାରି ଛେଳି ମଲା–ତତେ ଯାହା ମରଣ ନ ହେଲାରେ ନଟ ! ଆ, ଘରକୁ ଆଜି....

ମାତ୍ର ଏତିକି କଥା ।

କି ଦୋଷ ଏବେ ମୁଁ କଲି ଏଇଆ କଇ । ସେତେବେଳେ କିଏ କିଛି କହିପାରି ନଥାନ୍ତା, କଉତ ଭଲା ଛାତିରେ ହାତ ଦେଇ ? ମଣିଷ ହିସାବରେ ପୁଣି ରାଗରୋଷ ତ ଅଛି । ଆମେ ତ ଆଉ ଦେବତା ନୁହଁ ଯେ, ସବୁକଥା ଜାଣିପାରିବା–ସବୁକଥା ସହିଯିବା । ଆଜିକାଲିକା ଦେବତା ପରା ଆଉ ସହୁ ନାହାନ୍ତି । ଟିକେ କ’ଣ ଦୋଷ ଦେଖିଲେ ସବୁ ଓଲଟା କରି ଦଉଚନ୍ତି । (ଇଲୋ, ଇଲୋ ! ମରଣ ନାଇଁ ମତେ ! କ’ଣ ଗୁରା କଇଯାଉଚି । ହେ ଜଗନ୍ନାଥେ ! ମୋ ନଟିଆକୁ ଫେରେଇଦିଅ । ତାକୁ ଶୁଭବୁଦ୍ଧି ଦିଅ ।)

ଘରେ ଛେଳିଟା ନାଇଁ, ଯିଏ ବୋବାଳି ଛାଡ଼ି ଏ ଅସହ୍ୟ ନୀରବତା ଭାଙ୍ଗୁଥାଆନ୍ତା । ଘରେ ନଟ ନାଇଁ, -ଯିଏ ଶୋଇଲେ, ଚେଇଁଲେ, କଥା କହିଲେ, ଆନନ୍ଦ ଦଉଥାଆନ୍ତା । ଅନ୍ଧାର ଦୂର ଗାଁ ଲୁଗା–ବେପାରୀ ଭଳି ପରସ୍ତ ପରସ୍ତ ଭାଙ୍ଗକରା ନୀରବତାକୁ ବୋକଚାକରି ଆସିଚି । ବଡ଼ କଷ୍ଟ ଏ ନୀରବତା ।

ଆଖିରେ ନିଦ ନାଇଁ ଯଶୋଦାର ।

କି ଦିନ, କି ରାତି, କିଛି ଗୋଟାଏ ସେ କରିପାରୁନି । ଦିନଯାକ ରାସ୍ତାକଡ଼ରେ ଠିଆହେଇ, ଯେତେଦୂର ଯାଏ ଆଖିପାଏ, ସେ ଚାହିଁ ରହିଥାଏ ନଟର ଫେରିଲା ବାଟକୁ । କଳାପେଣ୍ଟ ସାଙ୍ଗକୁ ଆକାଶୀ ରଙ୍ଗର ଜାମାପିନ୍ଧି ସେ ଇସ୍କୁଲରୁ ଫେରୁଚି; ‘ମା....ଭୋକ’ କହି ଗୋଡ଼ ହାତ ଧୋଉଚି । ବହି ବସ୍ତାନି ଏଠିସେଠି ପକେଇଦେଇ ଖାଇବା ଜାଗାରେ ବସୁଚି......

 

ସେ ଖାଉଚି, ଖେଳୁଚି, ପଢ଼ୁଚି, ଗୀତ ବୋଲୁଚି, ଶୋଉଚି, ଦାନ୍ତ ଘଷୁଚି, ଗାଧଉଚି, ଇସ୍କୁଲ ଯାଉଚି, .....ପୁଣି ଶୁଖିଲା ମୁହଁକରି ସେ ଇସ୍କୁଲରୁ ଫେରୁଚି....

 

ନା, ସେ ଫେରିନି କେତେଦିନ ହେଲାଣି । .... ‘ଏତେ ଡେରି କାଇଁକି ହେଲା ? ଇସ୍କୁଲ ଛୁଟି ହେଇନି କି ? ନା, ବାଟରେ କୋଉଠି କାହା ସାଙ୍ଗରେ ମିଶି ଖେଳୁଚି’ ? ‘ଆସୁ ଆଜି, ଆକଟକରି କହିଦେବି ପଦେ । ଆଜିଠୁଁ ସଣ୍ଠଣା ଶିଖେଇବାକୁ ହେବ । ‘ଏକ ଛୁଆର ମାଆଠାରୁ ଦୁଃଖିନୀ ଜଗତରେ ଆଉ କେହି ନାହାନ୍ତି ବୋଧେ । ଟିକକ କଥାରେ ସନ୍ଦେହ, ଭୟ–ଛାତି ଦକଦକ-

 

ଲୋକେ କୁହାକୁହି ହୁଅନ୍ତି–ବର୍ଗୀ ଆସିଲାବେଳେ ଜନପଦ ଦିନରେ ବି ନୀରବ ହେଇଯାଏ ମଶାଣିପଦା ଭଳି । ଯଶୋଦା ଏବେ ପ୍ରତି ରାତିରେ ଦେଖୁଚି, ଅନ୍ଧାର ଓ ବର୍ଗୀ ସାଜି ଆସୁଚି । ସମସ୍ତଙ୍କୁ ଡରେଇ ଚୁପକରି ଦେଇ ଯାଉଚି । ସେଇ ଅନ୍ଧାର ଓ ନୀରବତା ଭିତରେ ଚଟପଟ ହେଉଚି ଯଶୋଦା ।

 

ଚୁଚୁନ୍ଦ୍ରାଟାଏ କବାଟ ତଳ ଫାଙ୍କବାଟେ ଘର–ବାହାର ହେଲାବେଳେ, ତା’ର ମନେହୁଏ, ଅନ୍ଧାର ରାତିରେ ଫେରିଆସିଲା କି ନଟ ଆଉ ! ଲାଜରେ, ଭୟରେ ଏବଂ ଭୋକରେ ଆସ୍ତେ ଆସ୍ତେ କବାଟରେ ଆଙ୍ଗୁଠି ପିଟୁଚି । କାଳେ ସେଇ ହେଇଥିବ.....

 

ଧଡ଼କିନା ଉଠିଯାଇ କବାଟଟା ଠିଆମେଲା କରିଦିଏ ଯଶୋଦା । ନା, କେଇ ନାଇଁ । କିନ୍ତୁ ହେଇତ, - ତା’ର ମନେହୁଏ କବାଟ ପାଖରେ ଠିଆ ହେଇଥିବା କେହି ଜଣେ ଧାଇଁ ଧାଇଁ ଯାଇ ସେଇ ବହଳ ଅନ୍ଧାର ଭିତରେ ଲୁଚିଯାଉଚି ।

 

ନା, ସେ ନଟ ନୁଏଁ ।

 

ନଟ ହେଇଥିଲେ ପରା ଯତୁନିଏଁ ଗୋଡ଼ର ଚପଲ ଘୋଷାରି ଘୋଷାରି ଯାଇଥାନ୍ତା । ସେଇଟା ତା’ର ଗୋଟା ଖୋଇ । ପଇସା ଦି’ ପଇସା ଛଞ୍ଚି ଛଞ୍ଚି କିଛି ରଖିଥିଲି ଯେ, ଦିନେ ଜୁତା ଘିନିବ ବିଲି ଅଇନି କଲା । ତେଇଁକି ମାଆ–ମନ ସମ୍ବଲା ପଡ଼ୁଚି କେତେକେ । ସେତେକ ପଇସା ଦେଲି । ଚପଲ ହଳେ ଆଇଁଲା । ହେଲେ କ’ଣ ହବ–ଯାଉ ସେ ପଇସା, ପଇସା କ’ଣ କା’କୁ ସର୍ଗକୁ ନବ; -

 

ପୁଅଟାର ଗୋଡ଼କୁ ଚପଲ ହଳଟା ବେଶ୍‌ମାନେ । ମାପିଚୁପି ତିଆରି କଲାଭଳି ତା’ ପାଦପେଇଁ କିଏ ଗଢ଼ିଥେଲା ନିଶ୍ଚେ ।’’

 

ହେଇ, ନଈକୂଳ ଆଡ଼ୁ ଗୋଟାଏ କି ଚଢ଼େଇ ଅସନା କଣ୍ଠରେ ରାବୁଚି । ଭାରି ବେବାଗିଆ ଶୁଭୁଚି ଏକା ତା’ ରଡ଼ି । ନଟଟା କି ଗଉଁ ଧଇଲା ସତେ, ଏକାଟିଆ କୁଆଡ଼େ ପଳେଇଲା ? ରାତି ବିକାଳି କ’ଣ କୋଉଠି କରୁଥିବଟି ! ରାତିରେ ବାହାରକୁ ଉଠିଲେ, ମତେ ନ ଉଠେଇ ଉଠିବନି । କେଡ଼େ ହୀନିମାନିଆ କଥା ହେଲା ସତେ !

 

ଏଣିକି ସେ ଟୋକାକୁ ପଦେ ଯଦି କିଛି କଇଚି, - ହେଇଟି କାନମୋଡ଼ି ହେଲି - ମୋ ନାଁ ଯଶୋଦା ନୁଏଁ, ବ୍ରହ୍ମଚଣ୍ଡାଳୀ ।

 

ସିଏ ଏବେ ଆଝହୁଁ ଏବେ ଅଭିମାନିଆ ହେଇଗଲାଣି ବିଲି କେମିତି ବା ଜାଣିବି ! ଛେଳିଟା ମରିଗଲା । ମରିଗଲା ତ କ’ଣ ହେଇଗଲା । ସିଏ କ’ଣ ଆଉ ମରନ୍ତାନି ଦିନେ । ମତେ କଥାଟା ନଗଦା ନଗଦି ବାଧିଲା ବିଲି ସିନା ପଦେ କଇଦେଲି । ତୁ ପୁଅଟା ସେଇ କଥାକୁ ଛଳକରି ଘରୁ ପଳେଇବୁ । ଥରେ ଭାବିଲୁନି, ତୋ ଛଡ଼ା ମୋର ଆଉ କିଏ ଅଛି ? ତୋଅରି ନାଗି ସିନା ସବୁ । ତୁ ଥେଲେ କେତେ କ’ଣ ହବ ।

 

ମନେମନେ ନଟକୁ ବୁଝାଏ ସେ–

 

କିନ୍ତୁ ନଟ ପାଖରେ ନଥାଏ ।

 

କଅଁଳା ବାଛୁରୀ ଧାଁ–ଦଉଡ଼କରି ଯାଇ ମାଆ କ୍ଷୀର ଖାଉଥିବା ଦେଖିଲେ, - ଯଶୋଦାର ଦିହ ଶୀତେଇ ଉଠେ । ଛାତି କୁତୁ–କୁତେଇ ହେଇଯାଏ ଆପଣଛାଏଁ । ନାଭି ପଦୁଅଁରୁ କ’ଣ କେମିତିଆ ଗୋଟାଏ ଭାବ ସଞ୍ଚରି ଯାଏ ଏକବାରେ ମୁଣ୍ଡକୁ । ତାକୁ ଭାରି ଭଲଲାଗେ ସେ ଦୃଶ୍ୟ, ସେ ଅନୁଭୂତି ।

 

ଛାଇ ଲେଉଟାଣି ବେଳେ–

 

ଚଢ଼େଇମାନେ ଡକାହକା ହେଇ, ଦଳ ଦଳ, ଆକାଶରେ ଶବ୍ଦମାନଙ୍କୁ ବୁଣିବୁଣି ଗଲାବେଳେ, ଯଶୋଦାର ଆଖି ଅଠାଳିଆ ହେଇ ଲାଖିଯାଏ ସେମାନଙ୍କ ପଛରେ । ମନହୁଏ କହିଦବାକୁ, - ନଟକୁ ଆମର କହିଦେବ, ମୁଁ ଭାରି ଖୋଜି ହଉଚି, ଜଲଦି ଫେରି ଆସିବାକୁ । ଯୋଉଠି ଥାଉ, ଟିକେ ଖବର ଦବ ।

 

ଆଉ ଠିକ୍‌ ସେତିକି ବେଳେ–

 

ମହୁମାଛିଗୁଡ଼ାଙ୍କର କ’ଣ ହେଇଯାଏ କେଜାଣି, -ବସା ପାଖକୁ ଆସି, ନଟ ବହିରୁ କ’ଣ ମନେ ରଖିବାକୁ ଚେଷ୍ଟା କଲାବେଳେ ଗୁଣୁଗୁଣୁ ହଉଥିବା ଭଳି, ସେମାନେ ଗୁଣୁଗୁଣୁ ହୁଅନ୍ତି । ଭାରି ଭଲଲାଗେ ସେ ବେଳଟା ।

 

ପୁଣି ଆଉ ଟିକକ ଭିତରେ–

 

ନାଲି ଧୂଳି ଉଡ଼େଇ ସେଇ ଅଣଓସାରିଆ ବାଟ–ଅବାଟକୁ ଓସାରିଆ ମନେକରି, ଫେରିଆସନ୍ତି ମଥୁରି ବୁଢ଼ାର ହେପାଜତରେ ଥିବା ଗାଈ ପଂଝାକ । ନାଲି ଗୋଡ଼ି ଉପରେ ସେମାନଙ୍କ ଖୁରାଗୁରାକ ନଟର ଚପଲ ଘୋଷରା ଶବ୍ଦ ଭଳିଆ ଶୁଭେ ।

 

ଆଗରେ ଆସି ଠିଆ ହେଇଯାଏ ମଥୁରି ବୁଢ଼ା ।

 

ତା’ର ସେଇ ପୁରୁଣା ଅପ୍ରଚଳିତ ପ୍ରଶ୍ନ ......

 

‘ପୁଅ ଫେରିଲା ମା’ ?‘

 

ନିରୁତ୍ତର ଯଶୋଦା । କ’ଣ ଉତ୍ତର ଅବା ଦବ ? ସବୁଦିନର ଅଭ୍ୟସ୍ତ ଢଙ୍ଗରେ ମୁଣ୍ଡଟା ଘୂରିବା ଆଗରୁ ସେ ତାକୁ ସ୍ଥିର କରିନେଲା । ଦୃଢ଼ କରିନେଲା ମନକୁ । ନା, ସେ ଆଜି କିଛି ସୂଚନା ବି ଦେବନି ଏ ବୁଢ଼ାକୁ; - କିମ୍ବା ତା’ର ସେ ବିଦିଗିଛିଆ ହସ ସେ ଆଉ ଶୁଣିବନି । ହେଇଥାଉ ପଛେ ସେ ସହାନୁଭୂତିର ହସ । ତା’ ମନରେ ତ ସେ ହସ କଷ୍ଟ ଦଉଚି ।

 

ବଲବଲ କରି କେବଳ ଚାହିଁ ରହିଥିଲା ଯଶୋଦା ।

 

ନା, କିଛି କହିବ ନାଇଁ ସେ ।

 

ବୁଢ଼ା ଆଜି କିଛି ନୂଆ କାମ କରୁଚି । ସେ ଅଣ୍ଟାରେ ବାଡ଼ି ଭରାଦେଇ ଠିଆହେଲା ସତ; କିନ୍ତୁ ଚୂନପତ୍ର ନ କାଢ଼ି, କାଢ଼ିଲା ପଟେ–ଚପଲ, ତା’ର ମଇଳା ଦଶଚିରା ଗାମୁଛା ଭିତରୁ । ଯଶୋଦାର ସ୍ଥିର ଆଖି ଅସ୍ଥିର ହେଇଉଠିଲା । ‘ଏଇଟା, .....ଏଇଟା ତ.....ନଟ ଚପଲ !’

 

ବିହ୍ୱଳିତ ଭଙ୍ଗୀରେ କହି ଉଠିଲେ ଯଶୋଦା ।

 

‘ନଈ ଗଣ୍ଡ କୂଳରେ ପଡ଼ିଥିଲା । ଭାବିଲି’.....

 

ମଥୁରି ବୁଢ଼ାର କଥା ଅଧା ରହିଗଲା । ଆହତା ବାଘୁଣୀ ଭଳି ଚପଲ ପଟକୁ ଭିଡ଼ି ନେଇଗଲା ଯଶୋଦା ଏବଂ ତାକୁ ଛାତିରେ ଜାକିଧରି ପାଗଳୀଙ୍କ ଭଳି ହସିଉଠିଲା ଜୋରରେ । ତା’ ହସରେ, ଘର ବାହୁଡ଼ା ଗାଈଗୁଡ଼ାକ ରାସ୍ତା କଡ଼ର ଫସଲ କିଆରିରୁ ଯେଉଁ କଳେ କଳେ ଫସଲ ଖାଇଥିଲେ, ତାକୁ ଛାଡ଼ି ତରକି ଦଉଡ଼ିବାକୁ ଲାଗିଲେ । ଯଶୋଦାର ହସ ଦେଖି ସଁ ସଁ ହେଇ କାନ୍ଦି ଆସୁଥିବା ମଥୁରି ବୁଢ଼ା ସ୍ତବ୍ଧହେଇ ତା’ ଆଡ଼କୁ ଚାହିଁ ରହିଲା । ଏବଂ କିଛି ସମୟ ପରେ ତା’ର ସେଇ କାନ୍ଦୁରା ସ୍ଵରରେ ପାଟିକରି କହିଗଲା–‘ଆଲୋ ହେ, ହେ ବଉଳୀ, ଗୋସେଇଁ ଖାଈ ! ଯାଉଚୁ.....

 

ମାତ୍ର ମଥୁରି ବୁଢ଼ାର ସ୍ଵରକୁ ଟପି ସୃଷ୍ଟି ହେଇଥିବା ଯଶୋଦାର ହସର ପ୍ରତିଧ୍ୱନି–ଜନିତ ଶବ୍ଦମାନଙ୍କୁ ଧରି ରଖିଥିବା ଗଛ ବୃଛମାନେ ସେପର୍ଯ୍ୟନ୍ତ ଦୋହରେଇ ହଉଥିଲେ ନିଜ ନିଜ ଭିତରେ । ବୋଧହୁଏ କିଛି ଅର୍ଥ ବାହାର କରିବାକୁ ଚେଷ୍ଟା କରୁଥିଲେ ।

Image

 

ନୀଳ-ନୀଡ଼ର ନଟୀ

 

ପୁଣ୍ୟତୋୟା ଚିତ୍ରୋତ୍ପଳାର ଆର ପାରିରୁ....

 

ପଝାରିଟିଏ ଡାକୁଚି । ରାତି ମାଡ଼ି ଆସୁଛି । ଏକୁଟିଆ ଅଛି ସେ । ଉଚ୍ଚ ଗଳାରେ ଡାକୁଚି । ନିର୍ଜନ କୂଳ ପ୍ରତିଧ୍ୱନି ତୋଳୁଚି । ନଈର ଗମ୍ଭୀର ଗର୍ଜନ ମଉନ ହେଇଯାଉଚି ସେ ଡାକରେ । ‘କରୁଣାରେ ହେ... ଏ ... ଏ .... ଏ’

 

ମେଘପାଣି ଦିନ । ଈଶାଣ କୋଣରୁ କଳାହାଣ୍ଡିଆ ବଉଦ ଦଳ ଆକାଶ ଛାତିକୁ ମାଡ଼ି ମାଡ଼ି ଆସୁଚନ୍ତି । ସୁଲୁସୁଲିଆ ଶୀତୁଆ ପବନ ବହୁଚି । ଗୋଡ଼ ହାତ କୋଲପି ମାରି ଯାଉଚି । ଓଠକୁ ଓଠ, ଦାନ୍ତକୁ ଦାନ୍ତ ବାଜୁଚି । ପାଣି ସରସର ଦଉଡ଼ିଟାକୁ ଟେକି କିଳାରେ ବାନ୍ଧୁଥିଲା କରୁଣା-। ମୁଣ୍ଡ ଉପର ଝାମ୍ପିରେ ମେଘର ବରକୋଳିଆ ଟୋପାର ଦୁଇ ତିନିଟା ଆବାଜ ଶୁଣିଲା-। କାନରେ ବାଜିଲା ଆରପଟୁ କା’ର ଛାତିଫଟା ଚିତ୍କାର । ବିକଳ କଣ୍ଠର ଅନୁରୋଧ । ଉପାୟହୀନ ଭଳି ଛିଡ଼ାହେଲା ସେ । କ’ଣ କରିବ ? ସଅଳ କାମସାରି ଆସିବାକୁ ଆଜି ସବୁ ବାବୁମାନଙ୍କୁ କହିଥିଲା-। ସମସ୍ତେ ତ ଆସିଲେ । କିଏ ଆଉ ରହିଲା ବାକି... ?

 

ଭରା ନଈ । ଦିକୁଳ ଖାଉଚି । ମେଞ୍ଚା ମେଞ୍ଚା ଫେଣ ଧରି ଛୁଟିଚି ସେ ସାଗର ଆଡ଼େ । ଉଛୁଳା ଯୌବନର ବେପଥୁ ସାଜିଥିବା ଜୁଆର ସହ ସବୁ କିଛି ସେ ସମର୍ପିଦେବ ସାଗରକୁ । ହେଲେ ପ୍ରତିଦାନରେ ପାଇବ କ’ଣ ? ଦୁନିଆରେ ତେବେ କ’ଣ ଏମିତି ଦାନ ଅଛି ଯା’ର ବି ପ୍ରତିଦାନ ନାହିଁ !!

 

ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଇଚି । ଫେଣ କହୁଚି, ପାଣି ଆହୁରି ଆସିବ । ନଈର ପେଟ ଆହୁରି ଫୁଲିବ । ଆଖି ପାଉନି ସେପଟକୁ । ଏକୁଟିଆ ମଣିଷ । ସାହସ ପଇଟୁ ନାହିଁ । ଏଡ଼େ ତାନେ ପବନ ବହୁଚି । ନା, ସେ ଆଉ ଯିବନି । ରହୁ କିଏ ରହିଲା । ଏତେ କରି କହିଥିଲା, ଜାଣିଶୁଣି ଯଦି କିଏ ଉଛୁର କରିବ, ତେଇଁକି ଦାୟୀ କିଏ !

 

ଦୂରରୁ ଶୁଭିଲା ସେଇ ଡାକ, ସେଇ ଆତୁର ଆହ୍ଵାନ, ବିକଳ ନିବେଦନ ।

 

କାନର ପରଦା କମ୍ପି ଉଠିଲା । ହୃଦୟର କେଉଁ ଅଜଣା କୋଣରେ ଟିକିଏ ଦରଦ ଜଳି ଉଠିଲା । ଆସ୍ତେ ଆସ୍ତେ ସିଏ ପୁଣି ସାରା ହୃଦୟକୁ ଆଲୋକିତ କଲା । କରୁଣା ଭବିଲା, ଯଦି କିଏ ନୂଆ ମଣିଷ ହେଇଥିବ !! ବିଦେଶୀ ହେଇଥିଲେ ?? ବିଚାରା ଝଡ଼ି ବରଷାରେ ନିଛାଟିଆ ଜାଗାରେ ପଡ଼ି ରହିବା ସିନା । ଆହା !!!

 

ତେବେ କ’ଣ ଏକୁଟିଆ ସୁଅ ମୁହଁକୁ ଯିବାକୁ ହେବ ? ଛାତି ଚମକି ଉଠୁଚି । ମଞ୍ଜ ଦୋହଲା ପୂବେଇ ପବନ ବହୁଚି । ନଈର ଥଳକୂଳ ନାହିଁ । କେଉଁଠି ଯଦି ତୋଡ଼ ମୁହଁରେ ପଡ଼ି ଯିବନା, ଅକଲ ଗୁଡ଼ୁମ୍‌ । ନା, ସେ ଆଉ ନାଆ ଫିଟାଇବନି । ଆଜି ଘାଟକୁ ଆସିଲାବେଳେ ରଙ୍ଗ କହିଥିଲା, ବେଏଗି ଆସିବ । ଝଡ଼ି ବରଷା ଦିନ । ବେଶୀ ରାତିଯାଏ ରଇବନି ।

 

ମାଇପି ମନ; ଭାରି କଅଁଳ । ଭାରି ସରଳ ସେ । ଟିକିଏ ବିଳମ୍ବ ସହିପାରେନା । ଫେରିବା ବାଟକୁ ଚାହିଁ ବସିଥିବ । ଖାଇ ନ ଥିବ । କୋଳରେ ତା’ର ଦେଢ଼ମାସର ଶିଶୁ । ନାଁ ଅଇଁଠା । ଗୋଟି ଗୋଟିକରି ସବୁ ଛୁଆକୁ ଯମ ଖାଇଲା । ଏଇଟା ତା’ରି ପାଟିରୁ ଖସିପଡ଼ିଚି । ତା’ରି ଅଇଁଠା । ହେଲେ ମାସକେ ଅଧେଦିନ ତା’ର ଦିହ ଅସୁଖ ।

 

ଆସିଲାବେଳେ ପୁଅ ଦେହ ଖରାପ ଥିଲା । ବାନ୍ତି କରୁଥିଲା । କିଛି ଖାଉ ନଥିଲା । ଗଲେ ବଇଦ ଘରକୁ ଯିବାକୁ ହବ । ସେଥିଲାଗି ରଙ୍ଗ ଆକଟକରି କହିଚି, ସଅଳ ଆସିବ ।

 

ମୁରୁକେଇ ମୁରୁକେଇ ହସି ସେ କହିଥିଲା, କ’ଣ ଗୁଡ଼ଘରେ ପିମ୍ପୁଡ଼ି ଲାଗି ଯାଉଚନ୍ତି କି, ମୁଁ ସଅଳ ଆସି ହୁରୁଡ଼େଇବି ।

 

ଅଭିମାନ କରିଥିଲା ରଙ୍ଗ । ରାଗ ତା’ ମୁହଁରେ ଅବିର ବୋଳି ଦେଇଥିଲା । ଆଖିରେ ଅକୁହା ଭାଷା ଠୁଳହେଇ ଯାଇଥିଲା । ଆଶ୍ଚର୍ଯ୍ୟ ହେଇଥିଲା କରୁଣା । ନିଜକୁ ବୁଝାଇ ପରାଜିତର ହସ ହସିଥିଲା ସେ । ଭାବିଲା କି ଅଭୂତ ଶକ୍ତି ରହିଛି ଏଇଠି ! କି ମାୟା ଏଠି ଭଉଁରୀ ଖେଳୁଚି ! ତା’ର ପୁରୁଷପଣିଆ ସେ ଚାହାଣି ପାଖରେ ନଇଁ ପଡ଼ିଲା ।

 

‘ଆସିବିରେ ବାବା, ଆସିବି । ରାଗରେ ଏମିତି ଜଳି ଯାଆନା’ । ବାସ୍‌ ଏତିକି....ଏତିକିରେ ସେ ଅଭିମାନ କୁଆଡ଼େ ପାଣିଫୋଟକା ଭଳି ଉଭେଇଗଲା । ହସର ଆଲୁଅ ଅଭିମାନ ଅଙ୍ଗାର ଭିତରୁ ହୁତୁହୁତୁ ହେଇ ଜଳି ଉଠିଲା । ତା’ କପାଳ ଚୁମି କରୁଣା ଆସିଥିଲା ଘାଟକୁ ।

 

କରୁଣା କେତେ ଭଲ ଭଲ ବାବୁମାନଙ୍କୁ ପାରି କରିଚି । କେତେ ବଡ଼ ବଡ଼ କଥା ଶୁଣିଚି-। କିଏ କହେ, ଭଗବାନ ନାହାନ୍ତି । ଆକାଶରେ ସୂର୍ଯ୍ୟ ତାରା ଘୂରୁନାହାନ୍ତି । ପୃଥିବୀଟା ଘୂରୁଚି-। ହଇ ହେ, କି ଆଶ୍ଚର୍ଯ୍ୟ କଥା ! କି ତାଜିବ୍‌ କଥା !! ପୃଥିବୀଟା ଘୂରୁଥିଲେ ନଈପାଣି ଓଜାଡ଼ି ହେଇ ପଡ଼ନ୍ତାନି ? ନାଆ ଓଲଟି ପଡ଼ନ୍ତାନି ?

 

ମିଛ କଥା । ବାବୁମାନଙ୍କର ମୁଣ୍ଡ ଖରାପ । ଗଞ୍ଜେଇ କି ଭାଙ୍ଗ ନିଶାରେ ଏକଥା ବୋଧେ କହନ୍ତି ସେମାନେ । ମାତ୍ର ଅନ୍ୟ ବାବୁମାନେ ବୁଝନ୍ତି । ଏ ପାଠପଢ଼ୁଆ ବାବୁମାନେ ସମସ୍ତେ ଏକାଭଳିଆ କଥା କହନ୍ତି । ତଥାପି ତା’ ମନରେ ପରତେ ଆସେନା ।

 

ଆଜି ଘାଟକୁ ଆସୁ ଆସୁ ସେଇମାନଙ୍କ କଥା ମନେପଡ଼ିଥିଲା । ସେମାନଙ୍କୁ ଯଦି ଆଜି ଦେଖିଥାନ୍ତା, ତେବେ ପଚାରିଥାନ୍ତା, ଏ ମାଇପି ଜାତିଠୁଁ ମରଦମାନେ ଏତେ ଫରକ କାହିଁକି ? ତାଙ୍କ ଦେହରେ କିଏ ରୂପର କୁହୁକ ରଖିଛି ? ଭଗବାନ ଯଦି ନାହାନ୍ତି, କିଏ ତାଙ୍କ ମୁହଁକୁ ଫୁଲ ଭଳି କଅଁଳ କରିଚି ? ପୁଣି ମହକ ଭରିଚି ଏତେ ! ଆଖିରେ କାଉଁରୀ–ଅଞ୍ଜନ ମାଖିଚି କିଏ ?

 

ଏଥର କ’ଣ ସେ ଭଗବାନଙ୍କୁ ଅସ୍ଵୀକାର କରିବେ ? କହିପାରିବେ ସେମାନେ, ନାଉରିଆ ନଥାଇ ଏ ସଂସାର–ନଉକା ଚଳୁଚି କେମିତି । ମୁରବି ନଥାଇ ଘର ଚଳିବ କେମିତି ! ନିଶ୍ଚୟ ଭଗବାନ ଅଛନ୍ତି । ସବୁଠି ଅଛନ୍ତି । ତା’ର ଘରେ ବି ଜନମ ନେଇଚନ୍ତି । କାନ୍ଦୁଚନ୍ତି, ହସୁଚନ୍ତି-। ରଙ୍ଗ କୋଳକୁ ଆଲୋକିତ କରୁଚନ୍ତି । ରଙ୍ଗ ତାଙ୍କ ମା’ । ଆଉ ସେ... !!! ନା–ନା, ଏ ଦୁନିଆଟା ଯାକର ସେ ମାଆ–ବାପ, ହର୍ତ୍ତାକର୍ତ୍ତା ଦଇବ ବିଧାତା । ସିଏତ ରଙ୍ଗ ହାତକୁ ମୋ ହାତରେ ବାନ୍ଧିଚନ୍ତି ।

 

କାଆଲି ସକାଳର କଥା ।

 

ସପନ ଭଳି ମନେହେଉଚି । ସେଦିନ ଆକାଶରେ ଲାଗିଥିଲା ମୌସୁମୀ ଉତ୍ସବ । ଆକାଶ ରଜା ଝିଅ ଚାନ୍ଦର ପୁନିଆଁ ମଉଛବ । କୁଆଁର ପୁନେଇ । ଏତେ ବଡ଼ ନେଳିଆ ଆକାଶଟାରେ କୋଉଠି କେମିତି ଖଣ୍ଡେ ଖଣ୍ଡେ ରୂପା ରଙ୍ଗର ଭଷାମେଘ ଖେଳି ବୁଲୁଥିଲେ । ଏଇ ଘାଟକୁଳ । ତୋଫା ଜହ୍ନ ଆଲୁଅ ପଡ଼ିଥାଏ । ନାଆ ବାନ୍ଧିବାକୁ ଯାଉଚି, ଦୁଇଜଣ ଲୋକଙ୍କୁ ଦେଖିଲା ସେପଟେ । ଅଧା ନଈ । ଏପଟ ସେପଟ ଦିଶୁଥାଏ । ଧୋବ ଫରଫର ପୁନେଇ ଜହ୍ନରେ ସଫା ବାରିହେଇ ପଡ଼ୁଥାନ୍ତି ମାଇପି ଦିହେଁ । ଜଣେ ବୃଦ୍ଧା, ଆଉ ଜଣେ ତରୁଣୀ । ମନରେ ଦୟା ଆସିଲା । ନାଆ ନେଇଗଲା ।

 

ବୁଢ଼ୀ କଲ୍ୟାଣ କଲା–‘କୋଟି ପରମାୟୁ ହେଇଥାଉରେ ପୁଅ’ ।

 

କରୁଣା ପଚାରିଲା, ଏତେ ରାତିରେ କୁଆଡ଼େ ଚାଲିଛ ମାଉସୀ ?

 

ବୁଢ଼ୀ ଏଇ କଥା ଶୁଣି କେଜାଣି କାହିଁକି କାନ୍ଦି ପକାଇଲା । ଆଖିରେ ଜଗିଲା ଲୁହର ଜୁଆର । ତା’ରି ଉପରେ ସେ ଭସାଇଦେଲା ତା’ର ଅତୀତ ଘଟଣାରାଜିର କୁଟା–କାଠିକୁ ।

 

ନାଆ ଚାଲିଥାଏ ।

 

ବୁଢ଼ୀ କହୁଥାଏ.....

 

ତା’ରି ଅଙ୍ଗ ନିଭେଇବା କଥା, ଅତୀତର ହୀନସ୍ଥା.....

 

ଗୋଟିଏ ବୋଲି ଝିଅ ଏଇ ରଙ୍ଗ । କେତେ ଗେଲବସରରେ ବଢ଼ିଥିଲା । ‘ରେ’ ପଦ କାହାଠୁଁ ଶୁଣି ନଥିଲା । ହେଲେ ସବୁକଥା ସବୁଦିନେ ରହେନା । ଶେଷରେ ଦଇବ ଭଗାରି ହେଲା । ଅଧା ବଅସରେ ସିଏ ହାତରୁ କାଚ କାଢ଼ିଲା । ମୁଣ୍ଡରୁ ସିନ୍ଦୁର ପୋଛିଲା । ତା’ ଝିଅର ଗେହ୍ଲାବସର ଧୁଳିରେ ମିଶିଲା । ଦାଦୀ ଖୁଡ଼ିଙ୍କର ନିର୍ଯ୍ୟାତନା ସହିବାକୁ ହେଲା । ‘ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ’ । ତା’ ମନଇଚ୍ଛା, ସେ ତା’ର ଟାଣିଲା । ଘୋଷାଡ଼ିଲା । ହୃଦୟ ଆଉ ମନକୁ ଖଣ୍ଡିଆଖାବରା କଲା । ଯନ୍ତ୍ରଣା ବଢ଼ିଲା । ଶେଷରେ ସେ ଦାଉ ଆଉ ସମ୍ଭାଳି ହେଲାନି । ଝିଅକୁ ସାଙ୍ଗରେ ଧରି ସେ ଘରୁ ଗୋଡ଼ କାଢ଼ିଲା । ‘ଆଜି କୁଆଁର ପୁନେଇଁରେ ପୁଅ ! ଏ ଭଳିଆ ଦିନୁଟାରେ...

 

ଆଉ କହି ନ ପାରି ସେ କାନ୍ଦିଉଠିଲା ଜୋର୍‌ରେ । ଝିଅଟି ତାକୁ ବୋଧ ଦେଲା । ‘ଛି ବୋଉ, ତୁ କାନ୍ଦୁଚୁ କାହିଁକି ? କେଉଟ କୁଳ ଆମର । ରାତି ପାହିଲେ ଜାତି ବେଉସା ଲଗେଇଦବା-। ପେଟ ଦି’ଟା କ’ଣ ଅପୋଷା ରହିବ । ଠାକୁରେ ପେଟ ଦେଇଚନ୍ତି ଯେତେବେଳେ ବଞ୍ଚିବାର ବାଟ ନିଶ୍ଚୟ କରିବେ । ଦେଇ ଦେଖ, ଭଗବତୀ ଘାଟ, ବଟେଶ୍ଵର ଗାଆଁ ଆଉ ଦିଶୁନି-। ଆଗରେ ଭଗବାନପୁର । ମାମୁଘର ପାଖ ହେଇ ଆସିଲା । ଆଉ ଚିନ୍ତା କ’ଣ ? ଛିଃ, ଆଉ କାନ୍ଦନା-

 

ବୁଢ଼ୀ ଭଙ୍ଗା କଣ୍ଠରେ କହିଲା, ପେଟ ଚିନ୍ତା ସିନା ରହିବନି, ତୋ ଚିନ୍ତାତ ରହିବ ଲୋ ମା’ ! ଝିଅ ଘିଅ । କେତେଦିନ ଆଉ ସାଇତିବି !

 

ଝିଅଟି ମଉନ ରହିଲା ଏଥର । କରୁଣା ସବୁ ଶୁଣୁଥିଲା । ଶେଷରେ କହିଲା, ମାଉସୀ ରଙ୍ଗପାଇଁ ଏତେ ଚିନ୍ତା କ’ଣ ମ ! ତା’ ପାଇଁ କ’ଣ ବରଘର ଅଭାବ ରହିବ ?

 

ପ୍ରକୃତରେ ତା’ ପାଇଁ ବରଘର ଅଭାବ ରହିଲାନି । ମଗୁଶିର ମାସ ଆଖର ତିଥିରେ ସେ ତା’ର ନୂଆ ସଂସାର କରିବାକୁ ଆସିଲା କରୁଣା ଘରକୁ । ସେଦିନ ବି ଆକାଶରେ ଜ୍ୟୋତ୍ସ୍ନାର ଜୁଆର ଉଠୁଥିଲା । ଶୀତ ଛପି ଛପି କଲିଜା ଥରାଇ ଦେଉଥିଲା । ନିରାଡ଼ମ୍ବରରେ ବାହାଘର ସରିଗଲା । କରୁଣାର ଭଙ୍ଗାଘରେ ଧୋବ–ଧାବଲା ଚିତା ପଡ଼ିଲା । ତା’ର କୁଡ଼ିଆ ଘରକୁ ନଇଁ ନଇଁ ଜଗି ଜଗି ଛୋଟ ଛୋଟ ପାହୁଲ ପକାଇ ଆସିଲା ରଙ୍ଗ ।

 

ସତରେ ତା’ର ଭଙ୍ଗା କୁଡ଼ିଆରେ ରଙ୍ଗ ଲାଗିଲା । କରୁଣା ବଦଳିଗଲା । ହୁରୁମାଗିରି ଛାଡ଼ି ଘର ଆଡ଼କୁ ମନଦେଲା । କାଣୀ ମା’ ବୁଢ଼ୀ ଉପରେ ଘରର ଭାର ନଛାଡ଼ି ନିଜେ ମଙ୍ଗ ଧରିଲା । ସାଙ୍ଗ–ସରିସା ଟୋକା–ଟାକଳିଆ ଥଟ୍ଟା ପରିହାସ କଲେ । କିଏ କହିଲା, କିରେ ବାପ, ରାତିରାତି ଲମ୍ବ ଦାଢ଼ୀ । ଭଲ–ଭଲ । ଏକବାରେ ପକ୍‌କା ଗୃହସ୍ଥ । ସଞ୍ଜ ପହରୁ ବି ଘର ଛାଡ଼ିବା ମୁସ୍କିଲ ।

 

କିଏ କହିଲା, କିରେ ରଙ୍ଗ, ତୋ ମନରେ ଏମିତି କି ରଙ୍ଗ ବୋଳିଲା କି ?

 

ଆଉ କିଏ କହିଲା, ହଁରେ, ବେକରେ ପଡ଼ିଲେ ସମସ୍ତେ ବଜେଇ ଶିଖନ୍ତି ।

 

କରୁଣା ସେ ଆଡ଼କୁ ନିଘା ଦେଇନି । ସେ ଘର କରିବ । ମଣିଷ ହବ ! ରଙ୍ଗକୁ ସେ ତା’ ଘରକୁ ହାତଧରି ଆଣିଚି । ବିଚାରୀ ନିଆଶ୍ରୀଟାଏ । ତା’ ମୁହଁରେ ଆହାର ଦବ । ଏଇ ହେଲା ତା’ ଜୀବନର ଲକ୍ଷ୍ୟ । ଏଣିକି ଚିତ୍ରୋତ୍ପଳାର ସେଇ ଘାଟରେ ଯେତେ ରାତି ହେଲେବି କେହି ଆଉ ଫେରନ୍ତିନି ।

 

ବାହାଘରର ବରଷ ପାଞ୍ଚଟା ପରେ ତାଙ୍କ ସଂସାରକୁ ଅଇଁଣ୍ଠା ଆସିଲା । ଟିକି ମୁହଁ, ଟିକି ହାତ । ଠିକ୍‌ ଜୀଅନ୍ତା ଠାକୁର ପ୍ରତିମାଟି ଭଳି । ହେଲେ ଠାକୁରେ ତା’ ଉପରେ ସବୁବେଳେ ରାଗ ରଖିଲେ । ଦିନେହେଲେ ତ ସୁଖରେ ରଖିଲେନି ତାକୁ । ଏ ଝଡ଼ି ବରଷା ଦିନେ ବି......

 

ଚମକି ଉଠିଲା କରୁଣା । ଏ କ’ଣ କରୁଚି ସିଏ ! ଆଣ୍ଠୁଏ ପାଣିରେ ଠିଆହେଇ କ’ଣ ଗୁଡ଼ାଏ ଭାବୁଚି । ଆକାଶକୁ ଚାହିଁଲା । କାହିଁ, ବରଷା ବତାସୀ ତ ମଳିନ ପଡ଼ିନି ?

 

ଲୋକତ ସେମିତି ଡାକୁଚି । କରୁଣାରେ–ଏ–ଏ.....ହେ–ଏ–ଇ.....

 

ନା, ସେ ଯିବ; ତା’ର କର୍ତ୍ତବ୍ୟ କରିବ । ନ ହେଲେ ଠାକୁର ଅଶାନ୍ତି ହେବେ । ମା’ ଭଗବତୀ ରାଗିବେ । ନାଉରୀ ସେ । ବେଳ ଅବେଳରେ ପଝାରିଙ୍କୁ ପାରିକରିବା ତା’ର କାମ । ତା’ ଆଗରେ ପୁଅକୁ ଭଲ କରିବା ଯେଡ଼ିକି ବଡ଼ କାମ, ପଝାରିଙ୍କୁ ବିପଦ ବେଳେ ପାରିକରିବା ସେତିକି ମହତ କାମ । ସେ ଭୁଲ୍‌ କରିଚି । ଜାଣି ଜାଣି ଲୋକଟାକୁ ସେପଟେ ଦଣ୍ଡ ଦେଉଚି । ସେ ଯିବ । ସେ ନିଶ୍ଚୟ ଯିବ ।

 

ନିର୍ଜନ ବେଳା । ଅନ୍ଧାରରେ ରୁମମୂଳ ଦିଶୁନି । କିନ୍ତୁ କରୁଣାକୁ ବୁଦ୍ଧି ଦିଶିଲା । ‘ହରିବୋଲ’ ଦେଇ ସେ ନାଆ ମେଲିଦେଲା । କାତ ଭିଡ଼ିଲା । ହରି....ଇ....ବୋଅଲ...

 

ପବନ କମିନି । ବତାସୀ ଥମିନି । ନାଆ ବାହି ଚାଲିଚି କରୁଣା । ଏକୁଟିଆ ଉଛୁଳା ନଈ ସଙ୍ଗେ ସଂଗ୍ରାମ କରୁଚି । ପଝାରିକୁ ପ୍ରତି–ଉତ୍ତର ଦେଇ ଏଥର କହିଲା, ଯାଉଚି, ଯାଉଚି ।

 

ନିଛାଟିଆ ରାତି । ନଈର ପେଟରୁ ଗୁରୁଗୁରୁ ଗର୍ଜନ ଶୁଭୁଛି । କଳକଳ ଚିତ୍କାର ଉଠୁଚି । ସୁ–ସୁ ପବନ ଡାକୁଚି । ହଠାତ୍‌ କାତର ଡବଡ଼ବ ଶବ୍ଦ ବନ୍ଦ ହେଲା । ବୋଧହୁଏ ଆହୁଲା ଭିଡ଼ିଲା ସେ । ରାତିର କଳା ଛାତିରେ ଶବ୍ଦ ପିଟିପିଟି ସେ ଆଗେଇ ଚାଲିଚି । ଆରପାରିରୁ ଲୋକଟା ସେମିତି ଡାକୁଚି । ତା’ ସ୍ଵର ଶୁଣିନି ବୋଧେ । କରୁଣା ଏଥର ଖଣ୍ଡଖଣ୍ଡିଆ ଗୀତ ଆରମ୍ଭ କରି ଦେଇଚି । ‘ଘରେ ମୋର ଚାନ୍ଦମୂହୀଁ ଚାହିଁଥିବ ବସି ରେ, ସଅଳ ତୁ ନାଆ ଯାଆ ଭାସି’.... ।

 

ତୁଠ ଛାଡ଼ି ନାଆ ନଈ ମଝିକୁ ଗଲାଣି । ସେପାରିର ଡାକ ସଙ୍ଗେ ପ୍ରତିଦ୍ଵନ୍ଦ୍ୱିତାକରି ଏପାରିରୁ ଶୁଣାଗଲା ବୁକୁଫଟା ଚିତ୍କାର, ଚାପା ପ୍ରାଣର କାନ୍ଦଣା । ‘କରୁଣିରେ–ଏ ... ଏ....

 

ଦାଉଁକିନା ତା’ ଛାତିରୁ କ’ଣ ଖସିପଡ଼ିଲା । ଏଁ .....ଏ ତ ବୋଉର ସ୍ଵର ! ଏତେ ରାତିରେ ବୋଉ କାହିଁକି ଆସିଚି !!! ତେଣେ ଆରପାରିରୁ ଡାକ ଶୁଭିଲା, ଏଣେ ଏପାରିରୁ ଶୁଭିଲା କାନ୍ଦଣା । ‘ହାଁରେ, ସବାଖାଇ ଯମ । ଏଇୟା ତୋ ମନରେ ଥିଲା । ତଳେ ପକେଇଲା ‘ଅଇଁଣ୍ଠାକୁ’ ତୁଣ୍ଡରେ ଦେଲୁ । ବାପା କରୁଣିରେ..... !

 

ନଈ ମଝି । ଦୁଇପାରିର କଥା ବେଶ୍ ଶୁଣିପାରୁଚି । ପଝାରି ଜଣକ ଏବେ ମଧ୍ୟ କଣ୍ଠ ଫଟେଇ ଚିତ୍କାର କରୁଚି । ଏପାରିରୁ ମା’ ବୁଢ଼ୀର କାନ୍ଦମିଶା ଆତୁର ଡାକ କାନ ଭିତରେ ପଶି ହୃଦକୁ ମନ୍ଥୁଛି । ପବନ ଖୁବ୍‌ ଜୋରରେ ବି ବହିବା ଆରମ୍ଭ କରିଦେଇଚି । ଶୁଭୁଚି..... ‘ତଳେ ପକେଇଲା ଅଇଁଣ୍ଠାକୁ ତୁଣ୍ଡରେ ଦେଲୁ !!!

 

ନିଶ୍ଚଳ କରୁଣା । ହାତ ତା’ର ସ୍ଥିରହେଲା । ସ୍ଥିର ଥିଲା କାତ । ନୀରବ ହେଲା ଆହୁଲା । ମୁଣ୍ଡ ତା’ର ଭଉଁରୀ ଖେଳିଲା । ତା’ର ମନେହେଲା ମଝି ନଈରେ ନାଆଟା ଖୁବ୍ ଜୋରରେ ଘୂରୁଚି-। ଆଉ ଝଡ଼ ଖୁବ୍‌ ଜୋର୍‌ରେ ଆରମ୍ଭ ହେଇଚି । ନାଆ ଏଥର ବୁଡ଼ିଯିବ । ନା, ବୁଡ଼ିନି । ବୁଡ଼ିଯାଇପାରେ.....

 

ଆରପାରି ଡାକରାର ବିରତି ନାହିଁ । ଏପାରିର କାନ୍ଦଣା ଶୁଭୁଚି । ମଝିଟା ପ୍ରାୟ ନୀରବ-। କେବଳ କଳବଳ ଶୁଭୁଚି ପାଣିର ଗର୍ଜନ । ପବନ ବହୁଚି । ମଝିରେ ନାଆ ଆଉ ତା’ର ନାବିକ....

Image

 

ଭୁବନେଶ୍ଵର ଚାଲ

 

କେଜାଣି କେତେ ସମୟ ପରେ–

 

ନବଘନ ପ୍ରଥମ କରି ଅନୁଭବ କଲା ତା’ ବେକମୂଳଟା ହାଲୁକା ଲାଗୁଚି । ଠିକ୍‌ ଯେମିତି ତା’ ବୋଉ ମଲାର ଦଶଦିନେ ନଣ୍ଡାହେଇ ପାଣିରେ ବୁଡ଼ିଲାବେଳେ ଅନୁଭବ କରିଥିଲା, ବୋଧହୁଏ ତା’ ମୁଣ୍ଡଟା ନାଇଁ–ସେଇ ବିଚିତ୍ର କରୁଣ ଅନୁଭୂତିଟା ତା’ ପିଞ୍ଜରା ଭିତରେ ସବୁଠୁଁ କଅଁଳିଆ ଚିଜଟାକୁ ଅକସ୍ମାତ ଛୁଇଁଦେଇ ଚାଲିଗଲା । ସେ ହଠାତ ଭାବିନେଲା, ପୁଣି ବୋଧେ ଆଉଥରେ ତା’ ବୋଉ ମରିଗଲା ।

 

ସେ ତା’ ବେକ ଚାରିକଡ଼ ହାତ ବୁଲାଇ ଆଣି ଗୋଟାଏ ବିଦିଗିଛା ଭଙ୍ଗୀରେ ଠାଏଁ ଠିଆ ହେଇଗଲା ଖୁମ୍ୱଭଳି । ସେତେବେଳେ ନବଘନ ପାଟିବାଟେ ନିଶ୍ଵାସ–ପ୍ରଶ୍ଵାସ ନିଆ–ଅଣା କରୁଥିଲା; ନାକବାଟେ ନୁହେଁ । କିଛି ସମୟ ପୂର୍ବରୁ ଦଉଡ଼ା–ଦଉଡ଼ି କରୁଥିବାରୁ ନିଶ୍ଵାସଗୁଡ଼ାକ ଫ–ଫ ହେଇ ଯା–ଆସ କରୁଥିଲେ । ଠିକ୍ ସେତିକିବେଳକୁ ପଡ଼ିଆର ବାଁପଟେ ଉଁଚା ଉଁଚା କୋଠାଘର କନ୍ଦିରେ ସୂର୍ଯ୍ୟ ତାଙ୍କର କ୍ଳାନ୍ତ ନାଲିଆ ମୁହଁଟାକୁ ଲୁଚେଇ ପଳେଇ ଯିବାକୁ ବସିଥିଲେ ।

 

ମେଲଣ (ପ୍ୟାରେଡ଼) ପଡ଼ିଆରେ ହୈଚୈ ।

 

ମାଇକ୍‌ ଗର୍ଜୁଚି;

 

ଡାକୁଚି–ରହିଯାଅ, ବସିଯାଅ ଭାଇମାନେ !

 

କିନ୍ତୁ ଅଧିକାଂଶ ଖସି ପଳେଇ ଯିବାକୁ ବସିଛନ୍ତି ଡରକୁଳା ସୂର୍ଯ୍ୟଙ୍କ ଭଳିଆ । ପୋଲିସର ଅନ୍ଧାଧୁନିଆ ଲାଠି ମାଡ଼ରେ କିଏ ସେଠି ସମ୍ଭଳା ପଡ଼େ ! ଏକବାରେ ଗୋଗଛବାଡ଼ିଆ-। ଏଣେ ପୁଣି ଏ ଛେଚେଡ଼ା ଖବିସା ଟୋକାଗୁଡ଼ାକ ମାଙ୍କଡ଼ଙ୍କ ଭଳି ବୋଲୁଅ ଫୋପାଡ଼ୁଥାଆନ୍ତି-। ଏଣୁ କେଞ୍ଚା ତେଣୁ କେଞ୍ଚା; ଏଥିରେ କି ମଣିଷ ବଞ୍ଚେ । ପ୍ରାଣ ଧରି ପଳେଇ ଆସିବା କଥା-

 

ଗୋଠ ଭିତରୁ ଜୀବନ ଭୟରେ ପଳାଇ ଆସୁ ଆସୁ ନବଘନ ତା’ ଜୀବନର ପ୍ରିୟ ସାଥିଟିକୁ ହଜେଇ ବସିଲା । ସେ ବାରମ୍ବାର ବେକ ଓ କାନ୍ଧରେ ହାତ ବୁଲେଇ ବୁଲେଇ ଘଟଣାର ସତ୍ୟତା ଉପଲ୍‌ବଧି କରିବାକୁ ଚାହୁଁଥିଲା ।

 

ଅନେକ ବେଳଯାଏ ଘଟଣାଟା ମିଛ ମିଛ ମନେ ହେଉଥିଲା ତାକୁ । କିନ୍ତୁ ସତଟା ଜାଣିସାରିଲା ପରେ ସେ ଆବ୍‍ବା–କାବାହେଇ ଠିଆ ହୋଇପଡ଼ିଲା ସେଇ ଧୂଳିଉଡ଼ା ମଣିଷ ଭିଡ଼ ପଡ଼ିଆ ଭିତରେ । କେଜାଣି କେମିତିଆ ଗୋଟିଏ କୋହମିଶା ବେଦନା ତା’ ପେଟ ଭିତରୁ ବାହାରି, ଉପରମୁହାଁ ହେଇ ଆଖିପତାଗୁଡ଼ାକୁ ଓଦାକରି ପକାଇଲା । ତା’ର ଇଛାହେଲା, ବଡ଼ ପାଟିରେ ଭେଁମାରଡ଼ି ପକେଇ କାନ୍ଦନ୍ତା । କିନ୍ତୁ ଲାଭ କ’ଣ ?

 

ଖାଇବା ହାତଟା ଯେତେଥର ତା’ ଶୂନ୍ୟ କାନ୍ଧ ଉପରେ ନିରାଶହେଇ ପହଁରି ଆସୁଥିଲା, ସେତେଥର ତା’ର କୋହ ଉଠୁଥିଲା ଅସମ୍ଭାଳହେଇ । କାନ୍ଧରେ ‘କାଳିଆ’ ନାହିଁ । ତା’ର ଏକୁଟିଆ ଜୀବନର ସାଥୀ, ନିଃସଙ୍ଗତାର ଖେଳନା ‘କାଳିଆ’ କାନ୍ଧରେ ନାହିଁ । ନଇଁ ପଡ଼ିଥିବା ପାଚିଲା ଧାନଗଛର ଅଣ୍ଟାରେ ଭରାଦେଇ ଉପରକୁ ମୁଣ୍ଡ ଟେକୁଥିବା ବିରିଗଛ ଭଳି, ଦିର୍ଘ ଦି’ଦିନ ହେଲା ଯିଏ ବେକ ଟେକି ନବଘବ କାନ୍ଧରେ ଶୋଇ ଶୋଇ ଆସିଥିଲା, ସେ ନାଇଁ ।

 

ଏତେ ମଣିଷଙ୍କ ହାଉଳିରେ ସେ ଜମା ତରକି ନ ଥିଲା । ବରଂ ଭୋକ ଲାଗିଲାବେଳେ ନବଘନର କାନପାଖକୁ ଥୋମଣିଟାକୁ ବୁଲେଇନେଇ ଅତି କଅଁଳ ସ୍ଵରରେ କହି ଉଠୁଥିଲା–ଉଁ–କୁ–ମେଁ.....

 

ମଣିଷ......ମଣିଷ, ମଣିଷ ସାଲୁବାଲୁ ଚାରିଆଡ଼େ । ପୁଣି କୁଆଡ଼େ ହେଲେ ବଣବୁଦା ବିବାକେ ନାଇଁ; ଖାଲି କୋଠାଘର ଉପରେ କୋଠାଘର; ସବୁଆଡ଼ ଧବଳମୟ ପୁର । ବାଡ଼ି ବଗିଚା ପନିପରିବା ତ କିଛି କୁଆଡ଼େ ନାଇଁ । କୋଉଠୁ କ’ଣ ଘିତିଆସି ଏମାନେ ଚଳନ୍ତି ! କାଲି ରାତିରେ ତ ମିଣ୍ଟିକ ଭିତରେ କାହିଁ କାହିଁ ମୁଲକରୁ ଆସିଥିବା ଲୋକମାନେ ଖାଇଲେ । କେଡ଼େ କେଡ଼େ ହଣ୍ଡାମାନ ରନ୍ଧାରେ ବୋଝେଇ । କୋଉଠୁ ଆଣିଲେ ଏତେଗୁରା ଜିନିଷ ! କିଏ ଯୋଗାଡ଼ କଲା ସେଗୁରାକ ! ଯିଏ ଏସବୁ ଦଉଚି, ତାଆରି ଜାଣି ଅସରଣିଆ ପଡ଼ିଚି ।

 

ନିଜର ଯଥାସମ୍ଭବ ବଡ଼ ମାପକାଠିରେ ଏସବୁକୁ ମାପି ବିଫଳ ହୋଇଥିଲା ନବଘନ । ସେ କିଛି ଥଳକୁଳ ପାଇପାରୁ ନ ଥିଲା । ଜୀବନରେ ପ୍ରଥମ ଥର ପାଇଁ ନୂଆ ରାଜଧାନୀ ଦେଖୁଚି ସେ । କେବଳ ନୂଆ ରାଜଧାନୀ କାହିଁକି, ସହରୀ ଜୀବନ ବିଷୟରେ ତା’ର ମୋଟାମୋଟି କିଛି ହେଲେ ଧାରଣା ନ ଥିଲା । ଗାଁ ସରପଞ୍ଚଙ୍କ ନିର୍ଦ୍ଦେଶରେ, ପାଦଚଲା ଅଙ୍କାବଙ୍କା ରାସ୍ତା ଟପି, ଓସାରିଆ ନାଲିଆ ରାସ୍ତା କଡ଼ରେ ପହଞ୍ଚିଲାବେଳକୁ ଗୋଟାଏ ଅସୁର ଭଳିଆ ଦୁର୍ଦ୍ଦାନ୍ତ ଟ୍ରକ୍‌ଗାଡ଼ି ଆଗରେ ଆସି ଛିଡ଼ାହେଇ ଯାଇଥିଲା ଓ ତହିଁରେ ନଦାହେଇ ଆସିଥିଲେ ତାଆରି ଭଳି ଅନେକ ନବଘନ ।

 

ନବଘନ ସେତେବେଳେ ଭାରି ଖୁସି ଲାଗୁଥିଲା । ତା’ର ମନେ ହେଉଥିଲା ସେ ତୀର୍ଥକରି ଯାଉଚି । ଦି’ ତିନି ବର୍ଷରେ ଥରେ ନେଖାଁ ତା’ ଅଞ୍ଚଳର ଥେଲାବାଲା ନୋକେ, ଗୋଟାଏ ଗାଡ଼ିକରି ତୀର୍ଥଯାତ୍ରା କରି ଯାଉଥିଲେ । ଅନେକଥର ଚେଷ୍ଟା କରି, ପଇସା ସଞ୍ଚି, ଆଖିର ଅନ୍ଦାଜୀ ମାପକାଠିରେ ସେତେ ଟଙ୍କା ପଇସାକୁ ମାପି ନ ପାରି, ସେ ହତାଶହେଇ ରହି ଆସିଥିଲା । କିନ୍ତୁ ଆଜି ଦଇବୀ ଯୋଗକୁ ସେ ସୁଯୋଗ ଆସି ମିଳିଗଲା ।

 

କୁଆଡ଼େ ମନ୍ତ୍ରୀ କତିରୁ ଅରଡ଼ ଆସିଥେଲା ଆମ ମେଲେଏ ସାହାବ ପାଖକୁ । ମେଲେଏ ଅରଡ଼ ଦେଲେ ସରପଞ୍ଚ କତିକି–ସମତେ ଭୋବନିଶୋର ଚାଲ; ସେଠି ମନ୍ତ୍ରୀ ବଡ଼ ମେଳା କରୁଚନ୍ତି ଦୁଷ୍ଟନାଶନ ପେଇଁ । ତା’ପରେ ଧରଣୀ ଶାନ୍ତ ହେଇଯିବ । ତୁଛେଇଁକି ଏଣେ ତ କାମ ଗୁରାଏ । ତେଣେ ଭୋବନିଶୋର ନ ଗଲେ ସରପଞ୍ଚ ଚୁଲି ଚାଳ ରଖେଇ ଦେବେନି । ଅସରଣିଆବେଳେ ତାଙ୍କଠେଇଁ ହାତ ପାତିବାକୁ ହୁଏ ।

 

ନବଘନର ଆସିବାକୁ ଇଚ୍ଛା ନ ଥିଲେ ବି ପୁଣି କେତୋଟି କାରଣରୁ ମନ ହେଲା–ବିନା ପଇସାରେ ଭୁବନେଶ୍ୱର ଯାଇଁ ସେଠିକା ଦିଅଁ–ଦେବତା ଦେଖି ଆସି ପାରିବ । ଗୋସେଇଁ ମାହାପ୍ରୁଠୁଁ ଶୁଣିଚି, ସେଠେଇଁ କୁଆଡ଼େ ଲକ୍ଷେରୁ ଗୋଟାଏ ଊଣା ଦିଅଁ ଅଛନ୍ତି । ତେଣୁ ଯିବାପାଇଁ ଲୋଭ ହେଲା ତା’ର । ଦି’ଦିନ ପାଇଁ ଘରଦ୍ୱାର ବନ୍ଦକରି, କାଳିଆକୁ କାନ୍ଧରେ ବସେଇ, ବାହାରି ପଡ଼ିଲା ସେଇ ନାଲିଗୋଡ଼ି ପଡ଼ିଥିବା ରାସ୍ତା କଡ଼କୁ । ସରପଞ୍ଚ କହିଥିଲେ, ସେଇଠୁ ଗାଡ଼ି ଆସି ତାଙ୍କ ହାତଧରି ଉଠେଇନେବ ।

 

ଗାଡ଼ିରେ ଉଠିଲା ପରେ ନବଘନ ଦେଖିଲା, ସେଥିରେ ମଣିଷ ଢଳି ପଡ଼ିଛନ୍ତି । କିଏ ଛୋଟିଆ ରଙ୍ଗ ବାକ୍‌ସଟିଏ ମୁଣ୍ଡେଇଚି ତ, କିଏ ବଡ଼ ପୁଡ଼ିଆଟିଏ ଧରି ଚାଲିଚି । କିନ୍ତୁ ତା’ଭଳି କେହି ଜନ୍ତୁଟାଏ ଧରି ଗାଡ଼ିରେ ଉଠିଥାଏ ସେ ଲକ୍ଷ୍ୟ କରି ନ ଥିଲା । ଅଧିକାଂଶ ଚିହ୍ନାଜଣା ମୁହଁ; ହସାହସି, ମୁହଁ ଦେଖାଦେଖି ପରେ–ଏଇଟା ଅବାଗିଆ କଥା ହେଲା ବୋଲି ଅବଶ୍ୟ କେହି ବାରି ନ ଥିଲେ ନବଘନକୁ; ମାତ୍ର ପ୍ରଶଂସା ବି କରି ନ ଥିଲେ । କିନ୍ତୁ ଏକଥା ସେ ଦେଖିଚି, କେହି କେହି ସହଯାତ୍ରୀ କାଳିଆର ମୁହଁ ଧରି ଟିକେ ଟିକେ ଗେଲକରି ଦଉଥିଲେ । ବାଃ ଏଇତ ଆନନ୍ଦ, ଏଇତ ଜୀବନ ! ତା’ ଖୁସିରେ ସମସ୍ତଙ୍କର ଖୁସି ।

 

ନବଘନ ବହୁ ଚିନ୍ତାକରି କାଳିଆକୁ ଗାଁରେ ଛାଡ଼ି ଅସିପାରି ନ ଥିଲା । କାହା ଘରେ ଛାଡ଼ି ଥାଆନ୍ତା ? ସିଏ ଯଦି ତା’ଭଳିଆ କାଳିଆର ମନକଥା ବୁଝି ନ ଥାନ୍ତେ ! ବିଦେଶରେ ଦି’ଦିନକାଳ ନବଘନ ତ ଶାନ୍ତିରେ ରହିପାରି ନ ଥାନ୍ତା । ସେଥିରେ ପୁଣି ଗାଁ–ଗାଁରେ ଚୋରି ଭୟ । ପାଚିଲା ଧାନ କିଆରିରୁ ଚୋର ଧାନ କାଟି ନେଇ ଯାଉଛନ୍ତି; ଛୁରି–ଭୁଜାଲି ଦେଖେଇ ଧନ–ସମ୍ପତ୍ତି ଲୁଟି ନେଇ ଯାଉଛନ୍ତି । ଦିନ ଦି’ପହରେ କାହୁଁ କାହୁଁ ଲୋକ ଆସି ଝିଅ ବୋହୂଙ୍କୁ ବେଜିତ୍‌ କରୁଛନ୍ତି; ଇଜ୍ଜତ ନଉଚନ୍ତି ।

 

ଗାଁ ଜୀବନ ଭେଷେଡ଼ା ହେଇଗଲାଣି । ଧର୍ମକର୍ମକୁ ଲୋକଙ୍କର ଆଉ ଭୟ ନାଇଁ । ପୁଲିସି କଥା ପଚାରେ କିଏ ? ପୁଲିସିଏ ଏବେ କରିବେ କଅଣ ? ସବୁବେଳେ ତ ଏ ଅବୀଜା ଛେଚେଡ଼ା ଟୋକାଙ୍କ ପିଛା ଧରିବାକୁ ପଡ଼ିଲା; ଦୁଷ୍ଟଦଳନ କରିବାକୁ ହେଲା; ଚୋରି–ନାରୀ ଦେଖିବାକୁ ଆଉ ବେଳ କାଇଁ ? ସେଥିରେ ପୁଣି ମନ୍ତ୍ରୀ ନାଟ୍‌ମାନେ ମେଳା ମଉଚ୍ଛବ କଲେ, ସେଗୁରାକ ଜଗିବାକୁ ପଡ଼ିଲା । ନ ଜଗିଲେ ପରା ଏ ଖବିସାଗୁରା ସବୁ ଉଜାଡ଼ିଦେବେ । ତାଇ କଇବାକୁ ପୁଲିସି ଆଉ କରନ୍ତା କଅଣ ?

 

କାଳିଆ ସେତିକିବେଳୁ ଆଉ ତା’ କାନ୍ଧରୁ ଓହ୍ଲେଇନାଇଁ । ସେ ବସିଚି ଯେ, ବସିଚି । ସଇସ ଭଳିଆ ବସିଚି । ନିରୀହତାର ପ୍ରତିନିଧି ଭଳି ନବଘନ କାନ୍ଧରେ ଥାଇ କୁନକୁନ ହେଇ ସବୁ ଦେଖୁଚି, ସେଇ ଭୋବନିଶୋରିଆ ତୀର୍ଥଯାତ୍ରୀ ଦଳଟାକୁ । ତାଙ୍କ ଚଳମାନ ପରିବେଶକୁ । ଖୁନ୍ଦାଖୁନ୍ଦି ହେଇ ଦଳେ ଲୋକ ଟ୍ରକରେ ଲଦାହେଇ ଚାଲିଛନ୍ତି । ବାଟରେ, ମଝିରେ ମଝିରେ, ଉଦାଖିଆ ଷଷ୍ଢ ଭଳିଆ ଗୋଟାଏ ଗୋଟାଏ ଧୋବଲାବାବୁ ଗାଡ଼ି ଅଟକେଇ, ‘ଜିନ୍ଦାବାଦ ଜିନ୍ଦାବାଦ’ ଚିତ୍କାର କରୁଥାଆନ୍ତି ଏବଂ ସମସ୍ତଙ୍କୁ ସେଇଆ କହିବାକୁ କହୁଥାଆନ୍ତି । ମାତ୍ର ସେ କଥାଗୁଡ଼ା ନବଘନ ଓ ତା’ ସାଙ୍ଗସରସାଙ୍କ ପାଟିରେ ପଇଟୁ ନ ଥାଏ । ସେମାନେ ଆଁ କରି ସେକଥା କହିବାକୁ ଚେଷ୍ଟା ଯେ କରିନାହାଁନ୍ତି ତା’ ନୁହେଁ–କିନ୍ତୁ କହି ହୁଏ ନାହିଁ ।

 

ମାତ୍ର ବାଟରେ ଦେଖାଗଲା, ସବୁ ଗାଡ଼ିରେ ଗୋଟା–ଦି’ଟା ଲେଖାଁ ଆଗଚଲା କୁହାଳିଆ ଭେଣ୍ଡିଆ ଥାଆନ୍ତି । କେତେ ନାଇଁ କେତେ କଥା କ’ଣ କହୁଥାଆନ୍ତି । ନବଘନଦଳିଆ ବେଳେବେଳ ପୁଲକିତ ହେଇ ତା’ ସାଙ୍ଗରେ ପାଟି କରି ଉଠୁଥାଆନ୍ତି “ହରିବୋଲ, ହରିବୋଲ ।’’

 

ଏ ପାଟି ଶୁଣି କୁହାଳିଆ ଭେଣ୍ଡିଆ ଖୁସିହେଇ ଉଠୁଥାଏ ଓ ଅଧିକ ଜୋରରେ ଚିତ୍କାର କରି ଉଠୁଥାଏ ମରଣା ଷେଣ୍ଢ ଭଳିଆ । ତା’ର ଇଚ୍ଛା–ସାଙ୍ଗରେ ଯାଉଥିବା ଲୋକଗୁଡ଼ାକ କିଛିହେଲେ ପାଟି କରନ୍ତୁ; ଚୁପ୍‌ହେଇ ନ ବସନ୍ତୁ ସେମାନେ । ପାଟି ନ କଲେ ଏ ଦେଶରେ କିଛି ହୁଏ ନାଇଁ । ଯେମିତି ହେଲେ ପାଟି ହବା ଚାହି । ସମସ୍ତଙ୍କ ପାଟି ଶୁଣି ଶୁଣି ବେଳେବେଳେ କାଳିଆ ମଝିରେ–ଉଁ .... କୁଁ ..... ମେଁ ......

 

ନବଘନ ଖୁସିହୁଏ ।

 

ଖୁସିହୁଏ ଏଇଥିପେଇଁ, - କାଳିଆ ଖୁସିଅଛି ବୋଲି । ଇଏ ତା’ର ଖୁଶିର ସ୍ଵର; ଆକୁଳ ଆର୍ତ୍ତୀ ନୁହେଁ । ତା’ ଖୁସିରେ ଖୁସିହୁଏ ନବଘନ । ନବଘନ ଜୀବନରେ ଇଏ ଏକ ନୂଆ ଅନୁଭୂତି । ଟାଆଁସିଆ ସୂର୍ଯ୍ୟକିରଣରେ ଛିଡ଼ା ହେଇହେଇ ଯିବାକୁ କଷ୍ଟ ଲାଗୁ ପଛେ ଭିତରେ ଭିତରେ ଗୋଟାଏ ପ୍ରକାର ମଜା ଲାଗୁଥିଲା ।

 

ବାଟରେ ଯୋଉଠି ଗାଡ଼ି ଅଟକୁଥାଏ, ସେଠି କାନ ଅତରା ପଡ଼ିଯାଉଥାଏ “ଜିନ୍ଦାବାଦ’’ ଧ୍ୱନିରେ । ପୁଣି ଚିତ୍କାର ଶୁଭୁଥାଏ–‘ଭୁବନେଶ୍ୱର ଚାଲ’ । ଗାଡ଼ି ପଛକୁ ଗାଡ଼ି, ଲୋକ ଉପରେ ଲୋକ; ପାଟି ଉପରେ ପାଟି–‘ଭୁବନେଶ୍ୱର ଚାଲ’ । କେତେ ରକମର ଗାଡ଼ି, କେତେ କିସମର ମଣିଷ, ପୁଣି କେତେ ରଙ୍ଗର ପାଟି । ନବଘନକୁ ଏସବୁ କେମିତି କେମିତି ଛାତି–ଉଲୁସା ଘଟଣା ଭଳିଆ ଲାଗୁଥାଏ । ସତେ ଯେମିତି ସେମାନେ ଯୁଦ୍ଧକୁ ଚାଲିଛନ୍ତି–

 

କାଇଁକି ସମସ୍ତେ ଭୋବନିଶୋର ଚାଲିଛନ୍ତି ? ବୋଧେ ସମତେ ନଗଲେ ମୁଲକଟା ସିଆଡ଼େ ଉଜୁଡ଼ିଯିବ । ଉଦ୍‍ବାର୍ଜିଆ ଟୋକାଗୁଡ଼ାକ ମାଙ୍କଡ଼ମିତି ନାଗିଚନ୍ତି । କ’ଣ ଭଲା ପାଉଚ ତେମେ । ଏତେ ନୋକ କମେଇହେଇ, ଖାସ୍‌ ତମରିପେଇଁ ଆସିଚନ୍ତି ନା । କେମିତିଆ ବୋପା–ମାଆ ତମର କେଜାଣି ? ଟିକେ ଆକଟ କରନ୍ତେ ଭଲା ! ତାଇ କହିବାକୁ, ଆଜିକାଲି କେହି କ’ଣ ଗୋଟାଏ ଦାଇତ ମୁଣ୍ଡକୁ ନବାକୁ ଚାହୁଁଚନ୍ତି କି ?

 

ନବଘନର ଚିନ୍ତାରେ, ଚେତନାରେ କେବଳ ଭାବନା–

 

ଶରତର ଫିକାମେଘଭଳି ତୁହା ତୁହା ଭାବନା ।

 

ସେଇ ଭାବନାର ପେଡ଼ିଧରି ସେ ଭୁବନେଶ୍ୱରରେ ପହଞ୍ଚିଲାବେଳକୁ ଅଣନିଶ୍ଵାସୀ ରାତି-। ସମସ୍ତେ ହୋ–କିନା ପାଟିକରି ଉଠିଲେ ‘ଭୋବନିଶୋର–ଭୋବନିଶୋର’–

 

ଏଇଠି କିନ୍ତୁ ଓଲଟା କଥା ଘଟିଲା । ବାଟଯାକ ପାଟି କରେଇବାପାଇଁ ଚେଷ୍ଟାକରି ଆସୁଥିବା କୁହାଳିଆ ଭେଣ୍ଡିଆ ଗୁଡ଼ା ଏଇଠି ସମସ୍ତଙ୍କୁ ଆକଟକରି କହିଉଠିଲେ–‘ ଆବ୍‌ବେ ଚୁପ୍‌ ! ଏଠି ଆଉ ପାଟିକରେନା । ଏଠି ଯାହା ପାଟିକରିବ, ଯାଇଁ କାଲି । ଚୁପ୍‌ଚାପ୍‌ ଗାଡ଼ିରୁ ଓହ୍ଲାଇ ।

 

ନବଘନ ଗାଡ଼ିରୁ ତଳକୁ ଆସିଲାପରେ ଜାଣିଲା ଭୋବନିଶୋରରେ ଉଜୁଡ଼ି ଯିବାର କିଛି ନାଇଁ । ରାସ୍ତାଘାଟ, ଘରଦ୍ଵାର, ଆଲୁଅରେ ହାଲୋକ । ସବୁଆଡ଼େ ଥାକକୁଥାକ କୋଠାଘର । ଗାଡ଼ି ମଟରର ଧାଁ–ଦଉଡ଼ । ସେଥିରେ ପୁଣି ଖାଇବା ଚାଲିଚି । ହଣ୍ଡାହଣ୍ଡା ରୋଷେଇ । କେତେ ଯେ କ’ଣ ରନ୍ଧା ହେଇଚି ତା’ର ହିସାବ ନାଇଁ । କିଏ ରାନ୍ଧିଲା ଏତେ ସବୁ ! କେଜାଣି ? ବଡ଼ ଆଚମ୍ବିତ କଥା !

 

ରାତିଟା ଦିନଭଳିଆ ମନେହେଉଥିବା ନୂଆ ରାଜଧାନୀରେ ବି ନବଘନ ତା’ କାଳିଆକୁ ଅଙ୍ଗଛଡ଼ା କଲାନାହିଁ । କେବଳ ତା’ ଦେହର କେତେଅଂଶ ସେ ବେକମୂଳୁ କୋଳ ପର୍ଯ୍ୟନ୍ତ ଟାଣି ଆଣିଥିଲା । ବାସ୍‌ ସେତିକି । ଇତି ମଧ୍ୟରେ କାଳିଆ ଯେଉଁ ତିନି ଚାରିଥର ମୁତିଛି, ତାହା ସେଇ ନବଘନର ଦିହରେ ଦିହରେ ଚରିଯାଇଚି । ଭିଡ଼ଭିତରେ ଆଉ ସେଥିପ୍ରତି ସେ ନିଘା ଦେଇନାହିଁ । ଏବେ ଠାଏଁ ବସିପଡ଼ିଲା ପରେ ଗୋଟାଏ ବୋଦକା ଉଷୁମୁଲିଆ ଗନ୍ଧ ଆସି ତା’ ନାକରେ ବାଜିଲା-। ପ୍ରଥମେ ପ୍ରଥମେ ଏ ଗନ୍ଧ ତାକୁ ଲାଗିଲା ବେ–ବାଗିଆ । ପରେ କିନ୍ତୁ ଆରେଇ ଗଲା-

 

ସମସ୍ତଙ୍କ ଖିଆପିଆ ସଇଲା ବେଳକୁ ଦୁନିଆଟା ଫରଚା ଦେଖାଗଲା । ନବଘନ ଓ ତା’ରି ଭଳିଆ ଯେତେ ଥିଲେ, ଟିକେ ଟିକେ ଚମକି ପଡ଼ିଲେ । ଯାଃ, କେଡ଼େବଡ଼ ରାତିଟା କେତେବେଳେ ଆସି ଚାଲିଗଲା । ସକାଳର ଫରଚା ଆଲୁଅର ଲମ୍ୱାହାତ ସବୁଆଡ଼ ବୁଲାବୁଲି କରୁଥିବାବେଳେ, ସେଇମାନେ ପୁଣି ଭାବିଲେ, ସତରେ, ରାତି ଆଲୁଅଟା ମିଛିମିଛିକା ସୂର୍ଯ୍ୟର ଆଲୁଅ–ଇଏ କେଡ଼େ ତୋଫା ।

 

ଯା’ହଉ, ରାତି ପାହିଲା ।

 

ମନରେ ବିଚାର କଲେ, ଦାନ୍ତ ପତର ଘଷି, କୋଉଠି ବୁଡ଼ଟେ ମାରି, ବାହାରି ପଡ଼ିବା ଦିଅଁ ଦେଖି । ଆଗ ଲିଙ୍ଗରାଜ, ତା’ପରେ ଅନନ୍ତ ବାସୁଦେବ, ଏମିତି ଏମିତି ଯେତେ ଦିଅଁଦେବତା ଅଛନ୍ତି, ଦେଖିଆସିବା । କିନ୍ତୁ ଠିକ୍‌ ବେଳକୁ ଅନୁକୂଳ ବିଗାଡ଼ି ଦେଲେ ସେହି କୁହାଳିଆ ଭେଣ୍ଡିଆ ପଞ୍ଝାଟା । କୋଉଠି ସବୁ ବସିଥିଲେ ତା’ ମାଆ ଗଙ୍ଗେଇଙ୍କୁ ଜଣା–ଏକା ସାଙ୍ଗରେ ମାଡ଼ି–ଆସି କହିଉଠିଲେ, ନାଇଁ ନାଇଁ, କେହି କୁଆଡ଼େ ଯାଇପାରିବନି । ଶଳେ ! ପଇସା ଖର୍ଚ୍ଚକରି ଆଣିଲୁ ଆମେ–ତେମେସବୁ ଯିବ ଆଉ କାହାପାଇଁ ଭଡ଼ାରେ ! ନାଇଁ, ଏଇଠି ରୁହ । ଏଇଠି ହଗ, ମୂତ, - ସବୁ ଏଇଠି । ଶଃ, ଖାଇବେ ମହାଦେବଙ୍କର–ଗାଇବେ ସହଦେବଙ୍କର !

 

ନବଘନ ଦେଖିଲା, ଜାଗାଟା ବଡ଼ ଫରକାତିଆ । ଗୋଟାଏ ଖୁଆଡ଼ଭଳି । ନାଇଁ ନାଇଁ, ତାଙ୍କ ଅଞ୍ଚଳର କାଞ୍ଜିଆହୁଦା ଭଳି । ସତେ ଯେମିତି ଗୁଡ଼ାଏ ଅରଣା ପଶୁଙ୍କୁ ସେଠେଇଁକି ଆଣି ରଖାଯାଇଚି । ଠିକ୍‌ ଦୁର୍ଗାପୂଜାରେ ବଳିପଡ଼ିବାକୁ ଜମା ହେଇଥିବା ବୋଦା ଭଳି । ନହେଲା ଏବେ ନାଇ; ଆଜିକ ଯାଉ । ଆଉ ଗୋଟାଏ ଓଳି କମେଇ ହେଇ ରହି, ଦିଅଁ ଦେବତା ଦେଖିଯିବ । ୟାଙ୍କ ମେଳାଟା ସରିଯାଉ । ହେଲା ଏବେ ।

 

ଘଡ଼ିକ ଭିତରେ ଆବର୍ଜନା ଓ ଦୁର୍ଗନ୍ଧରେ ଜାଗାଟା ସନ୍ତେଇଗଲା । ସବୁ କେମିତିଆ ଗୋଟାଏ ମିଶାମିଶି ଗନ୍ଧ । ବିଡ଼ି ଧୂଆଁ, ଗୁଡ଼ାଖୁର କୁଟୁଳିଆ ଗନ୍ଧ, ଧୁଆଁ ପତର ଦୋକତାର ତୀବ୍ରତା ଓ ତା’ ସାଙ୍ଗକୁ ଝାଡ଼ା–ବାନ୍ତି–ପରିସ୍ରାର ମିଶ୍ରିତ ଦୁର୍ଗନ୍ଧ । କେହି କେହି ଅବେଳରେ ଅତ୍ୟଧିକ ଖାଇ ବାନ୍ତି କରିପକେଇଥିଲେ । କୋଉଠି ବାନ୍ତିକରିବେ ଠିକଣା ଜଣାନାଇଁ । ସେଇ ବାନ୍ତିକୁ ଅନେକେ ପାଦରେ ଚକଟି ତା’ର ନିର୍ଯ୍ୟାସ ନେଇ, ନିଜର ଲୁଗାପଟାରେ ବୋଳି ସାରିଲେଣି । ଏମିତିକି ଝାଡ଼ାର ବି ।

 

ସମସ୍ତଙ୍କ କାମ ସରୁନଶରୁଣୁ ଡାକରା ଆସିଗଲା, ମେଳଣ ପଡ଼ିଆକୁ ଚାଲ । ବାଟଯାକ କାଳିଭଳିଆ ଚିତ୍କାର କରିକରି ଚାଲ । ..... ‘ଜିନ୍ଦାବାଦ.....ଜିନ୍ଦାବାଦ’ । ଏଥର କିନ୍ତୁ ଚାଲିଚାଲି ଯିବାକୁ ହେବ । ଏକଥା କହିଗଲେ ସେଇ କୁହାଳିଆଙ୍କ ଭିତରୁ କେତେଟା ଆସି ।

 

ଖୁଆଡ଼ ଖୋଲାଗଲା । ଚାଲିଲେ ସମସ୍ତେ ଯେ–ଯାହା ପୁଡ଼ା–ପୁଟୁଳି ଧରି । ସୂର୍ଯ୍ୟ କେତେନାଇଁ କେତେ ଉପରକୁ ଉଠି ସାରିଥିଲେ କେଡ଼େ ସଅଳ । ସକାଳ ଯାଇ ଗାଧୁଆବେଳ ହେଲାଣି । ଏଠି କେତେ ଚଞ୍ଚଳ ବେଳ ପଳେଇଯାଏ କେଜାଣି । ଏଥର ବି ନବଘନର ବେକମୂଳେ ବସି ଚାଲିଲା କାଳିଆ । ବାଟଯାକ ସେଇ ପାଟିରେ ପଇଟୁ ନଥିବା ଚିତ୍‍କାର । ଅଗତ୍ୟା ନବଘନଦଳିଆ ଧୀରେ–ଧୀରେ ‘ହରିବୋଲ–ହରିବୋଲ’ କହି ଦେଉଥାଆନ୍ତି । ନୁଣ ଖାଇଛନ୍ତି; ଗୁଣ ନ ଗାଇବେ କେମିତି !

 

ସହର ବଜାର ଭିତରେ ଚାଲିଚାଲି ମେଲଣ୍‌ ପଡ଼ିଆରେ ପହଞ୍ଚିଲାବେଳକୁ ସେଠି ବହୁ ଆଗରୁ ରୁଣ୍ଡ ହେଇସାରିଥିଲେ ଆହୁରି ଅନେକ ଲୋକ । ବୋଧେ ଅନ୍ୟ ଖୁଆଡ଼ର ବାସିନ୍ଦା ଏମାନେ । କେଡ଼େ ବଡ଼ ଜାଗା ଏଇଟା ! ଗାଁରେ ଆମ୍ବ–ତୋଟାରେ ମେଲଣ ହୁଏ । ହେଲେ ଏତେବଡ଼ ଜାଗା ତ ସିଏ ନୁଏଁ । ଏଇଟା ଘଇତା–ମାରି ଗହୀର ସାଙ୍ଗେ ସମାନ ହବ ହଁ–ବୋପା ଲୋ ! କେତେ ବଡ଼ ମଝିରେ ଗୋଟାଏ ବଡ଼ ହୁଙ୍କା ଅଛି । ନାଇଁନାଇଁ; ହୁଙ୍କାତ ପାଲିସ ନୁଏଁ–ଏଇଟା ତ ପାଲିସ୍‌ । ନୋକ ବଇଚନ୍ତି, ଏଇଟା ଆଉ କ’ଣ ହେଇଥିବ । କେଜାଣି କ’ଣ !

 

ମନରେ ଆଉ କ’ଣ ଭାବି ନବଘନ କାଳିଆକୁ ଟିକେ ସାଉଁଳେଇ ଦେଲା । ନିଜେ ପାଟିକୁ ଅଳ୍ପ ଫାଙ୍କକରି ହସିଦେଲା ଓ ତା’ ପାଖ ଲୋକ ମୁହଁକୁ ସମର୍ଥନ ପାଇବା ଆଶାରେ ଅନେଇଲା । ସେ ବି ମୁରୁକିହସା ଦେଉ ଦେଉ ପାଟିଟା ମେଲେଇ ଦେଲା ଯେ, ତା’ର ପାଟିରୁ ଧୂଆଁତ୍ତର ଟିକକ ଖସିପଡ଼ିଲା । ସେତକ ଖୋଜିବାପାଇଁ ତଳକୁ ଅନେଇଲା ବେଳକୁ ତାକୁ ପୃଥିବୀଟା ଧୂଳିଆ ଧୂଳିଆ ଗୋଡ଼ମୟ ଦେଖାଗଲା । ସେଇ ଲୋକଟା ନବଘନ ମୁହଁକୁ ଆଉଥରେ ଚାହିଁ ହସିଦେଲା । ଏଥରକ ତା’ ହସ ନବଘନକୁ ଖତେଇ ହେଲାଭଳି ଲାଗିଲା ।

 

ମେଳଣ ଆରମ୍ଭ ହେଲା ବୋଧେ ।

 

ଭାରି ଜୋରରେ ଗୋଟାଏ ଗର୍ଜନ ହେଲା ଯେ, ମହୀମଣ୍ଡଳ କମ୍ପି ଉଠିଲା । ପଡ଼ିଆ ଭିତରେ ଆଉ ବାହାରେ ଭର୍ତ୍ତିହେଇଥାଆନ୍ତି ପୁଲିସି–ଖୁବ୍‌ ମାତ୍‌ପରିଆ ପୁଲିସି । ଗାଁଗଣ୍ଡାର ଧେଡ଼େଙ୍ଗା ପେଁଏଣ୍ଟ ଖସିପଡ଼ୁଥିବା ପୁଲିସ ଏମାନେ ନୁହନ୍ତି । ପ୍ରଥମେ ସିନା ମଲା ମୁର୍କୁଟିଆ ହେଇ ସିଆଡ଼କୁ ଯାଇଥାଆନ୍ତି; ଆସିଲାବେଳକୁ ମୋଟେଇ ଯାଆନ୍ତି । ମୋଟେଇବେନି କାଇଁକି ଯେ ! ପୋଲା ଖାଇଲେ ସମସ୍ତେ ଫୁଲିବେ । ଡରେଇ ଧମକେଇ ଭଲ ଚିଜଟାମାନ ନେଇ ଖାଇବେ । ସେଥରକ ସେମିତି, ସରପଞ୍ଚ ଘର କଦଳୀ କାନ୍ଦୀଟା କିଏ କାଟିନେଲା ଯେ, ତୁଚ୍ଛେଇଁକି ଆସି ମତେ ଧମକାଧମକି କରି ମୋ ଅଉଲ କୁକୁଡ଼ା ଦି’ଟାକୁ ନେଇଗଲେ । ତାଙ୍କ ବିରୁଦ୍ଧରେ ଫେରାଦ ହବ କିଏ ଲୋ ବୋପା ! ମୁହଁରେ ହଲପ ।

 

ନବଘନର ଭାବନା ଭାଙ୍ଗିଲା ପୁଣି ଥରେ । ପୁଣି ଥରେ ଆକାଶଫଟା ଗର୍ଜନ ଶୁଭିଲା, “ଜିନ୍ଦାବାଦ.....ଜିନ୍ଦାବାଦ.... !!” କେହି ଜଣେ ମାଇକ୍‌ରେ ଧୀରସ୍ଥିର ହେବାକୁ କହୁଥିଲା; ଅଥଚ ସମସ୍ତେ ଥିଲେ ଅସ୍ଥିର, ଉଦ୍‌ବେଳିତ । ଦି’ ତିନିଟା ଧୋବଲା ମୋଟା ଲୋକ ସେଇ ଉଁଚା ଜାଗା ଉପରକୁ ଉଠିଲେ । କେତେଟା ଲୋକ ସେଠି କୋଉଠି ଲୁଚି ବସିଥିଲେ କି କଅଣ–ବଡ଼ ବଡ଼ ଫୁଲମାଳ ନେଇ ତାଙ୍କ ବେକରେ ଲମ୍ବେଇଦେଲେ । ଉଠିଲା କରତାଳିର ଜୁଆର । ଘନଘନ କରତାଳି ଖଡ଼ିବାଣ ଫୁଟିଲା ଭଳି କମ୍ପିଲା ।

 

ନବଘନକୁ ବଡ଼ ଆଶ୍ଚର୍ଯ୍ୟ ଅଥଚ ନୂଆ ନୂଆ ଲାଗୁଥାଏ ଏସବୁ ଦୃଶ୍ୟ । ଏଇ ତା’ହେଲେ ସେଇ ନୋକ, ଯିଏ ଦୁଷ୍ଟଦଳନ ମେଳା କରୁଚି । ପ୍ରକୃତରେ ୟାରି ବଡ଼ ଅସରଣିଆ ପଡ଼ିଚି ନିଶ୍ଚେ । ଆହା, କେଡ଼େ ବଡ଼ ଲୋକଟା ଉପରେ ତୁଚ୍ଛାଟାକୁ ଏଡ଼େ ଦଣ୍ଡ । ନବଘନ ଆଉ କିଛି ଚିନ୍ତା କରିବା ପୂର୍ବରୁ ଦେଖିଲା ମେଳଣ ପଡ଼ିଆ ଉପରଟା ସାରା କାଗଜମୟ ହେଇଗଲା । ସେଇ ସିଆଣିଆ ଟୋକା ପଂଝାଟା କେତେବେଳେ ଫିକର କରି ପଶିଯାଇଛନ୍ତି ପଡ଼ିଆ ଭିତରେ । ସେମାନଙ୍କୁ ଏବେ ଅଲଗା କରିବେ କେମିତି ! ଓଃ, କି ଝିଂଝଟ ନଗେଇଚନ୍ତି ଏଗୁରାକ !

 

ହଠାତ୍‌ ଗୋଟା ଦି’ଟା ଟେକା ଯାଇ ପଡ଼ିଲା ସେଇ ଉଁଚା ଜାଗାରେ । ଗୋଟାଏ ନିଶ୍ଚେ ବାଜିଲା ସେଇ ଫୁଲମାଳିଆ ବାବୁଙ୍କ ଦିହରେ । ଆଉ ଅବସ୍ଥାକୁ ସମ୍ଭାଳେ କିଏ ? ସୁସୁରି ଉପରେ ସୁସୁରି ବାଜିଉଠିଲା । କିଲକିଲିଆ ହେଇ କିଏ କୁଆଡ଼େ ଦଉଡ଼ିଲେ । ପଛରେ ପୁଲିସ, ଆଗରେ ଅବେଇକ ପିଲାଏ । କିଏ ଯିବ କୁଆଡ଼େ ! ପୁଲିସ ସାପ ବାଡ଼େଇଲା ଭଳି ବାଡ଼େଇ ଚାଲିଚି ଯାଆକୁ ନାଇଁ ତାକୁ; ଯାହାକୁ ପାରୁଚି ପିଟୁଚି । ସମସ୍ତେ ଦଉଡ଼ିବା ଆରମ୍ଭ କରିଦେଇଛନ୍ତି । ମାଇକ୍‌ ଗର୍ଜୁଚି–‘ରହିଯାଅ, ବସିପଡ଼ ଭାଇମାନେ’ !

 

ବେଳ ଅବେଳ ହେଇସାରିଥିଲା ।

 

ସୂର୍ଯ୍ୟ ମୁହଁ ଲୁଚେଇ ସାରିଥିଲେ ସେଇ ବଡ଼ ବଡ଼ କୋଠାଘର ପଛଆଡ଼େ । ନବଘନ ଜୀବନ ବିକଳରେ ପଡ଼ିଉଠି ଦଉଡ଼ୁ ଦଉଡ଼ୁ ତା’ ଜୀବନର ସହଚର କଲିଆକୁ କୋଉଠି ହଜେଇ ଦେଇଥିଲା ।

 

କାଳିଆରେ ! ତୁ କୁଆଡ଼େ ଗଲୁ.....କାନ୍ଦୁରା ସ୍ଵରରେ ପାଟି କରିଥିଲା ନବଘନ ।

 

ମାସ ମାସ, ବର୍ଷ ବର୍ଷ ଧରି ସେ ଭୁବନେଶ୍ୱର ଗଳିକନ୍ଦିରେ ତା’ କାଳିଆକୁ ଖୋଜୁଚି । ଧୂଳିଧୂସରିଆ ପାଦ, ଉଦାସ ମନ; (ଦେଖିଲେ ଚିହ୍ନିବାକୁ ମୋଟେ ଅସୁବିଧା ହେବନି) ହତାଶ ଭାବ ନେଇ ସେ ଖୋଜୁଚି । ଯଦି କେହି ସହୃଦୟ ବ୍ୟକ୍ତି ତା’ର କାଳିଆକୁ ଦେଖିଥାଆନ୍ତି, ଦୟାକରି ତାକୁ ତା’ ଠିକଣା ବତେଇ ଦେବାକୁ ଅନୁରୋଧ ।

Image

 

ଋତୁର ନାମ ପିପାସା

 

ସୁବଳ ପଟ୍ଟନାୟକ ଆଖିରେ ହତାଶାର ରାଗିଣୀ ।

 

ଚାକିରିକାଳ ଭିତରେ ଏପରି ଅସୁବିଧା ସେ ଆଉ ଭୋଗ କରିଥିଲେ କି ନା, ମନେ ନାଇଁ । ତେବେ ଭୋଗିନାହାନ୍ତି ନିଶ୍ଚୟ । ଏମିତି ଅସୁବିଧାରେ ପଡ଼ିଥିଲେ ତାଙ୍କର ମନେ ଥାଆନ୍ତା । ପୁଣି ସେକଥା ମନେ ଥିଲେ, ବର୍ତ୍ତମାନ ପରିସ୍ଥିତିରେ ତାଙ୍କୁ ଏମିତି ହତାଶିଆ ଲାଗୁ ନ ଥାନ୍ତା ।

 

ପୋଲିସ ଇନ୍‌ସପେକ୍ଟର ସୁବଳ ପଟ୍ଟନାୟକ ।

 

ଯିଏ ଚାଲିଗଲେ ମୂକ ମଣିଷ ବାଚଳ ହେଇ ଉଠନ୍ତି; ତାଙ୍କ ବିଷୟରେ କିଛି ନା କିଛି କହିବାପାଇଁ / ଆଲୋଚନା କରିବାପାଇଁ ପାଟିର ଶବ୍ଦମାନେ ବିଦ୍ରୋହ ଘୋଷଣା କରନ୍ତି; - ତାଙ୍କର ଆଜି ଗୋଟାଏ ଜାଗାରୁ ଆଉ ଗୋଟାଏ ଜାଗାକୁ ଯିବାପାଇଁ ଏତେ ପ୍ରତୀକ୍ଷା । ଇସ୍‌, ବଡ଼ ଯନ୍ତ୍ରଣାଦାୟକ–

 

ସବୁଠି ଆଜି ମାର୍ଚ୍ଚମାସର ଭିଡ଼ ।

 

ଟ୍ରକରେ, ବସରେ ବି ।

 

ସବୁ ସମୟ ଭଳି ଯେ ମାର୍ଚ୍ଚ ମାସଟା ନୁହେଁ, ଋତୁ ନୁହେଁ–ଆଉ ଗୋଟାଏ କିଛି ନିଶ୍ଚୟ । ଗୁଡ଼ାଏ ତିକ୍ତ–ମଧୁର ଭାବନାର ଆଭାସ ମାତ୍ର । ମହୁ–ଲିମ୍ବ–ଅଶ୍ରୁ–କରୁଣା–ଧନ–ଯୌବନ–ସମ୍ଭବ–ଅସମ୍ଭବ ଆଦି ଅନେକ କିଛିର ଏକ ମିଶ୍ରିତ ରୂପ ଏଇ ମାର୍ଚ୍ଚ ମାସ ।

 

ଯୁଆଡ଼େ ଚାହାଁ, ମାର୍ଚ୍ଚ ମାସ । ରାସ୍ତାରେ, ଘାଟରେ–ଘରେ, ବାହାରେ–ଅଫିସରେ, କ୍ଵାର୍ଟରରେ–ବିଧାନସଭାରେ ଓ କାଗଜପତ୍ରରେ ମହାନ୍‌ ମାର୍ଚ୍ଚ ମାସର ଗୁଞ୍ଜରଣ । ସହର ବଜାରର ଯାନ୍ତ୍ରିକ ଅସରଳ ପରିବେଶ ଭିତରକୁ ବସନ୍ତ ଆସିପାରେନା; ଖାଲି ମାର୍ଚ୍ଚମାସ ହିଁ ଆସେ । ଆସେ ଅନେକ ଆଶା ନେଇ / ନିରାଶା ଦେଇ ।

 

ଗଛଲତାରୁ ପୁରୁଣା ପତ୍ରଗୁଡ଼ାକ ପଡ଼ନ୍ତି; ନୂଆ କଅଁଳ ଛନଛନ ପତ୍ର ବାହାର ଆଲୁଅକୁ କିଲିକିଲିଆ ଭାବ ନେଇ ଉତୁରି ପଡ଼ନ୍ତି, ଅନେକ ସବୁଜ ସମ୍ଭାବନା ଧରି । ପେନ୍ଥା ପେନ୍ଥା ଫୁଲ ଦିଅନ୍ତି ମୁରୁକିହସା । ସେ ଆଡ଼କୁ ନିଘା ନ ଥାଏ ମାର୍ଚ୍ଚ ମାସର । ସେ ଦେଖେ, ପ୍ରତିବର୍ଷ ଭାଙ୍ଗୁଥିବା ଛୋଟ ଛୋଟ ପୋଲ ମରାମତି ହେଉଚି ରାସ୍ତା ଅବରୋଧ କରି–ଧୋଇ ହେଇଯିବାପାଇଁ ଗୋଟିଏ ମାତ୍ର ବର୍ଷାକୁ ଅପେକ୍ଷା ରଖିଥିବା ଚୂନ ଲାଗୁଛି ସରକାରୀ କ୍ଵାର୍ଟରରେ–ସହରୀ ରାସ୍ତାରେ ପିଚୁଟିଣ ଓ ରୋଡ଼ ରୋଲରଙ୍କ ଭିଡ଼ ଜମୁଚି, ଖଣ୍ଡିଆ ରାସ୍ତାରେ ତାଳ ପକାଇବାପାଇଁ–ଲାଇବ୍ରେରୀମାନଙ୍କରେ ଛିଣ୍ଡା ପୋକଖିଆ ବହି ରାତାରାତି ପଶୁଚି ପଟିପକା ଦେଢ଼ଗୁଣ ଦାମ ବଢ଼ାଯାଇ ।

 

ମାର୍ଚ୍ଚମାସ ବୁଲୁଚି, କଣ୍ଟ୍ରାକ୍ଟର ଘରଠାରୁ ଓଭରସିଅର / ଇଂଜିନିୟର, ବଡ଼ବାବୁ / ସାନବାବୁ ଘର ପର୍ଯ୍ୟନ୍ତ । ପୁଣି ଟ୍ରେଜେରୀରୁ ବ୍ୟାଙ୍କ ପର୍ଯ୍ୟନ୍ତ; ବ୍ୟାଙ୍କରୁ ଲକର୍‌ ପର୍ଯ୍ୟନ୍ତ; ମଦ ମାଂସଠାରୁ ଜଳଖିଆ ଦୋକାନ ପର୍ଯ୍ୟନ୍ତ । ମାର୍ଚ୍ଚ ମାସ ବେଶି ବୁଲେ କାଗଜରେ । ବେଶି ପୁଣି ବୁଲେ ଟଙ୍କାର ରୂପଧରି । ଏ ହାତରୁ ସେ ହାତକୁ ଡିଏଁ । ବର୍ଷସାରା ଶୋଇ ଯାଇଥିବା ଲୋକଙ୍କର ନିଦଭାଙ୍ଗେ ଏଇ ମାର୍ଚ୍ଚମାସ ।

 

ବଡ଼ କଉତୁକିଆ / ଜଞ୍ଜାଳିଆ ଏଇ ମାର୍ଚ୍ଚମାସ ।

 

ଧର୍ମଘଟ ହରତାଳ ଧ୍ଵଜା ତଳେ ଚୋର ଡକାୟତ / ଲୁଟ୍‌ମାରୁ ବାଲା ଆସିଲା ଭଳି–ଟଙ୍କାଗୁଡ଼ାକ ଖର୍ଚ୍ଚ ହେବାପାଇଁ ମାର୍ଚ୍ଚ ମାସ ନାଁ ଧରି ଆସନ୍ତି । ସବୁ ଅଡ଼ୁଆର / ଆଡ଼୍‍ଡାର ମୂଳରେ ଟଙ୍କା । ସେ ଗୁଡ଼ାକ ଟ୍ରେଜେରୀ ଭିତରୁ ପଦାକୁ ଯିବାନିମିତ୍ତ ବ୍ୟାକୁଳ ହୁଅନ୍ତି ଠିକ୍, ଅସ୍ରାଏ ଅଦିନିଆ ଭଲ ବର୍ଷା ହେଇଗଲା ପରେ ଡେଣାଲଗା ଝରିପୋକ ଉଡ଼ି ବୁଲିବା ଭଳି ।

 

ଖର୍ଚ୍ଚ ଚିନ୍ତାରେ ପଡ଼ିଥିବା ସଂସ୍ଥାମାନଙ୍କର,-

 

ମାର୍ଚ୍ଚ ମାସ ହିଁ ତ୍ରାଣକର୍ତ୍ତା ।

 

କିନ୍ତୁ ପୋଲିସ ବିଭାଗରେ ଏ ମାସର ଦୌରାତ୍ମ୍ୟ ବିଶେଷ କିଛି ନାହିଁ । ବରଂ ଏଇଟାକୁ ତିରୋଟକାଳ / ଶୁଖିଲା ସମୟ କହିବେ ସୁବଳ ପଟ୍ଟନାୟକ । ଏଇ ସମୟରେ ପୋଲିସ ଅଫିସର କାହାରି ଖାତିର ପଡ଼ନ୍ତି ନାହିଁ । ଏତିକିବେଳେ ଅନ୍ୟମାନେ ହେଇଥାଆନ୍ତି ବଡ଼, ମହାନ୍‌ । ଏକୋଇଶି ବର୍ଷ ଚାକିରି ଭିତରେ ଏବେ ଇନ୍‌ସପେକ୍ଟର ପଦକୁ ପ୍ରମୋଶନ ହେଇଛି ତାଙ୍କର । ସତ କହିବାକୁ ଗଲେ, ଗଡ଼ଜାତ ଅଞ୍ଚଳରେ ସବ୍‌ଇନ୍‌ସପେକ୍ଟର ଥିଲାବେଳେ ଯେଉଁ ଖାତିର ଥିଲା / ଯେଉଁ ପଇସା ଥିଲା, ୟେ ଉପକୂଳ ଅଞ୍ଚଳରେ ଇନ୍‌ସପେକ୍ଟର ହେଇ ବି ତାହା ନାଇଁ ।

 

ହେଇତ, ଗାଡ଼ି ଖଣ୍ଡିଏ ପାଇଁ ଘଣ୍ଟାଏ ଠିଆହେବାକୁ ପଡ଼ିଲାଣି ।

 

ଫୁଲବାଣୀର ଖଜୁରୀପଡ଼ାରୁ ବଦଳିହେଇ ଆସିଲାଦିନ ବଲସ୍‌କୁମ୍ପା ଠାକୁରାଣୀଙ୍କ ନିକଟରେ ସାଷ୍ଟାଙ୍କ ପ୍ରଣାମ ଜଣାଇଥିଲେ ସେ । ଭାରି ପ୍ରତ୍ୟକ୍ଷ ଦେବୀ ସେ । ଡାକିଲେ କୁଆଡ଼େ ‘ଓ’ କହନ୍ତି; ଭକ୍ତର ମନସ୍କାମନା ପୂରଣ କରନ୍ତି । ମନାସକରି ଆସିଥିଲେ ସୁବଳ ପଟ୍ଟନାୟକ ସେଇଠି । ମାଳ ଅଞ୍ଚଳରୁ ବଦଳି ହେଇ ଉପକୂଳ ଅଞ୍ଚଳ ମାଡ଼ୁ ନ ମାଡ଼ୁଣୁ ଆସିଗଲା ପଦୋନ୍ନତି । ବଲସ୍‌କୁମ୍ପାଙ୍କ ଉଦ୍ଦେଶ୍ୟରେ ପୁଣି ଥରେ ସେଦିନ ପ୍ରଣତି ବାଢ଼ିଥିଲେ ସେ ।

 

ମୋଟ ଉପରେ ପଦୋନ୍ନତିଟା ତାଙ୍କ ପ୍ରତି କାହାର ଦୟା ନୁହେଁ, କିମ୍ୱା ଅଯଥା ଅନୁକମ୍ପା ନୁହେଁ–ବରଂ ଏହା ତାଙ୍କର ଦୀର୍ଘ କୋଡ଼ିଏ ବର୍ଷ ସାଧନାର ଫଳ । ଜଣେ ଦଣ୍ଠା ପୋଲିସ କର୍ମଚାରୀ ହିସାବରେ ତାଙ୍କର ସୁନାମ ଅଛି ଯଥେଷ୍ଟ । ଅନେକଙ୍କୁ ଅକଳରେ ପକାଇ ସେ କାର୍ଯ୍ୟ ହାସଲ କରିଛନ୍ତି ସତ; ମାତ୍ର ନିଜେ ଆଦୌ ଅକଳରେ ପଡ଼ିନାହାନ୍ତି । ଖାଇବା ଓ ଖୁଆଇବା ଯେଉଁ କଳା, ସେଥିରେ ତାଙ୍କର ପାରଦର୍ଶିତା ଥିବାରୁ, ଅନେକ ମତ ଦିଅନ୍ତି–ପଦୋନ୍ନତିଟା ତାଙ୍କର ଦୀର୍ଘଦିନର ପ୍ରାପ୍ୟ ।

 

ଏଇଟା ସତକଥା ।

 

ସୁବଳ ବାବୁଙ୍କର ଧାରଣା, ପଦୋନ୍ନତି ହେଲେ କ’ଣ ହେବ, ଆଜିକାଲି ଆଉ ପଦ ମର୍ଯ୍ୟାଦା ମିଳୁନାହିଁ । ଆଗେ ପୋଲିସ ପ୍ରତି ଜନସାଧାରଣଙ୍କର ଯେଉଁ ସମ୍ମାନ / ଭୟ ଥିଲା, ଆଜିକାଲିକା ରାଜନୀତିକ ବନ୍ୟାରେ ସେଗୁଡ଼ାକ ଧୋଇ ହେଇଯାଇ ବାଲୁଚର ପାଲଟିଗଲାଣି ବହୁ ପରିମାଣରେ । ନଚେତ୍‌ ମାର୍ଚ୍ଚ ମାସ କ’ଣ, ମେ ମାସ କ’ଣ–ପୋଲିସଙ୍କପାଇଁ ଆଗେ ସବୁ ସମୟ ସମାନ ଥିଲା । ଏ ଦେଶରେ ଅତ୍ୟଧିକ ସ୍ଵାଧୀନତା ଲୋକଗୁଡ଼ାକଙ୍କୁ ଓପରମୁହାଁ କରିଦେଲା । ଅବଶ୍ୟ ଜାଗା ଘିନି ମର୍ଯ୍ୟାଦା ଅଛି । ମାଳ ଅଞ୍ଚଳରେ ଥିଲାବେଳେ ଖବର ପଠେଇ ଦେଲେ ଗାଡ଼ି, ହାତ ଦେଖେଇ ଦେଲେ ଅଟକିଯିବ ଗାଡ଼ି ।

 

କିନ୍ତୁ ଏଠି / ଏ ଅଞ୍ଚଳରେ ......

 

ଉଦ୍ଧତ ଲୋକଗୁଡ଼ାକ !

 

ସୁବଳ ପଟ୍ଟନାୟକ ମନେମନେ ସ୍ଥିର କଲେ, ନା–ଏ ଲୋକଙ୍କୁ ତାଙ୍କର ଅସଲ ରୂପଟାକୁ ଦେଖେଇ ଦବାକୁ ହେବ । ନୂଆ ନୂଆ ସବୁକଥା ହୁଗୁଳା ଛାଡ଼ିଦେଲେ ପଛାନ୍ତେ ଆଉ ପାଷଙ୍ଗରେ ପକେଇବେନି । ଏଥର ସେ କଟକରୁ ଫେରିଲେ, ଦଳବଳଧରି ଗୋଟାଏ ତନଖି ପର୍ବ ଆରମ୍ଭ କରିଦେବେ । ରୋଡ଼ ପରମିଟ୍‌, ଟ୍ୟାକ୍‌ସ ଟୋକନ୍‌, ଡ୍ରାଇଭିଂ ଲାଇସେନ୍‌ସ ସବୁ...ସବୁକିଛି ଚେକ୍‌ କରାଯିବ । ଦେଖାଯିବ କେମିତି ଗାଡ଼ି ନ ଅଟକେଇ ପେଁ–ପାଁ କରି ଚାଲିଯିବେ ।

 

ବଜ୍ଜାତ ଦଳ !

 

ଢିଙ୍କିକୁ କାଠ ବିଲି ଭାବିଲେଣି ।

 

ଠିକ୍ ଅଛି.....

 

ପ୍ରଚଣ୍ଡ ଖରାର ଛିଟିକାରେ ସୁବଳ ପଟ୍ଟନାୟକଙ୍କ ପୋଷାକ ଝାଳରେ ଏକପ୍ରକାର ତିନ୍ତିଗଲାଣି । ଆଖିରେ ହତାଶା ଓ କ୍ରୋଧମିଶା ଦୃଷ୍ଟି । ବେଳେବେଳେ ତାଙ୍କ ମନ ରାଗରେ ଏପରି ଚାଟୋଳ ଧରୁଥିଲା ଯେ, ହାତରେ ଯଦି ରୋଲ୍ ବାଡ଼ିଟା ଥାଆନ୍ତା, ସେ ଏ ରାସ୍ତାରେ ଯା–ଆସ କରୁଥିବା ଲୋକଙ୍କୁ ପିଟି ପିଟି ଛତୁ ବନେଇ ଦିଅନ୍ତେ । ୟା’ଳ୍ପ ବଦମାସଗୁଡ଼ାକ; ......ସମ୍ମାନ ଦେଇ ଶିଖିନାହାନ୍ତି ।

 

ପୁଣି ଟିକିଏ ନରମି ଆସିଲା ବେଳେ ସେ ଭାବନ୍ତି–ଅବଶ୍ୟ ଏ ପାଦଗଲା ଲୋକଗୁଡ଼ାକଙ୍କର ବା କ’ଣ ? ଖାଲି ଏତିକି, ଏଇ ବାଟଦେଇ ଗଲାବେଳେ ଗାରଡେଇ ତାଙ୍କୁ ଚାହାଁନ୍ତି । ଗାଡ଼ିବାଲାଙ୍କ ତୁଳନାରେ ଏଇଟା ସେମିତି କିଛି ନୁହେଁ । ସବୁ ଦୋଷ ଏଇ ଗାଡ଼ିବାଲାଙ୍କର ।

 

ୟା’ରି ଭିତରେ ଅନେକ ଗାଡ଼ି ହାତ ହଲେଇ / ମନା କରିଦେଇ ଚାଲିଗଲେଣି । କେହି କେହି କୁଟୁଳିଆ ହସ ମୁଠା ଦି’ମୁଠା ଫିଙ୍ଗି ଦେଇଯାଇ ତାଙ୍କ କ୍ରୋଧକୁ ଆହୁରି ବଢ଼େଇ ଦେଇଗଲେଣି । ଏଇଟା ତାଙ୍କର ଘରୋଇ ଯାତ୍ରା । ନଇଲେ କନେଷ୍ଟବଲ ଦି’ ଚାରିଟା ଆଣି ଠିଆକରି ଦେଇଥିଲେ ଏମାନଙ୍କ ଛଇ ଛାଡ଼ି ଯାଇଥାଆନ୍ତା । ତା’ଛଡ଼ା ଥାନା ଗାଡ଼ିଟା ନେଇ ଯାଇଥିଲେ ଚଳିଥାନ୍ତା ଯେ–ନୂଆ ଜାଗା, ନୂଆ ପଦୋନ୍ନତି; ଦିନାକେତେ ଯାଉ । ସହି ସମ୍ଭାଳି ସବୁ କରାହେବ ।

 

ସେଥିରେ ପୁଣି ରାଜନୀତିକ ହାଉଆ ବଦଳୁଚି ।

 

କେତେବେଳେ କୋଉକଥା ।

 

ମନ ଭିତରୁ ଉହୁଙ୍କି ଉଠିଲା ଶକ୍ତି–ସାମର୍ଥ୍ୟ ଓ ପାରିଲା ପଣିଆର ଭାବ; ସଞ୍ଚରିଗଲା ତାହା ସାରା ଶରୀରକୁ । ନିଜକୁ ନିଜେ ସେ ବୁଝେଇଲେ–ରହିଯା, ରହିଯା । କୋଉ ପାଣି କୋଉଆଡ଼େ ଯାଉଚି, ଦେଖ୍‌ । ଏଇଭଳି ଏକ ଉତ୍‌ଫୁଲ୍ଲିତ ଭାବନାମୟ ମୁହୂର୍ତ୍ତରେ ଗୋଟିଏ ସୁନ୍ଦର ଲାଲ ରଙ୍ଗର ବିଦେଶୀ ଗାଡ଼ି ଦିଶିଗଲା କିଛି ଦୂରରୁ । ଏଥର ଅଟକିବାପାଇଁ ହାତ ଦେଖାଇବା ସଙ୍ଗେ ସଙ୍ଗେ ରାସ୍ତା ମଝାମଝି ଆସି ଛିଡ଼ା ହେଇଗଲେ ଇନ୍‌ସପେକ୍ଟର ସୁବଳ ପଟ୍ଟନାୟକ । ଗାଡ଼ି-। ଅଟକିଲା କଡ଼ା ବ୍ରେକ୍‌ଦେଇ ।

 

“ଡ୍ରାଇଭିଙ୍ଗ୍‌ କାଗଜପତ୍ର .... ଆର . ସି . ବୁକ୍‌’’......

 

ସୁବଳ ପଟ୍ଟନାୟକଙ୍କ ଏ କଥାଗୁଡ଼ାକ ଡ୍ରାଇଭରକୁ ଅପ୍ରାସଙ୍ଗିକ ମନେହେଲା କି କ’ଣ–କେଜାଣି; ସେ ହସିଦେଲା । କାଗଜପାତ୍ର ବାହାର ନ କରି, ସାମ୍ନା ସିଟ୍‌ରେ କେହି ନ ଥିବାରୁ, ସେ ପଛ ସିଟ୍‌ଆଡ଼କୁ ଚାହିଁଲା । ଏବଂ ସେଠୁ ଆଖି ଫେରାଇ ପୁଣି ଥରେ ଚାହିଁଲା ପୋଲିସ୍‌ ଇନ୍‌ସପେକ୍ଟରଙ୍କ ଆଡ଼କୁ । ସେତେବେଳକୁ ସୁବଳ ପଟ୍ଟନାୟକ ରାଗରେ ଜଳୁଥିଲେ ଡ୍ରାଇଭରର ହସ ଦେଖି । ତାଙ୍କ ମୁହଁ ଉପରେ କେହି ହସିଦେବା ଏଇ ପ୍ରଥମ । କ’ଣ କରାଯାଇ ପାରିବ ଏ ଅବସ୍ଥାରେ । ବୋଧେ ଏ ଉପକୂଳ ଅଞ୍ଚଳ ମାଟି ଏଇୟା ।

 

ଡ୍ରାଇଭର ମୁହଁରେ କିନ୍ତୁ କଥା ନାଇଁ । ମାତ୍ର ଭାବ ଅଛି –ଏକ ଅବହେଳାର ଭାବ; ବେଖାତିର ବେପରୁଆ ଭାବ । ସେ ପକେଟରୁ ରୁମାଲ କାଢ଼ି ମୁହଁ ପୋଛିବାକୁ ଲାଗିଲା । ଅସହ୍ୟ....ଅସହ୍ୟ ସେ ଯନ୍ତ୍ରଣା ସୁବଳବାବୁଙ୍କ ପାଇଁ । ତଥାପି ସେ ନିଜକୁ ସମ୍ଭାଳି ନେବାକୁ ଚେଷ୍ଟା କଲେ । ଆଉ କିଛି କଥା / ଘଟଣା ଘଟିବା ପୂର୍ବରୁ ହାତରେ ଧରିଥିବା ପ୍ୟାକେଟ୍‌ଟାକୁ ସେ ବଢ଼ାଇଦେଲେ ଡ୍ରାଇଭର ହାତକୁ ।

 

‘ରଖ୍‌ ସେପଟେ ଏଇଟାକୁ, .....ମୁଁ ଯିବି’ ।

 

ସତେ ଯେମିତି ଅନେକ ଗୁଡ଼ାଏ ଆଲୋଚିତ ହେବା କଥା ଅନାଲୋଚିତ ରହିଗଲା । ଅନେକ କହିବା କଥା ଅନାବଶ୍ୟକ ମନେହେଲା ଦୁହିଁଙ୍କୁ । ପରସ୍ପର ପରସ୍ପରର କଥା ବୁଝିଗଲେ ।

 

......‘ପୋଲିସବାବୁ ସହରକୁ ମାଗଣା ଯିବାକୁ ଚାହାନ୍ତି; ଇଏ ତାଙ୍କର ଗୋଟାଏ ଚାଲ୍‌’ ।

 

...‘ଡ୍ରାଇଭର ତାଙ୍କୁ ଗାଡ଼ିରେ ନେଇଯିବାକୁ ସମ୍ମତ । ଅତି ଚତୁରତାର ସହିତ ସେ ତାଙ୍କ ମନ କଥା ଜାଣିପାରିଚି । ସେଥିପାଇଁ ସେ ହସୁଚି କୌଣସି ଉତ୍ତର ନ ଦେଇ ।

 

....‘ଯିବ ଯଦି ଶୀଘ୍ର ଆସ; ଆଉ ଡେରି କରନା’ ।

 

ଡ୍ରାଇଭର ବସିବାପାଇଁ ଡୋର୍‌ ଖୋଲିଦେଲା ।

 

ଭିତରକୁ ଆସି ଆଶ୍ଵସ୍ତ ହେଲେ ସେ । ମାର ଗୁଲି ହୋ ଏ ମାର୍ଚ୍ଚ ମାସକୁ । ଚାରିଆଡ଼େ ଖାଲି ହରିଲୁଟ୍‌ । ମଣିଷକୁ ଟିକେ ସୁସ୍ଥରେ ଯିବା–ଆସିବା କରିବାକୁ ସୁଯୋଗ ମିଳୁ ନାହିଁ । ସବୁ କାମ ଏଇ ସମୟକୁ ପକେଇ ରଖିଥାଆନ୍ତି କାହିଁକି କେଜାଣି । ଏଇ କାମପାଇଁ ଏସବୁ ଟଙ୍କା ପଇସାକୁ ଆଗରୁ ବରାଦକରି ଦେଇଥିଲେ ତ ଚାଲିଥାଆନ୍ତା । ମାର୍ଚ୍ଚ ଏକତିରିଶ ରାତିଅଧ ପର୍ଯ୍ୟନ୍ତ, କଣ୍ଠାଗ୍ରତ ହେବାଯାଏ, ସବୁ ଘଟଣା କାହିଁକି ପଡ଼ି ରହେ, ତା’ର କାରଣ ହିସାବୀ ଇନ୍‌ସପେକ୍ଟର ସୁବଳ ପଟ୍ଟନାୟକଙ୍କ ମୁଣ୍ଡରେ ପଶି ପାରୁନଥିଲା ।

 

ରାସ୍ତାରେ ଠାଏ ଠାଏ ମାର୍ଚ୍ଚ ମାସ ସୃଷ୍ଟି କରିଛି ଦ୍ଵିତୀୟ ବିଶ୍ଵଯୁଦ୍ଧର ଦୃଶ୍ୟ । ଭଙ୍ଗା ଯାଉଚି । ଗଢ଼ା ଯାଉଛି । ଦଳେ ଦଳେ ଝାଳୁଆ ମଣିଷ କାମରେ ଲାଗିଛନ୍ତି; ମାଟି ଖୋଲାହେଇ ରାସ୍ତାର ଦି’ପଟେ ଗଦାହେଉଚି । ଇଟା, ସିମେଣ୍ଟ ଓ ଲୁହା ଛଡ଼ର ପ୍ରଦର୍ଶନୀଟିଏ ଜମିଚି । ପାଟିତୁଣ୍ଡ ହୋ–ହଲ୍ଲା । କାମକଲା ସ୍ତ୍ରୀଲୋକମାନଙ୍କର ଚୁପୁଡ଼ା ଚୁପୁଡ଼ା ହସ ବିଞ୍ଚିହେଇ ପଡ଼ୁଚି ସେଇ ଖରାଧୁଆ ରାସ୍ତା ଉପରେ । ମୁଖ୍ୟ ରାସ୍ତା ଅବରୋଧ ହେଇ ଧୂଳିଆ କଚା ରାସ୍ତାରେ ମଟର କାର୍‌ ବୁଲି ବୁଲି ଯିବାକୁ ନିର୍ଦ୍ଦେଶ ଦିଆଯାଇଚି । ସେଇଭଳି ରାସ୍ତା ଦେଇ କାର୍‌ ଗଲାପରେ ଡ୍ରାଇଭର୍‌ ପ୍ରତିଥର ନିଜ ମୁହଁକୁ / ଆଖିକୁ ପୋଛିଚି ତା’ର ରୁମାଲରେ । ଅଥଚ ସେଇ ସ୍ତ୍ରୀଲୋକମାନେ ମୁହଁ ପୋଛୁନାହାନ୍ତି ଯେଉଁମାନଙ୍କର ମୁହଁ ସଫେଇତି ହେବା କଥା ।

 

ସୁବଳ ପଟ୍ଟନାୟକ ଭିତରେ ନରମିଯାଇ, ମୋଡ଼ି ମକଚି ହେଇ, ଶୋଇପଡ଼ିଥିବା ଅହଂଟି ହଠାତ୍‌ ନାଗସାପ ଭଳି ଫଣା ଟେକି ଉଠିଲା । କି ଭଳିଆ ଲୋକଟା ମ ଇଏ ! ଟିକେ ସଣ୍ଠଣା ନାଇଁ ! ପୋଲିସ ଅଫିସର ଜଣେ ପାଖରେ ବସିଚି; ଗୋଟାଏ ହାତ ଛାଡ଼ିଦେଇ ଗାଡ଼ି ଚଲଉଚି; ଆର ହାତରେ ସଉକିନିଆ ରୁମାଲ ଧରାହେଇ ମୁହଁ ପୋଛା ଚାଲିଚି । ନାଇଁ ଯଦି କିଛି ଗୋଟାଏ ହେଇଯାଏ, - ତୋର ଡ୍ରାଇଭର ଜୀବନଟା ସିନା ମୂଲ୍ୟବାନ ନୁହେଁ; କିନ୍ତୁ ଗୋଟାଏ ପୋଲିସ ଅଫିସରର ଜୀବନ ତ....

 

ହଁ, ମୂଲ୍ୟବାନ ନିଶ୍ଚୟ......

 

ତା’ଠୁଁ ଢେର ମୂଲ୍ୟବାନ ।

 

‘ହେଏଇ ! ଭଲଭାବେ ଗାଡ଼ି ଚଳା । ଏମିତି ହାତଛାଡ଼ି ମେଜିକ୍‌ ଦେଖଉଚ କ’ଣ ? ନୂଆ ଡ୍ରାଇଭିଙ୍ଗ ଲାଇସେନ୍‌ସ କରିଚୁ କିରେ ? ଜାଣିଚୁ, ତୋ ଲାଇସେନ୍‌ସ ରଦ୍ଦ କରିଦେବି’–

 

ଏଥରକ ଶବ୍ଦକରି ହସିଉଠିଲା ଡ୍ରାଇଭର୍‌ । ବଡ଼ ବିରକ୍ତିକର ସେ ହସ । ରାଗରେ ମୁହଁ ଲାଲ ପଡ଼ିଗଲା ସୁବଳ ପଟ୍ଟନାୟକଙ୍କର । ତାଙ୍କର ଇଛା ହେଉଥିଲା, ଢାଏ ଢାଏ ଦିଇଟା ଜମେଇଦେଇ ହସିବା କାରଣଟା ନିକାଲି ଆଣନ୍ତେ ସେ । ଥଟ୍ଟା ଲାଗିଚି, ନାଇଁ ? ବଜାରି ଲଫଙ୍ଗା କାହାଁକା !! କହ କାହିଁକି ହସୁଥିଲୁ, କହ–

 

ସୁବଳ ପଟ୍ଟନାୟକ ମନେମନେ ଭାବି ଯାଉଥିବା କଥାକୁ ବଚନରେ ରୂପଦେବାକୁ ସମୟ ପାଇନଥିଲେ । ସେ କିଛି ଗୋଟା କହିବା ପୂର୍ବରୁ ଗୋଟାଏ ସ୍ଵର ଶୁଭିଲା, ‘କୋଉ ଥାନା ଦାୟିତ୍ୱରେ ଅଛି କି ବାବୁ ?–କୋଉଠିକି ଯିବ ?’

 

ମୁହଁ ବୁଲାଇ ଏଥର ପଛକୁ ଚାହିଁଲେ ସୁବଳ ପଟ୍ଟନାୟକ । ଏଯାବତ୍‌ ଗାଡ଼ିର ପଛପଟେ କିଏ ଅଛନ୍ତି କି ନାଇଁ, ଦେଖିବାକୁ ବେଳ ପାଇ ନଥିଲେ ସେ । କେମିତି ଅବା ଦେଖିବେ-? ଏ ଡହରା ଡ୍ରାଇଭରଟା ତ ତାଙ୍କ ମୁଣ୍ଡ ଗରମକରି ଦେଇଥିଲା । ସବୁ କଥାର / କାମର ଗୋଟାଏ ସୀମା ଅଛି । ସୀମା ଅତିକ୍ରମ କରିଗଲେ ଯେ କୌଣସି ଲୋକ ବିଗିଡ଼ିବ ଏବଂ ବିଗିଡ଼ିଗଲା ପରେ ମଣିଷ ସାଧାରଣତଃ ଯାହା କରିବାର କଥା, ତାହା କରିପାରେ ନାହିଁ; ବରଂ ସେଥିରେ କିଛି ବିଭ୍ରାଟ ଦେଖାଦିଏ ।

 

ପଛକୁ ଚାହିଁଦେଲା ପରେ ସୁବଳ ପଟ୍ଟନାୟକଙ୍କର ଛାତିରେ ଗୋଟାଏ ହପା ପଶିଗଲା ହାବୁକା ମାରି । .....ଏ ରାହୁଆ ଲୋକଟାକୁ ତ କୋଉଠି ଦେଖିଚି.....ବହୁବାର ଦେଖିଚି । ବୋଧେ ଫଟରେ ଦେଖିଚି; କିନ୍ତୁ ଇଏ ତ ଉଚ୍ଚ ପୋଲିସ ମଣିଷ ନୁଏଁ । ପ୍ୟାରେଡ ପଡ଼ିଆରେ ଦେଖିଚି କି ? ମାତ୍ର ଇଏ ତ ଉଚ୍ଚ ପୋଲିସ କର୍ମକର୍ତ୍ତା ନୁହନ୍ତି । ୟାଙ୍କର ସାମ୍ନା ମୁଣ୍ଡବାଳ ଟିକେ ଚନ୍ଦା । କଥାଗୁଡ଼ାକ ଟାଆଁସିଆ–ଟାଆଁସିଆ । ବୟସ ବିଦୀର୍ଣ୍ଣ ଦେହରେ ଗୌରବର୍ଣ୍ଣ ଏବେ ବି ଦୀପ୍ତିମାନ । ଖାଇଗଲା–ଖାଇଗଲା ଆଖିରେ ଚଷମା । ତା’ ଭିତରୁ ଶିକାରୀ ଜନ୍ତୁର ଗତିବିଧି ଲକ୍ଷ୍ୟ କଲା ଭଳି ସେ ଦେଖୁଚି ସୁବଳ ପଟ୍ଟନାୟକଙ୍କୁ ।

 

ଛବିରେ ଦେଖିଥିବା ମଣିଷ ଭଳି ମଣିଷଟିଏ ।

 

ଚାହିଁ ରହିଛନ୍ତି ସେ ।

 

ଆଖିରେ ଚିହ୍ନିଲା ଭାବ । ଲୋକଟାକୁ ସେ ବହୁଥର କେଉଁଠି ଦେଖିଛନ୍ତି, ଅଥଚ ଏବେ ନାଆଁ ମନେପଡ଼ୁନି । ଜିଭ ଆଗରେ ଥିବା ନାଆଁଟା । ଇଏତ....., ହଠାତ୍‌ ବିବର୍ଣ୍ଣ ହୋଇଆସିଲା ସୁବଳ ପଟ୍ଟନାୟକଙ୍କ ମୁହଁଟା । ଦେହସାରା କଣ୍ଟିଗଲା ବୁନ୍ଦା ବୁନ୍ଦା ଝାଳ । ଗାଡ଼ିରେ ବସିବା ପରେ ପବନ ବାଜି ଯେଉଁ ଝାଳ ଶୁଖି ଯାଉଥିଲା, ତାହା ପୁଣି ଆକସ୍ମିକ ଭାବେ ମୁହଁ ଦେଖାଇଲେ ଅମାନିଆହେଇ । ପାଟି ଅଠା ଅଠା ହେଇଗଲା ତାଙ୍କର....

 

‘ପୂର୍ବତନ ମୁଖ୍ୟମନ୍ତ୍ରୀ’…

 

ଇଏ ଯେମିତି କେତେଟା ଶବ୍ଦ ନୁହେଁ, କେତେଟା ମାରାତ୍ମକ ଅଣୁଅସ୍ତ୍ର । ନିଶବ୍ଦରେ ଏଇ ଶବ୍ଦମାନେ ଭେଦି ଯାଉଛନ୍ତି ତାଙ୍କର ସାରା ଦେହରେ / ରକ୍ତରେ–ଶିରା ପ୍ରଶିରାରେ । ଉଚ୍ଚାରଣର ଆବଶ୍ୟକତା ନାଇଁ । ଅନୁଚ୍ଚାରିତ ଭାବେ ସେଗୁଡ଼ାକ ଉଚ୍ଚାରିତ । ... ପୂ–ର୍ବ–ତ–ନ–ମୁ–ଖ୍ୟ–ମ–ନ୍ତ୍ରୀ– .... ଏବେ ବିରୋଧିଦଳର ମୁଖ୍ୟ କର୍ଣ୍ଣଧାର । ପରିବର୍ତ୍ତିତ ରାଜନୀତିକ ଆବହାୱାର ରାଷ୍ଟ୍ରୀୟ ସୂତ୍ରଧର ।

 

ଇସ୍, କେଡ଼େ ବଡ଼ ଭୁଲ୍ ହେଇଗଲା ସତେ ! ଗାଡ଼ିରେ ବସିବା ପୂର୍ବରୁ ଅନ୍ତତଃ ଥରକପାଇଁକି ପଛକୁ ଚାହିଁ ଥାଆନ୍ତେ କି ସେ । ନିକଟ ଭବିଷ୍ୟତର ଅଭାବନୀୟ ଧୂମାଳ ଦିଶିଗଲା ସୁବଳ ପଟ୍ଟନାୟକଙ୍କ ଆଖି ଆଗରେ । .....‘ପୋଲିସ କ୍ଷମତାର ଅପବ୍ୟବହାର’.....ବିଧାନସଭାରେ ଅଗ୍ନିଗର୍ଭା ଭାଷଣ.....ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରିବ, ‘ପୋଲିସ ଅଫିସରଙ୍କ......’

 

ପାଟିରୁ ଆଉ ଶବ୍ଦ ଉଚ୍ଚାରିତ ହେଲା ନାହିଁ ସୁବଳ ପଟ୍ଟନାୟକଙ୍କର । ଆଖି ତାଙ୍କର ଫେରୁନାଇଁ ସେଇ ଛବିର ମଣିଷଟି ଉପରୁ । ପିଲାମାନଙ୍କ ପାଠ ବହିରେ ଥିବା ଛବି,.....ସେତେବେଳର ସବୁଠାରୁ ଅଧିକ ଦରକାରୀ ମଣିଷ, ଏବେ କ୍ରମଶଃ ଅଦରକାରୀ ହେଇପଡ଼ୁଛନ୍ତି । ଭବିଷ୍ୟତରେ ଦରକାରୀ ହେଇପାରନ୍ତି; ନ ହେଇପାରନ୍ତି ମଧ୍ୟ । କିନ୍ତୁ ଇଏତ ମଣିଷ ନୁହଁ, - ସତେକି ଗୋଟାଏ ମହାବଳ ବାଘ ।

 

ଅନେକ କଥା / ଅନେକ ଦୃଶ୍ୟ....

 

ଅତୀତରୁ ସୁଅ ମୁହଁରେ ପତର ଭାସି ଆସୁଚି ବର୍ତ୍ତମାନ ପର୍ଯ୍ୟନ୍ତ । ଆଗରେ ବାଘକୁ ଦେଖି, ନିଶ୍ଚିତ ମୃତ୍ୟୁ ଜାଣି ସ୍ତବ୍‍ଦ ହେଇଯାଇଥିବା ବାଟୋଇ ଭଳି, ସୁବଳ ପଟ୍ଟନାୟକ ଚାହିଁ ରହିଛନ୍ତି ତାଙ୍କରି ଆଡ଼େ । ଆଖିର ପଲକ ପଡ଼ୁଚି କି ନା, ଜାଣିହେଉନି । ଆଖିରେ ଆଖିଏ ଅତୀତ....

 

ଗଛରେ ନାନା ଜାତିର ଫୁଲ ଫୁଟିଲେ ମାର୍ଚ୍ଚ ମାସରେ କି ଯାଏ ?

 

କାଗଜରେ ଫୁଲ ଫୁଟିଲେ ହେଲା । ବିରୋଧୀ ଦଳ ଓ ଖବରକାଗଜମାନେ ଯେତେ ଗର୍ଜିଲେ କ’ଣ ହେବ, ପଛରେ ଶାସନ କଳର ସମର୍ଥନ ଥିଲେ ହେଲା । ସେତେବେଳେ ସମର୍ଥନ ଥିଲା ଶାସକଙ୍କର ଏବଂ ଶାସନ କଳର । ମୁଖ୍ୟମନ୍ତ୍ରୀ ହିସାବରେ ୟେ ଥିଲେ ଭାରି କଡ଼ା ମିଜାସ୍‌ର ଲୋକ । ବଟବୃକ୍ଷର ଛାୟାରେ ଅନ୍ୟ ବୃକ୍ଷ ଉଧେଇ ନ ପାରିବା ସଦୃଶ ବିରୋଧୀ ଦଳ ମୁଣ୍ଡ ଟେକି ପାରୁ ନ ଥିଲେ ୟାଙ୍କ ଆଗରେ ।

 

ଶାସନ କଡ଼ା; ଶାସନ କଳ ସଜାଗ–

 

ପୋଲିସ ବି ହୁସିଆର ।

 

ସବୁ କଥା ନେଇଆଣି ଥୋଇ ହେଉଥିଲା ସେ ସମୟରେ । ରାଜନୀତିକ ଜୀବନ ଘନ କୁହୁଡ଼ିର ଦିନ ପରି ସଂଶୟାଚ୍ଛନ୍ନ ନ ଥିଲା । ଶାସନ କଳର କର୍ଣ୍ଣଧାରମାନେ ଥିଲେ ସରକାରୀ କର୍ମଚାରୀଙ୍କ ଉତ୍ସାହଦାତା । ପୋଲିସି କ୍ରୀଡ଼ା–ପ୍ରତିଯୋଗିତାରେ କୁନ୍ତ ନିକ୍ଷେପ ଓ ବନ୍ଧୁକ ଚାଳନାରେ ପ୍ରଥମହେଇ ସୁବଳ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଥିଲେ ଏଇ ମହାପୁରୁଷଙ୍କଠାରୁ-। କେନ୍ଦୁଝରରେ ୟାଙ୍କ ବିରୁଦ୍ଧରେ ହେଇଥିବା ଚାଷୀ ଆନ୍ଦୋଳନର ସତ୍ୟତା ଓ ସତର୍କତା ଜାଣି ଆସିବାକୁ ସ୍ଵତନ୍ତ୍ର ଦୂତ ରୂପେ ପଠାଯାଇଥିଲା ସୁବଳ ପଟ୍ଟନାୟକଙ୍କୁ ।

 

ମୋଟ ଉପରେ–

 

ସବୁ କଥା ନେଇଆଣି ଥୋଇ ହେଉଥିଲା ସେତେବେଳେ ।

 

କେବଳ ଏତିକି ନୁହେଁ, - ତାଙ୍କର ଆହୁରି ଅନେକ ସ୍ମୃତିମୟ ଘଟଣା ସହିତ ଇଏ ବି ଜଡ଼ିତ । ଚଳମାନ ଗାଡ଼ି ଭିତରେ ସବୁ ଘଟଣା ଚଳମାନ ହେଇଯାଉଛନ୍ତି । ଠିକ୍‌ କରି ମନେ ପଡ଼ୁନାହାନ୍ତି ଘଟଣାମାନେ । ଚିତ୍ତ ବୈକଲ୍ୟ ଯୋଗୁଁ ଚିନ୍ତାରେ ବି ବିଭ୍ରାଟ ଘଟୁଚି ତାଙ୍କର । ମାଗଣା ଯିବାର ମନୋବୃତ୍ତିରୁ ସିନା ଏତେବଡ଼ ଦୁର୍ଘଟଣା ଘଟିଗଲା । କିନ୍ତୁ ଏବେ ଉପାୟ କ’ଣ ? କି ଉତ୍ତର ଦେବେ ସେ ଭୂତପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ....

 

ଗଛରୁ ପାଚିଲା ପତ୍ର ଓ ଫୁଲମାନେ ଚଳନ୍ତା କାର୍‌ ଉପରେ ଖସି ପଡ଼ୁଥାନ୍ତି । ଏବଂ ତାଙ୍କୁ ନିର୍ଦ୍ଧିଷ୍ଟ ସୀମାରେ ପହଞ୍ଚାଇବା ପୂର୍ବରୁ ଖସି ପଳାଉଥାଆନ୍ତି ଦୂରକୁ । କି ଉତ୍ତର ଦେବେ ସେ ତାଙ୍କୁ ! କୋଉଠି ଓହ୍ଳେଇବେ ଭୁଲିଗଲେଣି ସେ । ଠିକ୍‌ ଭୁଲି ନାହାନ୍ତି ଯେ, - କେବଳ ମାତ୍ର କହିବାକୁ ଭୁଲି ଯାଇଛନ୍ତି ଏଇ କଥାଟାକୁ ।

 

ଡ୍ରାଇଭର ଗାଡ଼ି ଚଳେଇଚି ସେମିତି । ମଝିରେ ମଝିରେ ସୁବଳବାବୁଙ୍କୁ ଚାହିଁଦେଇ ପୂର୍ବଭଳି ମୁହଁ / ଆଖିରେ ରୁମାଲ୍‌ ବୁଲେଇ ନଉଚି । ବେଳେବେଳେ ସେ ହସୁଚି ଏବଂ କ’ଣ କହୁଚି ଶୁଣାଯାଉନି ତାଙ୍କୁ । ସମ୍ଭବତଃ ଏକ ଶବ୍ଦହୀନ ସାମ୍ରାଜ୍ୟରେ ସେ ଏବେ ବିଚରଣ କରୁଛନ୍ତି । ବଡ଼ ବିଚିତ୍ରି ଏ ପରିସ୍ଥିତି ।

 

ଡ୍ରାଇଭରକୁ କିଛି କହିବା / ଧମକ ଦେବା ପରିସ୍ଥିତିରେ ସେ ଏବେ ଆଉ ନାହାନ୍ତି । ସେଇ ଡ୍ରାଇଭର ହଠାତ୍‌ ତାଙ୍କ ଦୃଷ୍ଟିରେ ପାଲଟି ଯାଉଚି ମହାନ୍‌ ଚରିତ୍ର–ଶିବଙ୍କର ସାପ । ତେଣୁ ସେ ଖୁବ୍ ଭଲ; ଭଲ ଗାଡ଼ି ଚଳାନ୍ତି; ଗାଡ଼ି ଚଳାଇବାରେ ତାଙ୍କର ଏପରି ଦକ୍ଷତା ଯେ, ସେ ଗୋଟାଏ ହାତରେ ରୁମାଲରେ ମୁହଁ ପୋଛି ଅପର ହାତରେ ସୁନ୍ଦରଭାବେ ଗାଡ଼ି ଚଳେଇ ନେଇଯାଇପାରନ୍ତି । ସୁନ୍ଦର, ଅତି ସୁନ୍ଦର ! ଏସବୁ ଦକ୍ଷତାର ଫଳ । ନଚେତ୍‌ ଏଭଳି ଗାଡ଼ି ଚଳାଇବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ ।

ସୁବଳ ପଟ୍ଟନାୟକଙ୍କ ଦେହ ବାମ୍ଫେଇ ଉଠୁଚି । ଗୋଟାଏ ଅର୍ଗଳ ଭିତରେ ପଶି ଆବଦ୍ଧହୋଇ ରହିଥିବା ପଶୁଭଳି ସେ ଛଟପଟ ହେଉଛନ୍ତି । ମନରେ ଚିନ୍ତା, ଖସିଯାଇ ପାରନ୍ତେ କି କୌଣସିବାଟେ । ପରିସ୍ରା ଲାଗନ୍ତା କି ଏ ମୁଖ୍ୟମନ୍ତ୍ରୀଙ୍କୁ ! ସେତିକିବେଳେ ସେ ଖସି ପଳାନ୍ତେ । ଆଉ ନାଁ–ଗାଁ–ଠିକଣା ଜଣାଇବାକୁ ପଡ଼ନ୍ତାନି । ନତୁବା ହଠାତ୍‌ କାର୍‌ ଡୋଅର୍‌ଟା ଖୋଲିଦେଇ ଡେଇଁପଡ଼ିବେ କି ସେ, - ଚୋର ବା ରାଜନୈତିକ ବନ୍ଦୀ ଧରିବା ଦୃଶ୍ୟ ସୃଷ୍ଟିକରି ।

କିନ୍ତୁ ସେଠି କିଛି ପ୍ରଶଂସା / କିଛି ପାଇବାର ପ୍ରତିଶ୍ରୁତି.....

ଏଠି କିନ୍ତୁ କିଛି ହରେଇବାର ପ୍ରତ୍ୟାଶା....

ଆଗରେ ଭୁବନେଶ୍ଵର.....ହେଇ ତ ରସୁଲଗଡ଼ ଗଲା । ପଛରେ କାହିଁ କେତେ ଦୂରରେ ସେ ଛାଡ଼ି ଆସିଲେଣି ତାଙ୍କ ଗନ୍ତବ୍ୟସ୍ଥଳ–କଟକ ସହର । ମନଟା ସାରା କାରୁଣ୍ୟମୟ ହେଇଗଲା ସୁବଳ ପଟ୍ଟନାୟକଙ୍କର । କୋଉଠିକି ନଉଚନ୍ତି ସେ ? କାହାକୁ ନେଇ ଧରେଇଦେବେ କି ? କିନ୍ତୁ ଖସିବାର ବାଟ ନାଇଁ !

ଜୀବନରେ ସମସ୍ୟା ଆସୁ :

କିନ୍ତୁ ଏଭଳି ସମସ୍ୟା କାହା ଜୀବନରେ ନ ଆସୁ ।

ଆଗରେ ରେଳଷ୍ଟେସନ ଛକ । କାରର ଗତି ମନ୍ଥର ହେଲା । କେହି ଜଣେ ହାତ ଦେଖାଇଲା–ଓଜନଦାର ଦଳୀୟ ଲୋକ । ବୋଧେ କିଛି ସମ୍ବାଦ ଦେବେ । ଆଉ କିଛି ଚିନ୍ତା କରିବାର ବେଳ ନାହିଁ ସୁବଳ ପଟ୍ଟନାୟକଙ୍କର । ମନ ଭିତରେ କୁମ୍ଭାଟୁଆର ଡାକ–ଏଇ ସୁପ୍ରଭାତ; ଉଠ୍‌ଉଠ୍‌ । ଗାଡ଼ି ଅଟକୁ ନ ଅଟକୁଣୁ ସେ ଡୋଅର୍‌ ଖୋଲି ଧାଇଁଲେ.....ଧାଇଁଲେ ଅଣନିଃଶ୍ଵାସୀ ହେଇ । ପଛରୁ କାହାର ପାଟି ଶୁଭୁଚି–‘ତମ ପ୍ୟାକେଟ୍‌ ! ପ୍ୟାକେଟ୍‌ ରହିଗଲା’.....

ଶୁଣି ମଧ୍ୟ ଶୁଣୁନାହାନ୍ତି ସେ ।

ଶୁଣି ସତ୍ୟାସତ୍ୟ ବିଚାର କରିବାର ଅବସର ନାହିଁ ସୁବଳ ପଟ୍ଟନାୟକଙ୍କର । ସେ ଧାଇଁଛନ୍ତି–ପଛରେ ଅନେକ ହସ; ପୋଲିସ ଅଫିସର ଜଣେ ବିନା କାରଣରେ ଧାଇଁଚି; - ହସ ଉପରେ ହସ । ଦଉଡ଼ିବାବେଳେ ସୁବଳ ପଟ୍ଟନାୟକ ମନେ କରୁଥିଲେ–ପଛରେ ତାଙ୍କର ଅନେକ ଧାବମାନ ମଣିଷ; ସମସ୍ତଙ୍କ ମୁହଁରେ ‘ଧର–ଧର’ ଧ୍ୱନି । ତେଣୁ ପଳାଇଯିବାକୁ ହେବ ।

ଲକ୍ଷ୍ୟସ୍ଥଳକୁ ବହୁ ପଛରେ ଛାଡ଼ିଆସିଥିବା, -

ସୁବଳ ପଟ୍ଟନାୟକ ଧାଇଁଚି ।

Image

 

କୌଣସି ଗୁଲିଖଟିରେ ଏକ ସନ୍ଧ୍ୟା

॥ ପ୍ରସ୍ତାବନା ॥

 

[ବ୍ରିଟିଶମାନେ ଏ ଦେଶରୁ ଗଲା ପରଠୁଁ ଏପର୍ଯ୍ୟନ୍ତ କେତେ ଲୋକ ସ୍ଵାଧୀନ ହେଲେଣି, ମୁଁ ଜାଣେନା । ତେବେ ଲୋକଙ୍କ ଚିନ୍ତାଧାରାକୁ ଯେ ଏଯାଏଁ ସ୍ଵାଧୀନତା ଛୁଇଁ ନାହିଁ–ଏକଥା ଜୋରଦେଇ କୁହା ଯାଇପାରେ । କାରଣ ବହୁ ଲୋକଙ୍କର ଏବେ ବି ଧାରଣା ରହିଚି, ଆମକୁ ଆଗେ ଗୋରା ସାହାବ ଶାସନ କରୁଥିଲେ, ଏଇକ୍ଷଣି କଳା ସାହବ ଶାସନ କରୁଛନ୍ତି । ଶୋଷଣ ଓ ଶାସନର ଡୋରି କେବଳ ହସ୍ତାନ୍ତର ହେଇଚି ମାତ୍ର । କିଛି ଗୋଟାଏ ହେଇଗଲେ, ‘ସରକାର’ ବୋଲି କେହି ଗୋଟାଏ ଜୀବ ଅଛି–ସେ ବୁଝିବ ବୋଲି କୁହାଯାଉଚି ।]

 

ଏହା ଦାସ ମନୋବୃତ୍ତିର ଫଳ ।

 

ଆମର ମନୋବୃତ୍ତି ଆଜିଯାଏ ସ୍ଵାଧୀନ ହେଇନି ।

 

କେବଳମାତ୍ର ‘ମୁଁ’ଟି ସ୍ଵାଧୀନ ହେଇଚି ।

 

ଏକ ଭିତରେ ଅନେକ ‘ମୁଁ’ । ନା, ଅନେକ ଭିତରେ ଏକ ‘ମୁଁ’ । ଯଥା : - ମୁଁ ରତ୍ନାକର ଚଇନି । ଗୋଟାଏ ‘ମୁଁ’ର ଖୋଳପା ହେଉଚି ମୋର ନାଁ । କିମ୍ୱା ଟାଣୁଆ ଖୋଳପା ଭିତରେ କେଡ଼େ କଅଁଳ ଛନଛନ ‘ମୁଁ’ ଟିଏ । ଅସଂଖ୍ୟ ଖୋଳପା ଭିତରୁ ଇଏ ଗୋଟିଏ । ଏ ‘ମୁଁ’ ଟି ଏକ ଚରିତ୍ର, ଯିଏ କି ଏସବୁ ଘଟଣା ଶୁଣିଚି, ଦେଖିଚି, ଲେଖିଚି ।

 

ଠିକ୍‌ରୂପେ ‘ଲେଖିଚି’ ବୋଲି କହି ହେବନି । କାରଣ ଏହା ଲେଖା ନୁହେଁ । କେତୋଟି ଶୁଣାକଥା ଓ ଆପଣମାନଙ୍କ ଭିତରେ ଥିବା ବ୍ୟବଧାନ ମଧ୍ୟରେ ଏହା ଏକ କ୍ଷୁଦ୍ର ଅବତରଣିକା ।

 

ମୁଁ ବି ଜାଣେନି, ଯେଉଁ କଥାମାନ ଉପସ୍ଥାପିତ କରାଯିବ, ତା’ର ସ୍ରଷ୍ଟା କିଏ ? ପୁଣି ଏ ସୃଷ୍ଟିର କି ଉଦ୍ଦେଶ୍ୟ, ତା’ବି ଜାଣେନା । ଏଥିରେ କାହାପ୍ରତି ଆକ୍ଷେପ ଥାଇପାରେ; ଅବା କାହାକୁ ସମାଲୋଚନା କରାଯାଇ ଥାଇପାରେ ।

 

ମାତ୍ର ଏହା ଉଦ୍ଦେଶ୍ୟପୂର୍ଣ୍ଣ ଆକ୍ଷେପ ନୁହେଁ ।

 

ମୋର କିନ୍ତୁ ଗୋଟିଏ ସଫେଇ....

 

ପ୍ରସ୍ତାବନାରେ ଏଇ ସାମାନ୍ୟକଥନ....

 

ଆଖି ନାଇଁ, କାନ ନାଇଁ, ବାଜିଗଲେ ଦୋଷ ନାଇଁ...

 

ମାଫ୍‌ କରିବେ । କ’ଣ କହୁ କହୁ ଆଉ କ’ଣ ଗୁଡ଼ାଏ କହି ପକେଇଲିଣି । ହଁ, ପ୍ରଥମେ ପରିବେଶର ଅବତାରଣାପାଇଁ ମୁଁ କୁ କା’ ଦେଇ ଦେଉଚି । ସିଏ ଘଟଣାଗୁଡ଼ିକ ଗୁନ୍ଥି ଥୋଇବ ।]

 

॥ ପରିବେଶ ॥

 

ଚାଲୁ ଚାଲୁ ହଠାତ୍‌ ମତେ ଅଟକିବାକୁ ହେଲା । ଅସରାଏ ଭଲ ଛେଚା ବରଷା ଆରମ୍ଭ ହେଇ ଯାଇଥିଲା । ନିର୍ଧୂମ ଖରା ପରେ ବର୍ଷା । ଖୁବ୍‌ ଆରାମ ଦେଉଥିଲା ପାଗଟା । ଆଜି ଅପରାହ୍ନର ଆକାଶ ପିଠିରେ ଅଚାନକ କଳାହାଣ୍ଡିଆ ମେଘ ନାଉ ହେଇ ପଡ଼ିଥିଲା । କିନ୍ତୁ ବିଚାରୀ ପୃଥିବୀ !!

 

ଆହା... !!!

 

ମନେ ହେଉଥିଲା, ବହୁବର୍ଷ ଯୌନଜୀବନ ସହିତ ସମ୍ପର୍କ ରଖି ନ ଥିବା ଏକ ବୟସ୍କ । ନାରୀ ଆଜି ଆତ୍ମବିସ୍ମୃତ ହେଇ ପୁଣି ରତିତୃପ୍ତି ଲାଭ କରୁଚି; ଏବଂ ଆଖିବୁଜି ବଡ଼ ବଡ଼ ଟୋପା ବର୍ଷାରେ ଚୁମାକୁ ହଜମ କରୁଚି; କିନ୍ତୁ ମୁହଁରେ ଏକ ବିରୋଧୀ ପ୍ରତିବାଦ ସ୍ଵର .... ‘ନା–ନା–ନା’ -; କିନ୍ତୁ ସେ ନାଁ’ଟା ହଁ–ହଁ ଭଳି ଶୁଭୁଚି ।

 

ପୃଥିବୀରେ ଏମିତି ମଧୁର ସ୍ଵର ଗୁଞ୍ଜରଣ ।

 

ଆଜି ବହୁଦିନ ପରେ ବର୍ଷା ହେଉଚି ।

 

ବର୍ଷାରେ ଭିଜିବା ଆଗରୁ ସେଇ ନୁଆଁଣିଆ ଚାଳିଘର ବାରଣ୍ଡାକୁ ଉଠିଗଲି । ଆସନ୍ନ ସନ୍ଧ୍ୟାର ପରିବେଶ ଖୁବ୍‍ ମିଠା ମିଠା ଲାଗୁଥିଲା । ଖୋଲା ଚାଳିଘର ଭିତରୁ ସ୍ପଷ୍ଟ ନ ହେଲେ ବି ଅସ୍ପଷ୍ଟ ଧୂଆଁର ଧାର ବର୍ଷାରେ ତିନ୍ତିବୁଡ଼ି ବାହାରକୁ ବୁଲି ଯାଉଥିଲା ।

 

ଘର ଭିତରେ ନିଆଁର ଜିକି ଜିକି ରୂପ ।

 

ପରେ ପରେ ମନଖୋଲା ହୁଗୁଳା ସେ ।

 

ଭିତରେ କେତେଜଣ ଲୋକ ବସିଥିଲେ । ଭଲଭାବେ ଜଣା ପଡ଼ୁ ନ ଥିଲା, କେତେ ଜଣ । ସେମାନେ କିନ୍ତୁ ହସୁଥିଲେ । ହୃଦୟଖୋଲା କଥା ହେଉଥିଲେ । ଆଗେ ଭୁଟ୍‌ଭାଟ୍‌ । ତା’ପରେ ଫୁଟ୍‌ଫାଟ୍‌... । ତା’ପରେ ଭୁଟ୍‌ଭାଟ୍‌.... ।

 

ଚାଳିଘରେ ଚିଲମର ଧୂଆଁ....

 

ଲଗାମହୀନ କଥାର ସୁଅ....

 

ସେଇ ପରିବେଶ ମୋ ଉପରେ ଯେମିତି ହସିବା, ବସିବା, କାଶିବା ଓ କହିବାପାଇଁ ନିଷେଧାଜ୍ଞା ଜାରି କରିଦେଇଥିଲା । ମୁଁ ଶୁଣୁଥିଲି ଜଣକ ପରେ ଜଣକର କଥା....

 

॥ ୧ମ ଚରିତ୍ର ॥

 

‘....ବୁଝିଲ ପଣ୍ଡା, ଆଜି ଭଳି ସେଦିନ ବି ବେଳକୁଡ଼କୁ ଏମିତିଆ ବର୍ଷା କୁଟୁଥାଏ । ଆସରଟାରେ ଖୁବ୍‌ ଗମାତ୍‌ ହେଉଥାଏ । ଆଲୋଚନା ଜମିଥାଏ ଖୁଉବ୍‌ । ସେଦିନ ପ୍ରସଙ୍ଗ ପଡ଼ିଥାଏ, ଚନ୍ଦ୍ରରେ ମଣିଷ ଅଛନ୍ତି କି ନାଇଁ !’

 

ଯୁକ୍ତି.....ଯୁକ୍ତି ଉପରେ ଯୁକ୍ତି.....

 

ତା’ ଉପରେ ଯୁକ୍ତି.....

 

ହଁ–ନାଇଁ ...., ୟାଆରି ଲୁଚୁକାଳି ଖେଳ ।

 

ମୁଁ ଚକାମାଉଲି ପକାଇ ବସିଥାଏ । ଗୁରୁଦେବ ଶିବଙ୍କ ପ୍ରସାଦରୁ କିଛି ସାତ୍ତ୍ଵିକ ଆହାର ହେଇ ସାରିଥାଏ ଦି’ ଘଣ୍ଟା ପୂର୍ବରୁ । ସବୁ ଶୁଣୁଥାଏ । କିନ୍ତୁ କିଛି କହୁ ନ ଥାଏ । କଥାଟା ତନାଘନା ଉପରକୁ ଉଠିଲାବେଳେ ମୁଁ ଠିଆ ହୋଇ ପଡ଼ିଲି;–ଠିକ୍‌ ଯେମିତି ଭାବବିଭୋର ଚଇତନିଆ ଭକ୍ତ ।

 

ସମସ୍ତେ ଜାଣିଲେ, ମୋର କିଛି କହିବାର ଅଛି । ସେ ତ ଏମିତି ଯା’ ଇଚ୍ଛା ତା’ ଆଲୋଚନା ନୁହେଁ । ଏକବାରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା । ମୁଁ ଠିଆ ହେଇଗଲା ମାତ୍ରେ ସଭେଁ ଚୁପ୍‌ଚାପ୍‌ ହେଇଗଲେ । ଧୀର ଗମ୍ଭୀର କଣ୍ଠରେ ମୁଁ କହିଲି, ଚନ୍ଦ୍ରରେ ନିଶ୍ଚିତ ଭାବରେ ମଣିଷ ନାହାନ୍ତି ।

 

ସମୂହ ପ୍ରଶ୍ନର ବର୍ଷା ଆରମ୍ଭ ହେଇଗଲା ।

 

‘କିପରି’..... ?

 

ପ୍ରମାଣ କ’ଣ..... ??

 

ତୁମେ ପ୍ରମାଣ ଦେଇପାରିବ ?

 

ମୁଁ ଉତ୍ତର ଦେଲି, ଚନ୍ଦ୍ରର ଲୋକଙ୍କଠାରୁ ଭାରତ କୌଣସି ଆର୍ଥିକ ସାହାଯ୍ୟ ପାଇ ନାହିଁ; କିମ୍ୱା ସେ ଦେଶରୁ ସେ କିଛି ଧାର ଆଣି ନାହିଁ । ମଣିଷ ବସବାସ କରୁଥିବା ପ୍ରତ୍ୟକ ଦେଶରୁ ଭାରତ କିଛି ନା କିଛି ଧରିଚି । ଅତଏବ ଚନ୍ଦ୍ରରେ ମଣିଷ ନାହାନ୍ତି ।

 

କାହାରି ମୁହଁରେ ଆଉ କଥା ନାହିଁ ।

 

ସମସ୍ତେ ନୀରବ; ଚୁପ୍‌ଚାପ୍‌........

 

ବାସ୍‌... !!

 

ବାହାରେ ବଷା ରୋମାଞ୍ଚ ସୃଷ୍ଟି କରୁଥିଲା ।

 

ସ୍ମୃତିର କଦମ୍ବ ଫୁଲ ଫୁଟାଉଥିଲା ।

 

ଘରଭିତରେ ଜିକି ଜିକି ନିଆଁର ଅବତାର ।

 

ନିଆଁ କାହାଣୀ କହୁଥିଲା......

 

॥ ୨ୟ ଚରିତ୍ର ॥

 

‘......ରାଜେନ୍ଦ୍ର ଆଜ୍ଞା, ତୁମକୁ ଓଳିଗି । ଚିଲମ ରାଣ; ଆଇଁରେ ତମେ ସିନା ସିଇଠି ଜିତାପଟଟେ ନେଇଗଲ, ହେଲେ ଇଠି ନୁହେଁ । ତମେ ନେତାଗିରି ଦେଖେଇ ତାଙ୍କୁ ଚୁପ୍‌ କରିଦେଲ-। ମୁଁ କଇବି, ଏସବୁ ଘଟିଚି ତମରିମାନଙ୍କ ସକାଶେ । ଜୀବନରେ ଯୋଉଗୁଡ଼ାକ କିଛି ହେଇ ନ ପାରିଲେ, ସେଇଗୁଡ଼ାକ ହେଲେ ନେତା ।

 

ରାଜୁ ଆଜ୍ଞା, ଖେସା ବୁଝିବନି । ଏ ନେତାଗୁଡ଼ାଙ୍କର ଗହଳି କେବେଠୁଁ ହେଲା ଜାଣିଚ ? ....ଥରେ ଭଗବାନ ପାଇଟି ସାରି ଗୋଟାଏ ଫାଇଲିରେ ‘ସୌଭାଗ୍ୟ’କୁ ବାନ୍ଧି ତାଙ୍କ କିରାଣି ହେଲେ କ’ଣ ହେବ, ଆମ ଦେଶର କିରାଣିଙ୍କ ଭଳି ସବୁ ହେଙ୍କଡ଼ବାଜି ଗୁଣ ତା’ଠି ଥିଲା । ଭାରି ଖୁମାଣିଆଟେ ସେ । ଫାଇଲିଟାକୁ ଫିଟାଫିଟିକରି ବେହୁସିଆରିରେ ପକେଇ ଦେଇଥିଲା ।

 

କାମରେ ତ ଆଗ୍ରହ ନାହିଁ–

 

ଦିନେ କ’ଣ ହେଲା, କି ଫାଇଲିଟାରୁ ଅଧିକାଂଶ ‘ସୌଭାଗ୍ୟ’ ପବନରେ ଉଡ଼ିଯାଇ ତଳେ ପଡ଼ିଗଲା । ତଳ ବୋଇଲେ ଆଉ କୋଉଠେ କି ? ସେଗୁରା ଉଡ଼ି ଉଡ଼ି ଆସି ସିଧା ପୃଥିବୀର ଆମରି ଏଇ ଦେଶରେ ପଡ଼ିଲା ।

 

ଇଆଡ଼େ କ’ଣ ହେଇଚିନା, ଆମ ଦେଶରେ ଗୋଟାଏ ମୂର୍ଖ ଘୁଙ୍ଗା ପିଲାଟାଏ ଗୁଡ଼ାଏ ଗଧ ଚରାଉଥିଲା । ସୌଭାଗ୍ୟଗୁଡ଼ାକ ଆସି ସେଇ ଗଧଗୁଡ଼ାକ ଉପରେ ବିଞ୍ଚିହେଇ ପଡ଼ିଲା । ଗଧଗୁଡ଼ାକ ସାଙ୍ଗେ ସାଙ୍ଗେ ନେତା ପାଲଟିଗଲେ । ଆଉ ସେ ପିଲାଟି ତାଙ୍କ ଉପରେ ନେତା......

 

କେତେ ଜଣ ହସିଲେ କେଜାଣି ?

 

ହସଗୁଡ଼ାକ କିନ୍ତୁ ବିକଟାଳିଆ ଶୁଭିଲା ।

 

ବର୍ଷା ଛାଡ଼ି ନ ଥିଲା ।

 

ପୃଥିବୀ ଆନନ୍ଦରେ ଝୁମୁଥିଲା ।

 

॥ ୩ୟ ଚରିତ୍ର ॥

 

‘....ହଇହେ ପଣ୍ଡା ଭାଇନା ! ରାଜୁବାବୁଙ୍କ ସିନା ମୁହଁ ଫୁଟାଣିଟେ ଦେଖେଇଦେଲୁ–ବ୍ରଜମୋହନ ଏଠି ବସିଚି ଯେ ! ଅନ୍ୟକୁ କହିବା ଖୁବ୍‌ ସହଜ; ନିଜକୁ ତଉଲୁନା କାହିଁକି ? ବୁଝିଲ, ଆମେ ସମସ୍ତେ ଏକା ନାଉର ମଞ୍ଜି । ଭଗବାନଙ୍କଠାରୁ ଅଭିଶାପ ଭିକ୍ଷାକରି ଆମେ ଜନ୍ମିଚେ ।

 

ଜାଣିଚ ପୁରାଣର ସେ ଗହନ–ତତ୍ତ୍ଵକୁ ?

 

ପଣ୍ଡା ଓ ରାଜେନ୍ଦ୍ର ଦିହେଁ ବୋଧେ ଏକଥା ଶୁଣୁ ଶୁଣୁ ଥତମତ ହେଇଗଲେ । କାରଣ ନିହାତି ବସ୍ତୁବାଦୀ ଲୋକଟା ଆଜି ପୂରାଣ–ତତ୍ତ୍ଵ ଶୁଣାଇବ ବୋଲି କହୁଚି । ବୋଧେ ଦିନେ କାଳେ ଏମିତି କହେନି । ଦିଇଟା ଦଦରା ସ୍ଵର ମିଳିତଭାବରେ ଶୁଭିଲା, ଆଁ... !!

 

ଏଏଁଏ .... !! କିଛି ଜାଣିନି, ଖାଲି ମୁହଁ ଭଡ଼କ !

 

ଶୁଣ । ...ଗୁରୁଘର ବିଦ୍ୟା ଏ !

 

ବ୍ରହ୍ମା ମହାପ୍ରଭୁଙ୍କର କ’ଣ ଗୋଟାଏ ଅସୁବିଧା ପଡ଼ିବାରୁ ସେ ନିଜ କାମରୁ କିଛିଦିନ ଛୁଟି ନବାକୁ ଚାହିଁଲେ । କିନ୍ତୁ କଥା ଉଠିଲା, ତାଙ୍କ ଦାୟିତ୍ଵ ସମ୍ଭାଳିବ କିଏ ? ସବୁ ଦେବତାଏ ମନାକଲେ । ‘ବ୍ରହ୍ମା’ ବଡ଼ ହତାଶ ହେଇପଡ଼ି ଶେଷରେ ଭୋଳା ମହାପ୍ରୁ–ଆମ ଗୁରୁଦେବ ଶିବ ମ, ତାଙ୍କରି ପାଖରେ ଯାଇ ପହଞ୍ଚିଲେ । ବହୁତ କୁହାପୋଛା କରିବାରୁ ଶିବ ରାଜି ହେଇଗଲେ ।

 

ଶିବ କହିଲେ, ତମ ଅସୁବିଧା ଦେଖି ମୁଁ ରାଜି ହଉଚି । ନୋହିଲେ ଏତେ ଝାମେଲାରେ ପଶିବା ଲୋକ ମୁଁ ନୁହେଁ । ମୋ ଗଞ୍ଜେଇ ଭଲ ତ, ମୁଁ ଭଲ । ତମେ ନନ୍ଦୀ ଭ୍ରୂକୁଟୀଙ୍କି ସବୁ କାମ ବୁଝେଇ ଦେଇଯାଅ । ମୁଁ କେବଳ କାଗଜ–ପତ୍ରରେ ଦସ୍ତଖତ ମାରିବା ଲୋକ । ଭିତିରି କଥା ବୁଝିବାକୁ ମୋର ଏବେ ବେଳ କାଇଁ ?

 

ବ୍ରହ୍ମା ଟିକେ ଆଶ୍ଵସ୍ତ ହେଲେ ।

 

ଯାହାହଉ, କାମଟା ସରିଯିବ ।

 

ସେ ସେଇଆ କଲେ । ‘ଆତ୍ମା’ ଜମାଥିବା ଘରର ଚାବିକାଠିଟିକୁ ମଧ୍ୟ ନନ୍ଦୀ ଭ୍ରୂକୁଟିଙ୍କି ଦେଇଦେଲେ । କହିଲେ, ଏ ଜିନିଷ ପ୍ରତି ଟିକିଏ ହୁସିଆର ଥିବ । ଏଗୁଡ଼ାକ ଦୁର୍ମିଳ ବତ୍ସ ।

 

ବ୍ରହ୍ମା ବିଦା ହେଇଯିବା ବାଦ ନନ୍ଦୀ ଭ୍ରୂକୁଟୀଙ୍କର ଇଚ୍ଛାହେଲା–ଆତ୍ମାଗୁଡ଼ା କେତେ ଅଛି ଓ କେମିତିଆ, ଥରେ ଦେଖିବା । ଦିହେଁ ଯାଇ ଆତ୍ମାଥିବା ଘରର କବାଟଟାକୁ ଠିଆଁ ମେଲା କରିଦେଲେ । ଫଳରେ ଆତ୍ମାଗୁଡ଼ାକ କିଲିକାଲିଆ ହେଇ ସବୁ କିଏ କୁଆଡ଼େ ଘୂରି ବୁଲିଲେ । ଏ ଦିହେଁ ଯେତେ ଡକାଡକି କଲେ, ସେମାନେ ଆଉ ଫେରିବାକୁ ରାଜି ହେଲେନି । ବାଧ୍ୟହେଇ ଏମାନେ ଶିବଙ୍କ ଆଗରେ ସତ କଥା ଯାଇ ପ୍ରକାଶ କରିଦେଲେ ।

 

ଯିଏ ଥରେ ସ୍ଵାଧୀନତା ଚାଖିଚି, ସିଏ ପୁଣି ବନ୍ଦୀହେଇ ରହିବାକୁ କୁଆଡ଼ୁ ଚାହିଁବ ?

 

ଶିବ ଦେଖିଲେ ବଡ଼ ଅଡ଼ୁଆ ପରିସ୍ଥିତି ଉପୁଜିଲା । କ’ଣ କରିବେ ? ସେ ମଧ୍ୟ ଆସି ଆତ୍ମାମାନଙ୍କୁ ଖୁବ୍‌ କଅଁଳେଇ ଡାକିଲେ । କହିଲେ, ‘ଦେଖ ମୁଁ ନିଜେ ଶ୍ମଶାନବାସୀ । ମୋର ଦିନେ ଚୁଲି ଜଲିଲେ ଦିନେ ଜଳେନି । ଦେହରେ ମୋର କିଛି ନାହିଁ । ତେଇଁକି ତମକୁସବୁ କେଉଁଠି ସ୍ଥାନ ଦେବି ? ତମେ ବାରହିନସ୍ତା ହେବ । ମୋ କଥାମାନ; ଯାଅ ସେ ଘରେ ଚୁପ୍‌ଚାପ ରୁହ ।

 

ଆତ୍ମାମାନେ ତ ମୁକ୍ତ ରହିବାର ସ୍ଵାଦ ଚାଖି ସାରିଥିଲେ । ବନ୍ଦ ଘରେ ରହିବାକୁ ଆଉ ରାଜି ହୁଅନ୍ତେ କେତେକେ ! ସମସ୍ତେ ଏକ ସ୍ଵରରେ କହିଲେ, ଯେତେ ଯନ୍ତ୍ରଣା ମିଳୁ ପଛେ, ଆମକୁ କୋଉ ରାଜ୍ୟରେ ଟିକିଏ ମୁଣ୍ଡଗୁଞ୍ଜିବାକୁ ସ୍ଥାନ ଦିଅନ୍ତୁ । ଆମଠୁ ସମସ୍ତ ମାନବିକ ସୁଖସମ୍ଭୋଗ କାଢ଼ିନିଅନ୍ତୁ ପଛେ, ଦୁର୍ଲ୍ଲଭ ମାନବ ଜନ୍ମ ଦିଅନ୍ତୁ । ଆମେ ଟିକେ ବୁଲାବୁଲି କରିବୁ ।

 

ଶିବ ତ ଅଳ୍ପକେ ସନ୍ତୁଷ୍ଟ ହେବା ଦେବତା । ସେ ତାଙ୍କ କଥାରେ ରାଜି ହେଇଗଲେ । କହିଲେ, ‘ହଉ–ତମେମାନେ ଧାଡ଼ିବାନ୍ଧି ଜମ୍ବୁଦ୍ଵୀପ ଭ୍ରଥଖଣ୍ଡକୁ ଯାଅ । ସେଠାରେ ନାନାଦି ଯନ୍ତ୍ରଣା ପାଅ । ତମକୁ ମୋଭଳି ଦେହକୁ କନା ଓ ପେଟକୁ ଦାନା ନ ମିଳୁ । ସମସ୍ତ ମାନବିକ ସୁଖ ପ୍ରାପ୍ୟ ନ ହେଉ । କଷ୍ଟରେ ବଞ୍ଚି ରହିବା ଶିଖ ।’

 

ବୁଝିଲ ନା ଭାଇନା ! ସେଇଦିନୁ ଧାଡ଼ିବାନ୍ଧି ଆମେ ଏ ଦେଶରେ ଆସି ଭିଡ଼ ଜମାଉଚୁ । ଜନସଂଖ୍ୟା ବଢ଼ିବାର ଏଇ ହେଲା ମରମ କଥା । ଏଗୁଡ଼ାକ ଏମିତି ବଢ଼ି ଚାଲିଥିବା–

 

॥ ଏବଂ ଶେଷରେ... ॥

 

ହଠାତ୍‌ ବର୍ଷା କେତେବେଳେ ବନ୍ଦ ହେଇଯାଇଚି ମୁଁ ଜାଣେନା; ସନ୍ଧ୍ୟାର ସେଇ ଧୂଆଁଳିଆ ପରିବେଶ ଭିତରୁ ମୁଁ ମୁକୁଳି ଆସିଲି । ଫେରିବାବେଳେ ଭାବୁଥିଲି, ବୋଧହୁଏ ମୁଁ କୌଣସି ଅବାଞ୍ଝିତ ଜାଗାରେ ଆଶ୍ରୟ ନେଇ ନ ଥିଲି ।

 

ଏଭଳି ଜାଗାରେ କିଛି ସମୟ କଟିବା ଉଚିତ ।

 

କାରଣ–

 

ଏଇଠି ରହିଚି ଏ ଦେଶର ତଟକା ଅର୍ଥନୀତି ଓ ରାଜନୀତି ।

 

ଏଇଠି ହେଉଚି ଏ ଦେଶର ସାମାଜିକ ପରିସ୍ଥିତି ବିଷୟରେ ଏକ କଟୁତିକ୍ତ ଆଲୋଚନା-

 

କିନ୍ତୁ ଭିନ୍ନ ଭାଷାରେ ।

Image

 

ମାହ୍ୟାଇ

 

ମାହ୍ୟାଇ ଲୋକ ହିସାବରେ ଭଲ ।

 

କିନ୍ତୁ ତା’ମାନେ ନୁହେଁ ଯେ, ତାଙ୍କ ହାତ ସୁନ୍ଦର, ତାଙ୍କ ଗୋଡ଼ ସୁନ୍ଦର; ପୁଣି ତାଙ୍କ ଚାଲିଚଳନ ହାବଭାବ ସୁନ୍ଦର । ତାଙ୍କପାଇଁ ଏ ସୁନ୍ଦର ବିଶେଷଣଟା ନିହାତି ଜରୁରୀ ନୁହେଁ ।

 

ଏଇଟା କିନ୍ତୁ ସବୁରି ମୁହଁର ଗୋଟିଏ ସ୍ଵୀକାରୋକ୍ତି ଯେ–ମାହ୍ୟାଇ ଲୋକ ହିସାବରେ ଭଲ । ଆପଣ ଯଦି ଥରେ ଖଣ୍ଡେ ତାଙ୍କ ସଂସ୍ପର୍ଶରେ ଆସିଯିବେ, ତେବେ ଆପଣବି ଏକଥାକୁ ନିଜ ମୁହଁରେ ଦୋହରେଇବେ ।

 

ଅଫିସ୍‌ର ପିଅନ୍‌ଠାରୁ ବଡ଼ବଡ଼ିଆ ଯାଏ–

 

ସମସ୍ତଙ୍କର ପ୍ରିୟଜନ ଏଇ ବ୍ୟକ୍ତିଟି ।

 

ଏବେ ସେ ଆଉ ଗୋଟାଏ ବ୍ୟକ୍ତି ନୁହେଁ; ଅର୍ଥାତ୍‌ ତାଙ୍କୁ ବ୍ୟକ୍ତି କହିବା ଅନୁଚିତ । ସେ ତ ଗୋଟାଏ ଅନୁଷ୍ଠାନ । ଅନେକଙ୍କର ଏକାନ୍ତ ଆବଶ୍ୟକ ତଥା ସ୍ମରଣୀୟ ପ୍ରାଣବିନ୍ଦୁ । ଜନସେବା ନିଗମକୁ ଯାଇ, ଏଭଳି କୌଣସି ବ୍ୟକ୍ତି ନାହିଁ, ଯିଏ ତାଙ୍କୁ ନ ଖୋଜିଚି; ବା ନ ଖୋଜିବ–

 

ସେଇ ମାହ୍ୟାଇ–

 

ମାୟାଧର.......

 

ମାହାଣ୍ଟି..........

 

ବାସ୍‌, ଏଇ ତିନୋଟି ରୂପ ତାଙ୍କର । ତେବେ ସେ ବେଶୀ ପରିମାଣରେ ମାହ୍ୟାଇ ରୂପେ ପରିଚିତ । ‘ମାୟାଧର’ ବା ‘ମାହାଣ୍ଟି’ କହିଲେ କେହି ହୁଏତ ତାଙ୍କର ଯଥାର୍ଥ ଠିକଣା କହି ନପାରେ; ମାତ୍ର ‘ମାହ୍ୟାଇ’ କହିଲେ ସମସ୍ତେ ଜାଣିବେ । ‘ମାୟାଧର ଭାଇ’ ଶବ୍ଦ ଦିଇଟା ଜନମୁଖରେ ବହୁବାର ଧର୍ଷିତା ହୋଇ ପରିଶେଷରେ ଗୋଟାଏ ନିହାତି ଆପଣାର ଶବ୍ଦରେ ପରିଣତ ହେଇଯାଇଚି ।

 

ଅଫିସରେ ଥିବା ନିହାତି ବୁଢ଼ାଳିଆ ଲୋକ କେଇଟା ତାଙ୍କୁ କେବଳ ଡାକନ୍ତି ‘ମାୟାଧର୍‌’-। କିନ୍ତୁ ତାଙ୍କ ସଂଖ୍ୟା ଚାରି ପାଞ୍ଚ ଭିତରେ । ସେମାନେ ମାୟାଧର୍‌ ବୋଲି କହିଲେ ବି ଲୋକେ ତାକୁ ଅନୁବାଦକରି ବୁଝନ୍ତି ‘ମାହ୍ୟାଇ’ । ସତେ ଯେମିତି, ଏଇ କେଇଟା ଶବ୍ଦର ଗୋଟିଏ ହିଁ ଅର୍ଥ-। ସମସ୍ତେ ତାହା ବୁଝିବାକୁ ବାଧ୍ୟ ।

 

ଏବଂ ନିଗମର ସଭ୍ୟ କେଇଜଣ–

 

ଯୋଉମାନେ ଗାଡ଼ିରେ ଇଠିକି ଆସନ୍ତି, ଗମ୍ଭୀରହେଇ ଏଠି ଯା–ଆସ କରନ୍ତି, ମାପିଚୁପି କଥାଭାଷା କରନ୍ତି; ବେଶି କହିଲେ ଗୁମର ପଦାକୁ ଫିଟିଯିବ ବୋଲି ଅଧିକ ଗୁଡ଼େ ଭଡ଼ଭଡ଼ ହୁଅନ୍ତିନି । ସମସ୍ତିଙ୍କ ଆଖିରେ ଚଷମା । ଆଉ ଦିଇଟା ଆଖି ନହେଲେ ପ୍ରାର୍ଥିମାନଙ୍କର ଭିତିରି ରୂପଟା ଚିହ୍ନିହବ ନାଇଁ । ଚମ ଆଖିରେ ସେମାନେ ସାର୍ଟିଫିକେଟ ଓ ବାହାର ଛଇଛଟକ ଆଦି ଦେଖନ୍ତି; ମାତ୍ର ଚଷମା ଆଖିରେ ଦେଖନ୍ତି ଭିତରର ଅସଲ ରୂପ । ସେଇମାନେ–

 

ସେମାନେ ସମସ୍ତେ ଡାକନ୍ତି ‘ମାହାଣ୍ଟି’ ।

 

ସତେକି ଭଜା ସଜନାଛୁଇଁ ଚୋବେଇ ଫିଙ୍ଗିଦେବା ପୂର୍ବ ମୁହୂର୍ତ୍ତରେ ପାଟିରୁ ଖସିଥିବା ଶବ୍ଦଟେ ଇଏ.....

 

ତାଙ୍କ କଥା ସେଘରୁ ପଦାକୁ ଆସେନି । ତେଣୁ ସାହାବୀ ଆଭିଜାତ୍ୟ ଭରା ଶବ୍ଦଟି ଘିରିଘିରି ଘୂରୁଥିବା ପଙ୍ଖା, କଲିଂବେଲ୍‌ ଓ ଫିସ୍‌ଫିସ୍‌ ହେଉଥିବା ଓଠର ପରିଧି ଟପି ବେଶୀ ଦୂରକୁ ଯାଇପାରେନି ।

 

ଏଇ ଅଫିସ୍‌ରେ କେବଳ ନୁହେଁ, ସମସ୍ତଙ୍କର–

 

ସମସ୍ତ ଗୋପନୀୟତାର ବିନ୍ଦୁଟି ଏଇ ମାହ୍ୟାଇ ।

 

ନିଗମର ସଭ୍ୟମାନଙ୍କର ଏକାନ୍ତ ବିଶ୍ଵସ୍ତ, ବୟସ୍କ କର୍ମଚାରୀମାନଙ୍କ ପାଇଁ ଆନୁଗତ୍ୟ ଓ କର୍ମନିଷ୍ଠତାର ଚଳମାନରୂପ ଏବଂ ଅନେକ କର୍ମ–ଆଶାୟୀ ପ୍ରାର୍ଥୀଙ୍କର ଆଶା ଓ ଆଶ୍ଵାସନାର ମହାଦୀପ ଏଇ ମାହ୍ୟାଇ । ଅଦ୍ଭୁତକର୍ମା ବ୍ୟକ୍ତି ଜଣେ ସେ । କ୍ଲାନ୍ତି ବା ଅସନ୍ତୋଷ ତାଙ୍କ ଦେହ-ମନର ସୀମା ସ୍ପର୍ଶ କଲାଭଳି କେବେ ମନେହୁଏ ନାହିଁ ।

 

ଏକ କର୍ମବିହ୍ୱଳ ଚଳମାନ ଛବି ।

 

ଧୀର, ଗମ୍ଭୀର ହସକୁଳା ମୁହଁ । ଫୁଲପେଣ୍ଟ୍‌, ହାୱାନୀ ଓ ଚପଲର ମଣିଷଟିଏ । ପାନ, ବିଡ଼ି, ସିଗାରେଟ୍‌ ଆଦି କାହାର ହେଲେ ସେ ଦାସ ନୁହଁ । ଭାରି କର୍ତ୍ତବ୍ୟନିଷ୍ଠ । ସକାଳ ନଅଟାରୁ ରାତି ନଅଟା ପର୍ଯ୍ୟନ୍ତ ସେ ଅଫିସରେ ଥାଏ । ଏଡ଼େବଡ଼ ଅଫିସ ଭିତରେ ତାଙ୍କ ଭଳି ମିଷ୍ଟଭାଷୀ, ଏକାନ୍ତ ଆତ୍ମୀୟ ମଣିଷଟେ ଆଉ ନାହାନ୍ତି । ଅନ୍ୟତ୍ର ଥିବେ କିନା ସନ୍ଦେହ କରିବାର ଯଥେଷ୍ଟ କାରଣ ଅଛି । କାହିଁକିନା, ଆଉ କେଉଁଠି ଏତେ ଆପଣାର ମଣିଷଟିଏ ଅଫିସ କାମ କରୁଥିବା ଦେଖିବାକୁ ମିଳେ ନାହିଁ ।

 

ମୋଟ ଉପରେ ଏ ଅଫିସରେ ଯେତେ କର୍ମଚାରୀ ଅଛନ୍ତି, ମାହ୍ୟାଇଙ୍କ କର୍ମ–ପରାୟଣତା ପ୍ରମାଣ କରିବାପାଇଁ ସେମାନେ ସମସ୍ତେ ଅଳଂକରଣ । ଏମାନେ ନଥିଲେ ମାହ୍ୟାଇ ଏତେ ଶୋଭାବନ୍ତ ଦିଶନ୍ତେ ନାହିଁ । ଅନ୍ୟର ଦୋଷ ଥିବାରୁ ସିନା ୟାଙ୍କର ଗୁଣଗୁରା ପଦାକୁ ଉପୁଚି ପଡ଼ୁଚି । ସତକଥା; ଦେଖିଲେ ତାହାହିଁ ଜଣାଯିବ ।

 

ଜନସେବା ନିଗମର ଭାବକେନ୍ଦ୍ର ମାହ୍ୟାଇ !

 

ଚେୟାରମେନ......

 

ନିୟାମକ ସଭ୍ୟ......

 

ଏବଂ ସଚିବ.....ଆସିଲାମାତ୍ରେ କଲିଂବେଲ୍‌ ରଡ଼ିଛାଡ଼େ–‘ମାହାଣ୍ଟି’.....

 

ଡକରା ଆସିଲାମାତ୍ରେ ବଡ଼ ଅବାଧ୍ୟଭାବରେ ବାଧ୍ୟତା ପ୍ରକାଶକରି ମାହ୍ୟାଇ ଯାଏ । କାମଛାଡ଼ି କୁଆଡ଼େ ଯିବାକୁ ସେ ପସନ୍ଦ କରେ ନାହିଁ । ମାତ୍ର ନଗଲେ, ନ ବୁଝେଇଲେ ଏ ବଡ଼ବଡ଼ିଆମାନେ କିଛି ବୁଝିବେ ନାଇଁ । ଏତେ ଲେଖାଁ ପାଠ ପଢ଼ିଛନ୍ତି ସିନା; ଭିତରେ ପଶି ପଙ୍କ ଚକଟି, ସାର ଜିନିଷଟାକୁ ଧରି ଉପରକୁ ଆସିବା ବିଦ୍ୟା, ୟେଙ୍କୁ ଜଣାନାଇଁ ।

 

କଥାଟା ନିଶ୍ଚୟ ଏଇୟା ।

 

ମାହ୍ୟାଇକୁ ଏକଥା କହିବାକୁ ପଡ଼େ ନାହିଁ । ମାତ୍ର ପାଖ–ଆଖରେ ବସିଥିବା କିମ୍ବା ଅପେକ୍ଷା କରିଥିବା ପ୍ରତ୍ୟେକ ଚରିତ୍ରକୁ ଏହା ବୁଝିନେବାକୁ କଷ୍ଟ ହୁଏ ନାହିଁ ଯେ ମୋଟାମୋଟି ଭାବେ କଥାଟା ସେଇଆ ।

 

ଭାବମୟ ମୂର୍ତ୍ତି ମାହ୍ୟାଇ ।

 

କର୍ମ ହିଁ ତାଙ୍କ ପ୍ରାଣ ।

 

କର୍ମବ୍ୟସ୍ତତାପାଇଁ ସେ ଘରୁ ଆସିଲାବେଳେ କିଛି ଜଳଖିଆ ଗୋଟାଏ ପ୍ଲାଷ୍ଟିକ୍‌ ଡବାରେ ଆଣିଥାଏ; ମାତ୍ର କେତେବେଳେ ସେ ଜଳଖିଆ ଖିଆହୁଏ, ତା’ର ଟେର୍‌ ଏଯାବତ୍‌ କେହି ପାଇନାହାନ୍ତି । ତେବେ ଖିଆ ତ ହୁଏ, ଏମିତି ହେଇତ କଥା ନାଇଁ । କାରଣ ସେ ବାହାରକୁ ଜଳଖିଆ ଖାଇବାକୁ ଯିବାନିମିତ୍ତ ଏ ନାପସନ୍ଦ ଭାବ ପ୍ରକାଶ କରେ ।

 

ଜଳଖିଆପାଇଁ କାହାରି ସାଙ୍ଗରେ ଯାଏ ନାହିଁ;

 

କିମ୍ବା କାହାରିକୁ ସାଙ୍ଗରେ ନିଏ ନାହିଁ ।

 

ମାହ୍ୟାଇ କାମିକା ମଣିଷ । ସବୁବେଳେ କାମରେ ଲାଗିଥାଏ । ସକାଳୁ କେହି ନ ଉଠିବା ପୂର୍ବରୁ ଉଠି, ଗାଧୋଇ ପଡ଼ି, କଲୋନୀ ପାଖ ନୂଆ ପ୍ରତିଷ୍ଠା ହେଇଥିବା ଶିବ ମନ୍ଦିରକୁ ଚାଲିଯାଏ । ମାହ୍ୟାଇର ଝୁଲନ୍ତ ଘଣ୍ଟି ପିଟିବା ଶବ୍ଦରେ ଶିବଙ୍କ ନିଦ ଭାଙ୍ଗେ କି ନା କହି ହେବନି; କିନ୍ତୁ ଶୋଇଥିବା କଲୋନୀ ବାସିନ୍ଦାଙ୍କ ପହଡ଼ ଭାଙ୍ଗେ ନିଶ୍ଚେ । ତା’ପରେ ସେ କାମରେ ଲାଗିଥାଏ ଯେ–ଲାଗିଇ ଥାଏ ସେମିତି ।

 

ଅଫିସରେ ତ ତର ନଥାଏ ।

 

ସକଳ ଗୁପ୍ତା ତଥ୍ୟ ଓ ସତ୍ୟର ଚିତ୍ରଗୁପ୍ତ ସେ ।

 

ପ୍ରାର୍ଥୀମାନେ ପ୍ରଥମେ ତାଙ୍କୁ ଭେଟିଲେ, ଗୋଟିଏ ଫୁଲ ପରି ହସ ହସ, ନିହାତି ଆତ୍ମିୟ ଲୋକଟି ସହିତ ଭେଟିଲା ଭଳି ମନେ କରନ୍ତି । କଥାରେ ଏପଟ ସେପଟ ନାଇଁ । ଖୁବ୍‌ କମ୍‌ କଥା ବି କହନ୍ତି । ଅବଶ୍ୟ କାମିକା ଲୋକ ବେଶୀ ନ ଗପିବା କଥାଟା ସଚରାଚର ଜଣା । ତଥାପି ତାଙ୍କୁ ଗପିବାକୁ ପଡ଼େ ଆବଶ୍ୟକ ସ୍ଥଳେ ।

 

ସେ ଗପନ୍ତି ବେଳେବେଳେ–

 

-ମାହ୍ୟାଇ ! ରିଟିନ୍‌ଫଳ କେବେ ବାହାରିବ ? ଅବଶ୍ୟ ଏତେ ବ୍ରାଇଟ୍‌ କ୍ୟାରିଅର୍‌ ଥାଉଁ ଥାଉଁ ରିଟିନ୍‌ର ଗୋଟାଏ ପେପର୍‌ ଧୋକା ଦେଇଦେଲା । ଖାତା କିଏ ଦେଖୁଚି କେଜାଣି ? ଏ ଯୋଉ କିନ୍‌ କମ୍ପିଟିସନ୍‌, ଏଥିରେ ଯଦି ଚିପି ଦେଇଥାଏନା, ଗଲା–ଏକ୍‌ବାରେ ମଡ଼ର୍‌ ! କ’ଣ କରିବା କହିଲେ ?

 

ଦରଦରେ ମାହ୍ୟାଇର ମୁହଁ ଗମ୍ଭୀର ହେଇଯାଏ ଆଦ୍ୟ ଆଷାଢ଼ର ମେଘ ଭଳି । ପ୍ରାର୍ଥୀ ପ୍ରତି ସହାନୁଭୂତି ଓ ସମବେଦନା ବର୍ଷାକରି ଅତି ଧୀର, ନମ୍ରଭାବରେ ସେ କହେ, ଏ ଯୁଗଟାତ ହେଡ଼ାଖିଆଙ୍କ ଯୁଗ, ତମେ ଜାଣ । ଅଧିକ ତମକୁ କ’ଣ ବୁଝେଇବି । ଏଥରର ପରୀକ୍ଷକଗୁଡ଼ାକ ଭାରି ଚିପା । ଏକଥା ବାହାରେ କହିବାର ନୁହେଁ । ତମେ ତ ମୋ ସାନଭାଇ ଭଳି, ମତେ ମାହ୍ୟାଇ ବିଲି ଡାକୁଚ ! ଧର୍ମ ଜିନିଷଟା ମଣିଷ ମନରୁ ଏକ୍‌ବାରେ ଉଭେଇଗଲା । ତମକୁ ଏବେ କ’ଣ କହିବି ! ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା ।

 

ତମ ଅବସ୍ଥାତ ଜାଣେ–

 

-ସତରେ ମାହ୍ୟାଇ, ଆପଣଙ୍କୁ ନେଇ ମୋର ସାହସ । ନଚେତ୍‌ ମୁଁ ଅବା କୋଉ ବଳରେ ଏ ଅଫିସ ଭିତରକୁ ପଶନ୍ତି । ଭଉଣୀ ଦି’ଟା ବାହାଯୋଗ୍ୟା ଅବସ୍ଥାରେ ଘରେ ରଇଲେ । ସେଗୁଡ଼ାଙ୍କୁ ପାଠଶାଠ ପଢ଼େଇ, ବାପା ଓଲଟା ମୋ ଉପରେ ବୋଝ ବଢ଼େଇ ଦେଲେ । ପାଠ ନ ପଢ଼ିଥିଲେ, ଯାହା ତାହା ହାତରେ ଛନ୍ଦି ଦେଇଥିଲେ ଚଳନ୍ତା । ସେଥିରେ ପୁଣି ବାପାଙ୍କର ରୁମାଟିକ୍‌ ଯନ୍ତ୍ରଣା ଯେ, ଆଉ ଅଣ୍ଟା ସଳଖି ଚଲାବୁଲା କରିପାରୁ ନାହାଁନ୍ତି । ରୋଜଗାର କହିଲେ ମୋତେ ଅନିଶା । କିନ୍ତୁ ମୁଁ କ’ଣ କରିବି, କିଛି କୂଳ କିନାରା ପାଉନି ।

 

‘ବୁଝିଲ’ –ଚାପି ଚାପି ଦୁଃଖ ଓ କୁଣ୍ଠାମିଶା ଗଳାରେ ମାହ୍ୟାଇ କହେ–କେତେଟା ଟଙ୍କା କୋଉଠୁ ଯୋଗାଡ଼କରି ଏଗୁଡ଼ାଙ୍କ ମୁହଁ ଉପରକୁ ଫିଙ୍ଗିଦିଅ; ଚାକିରି ହେଲେ ସବୁ ହେଇଯିବ ।

 

-ଅନୁମାନ, କେତେ ?

 

‘ଦି’ ହଜାର ଖଣ୍ଡେ –ବୁଜି ବୁଜି ହେଇଆସୁଥିବା ଅବସ୍ଥାରେ ଆଖି ରଖି ଏତକ କହିଲେ ମାହ୍ୟାଇ ।

 

-ହଁ, ଯୋଗାଡ଼ କରିହେବ ଯେ–ବନ୍ଧାଛନ୍ଦା ପଡ଼ି ଆଣିପାରିବି । କିନ୍ତୁ ମୁଁ ତ କାହାକୁ ଦିଆନିଆ କରିପାରିବିନି । ମୁଁ ଆପଣଙ୍କୁ ଆଣି ଦେଇଯିବି । ତେଣିକି ସବୁକଥା ବୁଝିବେ ଆପଣ ।

 

-ବୈଷ୍ଣବୀୟ ବିନମ୍ରତା ଦେଖାଇ ମାହ୍ୟାଇ କହି ଉଠନ୍ତି, - ଦେଖ, ମତେ ସେଥିରେ ପୁରାନା । ମୁଁ ସେ ପାପରେ ସଂଶ୍ଳିଷ୍ଟ ହେବାକୁ ଚାହେନା; ବରଂ ଅନ୍ୟ କୌଣସି ବାଟେ ତମେ.....

 

-ନା, ନା, ଆପଣ ମନା କଲେ ଚଳିବ ? ମୁଁ କାଲି ଆସି କୋଉଠୁ ହେଲେ ଯୋଗାଡ଼–ଯନ୍ତ୍ରକରି ଆପଣଙ୍କ ଘରେ ଦେଇଯିବି ।

 

-‘ହେଇଟି, କଥାଟା ଯେମିତି କାନକୁ ଦି’କାନ ନ କର’ । ଆଖିକୁ ବଡ଼ କରିବାର ଯେତେ ସମ୍ଭାବନା ଅଛି, ସେତିକି ବଡ଼କରି ମାହ୍ୟାଇ କହେ–‘ମୁଁ ଏଥିରେ ପଶିଲିଣି ମାନେ ସବୁ କଥା ଦୁସୁରା । ଦବଟି ଲେଖି ତମ ଘର ଠିକଣାଟା । କାମ ହେଇଗଲେ କିମ୍ୱା ପୁଣି କିଛି ଦରକାର ପଡ଼ିଲେ, ପକେଇଦେବି ଖଣ୍ଡେ ଚିଠି ତମ ସାଙ୍ଗ ନାଁରେ । ମୋ ନାଁ, କି ମୋ ହସ୍ତାକ୍ଷର ସେଥିରେ ରହିବ ? ଆଲୋ ମାଆଲୋ ! ମୋ ଚାକିରି ଖଣ୍ଡକ ଚାଲିଯିବ । କେବଳ ତମରିପାଇଁ ଏ ବଦସାହସ କରୁଚି ।

 

କୃତ୍ୟକୃତ୍ୟହେଇ ଚାଲିଯାଏ ପ୍ରାର୍ଥୀ ଜଣକ ।

 

ସେ ଚାଲିଗଲା ପରେ ମାହ୍ୟାଇ ଅତି ସନ୍ତର୍ପଣରେ ଲୁହା ଆଲମାରି ଖୋଲେ ଏବଂ ସଦ୍ୟ ପହଞ୍ଚିଥିବା ରିଟିନ୍‌ ନମ୍ବର ସହ କ୍ୟାରିଅର୍‌ ନମ୍ବରର ଅଙ୍କ କଷେ ସେଇ ପ୍ରାର୍ଥୀ ଜଣକର । ଉଜ୍ଜ୍ୱଳ ଆଶାକୁ ଆହୁରି ତୋଫାକରି ମୁହଁରେ ତା’ର ଦରଫୁଟା ହସଫୁଲ ଫୁଟିଉଠେ ।

 

ଏବଂ ପୁଣି ଆଉ କାହା ସହିତ.....

 

ଦରକାର ପଡ଼ିଲେ କଥାହୁଏ ମାହ୍ୟାଇ ।

 

‘କାଇଁକି ବାରମ୍ୱାର ଇଠିକି ଆସି ଝମେଲା ଲଗେଇଚ ଭାଇ ! ମୋ ଚାକିରିଟା କ’ଣ ନବ ! ତୁଚ୍ଛାକୁତ ଇଠି କାହାରି କାହାରି ଛାଇ ଦେଖି, ଲୋକେ ମନଗଢ଼ା କେତେ କଥା କହି ଯାଉଛନ୍ତି । ଏଠି ଉପର ମୁଣ୍ଡରେ ଟଙ୍କା ପଇସା ଚାଲିଚି ..... ଧୂମ୍‌ ଟଙ୍କା ! ....ଶଅଳା, ହାଡ଼ଗିଳା ଦଳ ! ଖାଉଚ ଯଦି ଖାଅ, .....ଆମ ସମସ୍ତଙ୍କୁ ବଦନାମ କରୁଚ କାହିଁକି ?

 

-ମାହ୍ୟାଇ ! ....ମୋ କଥାଟିକେ ଶୁଣ ମ ! ଫର୍‌ହେଭେନ୍‌ସେକ୍‌, କହୁଚି–ତମାଛଡ଼ା ମୋର ଏଠି ଭରସା କିଏ ଅଛି କହିଲ ? ଓଃ ସେଇ ଭୁର୍କୁଣ୍ଡା–ମୁହା ମେମ୍ବରଗୁଡ଼ାଙ୍କୁ ଚାହିଁଦେଲେ, ମୋ ଗୋଡ଼ ଆଡ଼ୁ ଶିର୍‌ସିରେଇ ଉଠେ । .....ଶଃ, ସଟେକି ସର୍ବଜ୍ଞ ! ଯୋଉ ପ୍ରଶ୍ନଗୋଟା ଲେଖା ପଚାରୁଛନ୍ତି ନା–ଛାଡ଼ ।

 

ମଅଲା, ଆଉ ଖାଉଚି କିଏ କି ? ସେଇଗୁରାକ । ଆରେ ବାବୁ, ଯେଡ଼େ ବାଉଁଶ ସେଡ଼େ ପୋଲ । ଯେତେ ଟଙ୍କା ପାଇଲେ କ’ଣ ହବ, ଆହୁରି ଲୋଭ । ମୁଁ ଏଗୁରାଙ୍କୁ ହାଡ଼େ ହାଡ଼େ ଚିହ୍ନିଗଲିଣି । ହେଇତି, ତମ କଥା ଦେଖୁନା । ପାଞ୍ଚଟି ବିଲି ପୋଷ୍ଟ । ଦିଇଟାତ ସିଧା ଗଲା ସେମାନଙ୍କ ପେଇଁ । ଆଉ ତିନିଟାପାଇଁ ତମେ ରହିଲ ପଞ୍ଚାଅଶୀ ଜଣ । ତମର ଅନ୍ୟ ସବୁଥିରେ ଭଲ ହେଲେବି, କ୍ୟାରିଅର ଖୁବ୍ ଭଲ ଥିଲେବି–କ’ଣ ହବ, କିଏ କଇପାରିବ ?

 

ବସିଥିବା ଚେୟାର୍‌ଖଣ୍ଡକ ଯଥାସମ୍ଭବ ଟାଣିଆଣି ପ୍ରାର୍ଥୀ ଜଣକ ଫିସ୍‌ଫିସ୍‌ହେଇ ଅତି ଗୋପନୀୟ ଭାବରେ କହିବାକୁ ଆରମ୍ଭ କରେ, -ହେଇତି, ମାହ୍ୟାଇ ! ତମେ ତାରିଲେ ତାରିବ–ମାରିଲେ ମାରିବ । କ’ଣ କରିବା କହିଲ ! ମୁଁ ତ ସବୁକଥା ଶୁଣିଚି । ଏଠି ମୋର ପ୍ରକୃତ ପୋଜିସନ୍‌ ଯାହା ମୂଳରୁ ଚେଷ୍ଟା ନ କଲେ ଭେଳା ବୁଡ଼ିବ । ମତେ ବଞ୍ଚାଇବା ବାଟ କୁହ ।

 

ମୁହଁଟାକୁ ଭୁରୁଙ୍ଗାକାରି, ଯତ୍‌ସାମାନ୍ୟ ବିରକ୍ତି ପ୍ରକାଶ ସହ ମାହ୍ୟାଇ କହେ–ଗୋବର ଖାତରେ ତ ପଶିଚ । ସେଠି ଯଦି ଗୋବର ଚକଟିବ ତ ଚକଟିବ । ନୋହିଲେ ଚୁଟ୍‌କିନା ଖସି ଆସି, ଗୋଡ଼ହାତ ଧୋଇ, ଲୋକ ଲଗେଇଦେଇ, ନିଜେ ଭଦ୍ରଲୋକ ଭଳି ବସି ପଡ଼ିବ । ଖାଆନ୍ତୁ ଯାହା ଖାଇବା କଥା ଏ ଶାଗୁଣା ଦଳ ।

 

-ମାହ୍ୟାଇ ! ସବୁ ହବ ଯେ, ମତେ ଟିକେ ସାହାଯ୍ୟ କର ।

 

‘ନାଇଁ ନାଇଁ ଭାଇ, ମତେ ସେଥିରେ ପୂରାନା । ମତେ ମାଫ୍‌କର ।

 

ଏକରକମ ସେ ଜାଗା ଛାଡ଼ି ଯିବାର ଉପକ୍ରମ ଆରମ୍ଭ ହେଇଯାଏ ମାହ୍ୟାଇର ।

 

-ମାହ୍ୟାଇ ! ମୋ ମୁହଁକୁ ଟିକେ ଚାହାଁ !

 

ଦେଖ, ଏଇତ ଅଡ଼ୁଆ !

 

-ମଲା, ମୁଁ କ’ଣ ନିଜ ଭାଇଭଳି ନୁହେଁ ? ଦବାକୁ ମୁଁ ପ୍ରସ୍ତୁତ । ଯେ କୌଣସି ଉପାୟରେ ମୋର ଚାକିରିଟା ଦରକାର । କିନ୍ତୁ ବାଟ... ? ଯଦି ନେଇକରି କିଛି ନକଲେ ?

 

ଏଁ । ଏତେ ସାହସ ! ହକ୍‌ନେଇ କାମ ନକଲେ ଆମେ ଛାଡ଼ିଦବା ?

 

କଡ଼ା ବରକଡ଼ା କରି ଫେରେଇ ଆଣିବାନି ! ପାଣିରେ ଘର କରି କୁମ୍ଭୀର ସାଙ୍ଗରେ ବାଦ ! ତା’ ଛଡ଼ା ଆମେ ପୂରା ଥୋପଟା ପକେଇଦବା କାହିଁକି ? ଥୋଡ଼ା ଥୋଡ଼ା କରିଦବା ନେଇଁ-? ଆଗ କିଛି ଦବା; କମ ହେଇଯିବାର ସୁରାକ୍‌ ପାଇଲେ ଆଉ କିଛି । ଏମିତି ହବନା- ! ....ତେବେ ଏ କମ ବଡ଼ ଝିଂଝଟ୍‌ ଖାସ୍‌ ତମରି ସକାଶେ ମୁଁ....

 

-ମୋ ଭାଇଟା ପରା ! ମୋ ଲାଗି ଟିକିଏ କଷ୍ଟ କର । ପ୍ଳିଜ୍‌–ଏଭଳିଆ ଚୋର ଜାଗାରେ ତମଭଳି ଲୋକ କେମିତି ରହିପାରିଛନ୍ତି କେଜାଣି ? ଧନ୍ୟ କହିବ...

 

ଉଦାସ ଅପରାହ୍ନର ଆକାଶଭଳି ମୁହଁଟାକୁ ଗମ୍ଭୀରକରି ମାହ୍ୟାଇ କହି ଉଠିଲା, ଚାକିରି ଛାଡ଼ିଦବାକୁ ବହୁଥର ଭାବିଲିଣି ଯେ ! ଖାଲି ପିଲାଛୁଆଙ୍କ ମୁହଁକୁ ଚାହିଁ କିଛି କରିବାକୁ ସତ ବଳୁନି-। ସେମାନେ ଟିକେ ବଡ଼ ହେଇଯାଆନ୍ତୁ; ତେଣିକି ମୋ କାମ ମୁଁ କରିବି । ଏ ଶଳେ ଖାଇବେ ଯେ, ଶହ ଭିତର କଥା ନୁହଁ । ହଜାର–ପାଞ୍ଚ .... ଦଶ.....

 

-ଆଁ ଆଇଁ.... ।

 

ତଥାପି ବି ଧର୍ମ ସହୁଚି ତାଙ୍କୁ ।

 

-ତେବେ.....

 

ସେଇଆ କର । ଥର ଥର କରି ଆଣି ଦେଇଯା; ଲଫାପା ଭିତରେ ବନ୍ଦକରି ଆଣିଦବା-। ମୁଁ ସେଗୁଡ଼ାକ ଏ ହାତରେ ଛୁଇଁବି ନାଇଁ । ୟାଳ୍ପ ପାପର ଛିଟିକା ମୋ ଦିହରେ କାଇଁକି ଲାଗିବ-? ମଝିରେ ମଝିରେ ମୁଁ ତମ ପାଖକୁ କାହା ହାତରେ ଚିଠିଲେଖେଇ ପଠେଇ ଦଉଥିବି । ହେଲାତ ଭଲ, ନହେଲା ତ ଫେରସ୍ତ । ଆମ ଧନ ତ ଚୋରିମାଲ ନୁହେଁ ଯେ, ଫିଙ୍ଗିଦବା ଖାଲି ଗୋଟାଏ ଚାନ୍‌ସ....

 

-ହଁ, ଚାନ୍‌ସଟେ ନବା ।

 

ଦେଖ, ଯାହା ଭଲ ଭାବୁଚ କର ।

 

-ଆଉ ଭଲ କ’ଣ ? ସେଇୟାତ !

 

ମାହ୍ୟାଇ ଚାରିଆଡ଼କୁ ନଜର ପହଁରେଇ ନେଇ କହିଉଠନ୍ତି, ତମେ ଯା–ଏଠି ଆଉ ବସନି । ବେଶୀ ସମୟ ବସିଲେ ସମସ୍ତେ ମତେ ସନ୍ଦେହ କରିବେ । କହିବେ, ମାରୁ ଲୋକଙ୍କ ଚାମଚା ଇଏ । ଛାଡ଼, ତମେ ଯାଇ ସେଇ କାମକର....

 

ପ୍ରାର୍ଥିଟି ସସମ୍ମାନେ ପ୍ରମାଣଟିଏ ଜଣାଇ ଚାଲିଗଲା ପରେ,–

 

ଷ୍ଟିଲ ଆଲମାରି ଖୋଲିବାର ଶବ୍ଦ ଶୁଭେ । ମାହ୍ୟାଇ ମୁହଁର କିଛି ହସ ଏଣେତେଣେ ଚିଟ୍‌କି ପଡ଼େ । ପୁଣି ସେ ଗମ୍ଭୀର ହେଇଯାଏ । ସତେକି ତଳେ ପଡ଼ିଯାଉଥିବା ଟୁକୁଡ଼ା ଟୁକୁଡ଼ା ଖୁସିକୁ ସେ ପୁଣି ଆଲମାରି ଭିତରେ ନେଇ ବନ୍ଦ କରିଦଉଚି । ସିଆଡ଼ୁ ଡାକରା ଆସେ–‘ମାହାଣ୍ଟି’.....

 

କାମର ମଣିଷ ସେ.....

 

କାମରେ ବାହାରି ଯାଏ ।

 

ଫେରିଆସେ ପୁଣି ମୁହଁକୁ ଗମ୍ଭୀର କରି । “ଇଣ୍ଟରଭିଉ କଲ୍ ପଠାଇଦିଅ ।’’ ଆଦେଶ ମିଳିଚି । ସେଇ ସେଇ ନାଁ ଗୁଡ଼ାକ ଅଛି ତ ?

 

ମନରେ ଅନେକ ଆଗ୍ରହ, ଅନେକ ସଂଶୟ ।

 

ଭାରି ବ୍ୟସ୍ତ ସେ....

 

ମୌସୁମୀର ସମ୍ଭାବନା ଜାଣିଲେ, ଗଛରେ ଫୁଲ ଫୁଟେ । ଏବଂ ସେଇଭଳି ଏକ ସମ୍ଭାବ୍ୟ ପର୍ବ ଦେଖିଲେ ମାହ୍ୟାଇ ପ୍ରଗଳ୍‍ଭ ହୁଏ । ନଚେତ ସେ କଥା କହେ ଖୁବ୍ କମ ।

 

ମାହ୍ୟାଇ ଏବେବି ସେ ଅଫିସରେ ଅଛି । ଚାକିରି ଛାଡ଼ି ନାହିଁ । କିମ୍ବା ଛାଡ଼ିବାର ସମ୍ଭାବନା ନାଇଁ । ତା’ର ଶାଖା ପ୍ରଶାଖା ବଢ଼ୁଛି ବହୁ ରୂପରେ.....

 

ଏବେବି ସେ ପ୍ରତିଦିନ ମନ୍ଦିର ଦର୍ଶନ କଲାପରେ ଅଫିସ ଯାଉଚି ।

 

ତଥାପି ସେ ସମସ୍ତଙ୍କ ମାହ୍ୟାଇ !

 

ମାହ୍ୟାଇ ଲୋକ ହିସାବରେ ଭଲ ।

Image